ତୁମେ ବିଶ୍ବାସ କର ବା ନ କର, ପାଖଆଖ ଗାଁର ହିନ୍ଦୁମାନଙ୍କର ଦୃଢ଼ ଧାରଣା ଯେ , ସେ ଥୁଣ୍ଟା ଗଛରେ ଭୂତମୁଣ୍ଡୀ ବା ଠାକୁରାଣି ଅଛନ୍ତି ଓ ମୁସଲମାନମାନେ ବିଶ୍ବାସ କରନ୍ତି ଯେ, ସେଠି ଗୋଟିଏ ସଇତାନ ଆସ୍ଥାନ ଜମାଇଛି।
ଢ଼େଙ୍କୁଣୀ ଗାଁଠୁ କୋଡ଼ିଏ ପଚିଶ କଦମ ଛାଡ଼ି ରାସ୍ତା କଡ଼ରେ ଏହି ଥୁଣ୍ଟା ଗଛଟା ଅନେକକାଳରୁ ସେମିତି ଛିଡ଼ା ହେଇଛି ଛାଲଛଡ଼ା ମୋଟା ଗଣ୍ଡି ଉପରେ । ଦୁଇଟା ନଣ୍ଡା ଶାଖା ଦୁଇପଟକୁ ମେଲିଯାଇଛି। ଗଛର ଶଖା ଦୁଇଟାର ଉପରିଭାଗ ଓ ଗଣ୍ଡିର ଅଗ୍ରଭାଗ କେହି ମୁଣ୍ଡିଆ କରି କାଟି ନେଇଛି। ଦେଖିଲେ ଧାରଣା ହୁଏ, ସତେ ଯେମିତି ସେଇଟା କଂସେଇ ଦୋକାନରେ ଟଙ୍ଗା ହୋଇଥିବା ଛାଲିଉତୁରା ଗୋଟାଏ ବକରୀ, ଯାହାର ପଛ ଫଡ଼ିଆ ଦୁଇଟା ବିକ୍ରି ହୋଇଯାଇଛି। ସେ କି ଗଛ ଥିଲା ଠଉରେଇବା ମୁସ୍କିଲ୍ ହେଲେ ବି, ତା’ ଯେ ଖୁବ୍ ଚେମଡା କାଠ ଏଥିରେ ସନ୍ଦେହ ନହିଁ। ବେଛପରି ନିଆଁସି ଡ଼ିହରେ କୁଷ୍ଠରୋଗୀ ତା’ର ଗଣ୍ଠିଲି ମେଲିଲା ପରି ସେହି ଥୁଣ୍ଟା ଗଛର ଉପରିଭାଗରେ ଗୋଟିଏ ମଲାଙ୍ଗ ବରଗଛ ତା’ର ଗୋଚ୍ଛାଏ ସିଅ ଜଟେଇ ଦେଇ ଶୁଖିଲା ଗଣ୍ଡିରେ ଉପରିଭାଗକୁ ଆବୁରୁ ଜାବୁରୁ କରି ଜାବୁଡ଼ି ଧରିଛି। ଆଉ ବଂଚାଇ ରଖିଛି ଗୋଟିଏ ସରୁ ମୁରୁକୁଟିଆ ଶାଖାକୁ , ଥୁଣ୍ଟାର ଅଗ୍ରଭାଗରେ ମଲାଗଣ୍ଡି ଉପରେ ଛିଡ଼ା ହୋଇ ପାଞ୍ଚଣେ ଲମ୍ବ ଏହି ଶାଖା ତା’ର ସଜୀବତା ପ୍ରକଟ କରେ। ଅଗ ମୁଣ୍ଡରେ ନାଲିଆ ଟୋପି ଓ ଦେହରେ ମାତ୍ର ଦୁଇଟି ସବୁଜ ପତ୍ରର ଜାମା ପିନ୍ଧି, ସବୁଜ ପତ୍ର ଦୁଇଟି କିଛିଦିନ ପରେ ହଳଦିଆ ପଡ଼ିଯାଏ ଝଡ଼ିପଡ଼େ ଓ ତା’ର ସ୍ଥାନରେ ଦେଖାଦିଏ ଆଉ ଦୁଇଟି ସବୁଜ ପତ୍ର।ଶାଖାଟି ରୁଗ୍ଣ ଓ ତା’ର ସମ୍ବଳ ମାତ୍ର ଦୁଇଟି ପତ୍ର ହେଲେ ବି ଆତ୍ମ ପ୍ରତିଷ୍ଠା କରିବାରେ ତା’ର ଉଦ୍ୟମ ଚମକପ୍ରଦ। ପ୍ରତି ଦମକାଏ ପବନରେ ଶାଖାଟା ନାଚିକୁଦି ପତ୍ର ଦିଇଟାକୁ ହଲେଇ ହଲେଇ ଏପରି ଆବାଜ କରେ ଯେ ନ ଜାଣିଲା ଲୋକ ସେଥିରେ ଚମକି ପଡିବ । ମନେହେବ ସତେ ଯେପରି କେହି ଜଣେ ତାକୁ ଉପହାସ କରି ତାଳି ଉପରେ ତାଳି ମାରିଚାଲିଛି। ଥୁଣ୍ଟା ଗଛର ଏହି ମଲାଙ୍ଗର ଅଦ୍ଭୁତ ରୂପରେଖ ସହିତ ଅସତର୍କ ଲୋକଙ୍କୁ ଏପରି ଚମକାଇବା ଗୁଣରୁ ଗାଉଁଲି ଲୋକ ତହିଁରେ ଆଧିଭୌତିକ ଶକ୍ତିର ଆରୋପ କଲେ ବି ପତର ଜୀଆଁଇ ଅତର୍କିତ ଆବଜରେ ଛାନିଆ କରିବା ଛଡ଼ା ଆଉ କୌଣସି ବ୍ୟୁତ୍ପାତ ଘଟିବାର କେବେହେଲେ ଶୁଣାଯାଏ ନାହିଁ।
ମୁଣ୍ଡ ଉପରେ ସୁଗୁଡ଼ାଏ ସବୁଜିଆ ମୁକ୍ତାକେଶି ବାଇଗଣ ତଳି ଓ ମୁଣ୍ଡ ଭିତରେ ସବୁଜ ବିପ୍ଲବ ସ୍ବପ୍ନ ନେଇ ଗୋପରୀ ନଈ ପାର ହୋଇ ଭୂତମୁଣ୍ଡୀ କୁଦ ଉପରେ ବେଣାବୁଦା ମଝିରେ ସାପ ଭଳି ଯେଉଁ ସରୁ ବାଟଟି ଅଠର ବାଙ୍କ ହୋଇପଡ଼ିଛି ସେଥିରେ ମିର୍ଜା ଦେଢ଼ କୋଶ ଅତିକ୍ରମ କରିଯାଇଛି, ସେ ବିଷୟରେ ହୋସ ନ ଥା’ନ୍ତା ଯେବେ ଦମକାଏ ପବନ ଆସି ତା ମୁଣ୍ଡ ସୁଗୂଡ଼ାଟାକୁ ଚହଲାଇ ଦେଇ ନଥାନ୍ତା ଓ ଥୁଣ୍ଟା ଗଛର ସୈତାନ ଡାଙ୍ଗ ତାକୁ ବିଦ୍ରୂପ କଲାଭଳି ତାଳି ଉପରେ ତାଳି ମାରି ନ ଥାନ୍ତା ବରପତ୍ର ଦୁଇଟା ମିର୍ଜାକୁ ତା’ ଭାବନା ରାଜ୍ୟରୁ ଖସାଇ ଆଣିଲେ ତା’ର ନଅଙ୍କିଆ ଢ଼େଙ୍କୁଣୀ ଗାଁର ଦାରିଦ୍ର୍ୟ ପରିବେଶକୁ।
ପନ୍ଦରବର୍ଷ ପରେ ଅଚାନକ ଝଡ଼ି ପରେ ପରେ ଗୋବରୀ ନଈ ଯେବେ ଫୁଲି ଉଠି ଗାଁ ଗଣ୍ଡା ସବୁ ଜଳାର୍ଣ୍ଣବ କରିଦେଇଥିଲା, ତା’ପର ଠାରୁ ସେ ଗାଁ ଆଉ ଗାଁ ହୋଇ ନାହିଁ। ଅଧିକାଂଶ ଜମି ବାଲିଚର ହୋଇ ଯିବାରୁ ପେଟ ବିକଳରେ ସବୁ ଘରୁ ଜଣେ ଦି’ଜଣ ବିଦେଶ ଯାଇ ଯାହା ଦି’ ପଇସା ରୋଜଗାର କରନ୍ତି, ସେଥିରେ ଗାଁର ମାଇପେ ଛୁଆ ପିଲା ଦୁଃଖେକଷ୍ଟେ ଚଳନ୍ତି। ମିର୍ଜା ବି ସେମାନଙ୍କ ଭଳି ବିଦେଶରେ ବାରବର୍ଷ କଟେଇ ଦେଇଛି; କିନ୍ତୁ ଗତଥର ଯେବେ ଗାଁରୁ ପୁଣି ବିଦେଶ ସଫର ଲାଗି ତା’ର ଲୁଗାପଟା ବନ୍ଧାବନ୍ଧି କରୁଥିଲା, ସେଥିରେ ତାକୁ ତା’ର ବୁଢ଼ୀମା ’ ବାରଣ କରି ନଥିଲେ ବି ତା’ର ଚାହାଣୀରେ ସେ’ କଣ ଗୋଟାଏ ଅସ୍ବାଭାବିକ ଅନୁଭବ କଲା, ବନ୍ଧା ବିସ୍ତର ଫିଟେଇ ଦେଇ ସେ ମା କୁ କହିଲା-