ଊଷା
ଉକୁଟିଲା ପୁର୍ବନଭ ଅପୂର୍ବ ଶୋଭାରେ;
ଉଦ୍ଭାସିତ ବେଳାଭୂମି ସୁବର୍ଣ୍ଣ ଆଭାରେ;
ପରିବ୍ୟାପ୍ତ ଅନ୍ଧାରର କରି ଅବସାନ
ଦୃପ୍ତପଦେ ଦୀପ୍ତିମନ୍ତ ତବ ଅଭିଯାନ।
ଦିଗେ ଦିଗେ ବିଂଚିଦିଅ ପୁଲକରେ ରେଣୁ;
ପ୍ରାଣେ ପ୍ରାଣେ ବାଜିଉଠେ ସଂଜୀବନୀ ବେଣୁ।
ସିନ୍ଧୁଗର୍ଭୁ ତୁମର ସେ ଉଦୟ ଗୌରବ
ଉଲ୍ଲସିତ ଉର୍ମିମାଳ ଗାଏ ଶତଜିହ୍ବ।
ସଂଚାଳିତ କରି ରଶ୍ମି ଜ୍ୟୋତିର୍ମୟ ପଥେ
ବୈଜୟନ୍ତୀ ତୋଳି ତମ ସପ୍ତ-ଅଶ୍ବ-ରଥେ
ଆରମ୍ଭିଲେ ଯାତ୍ରା ଯେବେ
ତବ ସ୍ବାଗତ ଉତ୍ସବେ
ଐକ୍ୟତାନେ କୋଟିକଣ୍ଠ ଗାଏ କଳରବେ;
ନମୋ ନମୋ ହେ ବାଳକ ଅରୁଣ
ଚରାଚର ବନ୍ଦେ ତବ ଅମୃତ ଚରଣ।
ପୂର୍ବାହ୍ଣ
ଅଙ୍ଗେ ତବ ପ୍ରକଟିଲା ତାରୁଣ୍ୟର ତେଜ
ପଲ୍ଲବାଇ ବୃକ୍ଷରାଜି, ଫୁଟଇ ପଙ୍କଜ:
କୁସୁମ ସମ୍ଭାରେ ଦୋଳେ ସବୁଜ ବଲ୍ଲରୀ
ସାଗରର ବକ୍ଷ ଚିରି ଭାସିଯାଏ ତରୀ;
ମୃଗ ପଛେ ଧାଏଁ କାହିଁ ବ୍ୟସନ ବିଳାସୀ
ବୈରାଗ୍ୟର ମଧୁ ପିଇ ବିଭୋର ଉଦାସୀ
ଗୀତିକଣ୍ଠେ ଭରି ଉଠେ ମାଦକୀ ମୂର୍ଚ୍ଛନା
ଶିଳ୍ପୀର ନିହାଣ ଲଳିତ କଳ୍ପନା;
ନର୍ତ୍ତକୀର ପଦେ ନାଚେ ମୃଦୁ ଚପଳତା
ପ୍ରଣୟିନୀ ଅଙ୍ଗେ ଅଙ୍ଗେ ଅନଙ୍ଗର ବ୍ୟଥା।
ପାଷାଣେ ସଞ୍ଚରେ ପ୍ରାଣ.
ସବୁ ସିନା ତୁମରି କରଣୀ
ରୂପେ-ରସେ ଗନ୍ଧେ-ଛନ୍ଦେ ସୁନ୍ଦର ଧରଣୀ।
ହେ ତେଜସ୍ବୀ ପ୍ରଭୁ ଦିବାକର,
ଭକ୍ତି ଭରେ ତୁମ ପଦେ କୋଟି ନମସ୍କାର।