କାହିଁ ବେଦଧ୍ବନି ପୂତ ଆଶୀର୍ବାଦ?
କାହିଁ ଅଧିଆତ୍ମା ଅମୃତ ସନ୍ଧାନୀ?
କାହିଁ ସେ ଭାରତ ରତ୍ନ ପ୍ରସବନୀ?
ହାଡ ମାଳ ମାଳ ହାତେ ଭିକ୍ଷାଥାଳ,
ଶତଛିନ୍ନ ମ୍ଲାନବେଶ,
କହ ଲୋ କୋଇଲି, କି ହେଲା ମୋ ଦେଶ
ଭାଜିଛି କୋଣାର୍କ ଲିଭିଛି ଗୌରବ;
ଖୋଜିଲେ କି ମିଳେ ହଜିଲା ବିଭବ?
ଦିଗେ ଦିଗେ ଆଜି ଗର୍ଜୁଛି ଅଭାବ
କାଙ୍ଗାଳର ଏବେ ସମ୍ବଳ ହୋଇଛି
କୁତ୍ସିତ ଭଗ୍ନାବଶେଷ।
କହ ଲୋ କୋଇଲି, କି ହେଲା ମୋ ଦେଶ
‘ଧନଧାନ୍ୟେ ଭରା’ କବିର କଳ୍ପନା,
‘ଶସ୍ୟଶ୍ୟାମଳିମା’ ଅଳୀକ ବନ୍ଦନା,
ପେଟେ ନାହିଁ ଦାନା, ଦେହେ ନାହିଁ କନା,
ସାରକାରଖାନା ପାଇଁ କି ଯୋଜନା
ଚାଷ ହେବ ଦୂବଘାସ!
କହ ଲୋ କୋଇଲି, କି ହେଲା ମୋ ଦେଶ !
ଟାଉଟର ମୁଣ୍ଡେ ମୁଲକ ସିରିପା,
ଦାଗୀ କୁଆଡିଏ ବନିଲେ ଖଲିପା,
ଚୋର ବାହାଦୂର ସାଧୁ ତଣ୍ଟି ଚିପା,
ଲାଞ୍ଚୁଆଙ୍କ ଗୁରୁ ବୁଢ଼ା ଦଣ୍ଡିମାରି।
ସାଜିଛନ୍ତି ନ୍ୟାୟଧୀଶ।
କହ ଲୋ କୋଇଲି, କି ହେଲା ମୋ ଦେଶ ।
ବେକାରି ଘୋଟିଛି ମିଳେ ନାହିଁ କାମ,
ଦରଦାମ ଶୁଣି ମଥା ମୋ ଗରମ
ରାଜନୀତି ହେଲା ବାହାପିଆ ଢ଼ମ;
ଗରିବୀ ହଟିବ ମୂଲକେ ଲୋଟିବ
ଘିଅ ମହୁ ପୋଷ ପୋଷ!
କହ ଲୋ କୋଇଲି, କି ହେଲା ମୋ ଦେଶ ।
ବନ୍ଧା ହେବା ଲାଗି ସରଗକୁ ସିଡି
ଦେଶେ ବିଛାଇଲି ବିଦେଶୀ କଉଡି;
କଳା କଉଡିରେ ଭେଳା ଯାଏ ବୁଡି;
ଘିଆଖିଆ ଋଣ ଘୁଣ ପାଲଟିଛି
ଘୋଟି ଆସେ ସର୍ବନାଶ।
କହ ଲୋ କୋଇଲି, କି ହେଲା ମୋ ଦେଶ ।
କଳା ଘୋଟିଗଲା, କଳିକାଳ ହେଲା,
ସେହିତ ଜିଣିଲା ଯିଏ ବେଶି ଦେଲା,
ଲାଞ୍ଚରେ ଚାଲିଛି ସରକାରୀ ଭେଳା,
ସତ୍ୟବନ୍ତ ଲୋକ ମୁଣ୍ଡରେ ଚଡକ,
(ତାକୁ) ‘ମିଶା’ ଆଇନରେ ଠେସ।
କହ ଲୋ କୋଇଲି, କି ହେଲା ମୋ ଦେଶ ।