ଶ୍ରୀ ବଜ୍ରନାଥ ରଥ
ଖୋର୍ଦ୍ଧା ସବ୍ଡ଼ିଭିଜନ ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ ଏକ ପ୍ରତିଷ୍ଠିତ ପରିବାରରେ ୧୯୧୯ ମସିହା ଜୁଲାଇ ୩ ତାରିଖରେ କବି ରଘୁନାଥ ଦାସଙ୍କର ଜନ୍ମ। ପିତା ନଟବର ଦାସ ଓ ମାଆ ପଦ୍ମାବତୀଙ୍କର ସେ ଥିଲେ କନିଷ୍ଠ ସନ୍ତାନ। ନଟବର ଦାସ ଯାଜପୁର ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ରଘୁନାଥଙ୍କ ବାଲ୍ୟକାଳ ଷଣ୍ଢପୁରରେ କଟିଥିଲା।।କିନ୍ତୁ ୫ ବର୍ଷ ବୟସରେ ରଘୁନାଥ, ମାଆ ପଦ୍ମାବତୀଙ୍କ ସହ ଯାଜପୁର ଯାତ୍ରା କରି ସେହିଠାରେ ହିଁ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ।
ପିତା ନଟବର ଅତ୍ୟନ୍ତ ଛାତ୍ରବତ୍ସଳ ଶିକ୍ଷକ ତଥା ସହୃଦୟ ଓ ସୁରୁଚିସମ୍ପନ୍ନ ବ୍ୟକ୍ତି ଥିଲେ।ତାଙ୍କର ଇଚ୍ଛା ଥିଲା ଯେ ରଘୁନାଥ ଜଣେ ଭଲ ପ୍ରାବନ୍ଧିକ ହୁଅନ୍ତୁ। ପିତାଙ୍କ ବ୍ୟକ୍ତିତ୍ବ ବାଳକ ରଘୁନାଥଙ୍କୁ ବହୁଭାବରେ ଅନୁପ୍ରାଣୀତ କରିଥିଲା।ରଘୁନାଥଙ୍କୁ ଯେତେବେଳେ ମାତ୍ର ନଅ ବର୍ଷ ବୟସ, ସେତେବେଳେ ତାଙ୍କର ମାଆ ପଦ୍ମାବତୀ ଇହଲୀଳା ସାଙ୍ଗ କଲେ। ବାଳୁତ ବୟସରୁ ମାତୃ ବିୟୋଗ ବାଳକ ରଘୁନାଥଙ୍କୁ ଅନ୍ତର୍ମୁଖୀ କରିଥିଲା। ତାଙ୍କର ଡାଏରୀରୁ ଜଣାଯାଏ ଯେ ସେ ପ୍ରାୟ଼ ବୟସରୁ କବିତା ଲେଖା ପ୍ରୟାସ କରିଥିଲେ।ପ୍ରକୃତିର ଅପରୂପ ବିଭବ ତାଙ୍କୁ ମୁଗ୍ଧ ଓ ଚକିତ କରିଥିଲା।ଲାଜକୁଳା ସ୍ବଭାବର ହୋଇଥିବାରୁ ସେ ପ୍ରଥମେ ଲୁଚାଇ ଲୁଚାଇ କବିତା ଲେଖୁଥିଲେ। ଏହି ସମୟରେ ତାଙ୍କର ଗୋଟିଏ କବିତା ତାଙ୍କ ଶିକ୍ଷକ ବେଦୀ ମହାଶୟଙ୍କ ନଜରରେ ପଡିଥିଲା। କବିତାର ଶୀର୍ଷକ ଥିଲା ‘ଲାଜକୁଳି ଲତା’। ବେଦୀ ମହାଶୟ ନିଜେ ଥିଲେ ଜଣେ କବି।ତେଣୁ ସେ କିଶୋର ରଘୁନାଥଙ୍କୁ ଏ ଦିଗରେ ଖୁବ୍ ଉତ୍ସାହିତ କରିବାକୁ ଲାଗିଲେ। ପିତାଙ୍କ ପ୍ରେରଣା ଓ ଶିକ୍ଷକଙ୍କ ପ୍ରୋତ୍ସାହନ ପାଇ ରଘୁନାଥଙ୍କ ମଧ୍ୟରେ ସାହିତ୍ୟାନୁରାଗ ପ୍ରସ୍ଫୁଟିତ ହେବାକୁ ଲାକିଲା। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ପ୍ରବନ୍ଧ ଲେଖାରେ ସବୁବେଳେ ସ୍କୁଲରେ ଶ୍ରେଷ୍ଠସ୍ଥାନ ଅଧିକାର କରି ଆସୁଥିଲେ ।
ସେହି ସମୟରେ ଗାନ୍ଧିଜୀଙ୍କ ନେତୃତ୍ବରେ ସମଗ୍ର ଦେଶରେ ସ୍ବାଧୀନତା ସଂଗ୍ରାକର ସ୍ରୋତ ଛୁଟିଥାଏ। ୧୯୩୦ ମସିହାରେ ଲବଣ ଆନ୍ଦୋଳନର ଡାକ କିଶୋର ରଘୁନାଥଙ୍କ ମନକୁ ଉଦ୍ବେଳିତ କରିଥିଲା। ସମସ୍ତଙ୍କ ଅଜାଣତରେ ଏଗାର ବର୍ଷ ବୟସରେ ରଘୁନାଥ କଟକ ଚାଲିଆସି ବାନର ସେନା ଭାବରେ ଆନ୍ଦୋଳନରେ ଯୋଗ ଦେଲେ ଓ ଜେଲ୍ ବରଣ କଲେ। ପିତା ନଟବର ରଘୁନାଥଙ୍କୁ ଖୋଜି ଖୋଜି ଆସି ଜେଲ୍ରୁ ତାଙ୍କୁ ମୁକୁଳେଇଥିଲେ।
ତା’ର ଠିକ୍ ତିନିବର୍ଷ ପରେ ୧୯୩୩ ମସିହାରେ ପିତା ନଟବର ଦାସଙ୍କର ଦେହାନ୍ତ ହେଲା। ପିତୃମାତୃ ହୀନ ବାଳକ ରଘୁନାଥ ନିଜର ବଡ ଭାଇ ବାଞ୍ଛାନିଧି ଦାସଙ୍କ ତତ୍ତ୍ବ ବଧାନରେ ଯାଜପୁର ହାଇସ୍ମୁଲରେ ପଢ଼ିବାକୁ ଲାଗିଲେ। ବାଞ୍ଛାନିଧି ବାବୁ ମଧ୍ୟ ଯାଜପୁର ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ମେଧାବୀ ଛାତ୍ର ଥିଲେ ମଧ୍ୟ ରଘୁନାଥ ଘରେ ଭାଇଭାଉଜଙ୍କ ସ୍ନେହଶ୍ରଦ୍ଧା ପାଇପାରି ନ ଥିଲେ ଏବଂ ଏକପ୍ରକାରର ଆଶ୍ରିତ ଭାବରେ ବାଞ୍ଛାନିଧି ବାବୁଙ୍କ ଘରେ ରହୁଥିଲେ। ୧୯୩୬ ମସିହାରେ ରଘୁନାଥ ଯାଜପୁର ହାଇସ୍କୁଲରୁ ଦ୍ବିତୀୟ ଶ୍ରେଣୀରେ କ୍ବତିତ୍ବର ସହ ମାଟ୍ରିକ୍ ପାସ୍ କଲେ।