“ଏଇଠି ସମାପ୍ତି ? ବାଃ ।”
“ବଢ଼ିୟା”
ମୁଁ ଏତେ ସୁନ୍ଦର ପ୍ରେମ ଗଳ୍ପ ଆଜିଯାଏ ଶୁଣିନଥିଲି। କଥାବସ୍ତୁରେ ତୁ ରଖିଛୁ ଯେପରି ମାଦକତା, ଭାଷାକୁ ବି କରିପାରିଛୁ, ସେହିପରି ରସରସିଆ।
ମୁଁ ଏହି ଗଳ୍ପକୁ ଶତାବ୍ଦୀର ଶ୍ରେଷ୍ଠଗଳ୍ପ ରୂପେ ସ୍ଥାନ ଦେବି। କି ଚମତ୍କାର ଭାବନା-ନର୍ମଦାର ଉଚ୍ଛୃଙ୍ଖଳ ପ୍ରବାହ, ଜୋଛନାର ଉତ୍ସବ, ବଂଶୀର ବିଭୋର ରାଗିଣୀ, ଯୌବନର ଉନ୍ମାଦନା, ପ୍ରେମର ବନ୍ୟା , ସବୁ ଚାଲିଛି ଏକ ଛନ୍ଦରେ ,ଜୀବନକୁ କରି ରଙ୍ଗିନ, ମଧୁର ସରସ, ସଙ୍ଗୀତ ମୁଖର। ମୁଁ ତ ଶୁଣୁ ଶୁଣୁ ଆପଣାର ଅସ୍ତିତ୍ବ ହଜାଇ ଦେଇଥିଲି। ପାଠକ ମୁହୂର୍ତ୍ତକ ପାଇଁ ଭୁଲିଯିବ ନିଜର ପରିସ୍ଥିତି –ନିଜର ଅଭାବ…” (ହାତ ପକେଟ୍ ଭିତରୁ ବାହାର କଲା ସିଗାରେଟ୍ର ଏକ ଫାଙ୍କା ଖୋଳ)।
“ହେଇ ସିଗାରେଟ୍ର ଅଭାବ। ଦେ ତ ଭାଇ ଗୋଟିଏ। ଏକ ଦେଖ ତ ମୁଁ ପାଶୋରି ଯାଇଥିଲି ମୋର ନିହାତି ଜରୁରୀ ଅଭାବଟା। ଆଉ ସାହିତ୍ୟଠୁ ଆମେ ଚାହୁଁ କ’ଣ? ଆମକୁ ଯୋଉ ସାହିତ୍ୟ ଯେତେ କଳ୍ପନାରେ ଭସାଇପାରିଲା, ମଜେଇ ପାରିଲା, ତା’ର ସ୍ଥାନ ସେତେ ଉପରେ । କଳ୍ପନା ତ ସାହିତ୍ୟର ପ୍ରାଣ । ଦୁନିଆରେ ନଈ ନାଳ, ପଥର , ପାହାଡ଼ ଉଚ୍ଚାନୀଚ୍ଚା, ସବୁ ଉପରେ କଳ୍ପନାର ତୂଳୀ ଦେଇ ଯଦି ନନ୍ଦନରେ ପରିଣତ କରି ଦିଆଯାଇ ପାରିଲା ,ଯଦି ମଣିଷ ତା’ର ସବୁ ଦୁଃଖଦୈନ୍ୟ ଭୁଲି ମୁହୂର୍ତ୍ତକ ପାଇଁ ଉର୍ବଶୀର ନୃତ୍ୟ ବିଳାସର ସନ୍ଧାନ ପାଇ ପାରିଲା, ଆପଣା ହୃଦୟ ତଳେ,ସେଇଠି ହୁଏ ସାହିତ୍ୟ ଧନ୍ୟ;ସେଇଠି ସାହିତ୍ୟିକ ଲାଭ କରେ ମହତ୍ତ୍ବ। ସାହିତ୍ୟକର କାମ ହେଲା ସ୍ବପ୍ନର ମଦିରା