(ଗୋଟିଏ ରୁଷୀୟ ଗଳ୍ବ)
ତାଙ୍କ ଭିତରୁ ଜଣଙ୍କର ନାଁ ଥିଲା ଜିଗ୍ଲେଗ୍ ଓ ଅନ୍ୟ ଜଣଙ୍କର ନାଁ ହେଉଛି ହୋପ୍ଫୁଲ। ଦି’ ଜଣଙ୍କର ପେସା ହେଉଛି ଚୋରି ।
ସେମାନେ ରହୁଥିଲେ ସହରଠୁ ଟିକିଏ ଛାଡ଼ି ଗୋଟିଏ ଗାଁରେ । ଗାଁଟିର ଅବସ୍ଥିତି ହେଉଛି ଗୋଟାଏ ଗିରି ସଂକଟ ଭିତରେ … ଏପଟକୁ ସେପଟକୁ ବିଚିତ୍ର ଆକାରରେ ତାର ପ୍ରସାର । ଦି’ ଜଣ ଯାକ ରହୁଥିଲେ ଗୋଟିଏ କୁଡ଼ିଆରେ –କୁଡ଼ିଆ ମାଟି ଓ ସତାକାଠରେ ତିଆରି। କୁଡ଼ିଆଟି ଦେଖିଲେ ମନେହୁଏ ସେଇଟା ଗୋଟାଏ ଖତଗଦା ଯେପରି। ଯାବତ ଆବର୍ଜନା ସତେ ଯେପରି କେହି ଉପରକୁ ସେଠି ଅଜାଡ଼ି ଦେଇଛି। ଦୁଇବନ୍ଧୁ ଆଖପାଖ ଗାଁମାନଙ୍କରୁ ଚୋରି କରନ୍ତି; ସହରରେ ଚୋରି କରନ୍ତି ନାହିଁ;କାରଣ ସେଠି ଚୋରି କରିବା କାଠିକର ପାଠ, ଆଉ ବି ସହର ତଳିରେ ଯେଉଁମାନେ ବସବାସ କରୁଥିଲେ ତାଙ୍କଠି ଥାଏ ବା କଅଣ ଯେ ସେମାନେ ଚୋରି କରିବେ ।
ଦି’ଜଣଯାକ ଥିଲେ ହୁସିଆର ଲୋକ, ସଂଯତ ସ୍ବଭାବର, ଖଣ୍ଡେ ଲୁଗା, ଗୋଟାଏ କୋଟ୍ କି ଗୋଟାଏ କୋଦାଳ, ଗୋଟାଏ ଘୋଡ଼ାସାଜ, ଜାମାଖଣ୍ଡେ ବା ଗୋଟାଏ କୁକୁଡ଼ା ଏଇ ହେଉଛି ତାଙ୍କର ଚୋରି, ଆଉ ଯୋଉ ଗାଁରୁ ଜିନିଷଟା ଚୋରି କରନ୍ତି ସେ ଗାଁଠୁ ଅନେକ ଦିନ ଦୂରେ ରହନ୍ତି। କିନ୍ତୁ ବୁଝି ବିଚାରି ଏପରି କାର୍ଯ୍ୟଟି କଲେ ବି ସହରତଳି ଚାଷୀମାନେ ତାଙ୍କୁ ଆଚ୍ଛାକରି ଚିହ୍ନିଛନ୍ତି ଆଉ କହିଛନ୍ତି , “ଯେବେ ଧରିବୁ, ମାରି ମାରି ଜାନ୍ ନିକାଲି ଦବୁଁ।” ଦି ବରଷ ହେଲା ଦି’ଜଣ ଯାକ ଏକଥା ଶୁଣି ଆସୁଥିଲେ ବି ଚାଷୀମାନେ ଏହା ଭିତରେ କେବେ ସୁଯୋଗ ପାଇନାହାନ୍ତି। ସେଥିଯାଗୁଁ ଦୁଇ ବନ୍ଧୁଙ୍କର ହାତଗୁଡ଼ିକ ଅତୁଟ ରହିଛି ଅଦ୍ୟାବଧି।
ଜିଗ୍ଲେଗ୍ ବୟସ ହେଉଛି ଚାଳିଶ ବର୍ଷ, ଦେଖିବାକୁ ଡେଙ୍ଗା, ଟିକିଏ ଶୁକୁଟା, ହେଲେ ବେଶ୍ ବଳୁଆ। ମୁଣ୍ଡକୁ ତଳକୁ ହାଣି ସେ ଚାଲେ, ଲମ୍ବା ହାତ ଦି’ଟା ତା’ର ପଛପଟକୁ। ଡେଙ୍ଗା ଡେଙ୍ଗା ଗୋଡ଼ ଦିଟା ଧୀରେ ଧୀର ସୁସ୍ଥେ ପକାଏ ସେ । ସେ ଚାଲିଥାଏ, ଆଉ ତା’ର ସଂକୁଚିତ ତୀକ୍ଷ୍ଣ ଆଖି ଦି’ଟା ଏପଟକୁ ସେପଟକୁ ହେଉଥାଏ ଆଗ୍ରହ ସହକାରେ। ତା’ର ମୁଣ୍ଡର ବାଳଗୁଡ଼ାକ ଛୋଟ ଛୋଟ ହୋଇ କଟା ଆଉ ସେ ଦାଢ଼ି ଛଅର ହେଉଥିଲା। ତା’ର ନିଶ ଦି’ପଟ ଥିଲା ହାଲୁକା କଳା ରଙ୍ଗ, ଘନ ଓ ଯୋଦ୍ଧାର ନିଶ ଭଳି । ସେଥିରେ ତା’ର ପାଟିଟା ଢାଙ୍କି ହୋଇପଡ଼ିଥିଲା , ସେଥିଯୋଗୁଁ ତା’ର ମୁହଁଟା ବଡ଼ ରୁକ୍ଷ ଦେଖାଯାଏ । ତା’ର ବାଁ ଗୋଡ଼ଟି ହୁଏତ ଭାଙ୍ଗି ଯାଇଥିଲା, ନୋହିଲେ ସନ୍ଧିରୁ ଛାଡ଼ି ଯାଇଥିଲା। ସେ ଗୋଡ଼ଟି ଏଭଳି ଖସିଯାଇଥିଲା ଯେ ଡାହାଣର ଗୋଡ଼ଠୁଁ ସେଇଟା ଅଧିକ ଡେଙ୍ଗା ଜଣାପଡ଼ୁଥିଲା। ଚାଲିବା ବେଳେ ସେ ଯେତେବେଳେ ଗୋଡ଼ ଉଠାଏ, ସେତେବେଳେ ସେଇଟା ଶୂନ୍ୟରେ ହଲିଯାଇ ଗୋଟାଏ ପଟକୁ ଛିଟିକି ଯାଉଥିଲା। ଏହି ବୈଶିଷ୍ଟ୍ୟ ଲାଗି ତା’ର ଡାକନାମ ଥିଲା ଜିଗ୍ଲେଗ୍।
ହୋପ୍ଫୁଲ୍ ଥିଲା ତା ସାଙ୍ଗଠାରୁ ବୟସରେ ପାଞ୍ଚବର୍ଷ ବଡ଼। ଜିଗ୍ଲେଗ୍ଠୁ ତା’ର ମୁଣ୍ଡଟି ଛୋଟ ଆଉ କାନ୍ଧ ଅଧିକ ଓସାରିଆ। କିନ୍ତୁ ସେ ସବୁବେଳେ କାଶୁଥାଏ- ଘଡ଼୍ ଘଡ଼୍ ସବୁବେଳେ।