ବାଞ୍ଛାନିଧି ବାବୁ ଚାହୁଁଥିଲେ ଯେ ମାଟ୍ରିକ୍ ପାସ୍ କରି ରଘୁନାଥ ଯାଜପୁରରେ ଶିକ୍ଷକତା କରନ୍ତୁ। କିନ୍ତୁ ରଘୁନାଥଙ୍କ ଅଭିଳାଷ ଯେ ସେ ଉଚ୍ଚଶିକ୍ଷା ଲାଭ କରିବେ। ବଡ ଭାଇଙ୍କ ଇଚ୍ଛା ବିରୁଦ୍ଧରେ ୧୯୩୬ ରେ ରଘୁନାଥ ଆଇ. ପଢ଼ିବା ଲାଗି ରେଭେନ୍ସା କଲେଜକୁ ଆସିଲେ। ଇଣ୍ଟରମିଡିଏଟ୍ ପାସ୍ କରିବା ପରେ ପରେ ବଡ଼ଭାଇ ସବୁ ପ୍ରକାର ଆର୍ଥିକ ସାହାଯ୍ୟ ବନ୍ଦ କରିଦେଲେ। ତାଙ୍କୁ ଚାକିରି କରିବାକୁ ଏକ ପ୍ରକାର ବାଧ୍ୟ କଲେ। ବଡ଼ଭାଇଙ୍କ ଏ ପ୍ରକାର ଉଦାସିନତା ଓ ଅନାଗ୍ରହ ରଘୁନାଥଙ୍କୁ ଲକ୍ଷ୍ୟଚୁତ କରିପାରିଲା ନାହିଁ ବରଂ ସେ ସବୁ ପ୍ରକାରର କଷ୍ଟ ସ୍ବୀକାର କରି ଉଚ୍ଚଶିକ୍ଷା ଲାଭ କରିବାକୁ ଦୃଢ଼ ନିଶ୍ଚୟ ହେଲେ। ଦୁଇ ଓଳି ଟ୍ୟୁସନ୍ କରି ସେ ଗଣିତ ଓ ସଂସ୍କୃତ ବିଷୟ ସହ ଇଂରାଜୀ ଅନର୍ସରେ ବି.ଏ ପଢ଼ିବାକୁ ଲାଗିଲେ।ସେହି ସମୟରେ ‘ ମେଧାବୃତ୍ତି’ ତାଙ୍କର ଆର୍ଥିକ ସଙ୍କଟ କିଞ୍ଚିତ ପରିମାଣରେ ଲାଘବ କରିଥିଲା।
ସମସ୍ତ ପାରିବାରିକ ନିଃସଙ୍ଗତା ତଥା ଆର୍ଥିକ ଅନାଟନ ସତ୍ତ୍ବେ ରଘୁନାଥଙ୍କ ମଧ୍ୟରେ ସୃଜନଶୀଳତାର ଓଜସ୍ବିନୀ ଧାରା ଅବିରତ ବହିଚାଲିଥିଲା।୧୯୩୮ ରେ ରେଭେନ୍ସା କଲେଜରେ ପୁର୍ବ ଛାତ୍ରାବାସର ସାହିତ୍ୟ ପତ୍ରିକାରେ ତାଙ୍କର କବିତା ପତ୍ରସ୍ଥ ହୋଇଥିଲା।‘ନବଯୁଗ ସାହିତ୍ୟ ସଂସଦ’ ତାଙ୍କର ସାହିତ୍ୟିକ ଜୀବନର ପୂର୍ବ ଭାସ। ଏହାଛଡ଼ା କଲେଜ ସାଂସ୍ମୃତିକ ଉତ୍ସବମାନଙ୍କରେ ସେ ଆବୃତ୍ତି, ଅଭିନୟ ଆଦି କରୁଥିଲେ। ୧୯୪୧ ମସିହାରେ ଦୁର୍ଭିକ୍ଷପ୍ରପୀଡିତ ଲୋକଙ୍କ ସାହାଯ୍ୟ ପାଇଁ କଟକ ନାରୀସଂଘ ସଦନଠାରେ ଆୟୋଜିତ ଭେରାଇଟି ଶୋରେ ସେ ସ୍ବରଚିତ କବିତା ‘ ଖାଇବାକୁ ଦିଅ ଭାତ’ ଅଭିନୟ ସହ ଆବୃତ୍ତି କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେତେବେଳେ ଭାରତର ପ୍ରଖ୍ୟାତ କବି, ଅଭିନେୟ ତଥା ସରୋଜିନୀ ନାଇଡୁଙ୍କ ଭ୍ରାତା ହାରିନ୍ଦ୍ରନାଥ ଚଟ୍ଟୋପାଧ୍ୟୟ ରଘୁନାଥଙ୍କୁ ମେକ୍ଅପ୍ କରାଇଥିଲେ।
ଛାତ୍ରାବାସରେ ସେ ପାଠପଢ଼ାରେ ଯେପରି ଅଗ୍ରଣୀ ଥିଲେ, ସାଙ୍ଗସାଥୀ ଓ ଅନ୍ୟ ଅନ୍ତେବାସୀମାନଙ୍କ ସହ ହାସ ପରିହାସରେ ସେହିଭଳି ପ୍ରବୀଣ ଥିଲେ। ଗାଁରୁ ଆସି କଟକ ରେଭେନ୍ସା କଲେଜ ହଷ୍ଟେଲେରେ ନୂଆ ନୂଆ ପହଞ୍ଚିବା ଛାତ୍ରଟି ଟିକିଏ ଆଧୁନିକ ହେବା ଆଶାରେ ଉପର କ୍ଲାସରେ ରଘୁନାଥଙ୍କୁ ପଚାରିଲା ‘ଆଜ୍ଞା, ମୋଜା କେଉଁଠାରେ ମିଳିବ? ରଘୁନାଥ ଅତ୍ୟନ୍ତ ଗମ୍ଭୀର ସ୍ବରରେ ଉତ୍ତର ଦେଲେ ‘ଡ଼ାକଘରେ’।
