ପ୍ରବନ୍ଧ ଓ ଆଲୋଚନା


ଓଡ଼ିଶା ସାହିତ୍ୟରେ ଚୋରି

 

        ଓଡ଼ିଆ ଅଧ୍ୟାପକ ଶ୍ରୀ ଗୋପାଳଚନ୍ଦ୍ର ମିଶ୍ର ଏମ୍‌.ଏ. ଙ୍କ ରଚିତ ‘ବ୍ୟର୍ଥଜୀବନ’ କବିତାଟି ‘ସହକାର’ର ଉନିବିଂଶ ଭାଗ ୨ୟ-୩ୟ ସଂଖ୍ୟାରେ ଆତ୍ମପ୍ରକାଶ କରିଛି। କବିତାଟି ପଢ଼ି ମୁଁ କବିଙ୍କର ମହାୟସୀ ପ୍ରତିଭା ପ୍ରତି ନମସ୍କାର ଜଣାଉଛି। ପଢ଼ିଲାମାତ୍ରେ ବିଶ୍ବକବି ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳୀ’ର ‘ଅସମାପ୍ତ’କବିତା ପାଠକ ମନରେ ପ୍ରତିଧ୍ବନିତ ହେବାକୁ ଲାଗେ। ଅବଶ୍ୟ ମିଶ୍ର-କବିଙ୍କଠାରେ ଠାକୁରଙ୍କ ସଂଗୀତ-ଝଙ୍କାର ମିଳେନାହିଁ, ଭାଷାଶୈଳୀରେ ତ ତାଙ୍କର ବହୁତ ଚଳେ। ହେଲେ, ରବୀନ୍ଦ୍ରନାଥ ଯେଉଁ ଭାବକୁ ଅବଲମ୍ବନ କରିଥିଲେ, ଅଧ୍ୟାପକ-କବିଙ୍କ ପ୍ରାଣରେ ଅବିକଳ ସେହି ଭାବ ଖେଳିଯାଇଛି; ସମାନ ଭାବବାହକ ବା Imagery ମଧ୍ୟ ସେ ଖେଳି ପାଇଛନ୍ତି। ଭାଷାରେ ପାର୍ଥକ୍ୟ ଏତିକି, ରବୀନ୍ଦ୍ରନାଥ ‘ଅସମାପ୍ତ’ ଲେଖିଲା ବେଳକୁ ପରିପକ୍ବ, ସିଦ୍ଧହସ୍ତ ହେଲେଣି, ଗୋପେଳବାବୁ କଞ୍ଚା ବଚ୍ଚା ଅଛନ୍ତି। ନୋହିଲେ, ଦୁଇଟି କବିତାରେ ବଙ୍ଗଳା ଓ ଓଡ଼ିଆରେ ତଫାତ୍‌ ମାତ୍ର। ଯେପରି;-ଯେ ଫୁଲ୍‌ ଫୁଟିତେ ଲୁଟିଲ ଧରଣୀତେ (ଅସମାପ୍ତ); ଯେ ଫୁଲ ନ ଫୁଟି ବୃକ୍ଷେ ରହି ରହି ଯାଏ (ବ୍ୟର୍ଥଜୀବନ), ଯେ ନଦୀ ମରୁପଥେ ହାରାଲ ଧାରା(ଅସମାପ୍ତ); ଯେ ନଦୀ ଉଷର ବକ୍ଷେ ଯାଏ ହଜି ହଜି(ବ୍ୟର୍ଥଜୀବନ) ଯେ ଝର କରଇ ଆତ୍ମ-ହତ୍ୟା ସିକତାରେ (ବ୍ୟର୍ଥଜୀବନ); ତୋମାର ବୀଣାତାରେ  ବାଜିଛେ ତାରା (ଅସମାପ୍ତ);ବେଦନା-ବୀଣାର ତାରେ ବ୍ୟଥା ଶୁଭୁଥାଏ (ବ୍ୟର୍ଥଜୀବନ)।

        ଅନ୍ୟତମ ଓଡ଼ିଆ ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ  ଏମ୍‌.ଏ.ଡି.ଇ.ଡ଼ି. ଓଡ଼ିଆ ଗଦ୍ୟ ସାହତ୍ୟରେ ଯେଉଁ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ଗୋପାଳବାବୁ ପଦ୍ୟ-ସାହିତ୍ୟରେ ସେହିପରି ପ୍ରତିଷ୍ଠା ପାଇଁ ଯତ୍ନବାନ ହେଲେ ଅଦୂର ଭବିଷ୍ୟତରେ ‘ରବୀନ୍ଦ୍ର ଗ୍ରନ୍ଥାବଳୀ’ ଭଳି ମୂଲ୍ୟାବାନ ସାହିତ୍ୟ ସଂପଦ ଗୋପାଳବାବୁଙ୍କର ଲେଖନୀ ଆମ ସାହିତ୍ୟକୁ ଦାନ କରିବ। ଏ ଫୁଲ ନ ଫୁଟି ଯେପରି ଝାଉଁଳି ନଯାଏ, ଏ ନଦୀ ଭାଷାର ବକ୍ଷରେ ଯେପରି ହଜିନଯାଏ, ସେ ଦାୟିତ୍ବ ତାଙ୍କ ଉପରେ।




+ -

© Jataayu Charitable Trust
Site designed,developed & maintained by Tekons