ସୋହଂ


ମୁଁ ଏକ କବିତା-

କ୍ଷଣିକର ନିବେଦନ;

ଭାବ ଉତ୍ସ ସେ ତ,

ଜୀବନର ପ୍ରସ୍ର‍ବଣ

 

ମୁଁ ଗୋଟିଏ ଶିଖା

ମ୍ନ ଏକ ପ୍ରଦୀପର;

ସୂର୍ଯ୍ୟର ତନୁଜ

ମୁହିଁ ତେଜସ୍ବୀ ଭାସ୍ବର।

 

ମୁଁ ଏକ ନକ୍‌ସା

ଫର୍ଦ୍ଦେ କାଗଜରେ ଟଣା,

ଫୁଟିଛି ମୋଠାରେ

ଦେଖ ସଂପୂର୍ଣ୍ଣ ଯୋଜନା।

 

ମୁଁ ଏକ ବନ୍ଦନା

 ଧୂପ-ଦୀପ-ପୂଜାଫୁଲେ;

ବିଧୁର ଆତ୍ମା ମୋ

ପରଂବ୍ରହ୍ମ ଖୋଜିବୁଲେ।

 

ମୁଁ ଏକ ମୂହୂର୍ତ୍ତ

ମହାକାଳ ଅନ୍ତହୀନ

ତହିଁରେ ଲୀନ ମୁଁ,

ଦୁହେଁ ଏକାତ୍ମ ଅଭିନ୍ନ।

 

ମୁଁ ବିନ୍ଦୁ ଟୋପାଏ

କ୍ଷୁଦ୍ର ଅତି, ଅତି ଛାର

ମହାସିନ୍ଧୁ ବକ୍ଷେ

ଦୋଳେ ହୋଇ ଏକାକାର।

 

ମୁଁ ଜାଣେ, ମୁଁ ଜାଣେ,

ଅସଂଖ୍ୟ ଅଟେ ଜନତା;

ମୁଁ ତାର ପ୍ରତୀକ

ବିଶ୍ବର ନାଗରିକତା।

 

ମୁଁ ଶିଶିରକଣା

ଶୋଇରହେ ଘାସ-ଶେଯେ,

ମୋ ପ୍ରାଣ ମୁକୁରେ

ଅନନ୍ତ ଆକାଶେ ବିଜେ।

 

ମୁହିଁ ଗୋପବନ୍ଧୁ,

ସହସ୍ରେ ଛନ୍ତି ମୋ ଭଳି,

ମୋ ଲାଗି ବିରହୀ କୃଷ୍ଣ

ବାଏ ତା ମୂରଲୀ।

 

ଅଣୁ ମୁହିଁ ଏକ

ବ୍ରହାଣ୍ଡ ଯେ କୋଟି କୋଟି,

ଅନ୍ତରେ ମୋ ସ୍ଫୁରେ

ପୂର୍ଣ୍ଣତାର ଅନୁଭୂତି।

 

ମୁଁ ଏକ ଆତ୍ମା,

ଦେହ ମୋର କାରାଗାର;

ମୋ ମଧ୍ୟେ ବିରାଜେ

 

ସେହି ସେ ଯେ ନିରାକାର।




+ -

© Jataayu Charitable Trust
Site designed,developed & maintained by Tekons