କପୋତି! ତୁ କହ ଯାଇ ଦେଶେ ଉଡ଼ି
କଳାଘୁମ ଘୋଟି ଆସେ ଧୂସର କୁହୁଡ଼ି, ଲୋ କପୋତି!
କପୋତି!ଖଳ ପାଞ୍ଚ ଜଗତେ ବଖାଣି,
ଖୋଲା ନଭ ତଳେ ସିନା ଶାନ୍ତିର ବିନ୍ଧାଣୀ, ଲୋ କପୋତି!
କପୋତି!ଗରଜୁଛି ଝଡ଼ର ନାଗୁଣୀ
ଗରଳ ଢ଼ାଳିବ ସାରା ଦୁନିଆଁକୁ ପୁଣି, ଲୋ କପୋତି!
କପୋତି!ଘନାଇଛି ବିପଦ ଏଘୋର
ଘେର ପାତି ମାତିଲାଣି ଯେତେ ଯୁଦ୍ଧଖୋର, ଲୋ କପୋତି!
କପୋତି!ନାଜୀ ଆଜି ନୂଆ ବେଶ ଧରେ
ନ ଡ଼ାକୁଣୁ ଧସିପଶେ କୋରିଆ ଭିତରେ, ଲୋ କପୋତି!
କପୋତି!ଛଞ୍ଚାଣ ଯେ ଚେଙ୍ଗ୍ର ପିଉସା-
ଛୁଟିଆସେ ଫରମୋଜା ବାନ୍ଧିବାକୁ ବସା, ଲୋ କପୋତି!
କପୋତି! ଜରମାନୀ ବାରୁଦ ଭଣ୍ଡାର
ଜଳିଲେ ସେ ଜାଳି ଦେବ ସମଗ୍ର ସଂସାର, ଲୋ କପୋତି!
କପୋତି!ଝଗଡ଼ାର ଝଡ଼ ଝଞ୍ଜା ତଳେ
ଝଡ଼ିପୋକ ପ୍ରାୟେ ଆମେ ଝଡ଼ିବା ସକଳେ, ଲୋ କପୋତି!
କପୋତି!ନାଗରିକେ କହିବୁ ବୁଝାଇ
ନିଜ ବଳେ ନ ରୋକିଲେ ଲାଗିବ ଲଢ଼େଇ, ଲୋ କପୋତି!
କପୋତି!ଟଳିବାର ନୁହେଁ ସେ ଶକତି
ଟାଣ ମନେ ବିଶ୍ବଜନେ ହେଲେ ଏକମତି, ଲୋ କପୋତି!
କପୋତି! ଠକ କଥା ପଡ଼ିଲାଣି ଧରା
ଠେଲି ଦେଇ ମୁହାଣକୁ ମେଲନ୍ତି ପସରା, ଲୋ କପୋତି!
କପୋତି! ଡ଼ାଙ୍କିଣିଆ ସାମ୍ରାଜ୍ୟ ବଣିକ
ଡ଼ାହାଣିଆ ଜିଭରୁ ଝରେ ମୁନାଫା ସଉକ, ଲୋ କପୋତି!
କପୋତି! ଢ଼କ ଢ଼କ ମଣିଷ ରକତ
ଢ଼ୋକି ଦେଇ ମାଗେ ପୁଣି ନୂଆ ନୂଆ ଯୁଦ୍ଧ, ଲୋ କପୋତି!
କପୋତି!ନହୁ ଦେଇ ଗଢ଼ିଲା ସଂସାର
ନିମିଷକେ ନିଉଛୁଣା କରିଦେବ ଜୁର, ଲୋ କପୋତି!
କପୋତି!ତକରାଳ ଜାଣ ତୁଚ୍ଛ ଆଳ
ତରକେ ଗ୍ରାସିବା ଲାଗି ବିଦେଶୀ ବଜାର, ଲୋ କପୋତି!
କପୋତି!ଥଳି ଲାଗି ଲାଗେ ବଢ଼ାବଢ଼ି
ଥୋକେ ମାରିବେ ମଉକା ଆମେ ମରୁ ଲଢ଼ି, ଲୋ କପୋତି!
