ଅବସନ୍ନ ଛାୟାଛନ୍ନ ବୁକୁ ଉପରକୁ
ଯେବେ ସେ ଝାମ୍ପମାଇଲା,
ଆଉ ପରିଶ୍ରାନ୍ତ ଜଘଂ ଦୁଇଟା
ଅନାବୃତ କରି ବିଦାରିଲା ଦୁଇଫାଳ
ଆଦିମତାର ହିଂସ୍ର ପ୍ରବୃତ୍ତି ଜାହିର କରିବାକୁ,
ଧର୍ଷିତା ରମଣୀ ଭଳି
୪୭ ନମ୍ବର ଗଳି
ତୀକ୍ଷ୍ଣ ଏକ ଚିତ୍କାର ଛାଡି
ଥରୁଥିଲା ଅସହାୟ ଆତଙ୍କରେ।
ପ୍ରାଣ ତାର ଚାହେଁ ପ୍ରତିରୋଧ କରିବାକୁ,
ଅଥଚ ସ୍ନାୟୁଗୁଚ୍ଛ ଶିଥିଳ,
କଣ୍ଠ ଅବରୁଦ୍ଧ,
ଭାଙ୍ଗି ପଡିଛି ସ୍ବରଯନ୍ତ୍ର;
ଭୟ ତା’ର ଜଡାଇଛି ସମସ୍ତ ସତ୍ତାକୁ।
ପଞ୍ଚସ୍ତରୀ ପୁଲିସ ପିକ୍ଅପ୍ର
ଅନ୍ଧାରୀ ଅଭିସାର ଆଜି ଜମିଛି
୪୭ ନମ୍ବର ଗଳି ବିଚ୍ ରାସ୍ତା ଉପରେ।
ଜନବସତି ମଧ୍ୟରେ ସିଂହ ତା’ର ଶିକାର ଖୋଜୁଛି:
ସ୍ଫୀତବକ୍ଷ କରଡା ମୁଛ ଦାରୋଗା ବାବୁ
ପଛରେ ଚମଡ଼ା ପାତଳା ତଳିଆ ଅଫିସର;
ସିଂହର ନଖ ଭଳି ତୀକ୍ଷ୍ଣ ଓ ତୋଖଡ
ଯୋ ହୁକୁମୀ ପାଞ୍ଚ ସିପାହୀ
ହାତରେ ପିତ୍ତଳ ଗୋବବସା ଖପୁରିଫଟା ଲାଠି,
ପାଦରେ ମଇଁଷିଛାଲର ନାଲଦିଆ ପୁଟ୍।
ନିଶାର୍ଦ୍ଧରେ ତନ୍ଦ୍ରାକୁ ନାତ୍ ମାରି ମାରି
ସେମାନେ ଭରୁଥିଲେ ପିକ୍ଅପ୍ର ଉଦର:
ତରୁଣ ତିନିଟା ଛାତ୍ର, ଶିକ୍ଷିତ ବେକାର ଯୁବକ ଜଣେ।
ଉଦ୍ଧତ ଗଳାର ହିଂସ୍ର ଗର୍ଜନ:
‘ଜିଭ ମୋର ପରୱାନା’।
ସମସ୍ତ ଜିଜ୍ଞାସାର ଏକମାତ୍ର ଉତ୍ତର:
‘କ୍ଷମତା ନିରଙ୍କୁଶ’।
ବିଚାରଶୂନ୍ୟତା ପିଶାଚର;
ଉଲ୍ଲାସ ଅସୁରର
ଦୈତ୍ୟର ବଳ;
‘ମିଶା’ ନିଶାରେ ଉନ୍ମତ୍ତ ତା’ର ସର୍ବାଙ୍ଗ।