ତରୁଣ ବ଼ୟସରେ ନୂଆ ନୂଆ ଦାଢ଼ି ଉଠୁଥିବା ସୋମନାଥଙ୍କ ଦାଢ଼ି ଦେଖି ସହପାଠୀମାନେ ପରିହାସ କରି କହୁଥାନ୍ତି, ‘ଛେଳିଦାଢ଼ି’। ଏହା ଶୁଣି ସୋମନାଥ ଚିଡ଼ନ୍ତି, ସୋମନାଥ ଯେତେ ଚିଡ଼ନ୍ତି ପିଲାମାନ ସେତେ ଚିଡ଼ାନ୍ତି। ସୋମନାଥଙ୍କୁ ପିଲାଏ ତେଣିକି ‘ ସୋମଛେଳି’ କହିଲେ, ଖାଲି ଛେଳି କହିଲେ ବି ସୋମନାଥ ଚିଡ଼ନ୍ତି। ଏଭଳି ଚିଡ଼େଇବାର ସୂତ୍ର ଥିଲେ ରଘୁନାଥ। ଦିନେ ବ୍ୟତିବ୍ୟସ୍ତ ହୋଇ ସୋମନାଥଙ୍କ ସହ ସନ୍ଧି କରିବାରେ ନିଷ୍ପତ୍ତି ନେଲେ।ମଧ୍ୟସ୍ଥ ହେଲେ ବୃନ୍ଦାବନ ଆଚାର୍ଯ୍ୟ, ମୃତ୍ୟୁଞ୍ଜୟ ପଣ୍ଡା ଅନ୍ୟ କେତେ ଜଣ ସାଥୀ। ସର୍ତ୍ତ ହେଲା ସୋମନାଥ ସମସ୍ତଙ୍କୁ ରସଗୋଲା ଖୁଆଇବେ ଏବଂ ରଘୁନାଥ କଥା ଦେଲେ ଯେ ସେ ଛେଳି ନାମ ଉଚ୍ଚାରଣ କରିବେ ନାହିଁ। ସର୍ତ୍ତମୁତାବକ ରସଗୋଲା ଖାଇସାରି ହଷ୍ଟେଲକୁ ଫେରିଲା ବେଳକୁ କାନ୍ଥ ଉପରେ ଛେଳିଟାଏ ଚଢ଼ିଛି। ରଘୁନାଥ କହିଲେ ‘ ମୁଁ କଥା ଦେଇଛି ଛେଳି ନାମ ଉଚ୍ଚାରଣ କରିବି ନାହିଁ, ଏଇଟା ଗୋଟାଏ ବାଘ।’ ପିଲାମାନେ ହସି ହସି ବେଦମ୍। କିନ୍ତୁ ସୋମନାଥ ପୁଣି ଚିଡ଼ିଗଲେ। ବହୁବର୍ଷ ପରେ ରଘୁନାଥ ଓ ସୋମନାଥ ଉଭୟ ଓକିଲ ହେଲେ। ଗୋଟିଏ, କେଶ୍ରେ ସାମନାସାମିନି ଲଢ଼ୁଥାନ୍ତି।କେସ୍ଟି ସୋମନାଥଙ୍କ ସପକ୍ଷରେ ଯିବା କଥା ।କିନ୍ତୁ ରଘୁନାଥ ସୋମନାଥଙ୍କ ଛେଳି ବିଷୟକ ଦୁର୍ବଳତା ଜାଣି ସାକ୍ଷୀକୁ କହିଥାନ୍ତି ଯେ ‘ କୁଆଡ଼େ ଯାଇଥିଲୁ ’ ବୋଲି ମୁଁ ପଚାରିଲେ କହିବୁ ‘ ଆଜ୍ଞା ଗରିବ ଲୋକ, ଛେଳି ଚରାଇବାକୁ ଯାଇଥିଲି।’ କୋର୍ଟରେ ସୋମନାଥ ଜେରା କଲାବେଳେ ସାକ୍ଷୀ ସେହିଭଳି କହିବାରୁ ସୋମନାଥ ଚିଡ଼ିଯାଇ ତାକୁ ଗାଳି ଦେବାକୁ ଲାଗିଲେ। ବିଚାରପତି ମଧ୍ୟ ଓକିଲଙ୍କ ହଠାତ୍ ଏଭଳି କାରଣ ଜାଣି ପାରୁନଥାନ୍ତି।କିନ୍ତି ସୋମନାଥ ଏତେ ରାଗି ଗଲେ ଯେ ଠିକ୍ ଭାବରେ ଯୁକ୍ତି କରିପାଲେ ନାହିଁ ଏବଂ ନିଶ୍ଚିତ ଭାବେ ଜିତିବା କେସ୍ ହାରିଗଲେ।
ବି.ଏ. ପଢ଼ୁଥିବା ସମୟରେ ଟିଉସନ୍ ଓ ଆନ୍ଦୋଳନ ଆଦି କାର୍ଯ୍ୟରେ ଭାଗ ନେଉଥିବା କାରଣରୁ ରଘୁନାଥ ବେଳେ ବେଳେ ଠିକ୍ ଭାବରେ କ୍ଲାସ କରି ପାରୁନଥିଲେ। ଥରେ ପରୀକ୍ଷା ହଲ୍ରେ ପ୍ରଶ୍ନପତ୍ର ପାଇବା ପରେ ସେ ଜାଣିପାରିଲେ ଯେ ପରୀକ୍ଷାରେ ପଡିଥିବା ‘ବାଇରନ୍ ଜଣେ ଦୁର୍ବୋଧ୍ୟ କବି’-ବିଷୟରେ କ୍ଲାସରେ ନୋଟ୍ ଡ଼କା ଯାଇଥିଲା ଏବଂ ପିଲାମାନେ ସେହି ନୋଟ୍ ମୁଖସ୍ଥ କରି ପ୍ରସ୍ତୁତ ହୋଇଆସିଥିଲେ।ତେଣୁ ପ୍ରତ୍ୟୁତ୍ପନ୍ନମତି ରଘୁନାଥ ‘ବାଇରଣ ଦୁର୍ବୋଧ୍ୟ କବି ନୁହନ୍ତି’-ଏଭଳି ଯୁକ୍ତି ବାଢ଼ି ଉତ୍ତର ଲେଖିଲେ। କହିବା ବାହୁଲ୍ୟ ଯେ ତାଙ୍କର ଉତ୍ତର ଅନନ୍ୟ ଥିଲା ଏବଂ ମୌଳିକ ଦୃଷ୍ଟିଭଙ୍ଗୀ ଯୋଗୁଁ ସେ ଶିକ୍ଷକ ପ୍ରଶଂସାର ପାତ୍ର ହେବା ସଙ୍ଗେ ସଙ୍ଗେ ସର୍ବୋଚ୍ଚ ନମ୍ବର ପାଇଥିଲେ।
ଜଣେ ମେଧାବୀ, ପ୍ରତ୍ୟୁତ୍ପନ୍ନମତି ଛାତ୍ର ଭାବରେ ରଘୁନାଥ ତାଙ୍କର ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, କାଶୀନାଥ ମିଶ୍ର ଇତ୍ୟାଦିଙ୍କର ବିଶେଷ ସ୍ନେହ ଲାଭ କରି ପାରିଥିଲେ। ଏମ୍.ଏ. ପଢ଼ୁଥିବା ସମୟରେ ନିଜର ଦକ୍ଷତା ଓ ବୁଦ୍ଧିମତ୍ତା ଯୋଗୁଁ ସେ ତତ୍କାଳୀନ ଖ୍ୟାତନାମା ଇଂରାଜୀ ପ୍ରଫେସର ସୁନ୍ଦରମ୍, ଭି.ଭି.ଜନ ପ୍ରଭୃତିଙ୍କ ବିଶେଷ ପ୍ରୀତିଭାଜନ ହୋଇପାରିଥିଲେ। ରଘୁନାଥ ଉଭୟ ଇଂରାଜୀ ଓ ଓଡିଆରେ ସମାନ ଭାବରେ ଦକ୍ଷତାର ସହ ଲେଖା ଲେଖି କରିପାରିଲେ।
