ସ୍ବାହା


ଚୌଧୁରୀ ବୃନ୍ଦାବନ ମହାପାତ୍ରଙ୍କ ବେନୂଆ ଉପରେ ଏପରି ବିଶ୍ବାସ ଯେ ତାଙ୍କ ଆଗରେ ବେନୁଆ ନାଁରେ ପାଞ୍ଚପଦ ଯୋଡ଼ି କହିଲେ  ବି ତାହା କାନରେ ନିଅନ୍ତି ନାହିଁ ।ସେ ବେନୁଆକୁ ପିଲାଟି ଦିନରୁ ଦେଖି ଆସିଛନ୍ତି। ସୁନା ମୁଣ୍ଡାଏ ତା’ ଆଗରେ ଥୋଇ ଦେଲେ ବେନୁଆ ଉଠାଇ ନେବା ଲୋକ ନୁହେଁ।

          କୁଆଁ ତାର ଉଠିଲା ବେଳକୁ ଚୌଧୁରୀଙ୍କ ଦାଣ୍ଡ ପିଣ୍ଡା ଉପରେ ବସି ଗୋଟିଏ ଲୋକ ଲମ୍ବା ହାଇ ମାରୁଥିବାର ତମେ ଦେଖିବ। ଗାଁ ମାଇପେ ଗୋବର ପାଣି ପକେଇବାକୁ ଉଠିଲା ବେଳକୁ ନିତି ସେହି ଦୃଶ୍ୟ ଦେଖନ୍ତି। ପାହାନ୍ତିଆ ପହର ଆଶକତିଆ ନିଦରେ ବ୍ୟାଘାତ  ଜନ୍ମାଇ ଶୁଭେ ‘କବାଟ ଫିଟା’ ।ବର୍ଷା ନାହିଁ,ଶୀତ ନାହିଁ, ସବୁ ଦିନେ ସେହି ଏକ ଡ଼ାକ ଗୋବିନ୍ଦ ରଥଠାରୁ ଆରମ୍ଭ କରି ପାଣୁ ପଧାନ , ମଣି ଜେନା ଯାଏଁ ସମସ୍ତେ ଶୁଣି ଆସିଛନ୍ତି, ସକାଳ ପହର ଗଣ୍ଡାର ସାହିରୁ ଯେପରି କୁକୁଡ଼ାର ଡ଼ାକ ଆଶା କରାଯାଇଥାଏ, ସେହିପରି ବି ତା ସହିତ ଆଶା କରାଯାଇଥାଏ ଚୌଧୁରୀ ଦୁଆରେ ବେନୁଆର ଡ଼ାକ।

          ଚୌଧୁରୀଙ୍କ ଦୁଆର ଫିଟା । ବେନୁଆ ଘରକୁ ପଶେ, ଅଧୁଆ ମୁହଁରେ ଚୂନ ପତର କଳେ ଯାକି ସିଧା ବିଲକୁ ଦାଣ୍ଡାଏ। ଯେବେ ବା ବିଲ କାମ ନଥାଏ, କୁରାଢ଼ିଟିଏ ଧରି କାଠ ଚିରି ବସେ ; କିଛି ନହେଲେ ଦଶ ଗରା ପାଣି ଆଣି କୁଣ୍ଡ କୁଣ୍ଡ ପାଣି ଭରତି କରିଦିଏ।

           ବେନୁଆ ସୁନା ମୁଣ୍ଡାଟାଏ ଏ ପ୍ରଶଂସା ଚୌଧୁରୀ ବେନୁଆର ପଛରେ କରିଛନ୍ତି। ଆଗରେ କରିଛନ୍ତି। ଟକେ ଟିକେକ ବାର ବେଜିତ୍‌ କରି ବକିବା ଚୌଧୁରୀଙ୍କ ମୁହଁରେ ଏ ପ୍ରଶଂସା ମୂଲ୍ୟ ଢ଼େର।ପରହିଂସ୍ରିକିଆ କିଏ କେମିତି କହନ୍ତି ବେନୁଆ ଚୈଧୁରୀଙ୍କୁ ମନେଇ କରି ରଖିଛି। କିନ୍ତୁ ଗାଁ ଭିତରେ ବୁଝିବିଚାରି ଲୋକ ମେଳରେ ପଡ଼େ ବେନୁଆ ସାଆନ୍ତଙ୍କୁ ଯେମିତି ଆପଣା କରିଛି, ଖାମିଦ ବି ସେହିପରି ତାକୁ ମଣିଷ କରିଛନ୍ତି। ବେନୁଆ ଥିଲା କଣ?

           ବୁଢ଼ା ବୁଢ଼ା ଲୋକ କହନ୍ତି ସେମାନେ ବେନୁଆର ବୋଉକୁ ଦେଖିଛନ୍ତି, କାଳୀ ମଚ୍‌ ମଚ୍‌ ହୋଇ, ବୟସ-ଥିଲା ମାଇକିନାଟାଏ କୋଉଠୁ ଆସି ଚୈଧୁରୀ ଘରେ ଠାକିଲା, ବେନୁଆ ସେତେବେଳେ ଛଆ ସାତ ବରଷର ପିଲା। ଦିହଦାର ମାଇପିଟାଏ, କାମକୁ ମଜବୁତ୍‌, ପାଣି ଦିଏ ଧାନ କାଟେ, ବାହାର ପାଇଟି କରେ, ଖାଏ। ସେ ତ ମରିଗଲା। ବେନୁଆକୁ ସେତେବେଳେ ଅତି ହେଲେ ଦଶ ବାର, ହେଲେ ହେତୁ ପାଇଯାଇ ଥାଏ ଟିକିଏ, ଟହଲ ଟୁକୁଲା କାମ ଦାମ କରେ, ଗାଈ ଛାଡ଼ିଯାଏ, ଗୁହାଳ ପୋଛେ, ସଉଦା ଆଣେ, ଦିଓଳି ଦି ମୁଠା ଖାଏ।

