ଯାତ୍ରା ପଥେ


ନିରାକାରପୁର ସାନ ଇଷ୍ଟେସନଟାରେ ମୁସାଫିରଖାନା ବୋଲି ଯୋଉ ଟାଇଲିଛପର ଟିକି ଚାଳି ଖଣ୍ଡ ଅଛି, ସେଠି ଆଉ ସୋରିଷ ପକାଇବାକୁ ଥାନ ନାହିଁ।

           ଛୋଟ ଛୋଟ ପୁଟୁଳିମାନ ଜଙ୍ଘ ତଳେ ରଖି ଜଣ ଷାଠିଏ ସତୁରି ପେଣ୍ଡାପାରି ବସି ଯାଇଛନ୍ତି। ତଇଲାର ରଘୁ ସୋଇଁ କହୁଚି କେମିତି ସେ ବାରମାରୁ ଫେରିଲା। ରାସ୍ତାରେ ସାତ ଦିନ କାଳ ଖାଲି ଚାକୁଣ୍ଡା ଶାଗ ଖାଇ ଖାଇ ମଣିପୁରରେ ପହଞ୍ଚିଲା। ଓହ୍ଲାଣର ବାରିକଙ୍କ ମେଳରେ ପଡ଼ିଚି ପଟ୍ଟନାୟକ ବାଉଁଶ ବରତନ ନ ଦେବା କଥା। ନଈକୂଳ ପାଟଣାର କୁଶୁଳିଆ ପାଟିରୁ ସିଦ୍ଧେଶ୍ବର ଠାକୁରଙ୍କ ମହିମା କଥା ତ ପାଞ୍ଚ ଜଣ ଆଁ କରି ଶୁଣିଛନ୍ତି। ଓଷଣା ବରପଦାର ଫକୀର ସାମଲ ରଥ ଆପଣଙ୍କଠଉଁ ଶୁଣିଥିବା ଲଢ଼େଇ ହାଲ ଅନର୍ଗଳ କହି ଚାଲିଛି। ରାଧା ମାଇଚିଆ ସାନ୍ତରାଙ୍କ  ଘର ବୋହୂ କେମିତି କାନ୍ଦୁଥିଲା , ସେ କଥା ନକଲ କରି ପାଖ ଲୋକଙ୍କୁ ହସାଉଚି। ଦେଶ ଅଞ୍ଚଳରୁ ଯେଉଁ ସାତ ଆଠ ଜଣ ବସିଛନ୍ତି, ସେ ରାମଶ୍ବରିଆଙ୍କ ଆଗରେ ତାଙ୍କ ଆଡ଼ ନଇବଢ଼ି ହାଲ , ଜମିବାଡ଼ି ହାଲ ସବୁ ବଖାଣୁଛନ୍ତି। ମାଗୁଣି ନାୟକ ତାର ଶ୍ରୋତାଙ୍କ ଆଗରେ ବୋଲି ଚାଲିଛି, ‘ ହଟିଲାଣି ହିଟଲର’ ଗୀତ। ଏ ନୂଆକାଳିଆ ଗୀତ ଅଧିକାରୀ ଜଟୀ ଦାସଙ୍କ ମନରୁ ପାଉ ନଥିବାରୁ ସେ ତାଙ୍କ ମନବୋଧ ଚଉତିଶକୁ ଦିଶ ପକାଇ ବୋଲୁଛନ୍ତି। ଗୋଳବାଇର ଦିନ ସାହୁ ତାଙ୍କ ଗାଁ ରାସର ଟେକ ଦେଖୁବାକୁ ଛାଡି ଦେଇଛି- “ ଆହା ଦିନେ ଗୋପବାଲା” ପଦ୍ମପୁରର ଗୋପି ରଥେ ବଡ଼ ଭିଡ଼ରେ ଚୂନପତ୍ର ଚକଟୁ ଚକଟୁ କହିଲେ ‘କ’ଣ  ଆଉ ଏ ଯୁଗର ଚୂନପତ୍ର ଖାଇବା କହିଲେ, ମୋତିହାର ଦାମ୍‌।” ଚୂନପତ୍ର ଟିପେ ଲାଗି ଯେଉଁମାନେ ଲାଳଚେଇ ଥିଲେ ସେମାନେ ରଥଙ୍କ ପାଟିରୁ କଥା ନ ସରୁଣୁ ସମର୍ଥନ ଓ ଅନୁମୋଦନ କଲେ। ଷ୍ଟେସନ ପଛପଟକୁ ଯେଉଁ ଓସ୍ତ ଗଛଟା ଅଛି ତା’ର ମୂଳରେ ଆଉ ଦଶ ପନ୍ଦର ଜଣ ଗୋଡି ଉପରେ ବୈଠକ କରି ସୁରୁ କରିଛନ୍ତି ଚିଲମର ଆଡ଼ା। ଆଉ କେତେ ଜଣ ଏ ପାଖେ ସେ ପାଖେ ବସିଚନ୍ତି-କିଏ ବା ଦିହହାତ ସଳଖୁଚି।

