ପରିବେଶ ନାଟକୀୟ


ପରିବେଶର  ଏପରି ନାଟକୀୟ ପରିବର୍ତ୍ତନ ଲାଗି ଆମେ କେହି ପ୍ରସ୍ତୁତ ନଥିଲୁଁ।

     ସେଦିନ ଆମ ଡବାରେ ଯେଉଁ ଅସଂଶ୍ଳିଷ୍ଟ ଧାରାବାହିକ ସାଂସ୍କୃତିକ ସମାରୋହ ଚାଲିଥାଏ,ତାହା ଥିଲା ଏକ ସ୍ବାଭାବିକ ଓ ଜୀବନ୍ତ ପ୍ରକ୍ରିୟା। ନିର୍ଦ୍ଦିଷ୍ଟ ଆଲୋଚ୍ୟ ବିଷୟ ବୋଲି କିଛି ନ ଥାଏ। କେତେବେଳେ ସଂବାଦପତ୍ରରେ ପ୍ରକାଶିତ ଟ୍ରେନ ଡକାୟତି ଓ ପୁଣି କେତେବେଳେ ହୁଏନ୍‌ସାଂଙ୍କ ବିବରଣୀର ଐତିହାସିକ ମୂଲ୍ୟ, କେବେ ପୁଣି କୌଣସି ଭୌତିକ କାଣ୍ଡ ବିଷୟରେ ବାଦାନୁବାଦ ଓ ପୁଣି କେବେ ଆନ୍ତର୍ଜାତୀୟ  ଅର୍ଥନୀତିର ତର୍ଜମା-ଏହିପରି ନାନାଦି ଅସଂଲଗ୍ନ ବିଷୟରେ ଆଳାପ ଆଲୋଚନା କରିବାର ସ୍ବାଧୀନତାକୁ ସ୍ବୀକୃତି ଦେଇ, ବିନା କାହାରି ସଭାପତିତ୍ବରେ ଘଣ୍ଟା ଘଣ୍ଟା ଧରି ସୁରୁଖୁରୁରେ ଚାଲିଥାଏ ଆମର ସେହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାଚକ୍ର। ଏହି ସମାରୋହ ବୋଧହୁଏ ପ୍ରାଥମିକ ଷ୍ଟେସନ୍‌ରୁ ହିଁ ସୁରୁ ହୋଇଯାଇଥିଲା। ପରବର୍ତ୍ତୀ ଷ୍ଟେସନ୍‌ମାନଙ୍କରୁ ଏହାର ସଭ୍ୟମାନେ ସଂଗୃହୀତ ହେଉଥାନ୍ତି। ସମାରୋହରେ ପୂର୍ଣ୍ଣ ଅଂଶୀଦାର ରୂପେ ବାଦାନୁବାଦରେ ଭାଗ ନେଉଥାନ୍ତି ବା ନୂତନ ପ୍ରସଙ୍ଗ ଉତ୍‌ଥାପନ କରୁଥାନ୍ତି ଓ ଗନ୍ତବ୍ୟ ଷ୍ଟେସନ୍‌ ଆସିଗଲେ ଓହରି ଯାଆନ୍ତି, ଆଲୋଚନାକୁ ଅସମାପ୍ତ ରଖିବି। ଅନ୍ୟ ସେହି ବିଷୟବସ୍ତୁ ଉପରେ ବା ଅନ୍ୟ କୌଣସି ବିଷୟବସ୍ତୁ ନେଇ ଆଲୋଚନା ଚାଲୁ ରଖନ୍ତି। ନୂଆ ସଭ୍ୟ ଆସି ଜୁଟି ଯାଆନ୍ତି ଓ କଥାବସ୍ତୁର ଖିଅ ଧରି ପୁଣି ଚାଲେ ଗରମାଗରମ କଥା କଟାକଟି ।

