ସ୍ବରାଜ


ବିକଳ ମିଶ୍ର ଯେତେବେଳେ ଦାଣ୍ଡ ଦୁଆରେ ପଥର ପିଣ୍ଡା ଉପରେ ବସି ସୁତାବନ୍ଧା ପରଚକ୍ଷୁକୁ ନାକରେ ଠେସ ଦେଇ ସାପ୍ତାହିକ ଖବରକାଗଜର ବଡ଼ ଫର୍ଦ୍ଦଟା ଦି ହାତରେ ଧରି ଗଳା ଖଙ୍କାରାଟାଏ ଦିଅନ୍ତୁ, ଗାଁରୁ ଗୋଟିଏ ପରେ ଗୋଟିଏ ପାଞ୍ଚ ସାତ ପନ୍ଦର ଲୋକ ସେଠିକି ଗଡ଼ନ୍ତି। ବିନା ବାରିକ ସାନ୍ତରା ସାହିକି ଛଅର କରିପାକୁ ଯିବା ବାଟରେ କାଖରେ। ମୁଠି ଯାକି ମିଶ୍ରଙ୍କ ପିଣ୍ଡା ତଳେ ବସି ପଡି କାନ ପାତାଏ ସାଆନ୍ତଙ୍କ କଥାକୁ; ଗାଁ ଦାଣ୍ଡରେ ବିଲକୁ ଲଙ୍ଗଳ ନେଇ ବାହାରିଥିବା ଲୋକ ହ’ କରି ଦଣ୍ଡେ ଛିଡ଼ା ହୋଇଯାଏ ଦି କଥା କାନରେ ପକାଇ ଦେବାକୁ; ରତନ ଜନମୁଁ ନନ୍ଦଙ୍କ ଘରେ ଗୋରୁ କୁଣ୍ଡକୁ  ପାଣି ବୁହାଉ ବୁହାଉ ତା’ର ବିସ୍ମୟ ପ୍ରକାଶ କରି ପକାଏ, ’ କୁଆଡ଼ୁ ଆଣି କେତେ ରାଇଜର କଥା  କହୁଚି କି ଲୋ ମା’ ଏ ଖବର କାଗଜରେ ।” ଶ୍ରଦ୍ଧାଶୀଳ ଶ୍ରୋତାମାନଙ୍କୁ ମିଶ୍ରେ ଶୁଣାନ୍ତି କେତେ ମୁଲକର ହାଲ, କୋଉଠି ରେଙ୍ଗୁନର ତେଲକମ୍ପାନୀରେ ନିଆଁ ଲାଗି ଯାଇଥିଲା, କୋଉଠି ନଈ ବଢ଼ି ହୋଇ ଗାଁ ଗଣ୍ଡା ସବୁ ଭସେଇ ନେଇ ଚାରିଆଡ଼େ ଜଳାର୍ଣ୍ଣବ ଏକାକାର କରି ଦେଇଛି, ଲୋକେ ଗଛ ଉପରେ ତିନି ତିନି ଦିନ ଅଖିଆ ବସି ଜୀବନ ବଞ୍ଚେଇଛନ୍ତି। ଶ୍ରୋତାମାନେ ଶୁଣି ଆହା ଆହା  କରନ୍ତି। ଖବର କାଗଜରେ କହେ କୋଉଠି ରୁଷିଆ ଇମିତିକା ବୋମା ବାହାର କରିଛି ଯେ ଯିଏ ସେ ଶବଦ ଶୁଣିବ ଠୋ କରି ତା ପ୍ରାଣ ଛାଡିଯିବ। ଏକଥା ଶୁଣି ଧନିଆ ଛାନିଆରେ ଆଁଟା କରି ପକାଏ। ମିଶ୍ରଙ୍କୁ ବେଢ଼ି ଏ ଯେଉଁ ଜନତା  ଜମେ ,ସେମାନଙ୍କ ମଧ୍ୟରେ ସେଠି ନାନା ଆଲୋଚନା ଚାଲେ, ନାନା ମନ୍ତବ୍ୟ ବାହାରେ, ମତାନ୍ତର ଓ ମତଭେଦ ହୁଏ, ଶେଷକୁ କଥାଟା ତୁଟି ନ ପାରିଲେ ମିଶ୍ରଙ୍କୁ  ସିଦ୍ଧାନ୍ତ ପାଇଁ ପଚାରଯାଏ। ମିଶ୍ରେ ଯାହା କହି ନିଅନ୍ତି ତାକୁ ସମସ୍ତେ ସାର ବୋଲି ମାନି ନିଅନ୍ତି। ପଢ଼ୁ ପଢ଼ୁ ଯେବେ କିଛି ଅପସନ୍ଦ ଘଟଣା ମିଶ୍ର ଶୁଣାନ୍ତି, ଯିମିତିକା କୋଉଠି ଏକା ଥରକେ ତିନିପିଲା ଜନ୍ମ ହୋଇଛନ୍ତି, କି କୋଉଠୁ ମାଇପିଟାଏ ମରଦ ପାଲଟିଗଲା, ବୁଢ଼ା ବୁଢ଼ା ଲୋକ ଯିଏ ଥାଆନ୍ତି, ‘ କିକାଳ ହେଲାରେ ବାପା! ସବୁ କଥା ଏ କାଳକୁ ସମ୍ଭବିଲା।”

