ଦେବକୀ ମୁଁ ଅବରୁଦ୍ଧା;
ଅଦୂରେ ମୋ ଜମୁନାର ବିକ୍ଷବ୍ଧ ଲହରୀ
ମଥାପିଟେ
ରାତ୍ରିଭରି ଉନ୍ନିଦ୍ର ପ୍ରହରୀ
ରହି ରହି କୁହାଟୁଛି;
ହୋସିଆର! ହୋସିଆର!
ପରିବ୍ୟାପ୍ତ ତମିସ୍ରାର
ନିସ୍ତବ୍ଧତା-ଜଡ଼ିତା କବରୀ।
ଅକସ୍ମତ୍ ବୃକ୍ଷକ୍ରୋଟେ ଶୁଭେ କା’ର
ଚକିତ କାକଳି…
ମୁହୂର୍ତ୍ତକ ପାଇଁ
(ମୋ ପରି ଅଭାଗୀ କିଏ
ସଦ୍ୟ ଶିଶୁ ବସିଛି ହରାଇ)
ନିସ୍ତବ୍ଧତା ପୁଣି ଯାଏ ଛାଇ…।
ନିଷ୍ପ୍ରଦୀପ ମଥୁରାର ଘରେ ଘରେ
ନିସ୍ପନ୍ଦ ଜଡତା;
ଅନ୍ଧାରର ଫାଙ୍କେ ଫାଙ୍କେ
କିଏ ଯେହ୍ନେ ଡାକେ ଡାକେ
ମୌନ ମୁନି କହ କହ କଥା!
କେତେ କାଳ ଥିବ ରହି ଏହିଭଳି
ନିସ୍ପନ୍ଦ; ନିସ୍ତବ୍ଧ?
ବିସ୍ଫାରିତ କର ଚକ୍ଷୁ,
ରୋଷାନଳେ କର ତୁମେ ଦଗ୍ଧ-
ଗ୍ଳାନି ଯେତେ;
ବିସ୍ଫୋରକ ଭରିଦିଅ
ବ୍ୟଥିତର ବକ୍ଷେ
କାରାକକ୍ଷେ।
ଭସ୍ମକର କଂସପୁରୀ,
ଭାଙ୍ଗ କାରଗାର;
ଉନ୍ନିଦ୍ର ପ୍ରହରୀ
ରହି ରହି କୁହାଟୁଛି:
ହୋସିଆର! ହୋସିଆର!
ଦେବକୀ ମୁଁ
ପ୍ରକୃତିର ପ୍ରତିକୃତି,
ମୁଁ ଯେ ଜଗନ୍ମାତା।
ଯୁଗେ ଯୁଗେ ଏହି ଭଳି
ଲେଖିଛିଇ ନିଷିଦ୍ଧ କବିତା
ଆଗାମୀର।
ଯଗେ ଯୁଗେ ସଂଗୋପନେ
ମୋ ଗର୍ଭେ ସଞ୍ଚରେ
ନାରାୟଣ;
ବନ୍ଦିଶାଳେ ଜନ୍ମନିଏ
ନିଶୀଥ ପ୍ରହରେ
ଦେବଶିଶୁ।
ଅକଲ୍ୟାଣ ବେଆଇନ୍
ସେ ନବଜାତକ
ବାସୁକୀର ଫଣା ତଳେ
ଗଢ଼େ ତା’ର ଜୀବନ ଫଳକ!
ଝଡ ଠାରୁ ବଡ ସେହୁ
ମୃତ୍ୟୁ ତାକୁ ଛାଡି ଦିଏ ବାଟ;
କଂସର ବଇରୀ ବଢ଼େ
ଗୋପପୁରେ
ଯଶୋଦାର ଚାଟ।
ଦେବକୀ ମୁଁ
ମୁଁ ତ ଯୁଗ ପ୍ରସବନୀ,
ମୁଁ କୃଷ୍ଣଜନନୀ
ମୋର ରକ୍ତ ସ୍ରାବେ
ଦେଖ, ଲାଲ ହୁଏ କଳାପାଣି
ଯମୁନାର।
ହୋସିଆର। ହୋସିଆର।
ପତାକା
ବନ୍ଧୁ ତୋଳିଧର ତୋଳିଧର
ସେ ପତାକା
ଅଙ୍କେ ଯାର ସୂର୍ଯ୍ୟ ରାଜେ ପୂର୍ଣ୍ଣତେଜେ,
ଆରପଟେ ଶରତର କମନୀୟ ଇନ୍ଦୁ |୦|
ସଂଗ୍ରାମେ ଯେ ଅଗ୍ରଦୂତ, ଅବିନୀତ ଶିର
ପ୍ରାଣୀ ପୂର୍ଣ୍ଣ ଭକ୍ତି ଅର୍ପେ ଯାକୁ ବସ୍ତି ଓ କୁଟୀର,
କ୍ରୀତଦାସ ପଦଧୂଳି ମାଖି ତା କପାଳେ
ବରାଭୟ ଦିଏ ଯେହୁ ବିଶ୍ବଜନତାରେ
ଝରେ ଯାର ପଟୁଆରେ
ବିଦ୍ଧବକ୍ଷୁ ରକ୍ତ ବିନ୍ଦୁ ବିନ୍ଦୁ |୧|
ମିଥ୍ୟାର କୁହେଳି କାଟି ଆଲୋକସରଣୀ
ଶୋଷଣରୁ ଶାପମୁକ୍ତ ସୁଶାନ୍ତଧରଣୀ
କରିବାକୁ ପଣ ଯା’ର ; ଆଦର୍ଶେ ଅଟଳ
ଘୋଷେ ଅଚଳ ବିଶ୍ବାସେ: ନିଶ୍ଚିତ ସକାଳ,
ତା’ର ସ୍ବାଗତିକା ଲାଗି
ଲଙ୍ଘି ଚାଲ ସପ୍ତ ମହାସିନ୍ଧୁ |୨|
ଦଗ୍ଧ ହୃଦେ ଲେପିଦିଏ ଶାନ୍ତିର ଚନ୍ଦନ,
ବନ୍ଧନକୁ ଛେଦି ଆଣେ ମୁକ୍ତିର ସନ୍ଧାନ,
ଚଣ୍ଡାଶୋକେ ଶିଖାଏ ଯେ ଅହିଂସାର ବାଣୀ
ଭୋଗଠାରୁ ତ୍ୟାଗ ବଡ, ଜୀବନର ଅମୃତ କାହାଣୀ
ମନ୍ତ୍ର ଗାଇ ବିତରେ ଯେ
ଭ୍ରାତୃତ୍ବର ସଂଜୀବନୀ ମଧୁ |୩|