     ଏ ପ୍ରକାର ସାସ୍କୃତିକ ସମାରୋହ ସେଦିନକାର ଆକସ୍ମିକ ଯୋଗାଯୋଗ ଯୋଗୁଁ ଘଟିନଥିଲା। ଧୀର ମନ୍ଥର ଗତିରେ ଚାଲୁଥିବା ପାସେଞ୍ଜର ଗାଡ଼ିରେ ଯେବେ ଏକାଡବାର ସହଯାତ୍ରୀ ରୂପେ ଯୁବା ବୟସର ଛାତ୍ର, ବେକାର ବା ଅଳ୍ପଦିନ ହେଲା ଚାକିରି ପାଇଥିବା ଶିକ୍ଷିତ କେତେଜଣ ଜୁଟିଯାଆନ୍ତି ସେମାନେ ନୀରବରେ ବସି ରହିବା ବା ଘର ସଂସାର ଚିତ୍ରରେ ଘାରି ହେବା ଅପେକ୍ଷା ସାଂସ୍କୃତିକ ବ୍ୟାପାରରେ କସରତ କରିବାକୁ ଅଧିକ ପସନ୍ଦ କରନ୍ତି। ସେଦିନ ମଧ୍ୟ ସେହିପରି ଏକ ସୁଯୋଗ ଜୁଟିଥିଲା  ଏହି ସହଯାତ୍ରୀଙ୍କ ମେଳରେ କିନ୍ତୁ ଆଉ ଜଣେ ରହି ଯାଇଥିଲେ ଯାହାଙ୍କର ସାଂସ୍କୃତିକ ସ୍ତର ସମାନ ହେଲେ ବି ବୟସ ପରିଣତ। ସେ ତେଣୁ ଆଲୋଚନାରେ ଭାଗ ନ ନେଇ ଖଣ୍ଡେ ପତ୍ରିକା ପଢ଼ିବାରେ ମନୋନିବେଶ କରିଥାନ୍ତି, ପତ୍ରିକା ଆଢୁଆଳରେ ତାଙ୍କ ମୁହଁ ବି ଅଧାଲୁଚା ଅବସ୍ଥାରେ ଥାଏ।

     କୌଣସି ଏକ ଷ୍ଟେସନରେ ଗାଡ଼ି ଅଟକିବାର ଅବ୍ୟବହିତ ପରେ ଚଢ଼ାଗଳାରେ ଆମରି ଡବାରେ ଚଢ଼ିବା ଲାଗି ଅନ୍ୟ କାହାରିକୁ କେହି ନିର୍ଦ୍ଦେଶ ଦେବାର ଶୁଣାଗଲା । ଗଳାଟା ଏପରି ଉତ୍ତେଜିତ ଓ ଆଗନ୍ତୁକର ପ୍ରବେଶ ଠାଣି ଏପରି ଉଦ୍ଧତ ପ୍ରକୃତିର ଥିଲା ଯେ ଆମର ଚାଲିଥିବା ଶାନ୍ତିପୂର୍ଣ୍ଣ ଆଲୋଚନାରେ ତାହା କିଛିଟା ବାଧା ସୃଷ୍ଟି କଲା ପରି ମନେହେଲା। ଡବା ଚଟାଣରେ ମୋଟା ହିଲ୍‌ବାଲା କାବୁଲି ଚପଲର ଧପଧପିରେ ଅଜାଣତରେ ଆମର ଦୃଷ୍ଟି ଆଗନ୍ତୁକ ପ୍ରତି ଆକୃଷ୍ଟ ହୋଇଥିଲା । ସେତେବେଳକୁ ଆଗନ୍ତୁକ କିନ୍ତୁ ଆମକୁ ପଛ କରି ଡବା ଦୁଆର ଆଡ଼କୁ ମୁହଁ କରିଥିବାରୁ ତାଙ୍କର ଧୋବ ଫରଫର ବାନ୍ଧକରା ଧୋତି ଓ ଟାଣ ଇସ୍ତ୍ରୀ କରା ମଠା ପଞ୍ଜାବୀ ବ୍ୟତୀତ ଆମକୁ ଆଉ କିଛି ଦିଶୁ ନଥିଲା। ଆଗନ୍ତୁକ ଜଣେ ଯୁବକ, ତାଙ୍କ ଡାହାଣ ହାତରେ ଝୁଲୁଥିଲା ଚମଡ଼ାର ଅଭିଜାତ ହ୍ୟାଣ୍ଡବ୍ୟାଗ୍‌ ଏବଂ ଘଡ଼ିବନ୍ଧା ବାଁ ହାତରେ ସେ ଧରିଥିଲେ ଖଣ୍ଡେ ଦାମିକିଆ ସୁଟ୍‌କେଶ, ତାଙ୍କ ନିର୍ଦ୍ଦେଶରେ ଡବା ଭିତରକୁ ପଶି ଆସିଲେ ଜଣେ ରୂପବତୀ ତରୁଣୀ। ତାଙ୍କର ଚାହାଣୀ, ବେଶଭୂଷା ଓ ଚାଲିବାର ଠାଣିରୁ ସେ ଯେ ଆଗନ୍ତୁକଙ୍କର ପତ୍ନୀ ନୁହନ୍ତି ସେ କଥା ସ୍ପଷ୍ଟ ଭାବେ ବାରି ହେଉଥିଲା।

