ବିଷାଦ-ଜଡ ନିଘୋଡ଼ ରାତି,
ନିଶାଦୁଁ ବଳି କଠିନ ଛାତି।
ତମସା ତହିଁ ଟେକୁଛି ଛାତି।
କାଟି ସେ ବ୍ୟୁହ ପୋଛି ତୋ ଲୁହ
ଆସିବ ସେ ତ ଆସିବ ନିଶ୍ଚେ;
ଲାଲଟହ ଟହ ସୂର୍ଯ୍ୟ ସିଏ॥
ରାତି ତ ଏବେ କଜଳ ଗାଢ଼,
ଦିଶେନା କାହିଁ ଉଜାଲା ଗାର;
କାହିଁରେ କାହିଁ ସୁନା ସକାଳ?
ଏହାରି ପରେ ଉଦୟ ତାର
କାଳିଆରାତି ଛାତିକି ଚିରି;
ଲାଲ ଟହ ଟହ ସୂର୍ଯ୍ୟ ସିଏ॥
ଏହାରି ପରି ହୁଏ ତ ଭୋର;
ପାହାଁତି ବେଳା ଅମାର ଜୋର;
ହେବନି ମିଛ ଭରସା ତୋର;
ଆସିବ ସିଏ ଆସିବ ଥୟ,
ବିଜୟଟୀକା ମଥାରେ ଘେନି;
ଲାଲ ଟହ ଟହ ସୂର୍ଯ୍ୟ ସିଏ॥
ଫୁଟିବ ପୁର୍ବେ ରକ୍ତଜବା
ବିଛୁଡି ଦେବ ସ୍ବର୍ଣ୍ଣ ଆଭା
ସକଳ ଖେତେ ବିପୁଳ ଶୋଭା
ଭୁବନ ପରି ଆଲୋକ ସୁଏ,
ଜୀବନ ରସେ ଭସାଇ ନେବ,
ଲାଲ ଟହ ଟହ ସୂର୍ଯ୍ୟ ସିଏ।
ଅନ୍ଧ ଦୁର୍ଗେ ଅଗ୍ନିଜାଳି
ବୈରୀ ରକ୍ତେ ଖେଳିବ ହୋରି;
ନିଶାର ଶେଷ ଉଷା କୁଆଁରୀ
ଆଲୋକମୟ ଅଭ୍ୟୁଦୟ
ରୋଧିବ କିଏ, ରୋକିବ କିଏ?
ଲାଲ ଟହ ଟହ ସୂର୍ଯ୍ୟ ସିଏ॥
କିରଣେ ଯାର ତନ୍ଦ୍ରା ତୁଟେ,
ଚରଣେ ଯାର ପଦ୍ମ ଫୁଟେ,
ଦୀପ୍ତିରେ ଯାର ସୁପ୍ତି କଟେ
ପୃଥ୍ବୀଭରି ଶକ୍ତି ଦିଏ,
ସ୍ବାଗତ ଯାର କଣ୍ଠେ ଉଠେ
ଲାଲ ଟହ ଟହ ସୂର୍ଯ୍ୟ ସିଏ॥
ପୂରୂବ ଦିଗ ଫରସା ଦିଶେ;
ଦେଖରେ ଦେଖ କିଏ ସେ ଆସେ-
ଉଡ଼ାଇ ଫଗୁ ନୀଳ ଆକାଶେ,
ଉଠରେ ଉଠ ଶୋଇଛି ଯିଏ
ଅନାରେ ଅନା ରକ୍ତବାନା
ଲାଲ ଟହ ଟହ ସୂର୍ଯ୍ୟ ଉଁଏ।
ଶୌର୍ଯ୍ୟ ଭରା ସୂର୍ଯ୍ୟ ସିଏ,
ବୀର୍ଯ୍ୟ ଭରା ସୂର୍ଯ୍ୟ ସିଏ,
ଆଗାମୀ ଦିନ ଇସାରା ଦିଏ॥