୧୯୪୦ ମସିହା ବେଳକୁ ସାରା ଭାରତରେ ସ୍ବାଧୀନତା ସଂଗ୍ରାମ ଜୋର୍ସୋର୍ରେ ଚାଲିଥାଏ। ସେହି ସମୟରେ କଟକ ମେଡ଼ିକାଲ କଲେଜରେ ଇଂରେଜ ପ୍ରିନ୍ସପାଲଙ୍କର ଛାତ୍ରମାନଙ୍କ ପ୍ରତି ଦୁର୍ବ୍ୟବହାରରେ କ୍ରୂଦ୍ଧ ଛାତ୍ରମାନେ ୟୁନିଅନ୍ ଜ୍ୟାକ୍ ଚିରି ଦେଲେ। ରାଜଦ୍ରୋହ ଅପରାଧରେ ଛାତ୍ରମାନଙ୍କ ପ୍ରତି ନିର୍ମମ ଅତ୍ୟାଚାରର ଆରମ୍ଭ ହେଲା। ଏହି ଅତ୍ୟାଚାରର ପ୍ରତିବାଦରେ ସମଗ୍ର ଓଡ଼ିଶାରେ ବିଶ୍ବ ବିଦ୍ୟାଳୟ ପରୀକ୍ଷା ବର୍ଜନ ଡ଼ାକରା ଦିଆଗଲା। ଏଥିରେ ଅଗ୍ରଣୀ ଭୂମିକା ନେବାକୁ ରଘୁନାଥ ଆଗେଇ ଆସିଲେ। ଆନ୍ଦୋଳନ ଅବଶ୍ୟ ବିଫଳ ହେଲା। କିନ୍ତୁ ଏଥିରେ ନେତୃତ୍ବ ନେଇଥିବା ଅପରାଧରେ ରେଭେନ୍ସା କଲେଜର ତତ୍କାଳୀନ ପ୍ରିନ୍ସିପାଲଙ୍କ ଡ଼. ପ୍ରାଣକୃଷ୍ଣ ପରିଜା ତାଙ୍କୁ ବ୍ଲାକ୍ ସାର୍ଟିଫିକେଟ ଦେଇଥିଲେ, ଯାହାଫଳରେ କୃତୀ ଛାତ୍ର ରଘୁନାଥ ପାଇଁ ସରକାର ଚାକିରିର ସବୁଦିନ ପାଇଁ ରୁଦ୍ଧ ହୋଇଥିଲା। ଡ଼ିଷ୍ଟିଂସନ୍ ସହ ଇଂରାଜୀ ଅନର୍ସରେ ବି.ଏ. ପାସ୍ କଲା ପରେ ଇଂରେଜୀରେ ଏମ.ଏ ଶ୍ରେଣୀରେ ଅଧ୍ୟୟନ କରିବା ସମୟରେ ପ୍ରିନ୍ସିପାଲଙ୍କ ଏହି ପ୍ରମାଣପତ୍ର ତାଙ୍କ ଜୀବନରେ ଗତିପଥ ବଦଳାଇ ଦେଇଥିଲା। ସେ ବାଧ୍ୟ ହୋଇ ଏମ.ଏ ପଢ଼ା ଛାଡ଼ି ଓକିଲାତି ପଢ଼ିବାକୁ ଗଲେ।
ଓକିଲାତି ପାସ୍ କଲା ପରେ ହାଇକୋର୍ଟରେ ଓକିଲାତି ଲାଇସେନ୍ସ କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା।ତେଣୁ ଅର୍ଥ ଉପାର୍ଜନ କରିବାକୁ ତାଙ୍କୁ କିଛି ମାସ ପ୍ୟରିମୋହନ ଏକାଡ଼େମୀ ଓ ତା’ ପରେ ପରେ ବାମଣ୍ଡା ହାଇସ୍କୁଲରେ ଶିକ୍ଷକତା କରିବାକୁ ପଡିଥିଲା।
୧୯୪୫ ମସିହାରେ ସେ ଶିକ୍ଷକତା ଛାଡ଼ି କଟକରେ ଓକିଲାତି ଆରମ୍ଭ କଲେ। ପ୍ରଥମେ ଖ୍ୟତନାମା ଆଡ଼ଭୋକେଟ୍ ଚିନ୍ତାମଣି ଆଚାର୍ଯ୍ୟ ଓ ପରେ ଲଳିତ କୁମାର ଦାସଗୁପ୍ତଙ୍କ ସିରସ୍ତାରେ ସେ ଜୁନିଅର ଭାବରେ ଯୋଗ ଦେଲେ।
୧୯୩୯ ରୁ ୧୯୫୩ ମସିହା ମଧ୍ୟରେ ଓଡ଼ିଶାରୁ ବାହାରୁଥିବା ସମସ୍ତ ମୁଖ୍ୟ ପତ୍ରପତ୍ରିକାରେ ରଘୁନାଥଙ୍କ ଲେଖା ପ୍ରକାଶିତ ହୋଇଥିଲା। ତନ୍ମମଧ୍ୟରୁ ଚତୁରଙ୍କ, ଶଙ୍ଖ, ଦିଗନ୍ତ, ସହକାର, ନବଭାରତ, ସଂକେତ, ଝଙ୍କାର, ପ୍ରଭୃତିର ନାମ ଉଲ୍ଲେଖଯୋଗ୍ୟ। ସ୍ବନାମ ବ୍ୟତୀତ ବାଇମନ, ଶୁକଦେବ ଶର୍ମା, ରାଜକିଶୋର, ରବିନ୍ଦ୍ରନାଥ ଦାସ ପ୍ରଭୃତି ଛଦ୍ମନାମରେ ତାଙ୍କର ବହୁ କବିତା ପ୍ରବନ୍ଧ ପ୍ରକାଶିତ ଏବଂ ଅନେକ କବିତା ଏଯାବତ୍ ଅସଂକଳିତ।୧୯୫୦ ରେ ତାଙ୍କର ପ୍ରକାଣିତ ଦୀର୍ଘ –କବିତା ପୁସ୍ତିକା ‘ଅଗଷ୍ଟ ପନ୍ଦର’ କବି ରଘୁନାଥଙ୍କ ଚରମ ସାଫଲ୍ୟର କବିତା। ଏହାଛଡ଼ା ସ୍ବାହା, ମାରୀଚି, ଯାତ୍ରପଥେ, ସ୍ବରାଜ, ସଂଗମ, ଗଛ ତୁ କାହିଁକି ମଲୁ ଓ ସବୁଜ ବିପ୍ଲବ ଆଦି କେତୋଟି ଗଳ୍ପ ତାଙ୍କ କଥା ପ୍ରତିଭାର ନିଦର୍ଶନ। ୧୯୪୮ ରେ ତାଙ୍କ ରଚିତ କବିତା ନାଟକ ‘ଝଡ଼’ କଲିକତା କେନ୍ଦ୍ରରୁ ପ୍ରସାରିତ ହୋଇଥିଲା। ଅନ୍ୟ ଏକ ପ୍ରକାଶିତ ନାଟକ ହେଉଛି ‘ଜଉଘର’ ।ଏହା ବ୍ୟତୀତ ତାଙ୍କ ପ୍ରକାଶିତ ପୁସ୍ତକଗୁଡିକ ହଲା- ରାଜନୀତି ଆଉ ଆମେ (୧୯୪୮) ସଭ୍ୟତାର ଆଗେ (୧୯୫୩), ସୋଭିଏଟ୍ ଋଷିଆର ଶାସନ ବିଧି, ଋଷିଆର ରୂପକଥା, ପ୍ରେମର ନିକଷ(୧୯୪୮), ଅଜବ୍ ଦେଶରେ ଏଲିସ୍ (୧୯୪୯), ଫାଶି ଆସାମୀର ଚୋରାଚିଠି (୧୯୫୨)।