ତା’ର ଗୋଲିଆ ମୁହଁ ଉପରେ ଅଧା କଞ୍ଚା ଅଧା ପାଚିଲା ଦାଢ଼ି। ତା ମୁହଁର ଇଷତ୍ ହଳଦିଆ ରଙ୍ଗ ସେଥିରେ କିନ୍ତୁ ଢାଙ୍କି ଯାଉନଥିଲା। ତା’ର ଆଖି ଦି’ଟା ଥିଲା ଢେଗା ଢେଗା… କଳା। ସେହି ଆଖିରେ ସେ ସବୁ ଜିନିଷକୁ ଦେଖୁଥିଲା ଅପରାଧୀ ଓ ଅମାୟିକ ଦୃଷ୍ଟିରେ । ଚାଲିଲା ବେଳେ ସେ ତା’ର ଗୋଟା ଓଠ ଦୁଇଟିକୁ ଏଭଳି ଚାପିଦିଏ ଯେ ତାହା ଠିକିରି ପରି ଦେଖାଯାଏ ଆଉ ସେଥିରେ ସେ ବୈଚିତ୍ର୍ୟହୀନ ବିଷାଦଭରା ସୁରରେ ଶୁଶୁରି ମାରେ…ସବୁବେଳେ ଏକା ରକମର। ହରେକ୍ ରଙ୍ଗର ଛିଣ୍ଡା କପଡ଼ାର ତାଳି ତଳେ ତାର କାନ୍ଧ ଢାଙ୍କିହୋଇଥାଏ …ଦିଶେ ସତେ ଯେପରି ପାତ ଥିଲା ଜାକେଟ୍ ପିନ୍ଧିଛି। ଜିଗ୍ଲେଗ୍ ପିନ୍ଧେ ବେଲ୍ଟ ଦିଆ ଲମ୍ବା ଜାମା।
ହୋପ୍ଫୁଲ୍ର ବାପା ଥିଲା ଜଣେ ଚାଷୀ । ଆଉ ତାର ସାଥୀ ଜିଗ୍ଲେଗ୍ର ବାପ ଥିଲା ସମାଧି ଖନନକାରୀ । ଦିନା କେତେ ସେ ଦରୱାନ ଥିଲା । କିଛିଦିନ ବି ଜିନିଷପତ୍ରରେ ମାର୍କା ମାରୁଥିଲା। ଦିହେଁ ଯାକ ସବୁଦିନେ ଏକା ସାଙ୍ଗରେ ରହନ୍ତି। ଆଉ ଚାଷୀମାନେ ସେମାନଙ୍କୁ ଦେଖି କହନ୍ତି, “ଦି ସାଙ୍ଗ ହେଇଟି ଆସିଲେଣି ହୁସିଆର।”
ଦୁଇବନ୍ଧୁ ଗାଁ ଗଣ୍ଡାକୁ ଦୂରରେ ରଖି ପଲ୍ଲୀପଥରେ ଚାଲିଥାଆନ୍ତି ଚାରି ଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ପକାଇ। ହୋପ୍ଫୁଲ୍ କାଶେ, ଆଉ ଶୁଶୁରି ମାରେ,ଗୀତ ଗାଏ; ତା’ର ବନ୍ଧୁ ଶୂନ୍ୟରେ ଗୋଡ଼ଟିକୁ ଛିଟକାଏ, ସତେ ଯେପରି ସେଇଟି ଚେଷ୍ଟା କରୁଛି ମାଲିକର ବିପଦସଙ୍କୁଳ ପଥରୁ ନିଜକୁ ବିଚ୍ଛିନ୍ନ କରି ଅନ୍ୟକୁଆଡ଼େ ଚାଲିଯିବ। ନୋହିଲେ ଦି’ଜଣଯାକ ବଣକଡ଼ରେ ,ଗହମ କ୍ଷେତ ଭିତରେ ଅଥବା କୌଣସିଠି ଶୁଖିଲା ନାଳ ଭିତରେ ଶୋଇରହି ଶାନ୍ତ ଭାବରେ ଆଲୋଚନା କରନ୍ତି, କଭଳି କିଛି ଚୋରି କରିବେ, ତାହେଲେ ସେମାନେ ଗଣ୍ଡାଏ ଖାଇବେ ।