ଲେଖିବାକୁ ବହୁତ କବିତା ରହିଗଲା ବାକି ;
ସାଧିବାକୁ ଅଛି ଏବେ ଆଉ ଅନେକ ରାଗିଣୀ;
ଧରିତ୍ରୀର ସକଳ ସୁଷମା ପାରିନି ତ ଆଙ୍କି;
ନୂଆ କେତେ ନାଚିବାକୁ ଚାହେଁ ନାଚି ତ ପାରିନି;
କହିବାର ଅଛି ମୋର ଜାଣ ଅନେକ ଯେ କଥା;
ଜୁଆର ତ ସରି ଆସେ ଏବେ ଟାଣିଲାଣି ଭଟ୍ଟା;
ଚାହିଁ ଚାହିଁ ରଙ୍ଗା ହେଲା ମୋର ପଶ୍ଚିମ ଗଗନ
ହେ ମୋର ନନ୍ଦନ।
ପଢ଼ିବାକୁ ରହିଗଲା ବାକି ବହୁ ବହୁ ଗ୍ରନ୍ଥ;
ଶିଖିବାକୁ ମୋର ଅଛି ପୁଣି ଅନେକ କୌଶଳ,
ଜାଣିବାକୁ ବାକି ଅଛି ମୋର ଅସଂଖ୍ୟ ଯେ ତଥ୍ୟ;
ଲେଖିବାକୁ ଅଛି ଫଳାଫଳ କେତେ ସିଦ୍ଧାନ୍ତର;
ତରିବାକୁ ଚାହିଁ ଥିଲି ମୁଁହିଁ ଜ୍ଞାନର ସମୁଦ୍ର;
ଜୀବନଟା ମୋତେ ଲାଗେ ସତେ ଅତିଶୟ କ୍ଷୁଦ୍ର;
ହାୟ ହାୟ ତରୀ ବାନ୍ଧୁ ବାନ୍ଧୁ ସରିବ ଜୀବନ;
ହେ ମୋର ନନ୍ଦନ।
ଚର୍ବ୍ୟ ଚୋଷ୍ୟ ରସବନ୍ତ ଫଳେ ଅତୃପ୍ତ ମୋ କ୍ଷୁଧା;
ଦେଖିବାକୁ ଚାହିଁଥିଲି ଦୃଶ୍ୟ ଅନେକ ଆହୁରି;
ଚାଖିବାକୁ ରହିଗଲା ବାକି ବହୁତ ତ ସୁଧା;
ପାରିନି ତ ଉପଭୋଗି ସବୁ ଗନ୍ଧର ମାଧୁରୀ;
ଭୃଙ୍ଗଭଳି ଚାହିଁଥିଲି ଚୁମି ସହସ୍ର ଚିବୁକ;
ମୋ ଜୀବନେ କୃଷ୍ଣ ଠାରୁ ବଳି ହେବି ମୁଁ ରସିକ;
ତନୁ ମନ ଗ୍ରାସିଲା ବର୍ଦ୍ଧକ୍ୟ; ଝଡିଲା ମୌଚନ;
ହେ ମୋର ନନ୍ଦନ।
ହାଲି ମୁଁ ତ ପୋତିଛି ଟାକୁଆ ବାଡି ବଗିଚାରେ;
ପାଞ୍ଚସାଲେ ଧରିବ ବଉଳ ଡ଼ାଳ ପତ୍ର ମେଲି;
ରସୁଆଳ ତା’ ଭଳି ନଥିବ ଦଶଖଣ୍ଡି ଗାଁରେ;
ହେଜୁଥିବୁ ବାପବୁଢ଼ା ମୋର ପୋତିଥିଲା ବୋଲି;
ମୋ ନାତିକୁ କହିବୁ ଗରବେ ମୋ ବାପ ସମ୍ପତ୍ତି’
ତୋ ଆହ୍ଲାଦେ ମୋ ଆତ୍ମା ଜାଣିବୁ ଲଭିବ ତୃପତି,
ବେଳ ହେଲା ପାଚିଲା ଆମ୍ବ ମୁଁ ଗଣେ ବସି ଦିନ।
