ବନ୍ଧୁ ତୋଳିଧର ତୋଳିଧର
ସେ ପତାକା
ଅଙ୍କେ ଯାର ସୂର୍ଯ୍ୟ ରାଜେ ପୂର୍ଣ୍ଣତେଜେ,
ଆରପଟେ ଶରତର କମନୀୟ ଇନ୍ଦୁ |୦|
ସଂଗ୍ରାମେ ଯେ ଅଗ୍ରଦୂତ, ଅବିନୀତ ଶିର
ପ୍ରାଣୀ ପୂର୍ଣ୍ଣ ଭକ୍ତି ଅର୍ପେ ଯାକୁ ବସ୍ତି ଓ କୁଟୀର,
କ୍ରୀତଦାସ ପଦଧୂଳି ମାଖି ତା କପାଳେ
ବରାଭୟ ଦିଏ ଯେହୁ ବିଶ୍ବଜନତାରେ
ଝରେ ଯାର ପଟୁଆରେ
ବିଦ୍ଧବକ୍ଷୁ ରକ୍ତ ବିନ୍ଦୁ ବିନ୍ଦୁ |୧|
ମିଥ୍ୟାର କୁହେଳି କାଟି ଆଲୋକସରଣୀ
ଶୋଷଣରୁ ଶାପମୁକ୍ତ ସୁଶାନ୍ତଧରଣୀ
କରିବାକୁ ପଣ ଯା’ର ; ଆଦର୍ଶେ ଅଟଳ
ଘୋଷେ ଅଚଳ ବିଶ୍ବାସେ: ନିଶ୍ଚିତ ସକାଳ,
ତା’ର ସ୍ବାଗତିକା ଲାଗି
ଲଙ୍ଘି ଚାଲ ସପ୍ତ ମହାସିନ୍ଧୁ |୨|
ଦଗ୍ଧ ହୃଦେ ଲେପିଦିଏ ଶାନ୍ତିର ଚନ୍ଦନ,
ବନ୍ଧନକୁ ଛେଦି ଆଣେ ମୁକ୍ତିର ସନ୍ଧାନ,
ଚଣ୍ଡାଶୋକେ ଶିଖାଏ ଯେ ଅହିଂସାର ବାଣୀ
ଭୋଗଠାରୁ ତ୍ୟାଗ ବଡ, ଜୀବନର ଅମୃତ କାହାଣୀ
ମନ୍ତ୍ର ଗାଇ ବିତରେ ଯେ
ଭ୍ରାତୃତ୍ବର ସଂଜୀବନୀ ମଧୁ |୩|