          ମୁସାଫିରଖାନା କାନ୍ଥକୁ ଆଉଜି ପଶ୍ଚିମ-ପଟକୁ ଏକକଣିଆ ହୋଇ ଯୋଉ ଲୋକଟି ବସିଚି ସେ କେତେବେଳୁ ସେହିଭଳିଆ ବସିଲାଣି, କାହା ସାଙ୍କରେ କଥା ନାହିଁ, ଭାଷା ନାହିଁ- ଭକୁଆ ଭଳି ସାମନାରେ ଟଙ୍ଗା ‘ଗ୍ରାମବାସୀର ବୁଦ୍ଧି’ ଚିତ୍ରକୁ ଟିକୁ ଅନାଇ ରହିଛି। ବେଶବାସରେ ଅନ୍ୟମାନଙ୍କଠଉଁ ସେ ଯେ ନିଆରା ତା ନୁହେଁ-ମୁଣ୍ଡରେ କରିଆ ଖଣ୍ଡେ ଠେକା; ପିନ୍ଧା ଖଣ୍ଡେ ଛ ହାତ ଗାମୁଛା- ଦି ଖଣ୍ଡ ଯାକ ତା’ ଦିହପରି କୋତରା ଚଟ ତା’ ଜଙ୍ଘତଳେ କିନ୍ତୁ ପୁଟୁଳି ନାହିଁ।

          ତାକୁ ସମ୍ଭୋଧନ କରି ବଗିପଡ଼ାର ମଦନ ସିଂହ ପଚାରିଲା, ‘ରାଉତରା ଘରୁ କେତେ ଧାନ କରଜ ଆଣିଲୁ, ସନିଆ ଭାଇ?” ସନିଆ ମଦନ ସିଂହ ମୁହଁକୁ ଟିକିଏ ବେଳେ ଗାଡ଼େଇ କରି ଅନାଇ ଦୀର୍ଘଶ୍ବାସଟାଏ ପକାଇଲା। ‘କାଇଁ’ କରଜ କିଏ ଦଉଚି?’

“ ହଁ, ମତେ ପରା ନେଉଟାଇ ଦେଲେ, ସେ ଆଉ କ’ଣ କାହା ମୁହଁକୁ  ଅନାଉଛନ୍ତି କି, କେଉଠୁଁ ଆଣିଲୁ ଫେର?”

          ‘ଆଣିବି ଆଉ କେଉଠୁ?’

‘ ଆଉ ତେବେ।’

‘ଆଉ କଣ?’

‘ ଘରେ ଫେର କ’ଣ ଦେଇ କରି ଆସିଲୁ?’ ତୋର ପରା ରଜଠଉଁ କହୁଥିଲୁ ଓଳିଆ ଝଡ଼ାଝଡ଼ି।’

ସନିଆ ତଳକୁ ମୁହଁ ପୋତି ଗୋଡ଼ିଟାଏ ଧରି ଭୂଇଁରେ ଠିକ୍‌ କରୁଥାଏ।

‘ ଦି ମାସ ଚଳିବା ମୁତାବକ ଧାନ ରଖି ଦେଇ ଆସିଚୁ ଟିକି? ମାଇପି ଲୋକ ଟଙ୍କା ଧରି ଉପାସରେ ଶୋଇବେ। ପାଞ୍ଚ ଗାଁ ବୁଲିଲେ ଧାନ ଟଙ୍କାକର ମିଳୁଚି କି ନାହିଁ ଏ କାଳକୁ।’

‘ଧାନ ମିଳେ କୋଉଠୁ- ଟଙ୍କା ମିଳେ କୋଉଠୁ।’

 

ନିଜୋରିଆ କଥା ଗୁଡ଼ାକ ସନିଆର ଓଠରୁ ଖସି ପଡିଲା।




+ -

© Jataayu Charitable Trust
Site designed,developed & maintained by Tekons