ହେ ମୋର ନନ୍ଦନ।
ମୁଁ ମୂରୁଖ କହନ୍ତି ସଭିଏଁ ପଢ଼ିନାହିଁ ପାଠ;
ଧାନ ବିକି ପଠାଉଛି ତୋତେ ମୁଠା ମୁଠା ଟଙ୍କା
ବାବୁ ଭଳି ପିନ୍ଧିବୁ ପୋଷାକ, ଟୋପି କୋଟ୍ପ୍ୟାଣ୍ଟ;
ଦି ଅକ୍ଷର ଶିଖିବୁ ସେଥିରୁ- ଗାର ବଙ୍କା ବଙ୍କା।
ତୁ ଜାଣୁ ତ, ମୋ ଦିହକ ଗଲା କରି କରି ହଳ,
ଭରସା ମୋ, ତୁ ହେବୁ ରେ ବାବୁ କୁଳକୁ ଉଜ୍ଜଳ।
ପିଣ୍ଡଦେବୁ ଯେବେ, ବାପୁଡାକୁ କରିବୁ ସ୍ମରଣ;
ହେ ମୋର ନନ୍ଦନ।
ମୁହିଁ କ୍ଷିତି, ସର୍ବଂସହା ହେବି ଯେସନେ ଧରିତ୍ରୀ;
ଅପ୍ ମୁହିଁ. ଚାହେଁ ମେଣ୍ଟାଇବି ସଭିଙ୍କ ପିପାସା;
ମୁଁ ମଋତ ବହିବି ସର୍ବତ୍ର ଚଞ୍ଚଳ ପ୍ରକୃତି;
ମୁଁ ତେଜଃ ଜାଳିବାକୁ ଚାହେଁ ସମଳ ତମିସ୍ରା;
ବ୍ୟୋମ ମୁଁ ଯେ, ଚାହେଁ ବ୍ୟାପ୍ତ ହେବି ସମଗ୍ର ବିଶ୍ବରେ;
ପଞ୍ଚଭୂତେ ଗଢ଼ା ମୁଁ ହୋଇଛି ନଶ୍ବର ଶରୀର
ଧରାକୋଳେ ଜନମିଲି ଯେବେ, ଧ୍ରୁବ ମୋ ମରଣ;
ହେ ମୋର ନନ୍ଦନ।
ହେ ମୋର ସନ୍ତାନ, ହେ ମୋର ନନ୍ଦନ! ଜନ୍ମିନୁ ଜନ୍ମିନୁ କେଭେଁ
କାମଦେବ ଔରସୁ ତୁ, ନୁହେଁ ସେ ତୋ ତାତ। କାମନାର ବରପୁତ୍ର ତୁହି,
ବାଞ୍ଛାବଟ ଆରେ, ମୋର ସୁକଲ୍ୟାଣ
ଆକାଂକ୍ଷିତ ନବାଗତ ତୁ ଯେ, ନୋହୁଁ ଅକସ୍ମତ୍।
ତୁହିଁ ମୋର ନବଜନ୍ମ, ମୋର ଅମୃତ ସଂଧାନ।
ମୋର ଦେହ ଲଭିଛି ତୋ ଠାରେ ନବକଳେବର;
ପ୍ରାଣମୋର ମୃତ୍ୟୁର କବଳୁ ହୋଇଛି ଅମର।
ପ୍ରକୃତିର ଅନିର୍ବାର ଜଳେ ଏଥି କାଳଚିତା;
ମରଘଟ ମୁଁ ତେଜିଛି କିନ୍ତୁ ମରିନି ତୋ ପିତା।
ହେ ମୋର ନନ୍ଦନ
ମୁଖାଗ୍ନି ଦେ’ରେ-
ସେହି ମୋ ଚନ୍ଦନ।
(*ସନ୍ତାନ ପିତାମାତାଙ୍କ କାମପ୍ରସୂତ ଏକ ଆକସ୍ମିକ ଘଟଣା ବୋଲି ଅବକ୍ଷୟୀ ଦାର୍ଶନିକ ଚିନ୍ତାଧାରାର ବିରୋଧାଭାସ।)