ପବିତ୍ର ଭାରତବର୍ଷ; ପବିତ୍ର ୟେ ତା’ର ଇତିକଥା,
ଜାତଲଗ୍ନେ ମେଷ ରାଶି; ଗୋରୁମାନେ ,ଏ ଦେଶେ ଦେବତା।
ଗୋତ୍ର ତା’ର ବଳିବର୍ଦ୍ଦ; ଧର୍ମ ତାର କରିବା କୁର୍ଣ୍ଣିସ୍;
ବିଶ୍ବରେ ବିସ୍ମୟ ସୃଜି ଶାସୁଥିଲା ତିନିଶ ବ୍ରିଟିଶ୍
ତ୍ରିଂଶକୋଟି ଭାରତୀୟ; ବ୍ରହ୍ମଜ୍ଞାନୀ ବେଦବିଶାରଦେ
ଲୋଟିଥିଲେ ଭକ୍ତିଭରେ ମହାମାନ୍ୟା ସାମାଜ୍ଞୀଙ୍କ ପଦେ;
ମଣ୍ଡି ରାଜସଭା
ଗାଉଥିଲେ ସମଗାନ:‘ଦିଲ୍ଲୀଶ୍ବରୋ ଜଗଦୀଶ୍ବରୋ ବା’।
ବ୍ରିଟିଶ ଛାଡିଛି ଗାଦି; ଗାଦିରେ ତ ଏବେ ଭାରତୀୟ;
ଦେଶବାସୀ ମାର ମାର କରତାଳି, ହୁଳୁହୁଳି ଦିଅ;
ଗୋରାସ୍ଥାନେ କଳା ଏବେ, ଏଣୁ ଜାଣ ଭାରତ ସ୍ବାଧୀନ;
କଳା ଏବେ ଚଳାଇବ ସେହି କଳ, କାଳିଆ ଆଇନ।
ଗୋରା ବଦଳେ କଳା : ମୁକ୍ତି ଦାତା ନୂଆ ସମ୍ବିଧାନ;
ପିଆ ମୁକ୍ତି କଣ୍ଠ ଭରି; ଗାଅ ଗାଅ ଜୟହିନ୍ଦ୍ ଗାନ।
ଜୟହିନ୍ଦ୍! ଜୟହିନ୍ଦ୍! ଜୟହିନ୍ଦ୍!!
ଜହର ଜାକେଟ୍ ସାଥେ ଗାନ୍ଧିଟୋପି, ପିନ୍ଧ, ଆରେ ପିନ୍ଧ।
ପୁରାଣର ରାମରାଜ୍ୟ ପୁଣି ଥରେ ହେଉଛିରେ ଗଢ଼ା;
ହସିବେରେ ପୁରବାସି ନରନାରୀ, ହସିବ ତୋ ପଡ଼ା।
ଭାସିବ ତ ଘିଅ ମହୁ ଦେଶସାରା, ପୂରିବ ତୋ ପେଟ।;
ଭବିଷ୍ୟେ ଭରସା ରଖି ବାକ୍ସରେ ଭରିଦିଅ ଭୋଟ।
ଜନତାର ମୁକ୍ତି ଲାଗି ଆମଦାନୀ ବିଲାତି ୟେ ମନ୍ତ୍ର;
ଭାରତରେ ଚାଲୁ ହେଲା ପାର୍ଲିଆମେଣ୍ଟ-ମାର୍କ ଗଣତନ୍ତ୍ର।
ଭୋଟ ଦିଅ, ଭୋଟ ଦିଅ ଭୋଟ ଦିଅ ଭାଇ,
ନୋଟ ନିଅ, ମାନ ଦିଅ, ମାନି ନିଅ ଗଣତନ୍ତ୍ରସାଇଁ।
ଇନ୍ଦ୍ରପ୍ରସ୍ଥେ କର୍ତ୍ତା ଆମ ବାର୍ତ୍ତା ଦ୍ୟନ୍ତି; ‘ଗରିବୀ ହଟାଅ’;
ଆମେ ତାଙ୍କ ପ୍ରତିଧ୍ବନି: ଧ୍ବନିତୋଳୁ ହୋଇ ବେପାରବାୟ।
ଯୋଜନାରେ କଳ୍ପତରୁ ବିଂଶବାହୁ, ବିଂଶ କାର୍ଯ୍ୟକ୍ରମ-
ସଂଯୋଜିତ ପୁଣି ତହିଁ ପାଞ୍ଚଦଫା, ପଞ୍ଚବଟୁ ସମ।
ସାଆନ୍ତଆ ନୋହୁଁ ଆମେ, ସାମ୍ୟମନ୍ତ୍ରେ ଗଢ଼ୁଛୁ ସମାଜ;
ମୁକୁଟବିହୀନ ଥାନେ ପୂଜୁଁ ଘଟ ଥାପି ଯୁବରାଜ;
ତାଙ୍କରି ସ୍ବାଗତ-
ଲାଗି ଆମେ ତୋଳୁଅଛୁଁ ତୋରଣ ଯେ ମୁକ୍ତି ବିଶାରଦ।