ମାନଚିତ୍ର ଭାରତର


ପବିତ୍ର ଭାରତବର୍ଷ; ପବିତ୍ର ୟେ ତା’ର ଇତିକଥା,

ଜାତଲଗ୍ନେ ମେଷ ରାଶି; ଗୋରୁମାନେ ,ଏ ଦେଶେ ଦେବତା।

ଗୋତ୍ର ତା’ର ବଳିବର୍ଦ୍ଦ; ଧର୍ମ ତାର କରିବା କୁର୍ଣ୍ଣିସ୍‌;

ବିଶ୍ବରେ ବିସ୍ମୟ ସୃଜି ଶାସୁଥିଲା ତିନିଶ ବ୍ରିଟିଶ୍‌

ତ୍ରିଂଶକୋଟି ଭାରତୀୟ; ବ୍ରହ୍ମଜ୍ଞାନୀ ବେଦବିଶାରଦେ

ଲୋଟିଥିଲେ ଭକ୍ତିଭରେ ମହାମାନ୍ୟା ସାମାଜ୍ଞୀଙ୍କ ପଦେ;

                    ମଣ୍ଡି ରାଜସଭା

ଗାଉଥିଲେ ସମଗାନ:‘ଦିଲ୍ଲୀଶ୍ବରୋ ଜଗଦୀଶ୍ବରୋ ବା’।

 

ବ୍ରିଟିଶ ଛାଡିଛି ଗାଦି; ଗାଦିରେ ତ ଏବେ ଭାରତୀୟ;

ଦେଶବାସୀ ମାର ମାର କରତାଳି, ହୁଳୁହୁଳି ଦିଅ;

ଗୋରାସ୍ଥାନେ କଳା ଏବେ, ଏଣୁ ଜାଣ ଭାରତ ସ୍ବାଧୀନ;

କଳା ଏବେ ଚଳାଇବ ସେହି କଳ, କାଳିଆ ଆଇନ।

ଗୋରା ବଦଳେ କଳା : ମୁକ୍ତି ଦାତା ନୂଆ ସମ୍ବିଧାନ;

ପିଆ ମୁକ୍ତି କଣ୍ଠ ଭରି; ଗାଅ ଗାଅ ଜୟହିନ୍ଦ୍ ଗାନ।

 ଜୟହିନ୍ଦ୍! ଜୟହିନ୍ଦ୍!  ଜୟହିନ୍ଦ୍!!

 

ଜହର ଜାକେଟ୍‌ ସାଥେ ଗାନ୍ଧିଟୋପି, ପିନ୍ଧ, ଆରେ ପିନ୍ଧ।

ପୁରାଣର ରାମରାଜ୍ୟ ପୁଣି ଥରେ ହେଉଛିରେ ଗଢ଼ା;

ହସିବେରେ ପୁରବାସି ନରନାରୀ, ହସିବ ତୋ ପଡ଼ା।

ଭାସିବ ତ ଘିଅ ମହୁ ଦେଶସାରା, ପୂରିବ ତୋ ପେଟ।;

ଭବିଷ୍ୟେ ଭରସା ରଖି ବାକ୍‌ସରେ ଭରିଦିଅ ଭୋଟ।

ଜନତାର ମୁକ୍ତି ଲାଗି ଆମଦାନୀ ବିଲାତି ୟେ ମନ୍ତ୍ର;

ଭାରତରେ ଚାଲୁ ହେଲା ପାର୍ଲିଆମେଣ୍ଟ-ମାର୍କ ଗଣତନ୍ତ୍ର।

ଭୋଟ ଦିଅ, ଭୋଟ ଦିଅ ଭୋଟ ଦିଅ ଭାଇ,

ନୋଟ ନିଅ, ମାନ ଦିଅ, ମାନି ନିଅ ଗଣତନ୍ତ୍ରସାଇଁ।

 

ଇନ୍ଦ୍ରପ୍ରସ୍ଥେ କର୍ତ୍ତା ଆମ ବାର୍ତ୍ତା ଦ୍ୟନ୍ତି; ‘ଗରିବୀ ହଟାଅ’;

ଆମେ ତାଙ୍କ ପ୍ରତିଧ୍ବନି: ଧ୍ବନିତୋଳୁ ହୋଇ ବେପାରବାୟ।

ଯୋଜନାରେ କଳ୍ପତରୁ ବିଂଶବାହୁ, ବିଂଶ କାର୍ଯ୍ୟକ୍ରମ-

ସଂଯୋଜିତ ପୁଣି ତହିଁ ପାଞ୍ଚଦଫା, ପଞ୍ଚବଟୁ ସମ।

ସାଆନ୍ତଆ ନୋହୁଁ ଆମେ, ସାମ୍ୟମନ୍ତ୍ରେ ଗଢ଼ୁଛୁ ସମାଜ;

ମୁକୁଟବିହୀନ ଥାନେ ପୂଜୁଁ ଘଟ ଥାପି ଯୁବରାଜ;

ତାଙ୍କରି ସ୍ବାଗତ-

ଲାଗି ଆମେ ତୋଳୁଅଛୁଁ ତୋରଣ ଯେ ମୁକ୍ତି ବିଶାରଦ।




+ -

© Jataayu Charitable Trust
Site designed,developed & maintained by Tekons