   ଆଗନ୍ତୁକ ମୁହଁ ବୁଲାଇବାରୁ ଆମେ ପ୍ରାୟ ସମସ୍ତେ ତାଙ୍କୁ ଆଗରୁ ଜାଣିଥିବାର ଜଣାଗଲା। କେହି ଜଣେ ପାଟି କରି କହି ପକାଇଲେ, ହେଇ ଆସିଗଲେ ସର୍ବହରା କବି।

    ଆଗନ୍ତୁକ ଆମ ସମ୍ମିଳନୀର ସଭ୍ୟମାନଙ୍କ ଉପରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଆଖି ପକେଇ ଦେଇ ଈଷତ୍‌ ଦୂରତ୍ବ ରକ୍ଷା କରି ବସିପଡ଼ିଲେ ଓ ତରୁଣୀଙ୍କୁ ତାଙ୍କ ପାଖରେ ବସିବାକୁ ନିର୍ଦ୍ଦେଶ ଦେଲେ।

   ଆଲୋଚନାକୁ ସେଇଠି ରଖି ଆଗନ୍ତୁକଙ୍କୁ ସମ୍ମାନ ଦେଖାଇବା ଲାଗି ଆମ ଭିତରୁ କେହି ଜଣେ ବୈପ୍ଳବିକ ଚିନ୍ତାଧାରାରୁ ପଦେ ଅଧେ ଶୁଣାଇବା ଲାଗି ଆଗନ୍ତୁକ ସୂର୍ଯ୍ୟସିଂହଙ୍କୁ ଆହ୍ବାନ କଲେ । ଆଗନ୍ତୁକଙ୍କ ଆଖି ଓ ମୁହଁରେ ନିମନ୍ତ୍ରଣ ରକ୍ଷା କରିବାର ସ୍ମିତ ପରିବର୍ତ୍ତେ ତାତ୍ସଲ୍ୟ ଭାବର ଉଦ୍ଧତ ଅସ୍ବାଭାବିକ ଗାମ୍ଭୀର୍ଯ୍ୟ ପ୍ରକାଶ ପାଉଥିଲା।

   ସାଂସ୍କୃତିକ ସମ୍ମିଳନୀର ସବୁ ଆଲୋଚନା ବନ୍ଦ ରଖି ଆମେ କେଉଁ ମହାତ୍ମାଙ୍କ ଆଗମନରେ ଅସ୍ବାଭାବିକ ଭାବେ ଏପରି ଉତ୍କଣ୍ଠ ହୋଇଉଠୁଛୁ ଦେଖିବା ଲାଗି ଏ ପର୍ଯ୍ୟନ୍ତ ନୀରବ ହୋଇ ବସିଥିବା ପ୍ରୌଢ଼ ଭଦ୍ରଲୋକ ଜଣକ ପଢ଼ା ବନ୍ଦ ରଖି ମୁଣ୍ଡ ଟେକି ଅନେଇଲେ ଏବଂ ଆଗନ୍ତୁକଙ୍କ ଉପରେ ଆଖି ପକେଇ ଦେଇ କହି ପକେଇଲେ-“କିରେ ସୁରିଆ, ତୁ ଏଠି।”

   ଭଦ୍ରଲୋକଙ୍କ କହିବା ଭଙ୍ଗୀ ଓ ମୁହଁର ହାବଭାବରୁ ଯେକୌଣସି ଲୋକ ଅନୁମାନ କରି ପାରିବ ଯେ ଆମେ ଆଗନ୍ତୁକଙ୍କ ବ୍ୟକ୍ତିତ୍ବ ଉପରେ ଯେଉଁ ଗୁରୁତ୍ବ ଆରୋପ କରୁଛୁ, ସେ ତାହା କରୁନାହାନ୍ତି, ତାଙ୍କ ଦୃଷ୍ଟିରେ ସେ ପୁରୁଣା ପରିଚିତ ସାଧାରଣ ଲୋକ।