ଛାତ୍ର ଜୀବନରୁ ରଘୁନାଥ ମାର୍କସ୍ବାଦୀ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ୧୯୫୩ ମସିହା ପର୍ଯ୍ୟନ୍ତ ଭାରତରେ କମ୍ୟୁନିଷ୍ଟି ପାର୍ଟିର ଜଣେ ସକ୍ରିୟ ସଭ୍ୟ ଥିଲେ।
ବୈଚାରିକ କ୍ଷେତ୍ରରେ ସେ ଯେପରି ଆଦର୍ଶବାନ୍ ଥିଲେ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେହିପରି ନିଷ୍ଠାପର ଓ ସରଳ ଥିଲେ। ବଡ଼ଭାଇ ପାଞ୍ଛାନିଧିଙ୍କ ନିରନ୍ତର ନିରାଦର ଓ ଉଦାସୀନତା ରଘୁନାଥଙ୍କୁ ବ୍ୟଥିତ କରୁଥିଲେ ମଧ୍ୟ ବଡ଼ଭାଇଙ୍କ ପ୍ରତି ସମ୍ମାନ ଅତୁଟ ଥିଲା।ପୁରୁଷାର୍ଥରେ ବିଶ୍ବସୀ ରଘୁନାଥ ଭ୍ରାତୃ ବିବାଦ ଏଡ଼ାଇବା ପାଇଁ ପୈତୃକ ସମ୍ପତ୍ତିରେ କୌଣସି ଅଧିକାର ଦାବୀ କରିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇ ଥିଲେ। ଏହା ପରେ ସେ ନିଜର ପୈତୃକ ଗ୍ରାମ ଷଣ୍ଢପୁର କୁ ଆଉ କେବେ ଯାଇନଥିଲେ। ୧୯୫୩ ମସିହା ମେ ମାସରେ ୨୦ ତାରିଖରେ ରଘୁନାଥ କଟକରେ. ଚାନ୍ଦିନୀଚୈକ ନିବାସୀ ପଦସ୍ଥ ସରକାରୀ କାର୍ଯ୍ୟଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ଜ୍ୟୋଷ୍ଠା କନ୍ୟା ଅଧ୍ୟାପିକା ମନୋରମାଙ୍କୁ ବିବାହ କଲେ। ବରକନ୍ୟାଙ୍କ ବିବାହ ନିରାଡ଼ମ୍ବର ଭାବରେ ବିନା ଯୌତୁକରେ ସମାହିତ ହୋଇଥିଲା। ମନୋରମାଙ୍କ ବାଲ୍ୟକାଳ ଓ ବିଦ୍ୟାରମ୍ଭ ପାଟନାଠାରେ ହୋଇଥିଲା। ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠିତ ହେବା ପରେ ୧୯୩୬ ମସିହାରେ ତାଙ୍କର ପିତା ବିଷ୍ଣୁଚରଣ ଓଡ଼ିଶା ସେକ୍ରେଟେରିଏଟ୍ରେ ଚାକିରି ପାଇ କଟକ ଆସିଥିଲେ। ସେତେବେଳେ ଓଡ଼ିଶାରେ ନାରୀଶିକ୍ଷାର ଉଷାକାଳ। ରକ୍ଷଣଶୀଳତାର ଅର୍ଗଳୀ ଡ଼େଇଁ ହିନ୍ଦୁ ପରିବାରର ଝିଅମାନେ ଉଚ୍ଚଶିକ୍ଷା ପାଇବା ଅତ୍ୟନ୍ତ ବିରଳ ଥିଲା। ବହୁ ବିପରୀତ ପରିସ୍ଥିତିରେ ଲକ୍ଷ୍ୟଚ୍ୟୁତ ନ ହୋଇ କୃତିଛାତ୍ରୀ ମନୋରମା ପାଟନା ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ.ଏ ପାସ୍ କରି ୧୯୪୮ ମସିହା ରେଭେନ୍ସା କଲେଜରେ ଅଧ୍ୟାପିକା ଜୀବନ ଆରମ୍ଭ କରିଥିଲେ। ବିବାହ ପରେ ଯଦିଚ ମନୋରମା ଚାକିରି ଛାଡ଼ି ଦେଇଥିଲେ ତଥାପି ପାଞ୍ଚ ବର୍ଷ ପରେ କନ୍ୟାର ଅକାଳ ମୃତ୍ୟୁ ଜନିତ ଦୁଃଖକୁ ଭୁଲିବାକୁ ପୁଣି ଅଧ୍ୟାପନା କ୍ଷେତ୍ରକୁ ଫେରିଥିଲେ।
ମନୋରମାଙ୍କ ସହ ରଘୁନାଥଙ୍କ ବିବାହ ମଣିକାଞ୍ଚନ ସଂଯୋଗ ଥିଲା। ଉଭୟେ ଶିକ୍ଷିତ, ସ୍ବାଭିମାନୀ ଓ ଆଦର୍ଶନିଷ୍ଠ ଥିଲେ। ଯୁଗ୍ମ ଜୀବନରେ ଦୁହେଁ ପରସ୍ପର ପରିପୂରକ ଥିଲେ। ବିବାହ ପରେ ରଘୁନାଥଙ୍କ ସାହିତ୍ୟ ସାଧାନା ସ୍ତବ୍ଧ ହୋଇଯାଇଥିଲେ ଏବଂ ସେ ପରିପୂର୍ଣ୍ଣ ଭାବରେ ଗୃହସ୍ଥ ଜୀବନ ଯାପନ କରିଥିଲେ। ମନୋରମା ସୁଗୃହୀଣୀ ଥିଲେ ଏବଂ ପରିବାରର ଯାବତୀୟ କଥା ବୁଝୁଥିଲେ। ସ୍ନେହୀ ସ୍ବାମୀ ଓ ଆଦର୍ଶ ପିତା ଭାବରେ ରଘୁନାଥଙ୍କ ବ୍ୟକ୍ତିତ୍ବ ତାଙ୍କ ପାରିବାରିକ ଜୀବନରେ ସରସତା ଭରି ଦେଇଥିଲା। ଓକିଲ ଭାବରେ ସେ ବହୁ କାର୍ଯ୍ୟ ବ୍ୟସ୍ତ ରହୁଥିଲେ ମଧ୍ୟ ଅବସର ସମୟ ସେ ତାଙ୍କ ପିଲାମାନଙ୍କ ମେଳରେ କଟାଇବାକୁ ଭଲ ପାଉଥିଲେ।ସନ୍ତାନମାନଙ୍କ ପାଇଁ ସେ ଥିଲେ ବନ୍ଧୁ, ଶିକ୍ଷକ ଓ ଆଦର୍ଶ । ଜୀବନରେ ଯାହା କିଛି ଉତ୍ତମ , ସୁନ୍ଦର ଓ ମଙ୍ଗଳମୟ, ସବୁକିଛି ସେ ପ୍ରାଣ ଭରି ଉପଭୋଗ କରିବାକୁ ଚାହିଁଥିଲେ।