କପୋତି!ଦସ୍ୟୁ ପଣେ ପର ଧନେ ମତି
ଦେଶପ୍ରୀତି ଢ଼କ୍କାବଜା ତୁଚ୍ଛ ଜାଲିଆତି, ଲୋ କପୋତି!
କପୋତି! ନାରଖାର ଯା ଦର୍ପେ ଧରଣୀ
ନରକ ହୋଇବ ପୃଥ୍ବୀ-ଏହା ଶାନ୍ତିବାଣୀ, ଲୋ କପୋତି!
କପୋତି! ପ୍ରଚାରିବୁ ଜନରେ ବାରତା
ପ୍ରଜାଏ ବାନ୍ଧନ୍ତୁ ମେଣ୍ଟ ପ୍ରବଳ ଏକତା, ଲୋ କପୋତି!
କପୋତି! ଫାଙ୍କି ଦେବ, ନାହିଁ କା ଶକତି
ଫଉଜ ଗଢ଼ିବୁ ଆମେ, ଆମ ହାତେ ଚୁଟି, ଲୋ କପୋତି!
କପୋତି! ବୁଝାଇ ତୁ କହିବୁ ସକଳେ
ବିରାଜିବ ବିଶ୍ବେ ଶାନ୍ତି ଲୋକଶକ୍ତି ବଳେ, ଲୋ କପୋତି!
କପୋତି! ଭାଇ ଭଳି ଜାତି ଜାତି ଭାବ,
ଭୀତି ନୁହେଁ ପ୍ରୀତି ପଣେ ମଣିବୁ ମାନବ, ଲୋ କପୋତି!
କପୋତି! ମୁକ୍ତି ପଥେ କୋଟି ଯାତ୍ରୀ ଦଳ
ମେଲି ଦେଲେ ପକ୍ଷ ତୋର କହିବୁ ମଙ୍ଗଳ, ଲୋ କପୋତି!
ଯୁଝିବାକୁ ପ୍ରାଣେ କେହି ନ ଯିବେ ମାଳୟ
ଠେଲି ଦେଇ ମୁହାଣକୁ ମେଲନ୍ତି ପସରା, ଲୋ କପୋତି!
କପୋତି! ଯଖ ଲାଗି ଧ୍ରୁବ ପରାଜୟ;
ଯୁଝିବାକୁ ଜଣେ ହେଲେ ନ ଯିବେ ମାଳୟ, ଲୋ କପୋତି!
କପୋତି! ଲୁଣ୍ଠନର ରାତି ପାହି ଆସେ;
ଲୁହାର ଶିକୁଳି ଛିଡ଼େ ଅଟଳ ବିଶ୍ବାସେ, ଲୋ କପୋତି!
କପୋତି! ହାତେ ହାତେ ଶାନ୍ତିର ସଂଗ୍ରାମ;
ହିନ୍ଦୁ, ଖିରସ୍ତାନ, ବୌଦ୍ଧ, ଶିଖ, ଇସଲାମ୍, ଲୋ କପୋତି!
କପୋତି! ସବୁ ହୃଦେ ବାଜେ ଏକ ବାଣୀ;
ସଂଖ୍ୟାହୀନ ଦେଶ କେବେ ଶାନ୍ତିର ସେନାନୀ ଲୋ କପୋତି!
କପୋତି! ଶିଶୁ କେବେ ଖେଳେ କି ବୋମାରେ?
ଶୋକକରେ ଶାନ୍ତି ସିନା ଯୁଦ୍ଧ ହାହାକାରେ, ଲୋ କପୋତି!
କପୋତି!ସୁଜନକୁ ଶାନ୍ତିଦୂତ ତୁହି;
ସଂଚାରୁ ଆଶାର ବାଣୀ ସବୁଜାଉ ଭୂଇଁ, ଲୋ କପୋତି!
କପୋତି! କ୍ଷିପ୍ର କର ତୋର ଶୁଭ୍ରପକ୍ଷ;
କ୍ଷୟ ଯାଏ ସଂସାର, ବିନାଶରୁ ରଖ, ଲୋ କପୋତି!