ଫାଶୀଦିଅ ବାରେ ଡାକୁଛି ଡାହୁକ;
ଆଖି ବାନ୍ଧିଦେଲା କାଉଁରୀ କୁହୁକ;
ଯେତେ ଥିଲା ପଥ
କଜଳ କଳାରେ ସବୁ ହେଲା ଏକ।
ଉଠରେ ପୁତା, ଉଠ!
ଦଶଦିଗ ପାଳ ହେଲେଣି ରେ ଅନ୍ଧ;
ମଶାଣି ବିଛୁଡେ ଫୁରୁକୁଟା ଗନ୍ଧ;
ଚିତାଚଉପାଶେ
ବିଂଶବାହୁ ତୋଳେ ନାଚୁଛି କବନ୍ଧ।
ଉଠରେ ପୁତା, ଉଠ!
ପଲ୍ଲୀପୁରେ ଏବେ ଘୋଟିଛି ଅନ୍ଧାର;
ବୁଢ଼ା ଦାଗୀ ବାନ୍ଧେ ପାଗ ଚୌକିଦାର;
ଡାହାଣୀ ହାତରେ
କଅଁଳା ଶିଶୁକୁ ପାଳିବାର ଭାର।
ଉଠରେ ପୁତା, ଉଠ!
ପିତ୍ତଳ ମାରୁଛି ସୁର୍ବର୍ଣ୍ଣ ଝଟକ;
ଶୋଇ ରହିଲେ ତ ଅନ୍ଧାରୀ ଅଟକ;
ଯେତେ ଯାହା କଲେ
ନ ପୂରିଲା ତୋର ଉଧାର ମାଣକ।
ଉଠରେ ପୁତା, ଉଠ!
ଲକ୍ଷେ ଅକ୍ଷୌଣୀରେ ସାଜିଛି ସେ ବଳ;
ତୋ ପକ୍ଷେ ସାରଥୀ ନ୍ୟାୟର ପ୍ରବଳ,
ନିର୍ମଳ ତୋ ଚିତ୍ତ,
ସତ୍ୟବାନ ତହିଁ ଉଡେ ଫର ଫର।
ଉଠରେ ପୁତା, ଉଠ!
ଗରେଜେ ତୋ ପକ୍ଷେ ଦୁର୍ନିବାର ଝଡ,
ଗଢ଼ିଛି ତୋ ବାହା ଦଧୀଚିର ହାଡ;
ମନ ଆଣ୍ଟ କଲେ
ଲଙ୍ଘିଯିବୁ ହେଳେ ଆକାଶୀ ପାହାଡ
ଉଠରେ ପୁତା, ଉଠ!
ତା ବୁକେ ଜଳୁଛି ଅଲିଭା ସଳିତା;
ଅନ୍ଧାର ସେପଟେ ଉକୁଟେ ସବିତା;
ଲହୁ ଦେଇ ତୋତେ
ଲେଖିବାକୁ ହେବ ଜୀବନ କବିତା।
ଉଠରେ ପୁତା, ଉଠ!