          ଆଜି ବେନୁଆର ନାହିଁ କଣ?କ୍ରୋକ୍‌ କରି ଚୈଧୁରୀ ଦାମ ସାହୁ ଘର ଯୋଉ ଘରଡ଼ିହ ଚଉଦ ଗୁଣ୍ଠ ନିଲାମ ଧରି ଥିଲା, ସେ ମାଟି ଏବେ ବେନୁଆର। ଦି ଦାଣ୍ଡ ଘର, ଘର ପଛକୁ ବାରି । ବେନୁଆ ଖଣ୍ଡେଇତ ଘରେ ବାହାକଲା, ଅବଶ୍ୟ ଚୌଧୁରୀଙ୍କ ମୁହଁକୁ ବେନୁଆର ପୁଅଟିଏ। ତ’ ଘରେ ଦିଓଳି ଚୁଲିରେ ହାଣ୍ଡି ବସେ। ଗୁଣ୍ଠେ ଦି ଗୁଣ୍ଠ କରି ବେନୁଆ ୟା ଭିତରେ ଦେଢ଼ମାଣ ଜମି କରିସାରିଲାଣି।

           ବେନୁଆ ଜୀବନରେ ଏତେ ଉନ୍ନତି ଲାଗି ଭାଗ୍ୟ କେତେ ପରିମାଣରେ ଦାୟୀ ଏବଂ ନିଜର ପରିଶ୍ରମ ଓ ଅଧ୍ୟବସାୟ କି ପରିମାଣରେ ଦାୟୀ ତା’ ନେଇ ସନ୍ଥପୁରରେ ଛକଡି ସ୍ବାଇଁ ଓ ମଧୁରା ନନ୍ଦ ଏକମତ ନ ହେଲେ ବି, ବେନୁଆ ଯେ କାମିକା, ସଚ୍ଚୋଟ ଏ କଥା ସମସ୍ତେ ମାନନ୍ତି। ତା’ବୁଦ୍ଧିରେ କାହାରି କିଛି କହିବାର ନାହିଁ, ଜଗୁ ମଳିକ, ବିଶୋଇ ଧଳ, ଗୋପିଆହେରିକାଙ୍କ ତୁଣ୍ଡରୁ ଯାହା ଶୁଣା ଯାଏ , ତା’ର ଦୋଷ ମଧ୍ୟରେ ହେଉଛି, ଚୌଧୁରୀ ଘର ବୋଇଲେ ବେନୁଆକୁ ଆଉ କିଛି ଦିଶେ ନାହିଁ। ଚୌଧୁରୀ ଘରକୁ ନଉତିଏ ଉଣା ହୋଇଗଲା, ତାଙ୍କର କୋଉ ଭୋକରେ ଶୋଉଛନ୍ତି ଅବା। ଆମେ ଯେ ବିଲରେ ସାରା ଜୀବନ ଖଟୁଛୁ, ସିଏ ଏବେ କେଉଁଠି କଳେଇଟାଏ ଏ ପାଖ ସେ ପାଖ କରି ଦେଲେ, ବେନୁଆ କାହିଁକି ସେଥିରେ ନଜର ଦେବ ? ବେନୁଆ ତ ଆପଣା ଘରକୁ ନଉ ନାହିଁ ।

           ତାକୁ ଚୌଧୁରୀଙ୍କ କୁତା କହ, ଯାହା ପାର ତା’ ଗାଳି ଦିଅ, ସେ ସେତିକି ବିଶ୍ବାସରେ ଚଳାଚଳ ହଉଛି ବୋଲି ସିନା ଚୌଧୁରୀ ତା’ ହାତକୁ ଆମାର ଚାବି ବଢ଼େଇ ଦିଅନ୍ତି, ବଡ଼ ସିନ୍ଦୁକକୁ ଖୋଲି ଦରବ ଆଣିବାକୁ କହନ୍ତି; ସାଆନ୍ତ ପୁଅକୁ ହିସାବ ମାଗିବେ ପଛେ ବେନୁଆକୁ କେବେ ଥରେ ଭୁଲ୍‌ରେ ହେଲେ ବି ହିସାବ ମାଗନ୍ତି ନାହିଁ।

 

          ଚୌଧୁରୀ ଘର ବିଲ ବାଡ଼ିଠୁଁ, ଧାନ କରଜ କାରବାରଠୁ, ବନ୍ଧୁବେଭାର ଗଲାଆଇଲା ସବୁ ବେନୁଆ ଉପରେ କୋଉ କିଆରି ମାଟି ଉଠେଇବାକୁ ପଡ଼ିବ, କୋଉଠି ଘଳିଆ, ବନ୍ଧେଇବାକୁ ହବ, କାହା ଉପରେ କରଜ ଧାନ କେତେ ବାକି ରହିଲା ଇତ୍ୟାଦି ଯାବତ କାମ ବେନୁଆକୁ ଏକା ଏକା। ଚୌଧୁରୀଙ୍କ ହାକିମଟା ବଡ।




+ -

© Jataayu Charitable Trust
Site designed,developed & maintained by Tekons