ଦେଇ ସମସ୍ତଙ୍କୁ ଅମୀର ବନାଇବ, ଦୁନିଆକୁ ରଙ୍ଗିନ୍ କରିବ, ମଣିଷକୁ ସମାଜର ବନ୍ଧନ, ରାଜାର ଉତ୍ପୀଡ଼ନ, ଧନର ଦାସତ୍ବ, ଅଭାବର ନିର୍ଯ୍ୟାତନାରୁ ମୁକ୍ତ କରି କଳ୍ପନାପୁରୀକୁ ଘେନିଯିବା , ଧରଣୀର ସବୁ ବାଧାବନ୍ଧ ଉପରକୁ ତୋଳିବା। ଏଇ ଛୋଟ ଗପଟିରେ ସେ ସବୁ ଏଡ଼େ ଚମତ୍କାର ଭାବରେ ଫୁଟି ପାରିଛି ଯେ ତାଜମହଲ ଦେଖିଥିଲେ ମୁଁ ଯେତେ ଅଭିଭୂତ ହୋଇଥାନ୍ତି, ଆଜି ଦୁଇଟି ତରୁଣ ତରୁଣୀଙ୍କ ପ୍ରଣୟ ଗଳ୍ପ ମୋତେ ତାଠାରୁ ବେଶି ଆବିଷ୍ଟ କରିପାରିଛି। ସାବାସ୍ ବିନୋଦ, ସାବାସ୍। ମୁଁ ତତେ ଭାରି ଈର୍ଷା କରୁଛି।”
ବିନୋଦର ଗଳ୍ପର ଚମତ୍କାରିତା ବିଷୟରେ ଆମେ ସମସ୍ତେ ଏକମାତ୍ର ପ୍ରଗଳ୍ଭ। ରାଜ ଓ କାହ୍ନୁ ଏତେ ଆତ୍ମହରା ହୋଇଯାଇଥିଲେ ଯେ ଆଉ ଚଉକି ଧରି ବସି ପାରୁନଥିଲେ । କୋଠରୀରେ ଏ ପାଖ ସେପାଖ ଟହଲ ମାରି ମଝିରେ ମଝିରେ ଗଳ୍ପ ବିଷୟରେ ପଦେପଦେ ପ୍ରଶଂସା ମୁଖରେ ମନ୍ତବ୍ୟ ସିଗାରେଟ୍ ଧୂଆଁ ସହିତ ଛାଡ଼ି ଦେଉଥାନ୍ତି। ଏଇ ସମୟରେ ମୋର ନଜର ପଡ଼ିଲା ସଚ୍ଚି ଉପରେ , ଆମେ ତା’ର ଅସ୍ତିତ୍ବ ଭୂଲି ଯାଇଥିଲୁ। ଏଇ କଣିକିଆ ଚଉକି ଖଣ୍ଡକରେ ବସିଥିଲା ସେ, ଏ ସମସ୍ତ ବୀର ଉପାସନାର ଉଲ୍ଲାସ ଉତ୍ସବ ଭିତରେ । ଆରମ୍ଭରୁ ହିଁ ସେ ନୀରବ ରହିଆସିଛି। ହୁଏତ ଆମେ ତାଠାରୁ ଅଧିକ କିଛି ଆଶା କରିନଥାନ୍ତୁ । ଆମର ଏ ସାହିତ୍ୟିକ ମଜଲିସ୍ରେ ତା’ର ସବୁବେଳେ ପଦେ ମାତ୍ର ସମାଲୋଚନା ଥାଏ,- ‘ବାଜେ’ । ଯାହା କିଛି ପଢ଼ାହୁଏ, ଯେତେ ଭଲ ହେଲେ ବି ସବୁକୁ ସେ କହେ, ‘ବାଜେ’। ଆମେ ହସିଉଠୁ,॥ ସେ ବି ପ୍ରତବାଦ କରେନାହିଁ, କି ଆଉ କିଛି କହେନାହିଁ।