          କଂଗ୍ରେସ ଗୋଳ ଯୋଉ ଦିନଠୁ ଦେଶରେ ପଡିଲା। ମିଶ୍ରଙ୍କ ପାଖେ ଶ୍ରୋତାଙ୍କ ସଂଖ୍ୟା ସେହିଦିନଠାରୁ ବଢ଼ିଛି। ଲୋକ ବଡ଼ ଆଗ୍ରହରେ ପଚାରନ୍ତି,-ସାଆନ୍ତେ, ଗାନ୍ଧି ରଜା ହେବଟି? କଂଗ୍ରେସ କ’ଣ କରୁଛି?ଗାନ୍ଧିଲୋକ ସରକାରକୁ ସତେ କ’ଣ ହଟେଇ ଦେବେ? ମିଶ୍ରେ କାଗଜରେ ଥିବ ନଥିବା କଥା ମିଶେଇ ଲୋକଙ୍କୁ ଆଶ୍ବାସନା ଦିଅନ୍ତି। କଂଗ୍ରେସ ଅଙ୍ଗରେଜୀ ସରକାର ସାଙ୍ଗରେ ଲଢ଼ୁଛି। ଗୁଳିମାଡ଼ରେ କେତେ ଲୋକ କାହିଁ ମଲେଣି, ତବେ ବି କଂଗ୍ରେସ ହଟୁନାହିଁ। ଖବରକାଗଜ ପଢ଼ୁ ପଢ଼ୁ ମିଶ୍ରେ ମଝିରେ ମଝିରେ ଅଟକି ଯାଆନ୍ତି ବୁଝିବାକୁ ତାଙ୍କ ଶ୍ରୋତାମାନେ ସବୁ ହାଲ ସମଝି ପାରିଲେ କି ନାହିଁ।

“ବିଶୋଇ, ଶୁଣିଲଟି। ଗାନ୍ଧି କହୁଚି ଭାରତ ସ୍ବାଧୀନ ହେବ। ସମଝା ପଡ଼ିଲାଟି?” ବିଶୋଇ ଆଡ଼ହସା ଦେଇ ଉତ୍ତର ଦିଏ ସେ ସବୁ ବୁଝୁଛି, ଭାରତବୋଇଲେ ହୁଲ୍‌ ତମାମ୍‌ ଆମ ଦେଶ-ସ୍ବାଧୀନ ବୋଇଲେ ଗାନ୍ଧି ମୁଲକ। ଖବରକାଗଜରେ ଟିକିଏ ସାହିତ୍ୟ ନଗେଇ ଲେଖିଛି ହେଲେ ଅର୍ଥ କଣ ଅଛପା ରହୁଛି?

