କାରାଗାର! କାରାଗାର!
ହେ ନିର୍ବାକ୍! ହେ ନିସ୍ପନ୍ଦ!
ହେ ପ୍ରତୀକ ଭଗ୍ନଜାନୁ ସଭ୍ୟତାର!
କାରାଗାର! କାରାଗାର!
ଉଦ୍ଧତ ପ୍ରାଚୀର, ନିସ୍ପନ୍ଦ ଆକାଶ,
ନିଃସଙ୍ଗ ପ୍ରକୋଷ୍ଠ, ନିର୍ଜନ ନିବାସ,
ଲୁହାର ନିଗଡ଼େ ପ୍ରହରୀ ସଂତ୍ରାସ,
ଚତୁର୍ଦ୍ଦିଗେ ଅନାବୃତ ଅନ୍ଧକାର……ଅନ୍ଧକାର!
କାରାଗାର! କାରାଗାର!
ନାହିଁ ପତ୍ନୀପତ୍ର, ନାହିଁ ବନ୍ଧୁଜନ,
ନାହିଁ ଆଶ୍ବାସନା ପ୍ରୀତି ସମ୍ଭାଷଣ,
ହିଂସା-ଜର୍ଜରିତ ନିଭୃତ ଜୀବନ,
ଧୂଧୂ ମରୁବାଲି , ଖାଲି ହାହାକାର……ହାହାକାର!
କାରାଗାର! କାରାଗାର!
ତୁମେ ତ ଦେଖିବ ଜତୁଗୃହ ଦାହ,
ଜୀବନେ ସ୍ରୋତର ଅଶାନ୍ତ ପ୍ରବାହ,
ଆର୍ତ୍ତା ପାଞ୍ଚାଳୀର ଅଶ୍ରୁ ଅସହାୟ,
ନିରଙ୍କୁଶ ଦୁଃଶାସନ, ମଦମତ୍ତ ଅହଂକାର!
କାରାଗାର! କାରାଗାର!
ତୁମେ ତ ଦେଖିଛ କ୍ଷମତାର କ୍ଷୁଧା,
ପୃଥ୍ବୀ ଜିଣିବାର ଚୂଡ଼ନ୍ତା ମସୁଧା,
କ୍ରୂର ବିଦାରଣେ ବିକ୍ଷୁବ୍ଧ ବସୁଧା,
ଯୁଦ୍ଧ, ହତ୍ୟା, ରକ୍ତପାତ, ହିଂସାନଳ ଦୁର୍ନିବାର।
କାରାଗାର! କାରାଗାର!
ଘନ ହତାଶର ଯୋଗାସନ ପାତି
ପୁହାଇଛି କେତେ ତନ୍ଦ୍ରାହୀନ ରାତି;
ବିକଟ ଗର୍ଜିଛି କଳଙ୍କ କୁଖ୍ୟାତି
ଶିରେ ତୁମେ ହାଣି ହାଣି ବିଷଫଣା କଳିମାର!