-ନାନ୍ଦୀ-
ମହୋତ୍ସବ ଲାଗି
ମାତାମାହୀ ସାଜିଛନ୍ତି ସାମାରୋହେ ଅଶେଷ ସାମାଗ୍ରୀ;
ଅଶେଷ ସାମାଗ୍ରୀ
ଅସରନ୍ତି ମହୋତ୍ସବ ଲାଗି…।
ସୀମାହୀନ ଚନ୍ଦ୍ରାତପେ ଖଚିଛନ୍ତି ସଂଖ୍ୟାହୀନ ମୋତି;
ରଚିଛନ୍ତି ସ୍ତମ୍ଭେ ସ୍ତମ୍ଭେ ଅନିର୍ବାର ଜାଗତିକ ଜ୍ୟୋତି;
ପିତୃଦେବ ବିରାଜନ୍ତି ଦୀପ୍ତିମନ୍ତ ସପ୍ତାଶ୍ବ ରଥରେ
ଗ୍ରହରାଜ ସେ ମଣ୍ଡପ ଭକ୍ତିଭରେ ପ୍ରଦକ୍ଷିଣ କରେ;
ତେଣେ
ନିଳନଭେ ମାତୁଳ ଯେ ମାତିଛନ୍ତି ଲୁଚକାଳି ଖେଜେ
ପରୀ ପରି ଭାସମାନ ବହୁରୂପୀ ବାଦଲଙ୍କ ମେଳେ।
ପଞ୍ଚଭୂତେ ଗଢ଼ା ଏହି ମାତୃକଳ୍ପା ପ୍ରାଚୀନ ବସୁଧା
ରୂପ ରସ ଗନ୍ଧେ ଭରା ନାନାବିଧ ଐଶ୍ବର୍ଯ୍ୟ-ସମୃଦ୍ଧା।
-ପ୍ରଥମ ଅଙ୍କ-
ମୋ ଜନନୀ ଏ ଧରଣୀ,
ତା ଗର୍ଭୁ ଲଭିଛୁଁ ଜନ୍ମ ଲତା, ଗୁଳ୍ମ, ଯେତେ ଯେତେ ପ୍ରାଣୀ;
ତାହାରି ସ୍ତନରେ ପୁଷ୍ଟ ତୁମେ ଆମେ-
-ଆମେ ସର୍ବେ ଭାଇ।
ଉପଭୋଗ୍ୟ ଜୀବନର ମହୋତ୍ସବ;
ଏକମେଳ ହୋଇ
ଆସ ଆମେ ହସି ଖେଳି କାଟିବା ଜୀବନ,
ଏ ସଂସାର ନୁହେଁ ମିଥ୍ୟା
ଏ ଜଗତ ଆଲୋକ-ପାର୍ବଣ
ଉପବନେ ଟହ ଟହ ରସବନ୍ତ ପକ୍ବଫଳେ
ନିବାରିବା କ୍ଷୁଧା
ନିର୍ଝରର କଳ କଳ ଜଳଧାରା
ତୃଷାହାରୀ ସ୍ବଚ୍ଛବାରି ପିଇବା ଆକଣ୍ଠ;
ପ୍ରାଣେ ପ୍ରାଣେ ଭରିବା ପୁଲକ
ଉଷାକାଶ ଆଲୋକଛଟାରେ,
ବିହଗର କଳରବେ,
ମଳୟ ହିଲ୍ଲୋଳେ
ଋତୁର ବୈଚିତ୍ର୍ୟେ,
ଜୀବନର କୋଳାହଳେ।
ମୁକ୍ତ ସମୀରଣେ
ଆମେ ସୃଜନ ସଂଗୀତ ଗାଇବା;
ସୁରେ ସୁରେ ବାଜେ ବିଶ୍ବ ମହାଛନ୍ଦ
ପ୍ରାଣେ ପ୍ରାଣେ ଭରି ବିପୁଳ ଆନନ୍ଦ
ଏଥିରୁ ଅଧିକ ହୋଇ ପାରେ କିସ!
ଅଧିକ କିଁଆ ବା ଚାହିଁବା?
ଆମେ ସୃଜନ ସଂଗିତ ଗାଇବା।
ସର୍ବେ ଭବନ୍ତୁ ସୁଖିନଃ; ସର୍ବେ ସନ୍ତୁ ନିରାମୟା
ସର୍ବେ ଇଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖଭାଗ୍ ଭବେତ୍।