          ଆମ ଦେଶରେ ସ୍ବରାଜ ହବ, ସବୁଦରବ ଶସ୍ତା ହେବ, ସମସ୍ତେ ସୁଖ ଶାନ୍ତିରେ ରହିବେ। ଆଶାନ୍ବିତ ପ୍ରଶ୍ନ କୃକ ଅକପଟ ପ୍ରଶ୍ନ ତୁହାଇ ତୁହାଇ ପଚାରେ. “ ସାଆନ୍ତେ ଗାନ୍ଧି ରଜା ହେଲେ ଆମକୁ ତ ଆଉ ଖଞ୍ଜଣା ଦେବାକୁ ପଡ଼ିବ ନାହିଁ?” ଗାନ୍ଧି ମୂଲକରେ ଚଷାକୁ କର ଦେବାକୁ ପଡ଼ିବ ନାହିଁ, ଜମିଦାର ଆଉ ମିଛ ନାଲିସ କରି ଘର ଦୁଆର ତାଡ଼ି ନେଇପାରିବେ ନାହିଁ। ଦି ଓଳି ମୁଠେ ଖାଇବାକୁ ମିଳିବ-ସରଳ ଗ୍ରାମବାସୀର କଳ୍ପନାରେ ସେହି ମୁଲକ ସରଗ। ଏ ପ୍ବଥ୍ବୀ ଗାନ୍ଧି ମୂଲକରେ ପୁଣି ସରଗ ହବ-ଏ ବିଷୟରେ ମିଶ୍ରଙ୍କ ଠାରୁ ନିର୍ଭର ଜବାବ ପାଇ କାଳିଆ କୋତରା ସେହି ଲୋକ ଗୁଡ଼ାଙ୍କ ମେଳରେ କିପରି ଗୋଟିଏ ଚଇତାଳି ମାଦକତା ଖେଳିଯାଏ, ଚେମଡ଼ା ଚମଡ଼ା ଉପରେ ଉଲ୍ଲାସର ଭାବ ଫୁଟି ଉଠେ। କଲିକତାରେ ଖବର ଶୁଣିବାକୁ କବାଟ କଣେ ଅଣଆଡ଼ିଆ ହୋଇ ଛିଡ଼ା ହୋଇଥିବା ପଠାଣି ବୋଉ ଗୋଟିଏ ଦୀର୍ଘନିଶ୍ବାସ ପକେଇ କହେ, ଗାନ୍ଧିମୂଲକ କେବେ ହେବ ଲୋ ମା’, ହୁଅନ୍ତା କି ଭଲା, ମୋ ପଠାଣିକୁ ଆଉ କଲିକତା ଛାଡ଼ନ୍ତି ନାହିଁ।

 

          ପକ୍ଷ କରେ ପକ୍ଷ ଗଡ଼େ, ଗ୍ରାମବାସୀଙ୍କର ସପନ ସତ ହୁଏ ନାହିଁ। ଥରକୁ ଥର ଧାନ ପାଚେ, ଥରକୁ ଥର ଗହୀର ବିଲରେ ଡ଼େଙ୍ଗୁରା ବାଜେ ପ୍ରଚାର ଦଖଲ ଉଚ୍ଛେଦ କରି. ଥରକୁ ଥର ଗାଁ ଦାଣ୍ଡରେ ଅଦାଲତ ପିୟୁନ ହୁଦା ପକେଇ ଦେଖା ଦିଏ କୋରଖ ପରାବାନା ଭଗବାନ! ୟାର ଆଉ କଣ ଶେଷ ନାହିଁ? ଅସହାୟ କୃଷକ ପୁଣି କଳ୍ପନା କରେ କୋଉଦିନ ସ୍ବରାଜ ହେବ, କେବେ ଗାନ୍ଧି ରଜା ହେବ, ମୁଲକ ପୁଣି ସୁସ୍ତି ପଡ଼ିବ, ପ୍ରଜା ଆପଣା କମେଇଲା ଧାନ ନିର୍ଭୟରେ ଆପଣା ଖଳାକୁ ଆଣିବେ, ଗାଁର ଗଜା ଭେଣ୍ଡିଆ ତକ ପେଟ ପାଇଁ ଆଉ ସାତ ସମୁଦ୍ର ତେର ନଇ ଡ଼େଇଁ ଚଟକଳକୁ ଯିବେ ନାହିଁ।




+ -

© Jataayu Charitable Trust
Site designed,developed & maintained by Tekons