ଥରେ କୋଣାର୍କରେ ଶିଳ୍ପକଳା ଦେଖୁ ଦେଖୁ ଭାବାତିଶଯ୍ୟରେ ରଘୁନାଥ କହିଥିଲେ‘ବାରଶହ ଶିଳ୍ପୀ ବାରବର୍ଷ ଲାଗି ଯେଉଁ କୋଣାର୍କକୁ ଗଢ଼ିଛନ୍ତି ତାକୁ ଦେଖିବାକୁ ମୋତେ ବାରବର୍ଷ ଲାଗିଯିବ।’ ପିଲାମାନଙ୍କ ମଧ୍ୟରେ ଦେଶ ପାଇଁ ଗୌରବବୋଧ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ସେ ଏକାଧିକବାର ସପରିବାର ଭାରତର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଏ ଦେଶ, ତା’ର ଧର୍ମ, ଦର୍ଶନ, ପରମ୍ପରା ଉପରେ ତାଙ୍କର ଅତୁଟ ବିଶ୍ବାସ ଥିଲା। ସେ ପ୍ରଗତିଶୀଳ ବିଚାରସମ୍ପନ୍ନ ହୋଇଥିବାରୁ ବାହ୍ୟାଡ଼ମ୍ବରରେ ବିଶ୍ବାସ ନ କଲେ ମଧ୍ୟ ଭାରତୀୟ ପରମ୍ପରା ଓ ରାଜନୀତିକୁ କହି ଫିଙ୍ଗି ନ ଦେଇ ସେଥିରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ସନ୍ଧାନ କରୁଥିଲେ। ବୃତ୍ତିରେ ରଘୁନାଥ ଥିଲେ ଓକିଲ, କିନ୍ତୁ ମୋଟା ମୋଟା ଆଇନ୍ ବହି ଓ ମକଦ୍ଦମାର ଫାଇଲ୍ ଗଦା ଭିତରେ ବି ତାଙ୍କ ଟେବୁଲର ଗୋଟିଏ କୋଣରେ ସବୁବେଳେ ରହୁଥିଲା-ଶ୍ରୀମଦ୍ ଭଗବତ୍ ଗୀତା, ଶ୍ରୀମଦ୍ ଭାଗବତ ଓ ଅଚ୍ୟୁତାନନ୍ଦଙ୍କ ଶୂନ୍ୟସଂହିତା। ସମୟ ପାଇଲେ ସେ ଏଗୁଡ଼ାକ ତନ୍ନ ତନ୍ନ କରି ପଢ଼ୁଥିଲେ।
ଓକିଲାତି ଜୀବନରେ ସେ ଉଭୟ ଦେୱାନୀ ଓ ପୌଜଦାରୀ ମାମଲାଗୁଡ଼କୁ ସୁଚାରୁ ରୂପେ ପରିଚାଳନା କରିପାରୁଥିଲେ।ବିଶେଷତଃ ଦେୱାନୀ ମାମଲାଗୁଡ଼ିକରେ ତାଙ୍କର ଅର୍ଜି ଓ ଜବାବସୁଆଲ ଅତ୍ୟନ୍ତ ସଂକ୍ଷିପ୍ତ ଓ ସାରଗର୍ଭକ ହେଉଥିଲା। ମକଦ୍ଦମାର ଜବାବ ସୁଆଲ ସମୟରେ ମଧ୍ୟ ସେ ବିଶେଷ ସଂକ୍ଷିପ୍ତ ଭାବରେ ନିଜର ବୟାନ ଉପସ୍ଥାପନା କରୁଥିଲେ। ନିମ୍ନ ଅଦାଲତଗୁଡ଼ିକ ଛଡ଼ା ହାଇକୋର୍ଟରେ ମଧ୍ୟ ସଂକ୍ଷପ୍ତ ଓ ତାତ୍ତ୍ବିକ ଡ଼୍ରାଫ୍ଟିଙ୍ଗ୍ ପାଇଁ ସେ ବିଚାରପତିମାନଙ୍କଦ୍ବାରା ଉଚ୍ଚ ପ୍ରଶଂସିତ ହେଉଥିଲେ।
କମ୍ୟୁନିଷ୍ଟି ପାଟିଁର ଓକିଲ ଥିବା ସମୟରେ ଥରେ ଗୋଟିଏ ଫୌଜଦାରୀ ମାମଲାରେ ଅଭିଯୁକ୍ତ ପାର୍ଟିର ଜଣେ ସଦସ୍ୟଙ୍କୁ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ କୁହାଯାଇଥିଲା। ଏଥିରେ ବ୍ୟତିକ୍ରମ ହେବାରୁ ସେହି ବ୍ୟକ୍ତିଙ୍କୁ ମାଜିଷ୍ଟେଟ୍ ଅଭୟ ଚରଣ ଦାସଙ୍କର କୋର୍ଟରେ ହାଜର କରାଯାଇଥାଏ। ପାର୍ଟି ପକ୍ଷରୁ ରଘୁବାବୁ କେସ୍ ଲଢ଼ୁଥାନ୍ତି। ପୋଲିସ୍ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଭୁଲ୍କ୍ରମେ ଇନ୍ସପେକ୍ଟର ଅଫ୍ ପୋଲିସ୍ ସ୍ଥାନରେ ଖାଲି ପୋଲିସ ଠାଇପ୍ କରାଯାଇଥିଲା।ଏହି ସାମାନ୍ୟ ଟାଇପ୍ଭୁଲକୁ ଆଧାର କରି ରଘୁବାବୁ ତାଙ୍କର ଯୁକ୍ତି ଉପସ୍ଥାପନ କଲେ ଯେ ଓଡ଼ିଶା ସରକାରଙ୍କର ଇନ୍ସପେକ୍ଟର ଅଫ୍ ପୋଲିସ ବୋଲି କୌଣସି ପଦବୀ ନାହିଁ। ତେଣୁ ସେହି ବ୍ୟକ୍ତି ଇନ୍ସପେକ୍ଟର ଅଫ୍ ପୋଲିସଙ୍କ ସମକ୍ଷରେ ଉପସ୍ଥିତ ହେବାର ପ୍ରଶ୍ନ ଉଠୁନାହିଁ। ଏଭଳି ଯୁକ୍ତି କୋର୍ଟରେ ଖୁବ୍ ହାସ୍ୟରୋଳ ସୃଷ୍ଟି କରିଥିଲା। ଏବଂ ସେହି ବ୍ୟକ୍ତି ନିର୍ଦ୍ଦେଷରେ ଖଲାସ ହୋଇଥିଲା।
