ଖଣ୍ଡା ଝୁଲେ ଶିର୍କାପର୍,
ଫଶୀର ରସି ଗଳାକା ହାର,
ଲକ୍ଷେ ଟଙ୍କା ପୁରସ୍କାର।
ମରଦ ସିଂ ବା ତା’ ମୁର୍ଦ୍ଦାର,
ଲକ୍ଷେ ଟଙ୍କା ପୁରସ୍କାର।
ମରଦ ସିଂ… ଡାକୁ ସର୍ଦ୍ଦାର
ଖୁନ୍ କରେ, ଲୁଟ କରେ, ମଣିଷ ମାରେ;
ମରନ ସିଂ…… ଧନିକ ଥରେ, ପୁଲିସ ଡରେ
ମରନ ସିଂ…….ମଣିଷ ମାରିପାରେ!!
ସର୍କାର କହେ-
ଗ୍ରେପ୍ତାର କର ଗ୍ରେପ୍ତାର।
ଖୁନ୍ କରେ, ଲୁଟ କରେ, ମଣିଷ ମାରି
ସେ ଫେରାର୍।
ମରଦ ସିଂ ଡାକୁ ସର୍ଦ୍ଦାର।
ଖୁନ୍ କରି, ମଣିଷ ମାରି
ମରଦ ସିଂ ଚମ୍ପଟ ଦିଏ
ଘଞ୍ଚ ଅଭାୟାରଣ୍ୟେ
ଯେଉଁଠି-
ଝୋପଡିଘରେ ଜାବୁଡିଧରେ
ଏକ ଆରେକେ
ଜୀବନ ଭରା ଦୈନ୍ୟ;
ଯେଉଁଠି
ଅଣଓସାରି ଖସରାଗଳି
ସାପ ଭଳି ମାରିଛି ସାତ ଚେକି,
ଓଗାଳି ବାଟ ରହିଛି ନାଗ
ଉଚ୍ଚେ ଫଣା ଟେକି,
ଆଉ, ଅନ୍ଧାର ଜମେ କୁଢ଼କୁ କୁଢ଼
ଶୋଇ ଯାଆନ୍ତି ଏକା ସାଥୀରେ
ମଣିଷ ଆଉ ମଢ଼,
ଯେଉଁଠି
କଥା କଥାକେ ଛୁରି ଚାଲେ,
ଦାନ୍ତ ପଡେ ଝଡି,
ସେଇଠି।
ସିଂହଗଡ ଉଠିଛି ସେଠି ଗଢ଼ି
ସେଇଠି ସିଏ ପୁଲିସ ସାଥେ ଲଢ଼ି
ମାନିନି ହାର, ଲଭିନି ପରାଜୟ।
ସେହି ସେ ଗଡେ ମରଦ ସିଂ ରହେ,
ରହେ ବେପରବାଏ।