   ଭଦ୍ରଲୋକଙ୍କ କଥାରେ ଆଗନ୍ତୁକ ଯେ ବିଚଳିତ ଓ ବିରକ୍ତ ଏହା ଆଗନ୍ତୁକଙ୍କ ଆଖିରୁ ପରିଷ୍କାର ଜଣାପଡ଼ି ଯାଉଥିଲା। ତଥାପି ନିଜକୁ ସମ୍ବରଣ କରି ସୂର୍ଯ୍ୟ ସିଂହ ଭଦ୍ରଲୋକଙ୍କୁ ନିଜର ଗୁରୁତ୍ବ ଉପଲବ୍ଧ କରାଇବା କଣ୍ଠରେ କହିଲେ ;

  “ଆଇ.ଜି.ଙ୍କ ସହିତ ଗତ ସପ୍ତାହରେ ଦେଖା ହୋଇଥିଲା ,ତୁମ ପ୍ରମୋଶନ ଲାଗି କହିବାକୁ ମନେ କରିଥିଲି,ସୁବିଧା ହେଲା ନାହିଁ।”

   ସୂର୍ଯ୍ୟ ସିଂହଙ୍କ କଥାରେ ଭଦ୍ରଲୋକ ସନ୍ତୁଷ୍ଟ ହେବା ପରିବର୍ତ୍ତେ ଉତ୍‌କ୍ଷିପ୍ତ ହୋଇଉଠିଲେ।

   “କିରେ ସୁରିଆ, ତୋ ସୁପାରିଶରେ ମୋର ପ୍ରମୋଶନ ହେବ। ଭାରି ତ ଆସ୍ପର୍ଦ୍ଧା ହେଲାଣି ତୋର। ହଉ, ହଉ, ତୋ ସୁପାରିଶର ଦରକାର ପଡ଼ିବ ନାହିଁରେ, ମୁଁ ବର୍ଷେ ହେଲା ରିଟାଏର୍‌ କଲିଣି।”

   ଆହତ ଆତ୍ମସମ୍ମାନରେ ଜର୍ଜରିତ ହୋଇ ଉଭୟ କିଛି କ୍ଷଣ ନୀରବ ରହିଥିଲେ ହେଁ ଉଭୟେ ଯେ ଆହତ ଆତ୍ମସମ୍ମାନରେ ଜର୍ଜରିତ, ଏହା ଆମେମାନେ ଅନୁଭବ କରିପାରିଥିଲୁ।

   ଭଦ୍ରଲୋକ ବିଦ୍ରୁପ କଲାଭଳି ସୂର୍ଯ୍ୟ ସିଂହଙ୍କୁ ପଚାରିଲେ, “କରେ ସୁରିଆ ଏଇଟି ପୁଣି କିଏ।”

   ଉତ୍ତର ମିଳିଲା, “ଚପଲ ଖାଇବାକୁ ମନ ହଉଚି କି?”କଥା ସହିତ ସୂର୍ଯ୍ୟ ସିଂହ ଗୋଟିଏ ଚପଲ ଗୋଡ଼ରୁ ବାହାର କରି ପକେଇଲେ। ଚାହୁଁ ଚାହୁଁ ଭଦ୍ରଲୋକ ଲମ୍ଫଦେଇ ସୂର୍ଯ୍ୟସିଂହର ପଞ୍ଜାବୀକୁ ଗୋଟାଏ ହାତରେ ବେକଠୁ ଚିପି ଧରି ଅନ୍ୟ ହାତରେ ଚପଲ ଉଠାଇ ଚିତ୍କାର କରି ଉଠିଲେ,“ଚପଲରେ କିମିତି ଗାଲ ଉଡ଼ିଯାଏ, ଆଜି ଜାଣିବୁରେ ଶ…”

   ଆମେ ସବୁ ଛଡ଼ିଆ ଛଡ଼ି କରି ନଥିଲେ ଅବସ୍ଥା ନିତାନ୍ତ ଅଶୋଭନୀୟ ହୋଇଥାନ୍ତା।




+ -

© Jataayu Charitable Trust
Site designed,developed & maintained by Tekons