ତାଙ୍କ ପାଖରେ ଥିବା ସହଯୋଗୀ ଓକିଲମାନଙ୍କୁ ସେ ଯଥେଷ୍ଟ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ନିର୍ଭୀକ ଭାବରେ କୋର୍ଟମାନଙ୍କରେ ମକଦ୍ଦମା ପରିଚାଳନା କରିବା ପାଇଁ ଉତ୍ସାହ ପ୍ରଦାନ କରୁଥିଲେ। ଓକିଲାତି କ୍ଷେତ୍ରରେ ସାଧନା ଓ ନିୟମାନୁବର୍ତ୍ତିତାର ଆବଶ୍ୟକତା ସଂମ୍ପର୍କରେ ସେ ସଦାସର୍ବଦା ତାଙ୍କର ଜୁନିଅରମାନଙ୍କୁ ସୂଚନା ଦେଉଥିଲେ। ସେ ନିଜେ ମଧ୍ୟ ପ୍ରତି ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଚେରୀରେ ଉପସ୍ଥିତ ରହୁଥିଲେ। ଏହାଛଡ଼ା ଜୁନିଅରମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ଦିଗରେ ସେ ଖୁବି ଯତ୍ନବାନ ଥିଲେ। ଜଣେ ସଫଳ ଆଇନ୍ଜୀବି ଭାବରେ ସେ ଆଠଗଡ଼, ବଡ଼ମ୍ବା, ନରସିଂହପୁର, ତିଗିରିଆ ଏବଂ କଟକର ଜନସାଧାରଣଙ୍କ ନିକଟରେ ଖୁବ୍ ପରିଚିତ ଥିଲେ। ଏତଦ୍ବ୍ୟତୀତ ସମ୍ବଲପୁର, ବଣେଇଗଡ଼, କୁଚିଣ୍ଠା, ଦେବଗଡ଼ ଓ ବାଲେଶ୍ବର ଅଞ୍ଚଳରେ ବହୁ କେସ୍ରେ ପରିଚାଳନା କରୁଥିଲେ।
ବିଶିଷ୍ଟ ନକ୍ସଲ ନେତା ନାଗଭୁଷଣ ପଟ୍ଟନାୟକଙ୍କ ଫାଶୀ ଆଦେଶ ବିରୋଧରେ ଯେଉଁ ଉଦ୍ୟମ ହୋଇଥିଲା, ସେଥିରେ ନବକୃଷ୍ଣ ଚୌଧୁରୀ ଓ ମାଳତି ଇତ୍ୟାଦିଙ୍କ ସହ ସେ ମଧ୍ୟ ସଂପୁର୍ଣ୍ଣ ସହଯୋଗ କରିଥିଲେ।ବିଧାୟକମାନଙ୍କ ପେନ୍ସନ୍ ବିରୋଧରେ ରିଟ୍ ତାଙ୍କର ଅନ୍ୟତମ ଗୁରୁତ୍ବପୁର୍ଣ୍ଣ ମକଦ୍ଦମା ଥିଲା କିନ୍ତୁ ତାଙ୍କ ଜୀବଦ୍ଦଶାରେ ଏହି ରିଟ୍ ଶୁଣାଣି ହୋଇପାରିଲା ନାହିଁ।
ଓଡ଼ିଶାରେ ଆଇନ ପୁସ୍ତକର ଅଭାବ ଉପଲବ୍ଧି କରି ରଘୁବୀର ଆଇନ ଛାତ୍ର ଆଇନଜୀବୀ ତଥା ସାଧାରଣ ଲୋକଙ୍କ ପାଇଁ ୨୭/୨୮ ଟି ପୁସ୍ତକ ପ୍ରଣୟନ କରିଥିଲେ। ସେ ବହୁଦିନ ଧରି ଆଇ.ଏଲ.ଆର୍, ସି ଏଲ୍.ଟି ଓ କଟକର ‘ଦି ଲୟର୍’ ର ସମ୍ପାଦନା କରୁଥିଲେ। ଓଡ଼ିଶା ହାଇକୋର୍ଟ ଦ୍ବାରା ପ୍ରକାଣିତ ରାୟ ସବୁର ଜୁଡିସିଆଲ ଇଣ୍ଡେକ୍ସ ପ୍ରସ୍ତୁତିରେ ତାଙ୍କର ଅବଦାନ ଅବିସ୍ମରଣୀୟ। ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ ହାଇକୋର୍ଟର ଲ ରିପୋର୍ଟର ଭାବରେ ରଘୁନାଥ ଦାସ ନିଜର ବିଚକ୍ଷଣତାର ଓ ଦକ୍ଷତା ପ୍ରମାଣିତ କରିଯାଇଛନ୍ତି। ଓକିଲାତି କ୍ଷେତ୍ରରେ ସେ ଏକ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ।
ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରାଚୁର୍ଯ୍ୟ ଲାଭ କରିବା ପରେ ମଧ୍ୟ ସେ ନିଜ ବିଷୟରେ ଏତେ ବୀତସ୍ଫୁହ ଥିଲେ ଯେ ନିଜର ଫଟୋଟିଏ ଉଠାଇବାକୁ ମଧ୍ୟ ବଡ କୁଣ୍ଠିତ ହେଉଥିଲେ।ନିଜର ପୂର୍ବ ରଚନାଗୁଡିକ ନିଜେ ସାଇତି ରଖି ନ ଥିଲେ କବି ରଘୁନାଥ ଦାସ ଜନସମାଜରେ କ୍ରମଶଃ ବିସ୍ମୃତ ପ୍ରାୟ ହୋଇଯାଇଥିଲେ। କବିଙ୍କର ଏହି ସାରସ୍ବତ ସମାଧି ସମୟରେ କବି ରବି ସିଂଙ୍କ ଆନ୍ତରିକ ଉଦ୍ୟମରେ ରଘୁନାଥଙ୍କର ବିପର୍ଯ୍ୟସ୍ତ ଓ ଦୁର୍ଲଭ କବିତାଗୁଡିକ ସଂଗୃହିତ ହେଲା ଓ ୧୯୭୩ରେ ‘ ଅଗଷ୍ଟ ପନ୍ଦର ଓ ଅନ୍ୟାନ୍ୟ କବିତା‘ ଶୀର୍ଷକରେ ପ୍ରକାଣିତ ହେଲା । ଏହି କବିତା ସଂଗ୍ରହ ବାସ୍ତବରେ କବି ରଘୁନାଥଙ୍କ ସମାଧି ଭଙ୍ଗ କଲା। ମୌନମୁନି ପୁନର୍ବାର ମୁଖର ହୋଇଉଠିଲେ। କବିଙ୍କର ଉତ୍ତର ଜୀବନରେ କବିତାଗୁଡିକ ଜୀବନର ଅନୁଭୂତିକୁ ଆହୁରି ରସସିକ୍ତ ଓ ମହିମାନ୍ବିତ ହୋଇ ‘ପୁନଶ୍ଚ’ ସଂକଳନରେ ପ୍ରକାଶିତ ହେଲା। କବିଙ୍କ ଦୀର୍ଘ ୨୦ ବର୍ଷ ନୀରବତା ଯେ ନିଶ୍ଚେତନା ବା ସୁଷୁପ୍ତି ନଥିଲା ଇଂରାଜୀ ଓ ଓଡ଼ିଆ ଭାଷାରେ ରଚିତ ରଘୁନାଥଙ୍କର ଭାବୋଦ୍ଦୀପକ ପ୍ରବନ୍ଧାବଳୀ ତାହାର ପ୍ରମାଣ।
