ମୁଁ କୋମଳ କବି:
ଦୂରେ ରଖି ଜୀବନର ଜ୍ବାଳାମୟର କ୍ରୂର
ପରିବେଶ,
କୁଟିଳ ଜଟିଳ ତିକ୍ତ ହାତାହାତି ରକ୍ତାକ୍ତ ସଂଘର୍ଷ
ଭାବ ଓ ଭାଷାରେ ଫୁଟେ
ଚିତ୍ରକଳ୍ପ ଫୁଟାଏ କରବୀ।
ମୁଁ କୋମଳ କବି:
ରୁଦ୍ଧ କରି ବାତାୟନ ନିଭୃତ ପ୍ରକୋଷ୍ଠେ
ପ୍ରଗାଢ଼ କରେ ଚୁଂବନ ଅଧରେ ଓ ଓଷ୍ଠେ
ରୂପାନ୍ବିତ ରସମତୀ ତନ୍ବୀ ତରୁଣୀର;
(ଅବାସ୍ତବ କଳ୍ପନାମୁଣିରେ)
ଅଭିଶାପେ ଜର୍ଜରିତ ପରି ବ୍ୟାପ୍ତ ସାତତାଳ ପଙ୍କ
ଫାଙ୍କି ଦେଇ ନୌକା ମୋର ଭାସିଯାଏ…
ଭାସିଯାଏ, ଭାସିଯାଏ
ଦୂରେ ବହୁଦୂରେ
ଯହିଁ ପୁଷ୍ପିତା ଲବଙ୍ଗ।
ଲବଙ୍ଗ ଦ୍ବୀପରେ-
ଜଳେ ଭଳି ଭଳି କେତେ ହୀରାନୀଳା ମାଣିକ ଓ ମୋତି।
ପ୍ରବାଳ ପାହାଚେ ମୋତେ ରାଜକନ୍ୟା ନିଏଟି
ପାଛୋଟି
ଶୃଙ୍ଗାରର ରାଣୀହଂସପୁରେ;
ବିଞ୍ଚିଦେଇ ସ୍ବେଦବିନ୍ଦୁ
ସ୍ବପ୍ନବୁଣା କୁଂଚିତ ଦୁକୂଳେ
ପୁଚ୍ଛେ ବାରମ୍ବାର ପ୍ରୀତି ସମାଚାର:
‘କହ ପ୍ରିୟା…’।
ଛିନ୍ନ ହୁଏ ଯତ୍ନେ ଗୁନ୍ଥା ହାର
ପୂର୍ଣ୍ଣ କରି କରପୁଟେ କୁଚର ସମ୍ଭାର।
X X X X
ତୁମେ ୟାକୁ କହିପାର ତୁଚ୍ଛ ମିଥ୍ୟାଚାର।
ମୁଁ କୋମଳ କବି
ମନଗଢ଼ା ଛବି ନେଇ
ତୋଳେ ମୁଁ ସଂସାର;
କଳ୍ପନାପୁରୀର ମୁହିଁ ଧନୀ ସୌଦାଗର।
ତୁମର ଏ ପୃଥୀ ସତେ
କେଡେ ଭୟାନକ!!
ଧପ୍ପାବାଜ, ଜୁଆଚୋର, ଡାକୁ ,ଖୁନି,
ସାଧୁବେଶ ଠକ!!
ମୃତ୍ୟୁର ଦୁନ୍ଦୁଭି ଶୁଭେ କାନେ କାନେ
ଭୟଙ୍କର ଅତି;
ଜଳିଯାଏ ପଲ୍ଲୀପୁର, ଦିଗେ ଦିଗେ…
କ୍ଷୟ ଆଉ କ୍ଷତି।
ଜାଳିବାକୁ ଚାହେଁ ତାହା ସବୁ କିଛି।
ମୁଁ ନାଚାର, ନାଚାର
ସୃଷ୍ଟି ପଛେ ନାଶଯାଉ
ଆପାଣାକୁ କରିବି ଉଦ୍ଧାର!
ବୁଜିଦେଲେ ଆଖି।
ଦାରିଦ୍ର୍ୟ, ଶୋଷଣ, ଦ୍ବନ୍ଦ୍ବ, ସବୁ ମିଛ-
ଆପାଣାର ଆପେ ଆଛି ସାକ୍ଷୀ।