ଜାଣେ ନା କିଏ ବିଂଧାଣୀ କାହିଁ ଲାଗି ଗଢ଼ିଲା ଏ ତନୁ,
ପଞ୍ଚଭୂତ ସମନ୍ବୟେ କଳ୍ପନାର ଯେତେ ଇନ୍ଦ୍ରଧନୁ
ଭରି ମୋର ଅଙ୍ଗେ ଅଙ୍ଗେ, ପ୍ରାଣେ ଦେଇ ଅଦମ୍ୟ ପ୍ରେରଣା,
ସଂଜୀବିତ କରି ମୋର ବୁକୁତଳେ ଆଶା ଉଦ୍ଦୀପନା।
ମୁଁ ଚାଲିଛି: ଗତିପଥେ କେତେ ସାଥି, କେତେ କୋଳାହଳ;
ଶୁଭ କେତେ ଗୀତଛନ୍ଦ, ଦେଖେ କେତେ ଉତ୍ସବ ଉଚ୍ଛଳ;
କେତେ ଛଳ ଛଳ ଆଖିକହେ ପୁଣି ବ୍ୟଥା ଅସରନ୍ତି
ତା ଜୀବନ ଛତ୍ରେ ଛତ୍ରେ;
ଏ ମହାନାଟକ ଚାଲେ ଦୁଃଖ ଶୋକ ହର୍ଷ ଓ ଲୋତକେ,
ଐଶ୍ବର୍ଯ୍ୟ ଓ ଦୈନ୍ୟ ଛା୍ୟାତଳେ ଭରି ଅଙ୍କେ ଅଙ୍କେ।
ଧନୀର ବିଷୟ ତୃଷା, ନିର୍ଦ୍ଧନର ବୈରାଗ୍ୟ ବିଭବ ,
ପ୍ରତି ଛତ୍ରେ ଫୁଟିଉଠେ ଜୀବନର ବିପୁଳ ଗୌରବ।
ସେ ଗୌରବ ପ୍ରଜ୍ବଳିତ ଦୀପ୍ତମନ୍ତ ମୁଁ ଏକ ସଳିତା,
ରୁପ-ରସ-ଗନ୍ଧ ନେଇ ଅକସ୍ମାତେ ହୋଇଛି ସମ୍ଭୁତ
ମୁଁ ଏକ ବୁଦ୍ ବୁଦ୍
ସମ୍ଭବିଛି କାଳ-ସ୍ରୋତେ
କାଳ ସ୍ରୋତେ ହୋଇଯିବି ଲୀନ;
ବାନ୍ଧିବାକୁ ଏଥି ମୋତେ କିଆଁ ଚାହଁ ଚିରଦିନ?