କବି ରଘୁନାଥଙ୍କ ବହୁମୁଖୀ ପ୍ରତିଭାର ଅନ୍ୟ ଏକ ଦିଗ ତାଙ୍କର ସାଂଗଠନିକ ବ୍ୟକ୍ତିତ୍ବ। ଯଦିଓ ରଘୁନାଥ ଆଦ୍ୟ ଜୀବନରେ କମ୍ୟୁନିଷ୍ଟ ପାର୍ଟିର ସକ୍ରିୟ ସଭ୍ୟ ଥିଲେ, ତଥାପି କୌଣସି ନିର୍ଦ୍ଦିଷ୍ଟ ମତବାଦ ତାଙ୍କ ପାଦରେ ଶୃଙ୍ଖଳ ହୋଇନଥିଲା, ବରଂ ତାକୁ ଗଳାର ହାର କରି ସେ ଜୀବନ ପଥରେ ଆଗେଇ ଯାଇଥିଲେ।୧୯୫୩ ମସିହାରେ ରଘୁନାଥ ଭୂଦାନ ଆନ୍ଦୋଳ ପ୍ରତି ଆକୃଷ୍ଟ ହୋଇଥିଲେ ଏମଂ ଭୂଦାନ ମାଧ୍ୟମରେ ଗ୍ରାମୀଣ ଜନସାଧାରଣଙ୍କ ଉତ୍ତରୋତ୍ତର ଉନ୍ନତି ଦିଗରେ ଯତ୍ନପାନ ହୋଇଥିଲେ। ଓଡ଼ିଶାର ସା ପ୍ରଥମେ ସୋସିଲିଷ୍ଟ ୟୁନିଟ୍ ସେଣ୍ଟର ଅଫ୍ ଇଣ୍ଡିଆ (ଏସ୍ୟୁସିଆଇ) ଶାଖା ଖୋଲି ତହିଁରେ ମୁଖ୍ୟ ଭାବେ ସଂଗଠନର ଦାୟିତ୍ବ ଗ୍ରହଣ କରିଥିଲେଏବଂ ତାର ମୁଖପତ୍ର ’ସର୍ଦହରା’ ପାକ୍ଷିକ ପତ୍ରିକାର ମୁଖ୍ୟ ସଂପାଦକ ମଧ୍ୟ ଥିଲେ।୧୯୭୩ ମସିହାରେ ପ୍ରାଦେଶିକ ସ୍ତରରେ ଗଠିତ ପିପୁଲ୍ଦ ୟୁନିଅନ ଫର୍ ସିଭିଲ୍ ଲିବର୍ଟି ଏଣ୍ଡ ଡ଼େମୋକ୍ରାଟିକ୍ ରାଇଟ୍ସ (ପିୟୁସିଏଲ୍ ଡ଼ିଆର୍)ର ସେ ଉପସଭାପତି ଥିଲେ। ୧୯୭୫ ରେ ପୁନର୍ଗଠିତ ନବଯୁଗ ସାହିତ୍ୟ ସଂସଦର ସେ ଥିଲେ ଉପଦେଷ୍ଟା। ୧୯୮୩ ରେ ଆନ୍ଧ୍ରପ୍ରଦେଶର ପିପଲ୍ସ ଲିବର୍ଟି ଏଣ୍ଡ କଲ୍ଚାଲ ଫେଡ଼େରେସନର ରାଜମହେନ୍ଦ୍ରୀ ସମ୍ମିଳନୀରେ ସେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।୧୯୮୪ ରେ ଗଠିତ ‘ ଗଣତନ୍ତ୍ର ଅଧିକାର ସୁରକ୍ଷା ସଂଗଠନ ’(ଗେସ) ସେ ଥିଲେ ରାଜ୍ୟ ସଭାପତି। ଏହି ସଂଗଠନର ସଭାପତି ଭାବରେ ସେ ଜନସାଧାରଣଙ୍କ ନାଗରିକ ଓ ସମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
୧୯୮୪ ରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତାଙ୍କୁ ସମ୍ମାନସୂଚକ ମାନପତ୍ର ସହ ସମ୍ବର୍ଦ୍ଧନା ଦିଆଯିବାର ସିଦ୍ଧାନ୍ତ ନିଆଯାଇଥିଲା।ଓଡ଼ିଶା ସାହିତ୍ୟ ଏକାଡେମୀରେ ମୁଖପତ୍ର ’କୋଣାର୍କ’ରେ କବିଙ୍କର ’ପୁନଶ୍ଚ’ କାବ୍ୟଗ୍ରନ୍ଥ ସମୀକ୍ଷା ପ୍ରକାଶିତ ହୋଇଥିଲା। ତହିଁରେ ଏପରି କିଛି ଅସମ୍ମାନଜନକ ମନ୍ତବ୍ୟ ଥିଲା, ଯାହାଫଳରେ ସେ ସେହି ସ୍ବୀକୃତିକୁ ପ୍ରତ୍ୟାଖ୍ୟାନ କରି ଆପଣାର ସ୍ବାଭିମାନ ଓ ଆତ୍ମସମ୍ମାନ ରକ୍ଷା କରିଥିଲେ। ‘ମହାତ୍ମନାଂ ଚରିତଂ ଅଲୋକସାମାନ୍ୟମ୍’। ସଂସାରରେ ସଜ୍ଜନମାନଙ୍କ ଚରିତ ବାସ୍ତବିକ ଅସାଧାରଣ। ସାଧାରଣ ଲୋକ ଯେଉଁ ଯଶଲିପ୍ସାରେ ନିଜର ମର୍ଯ୍ୟାଦା ଭୁଲିଯାଆନ୍ତି କବି ରଘୁନାଥ ସ୍ବାଭିମାନ ରକ୍ଷା ଲାଗି ସେହି ଅନୁଗ୍ରହକୁ ଅବଲୀଳାକ୍ରମେ ତ୍ୟାଗ କରିଥିଲେ।
‘ସତ୍ୟ ଲାଗି ଯୁଝିବି ମୁଁ… ଅନୀତିର ରୋଧିବି ଗତିକୁ ’ ଏହାହିତଁ ଥିଲା କବି ରଘୁନାଥ ଦାସଙ୍କର (ଜଟାୟୁ)ଙ୍କ ସମଗ୍ର ଜୀବନାଦର୍ଶର ନିର୍ଯ୍ୟାସ। ସେହି ଲକ୍ଷ୍ୟସାଧନା ନମନ୍ତେ ସେ ନିରନ୍ତର ସଂଗ୍ରାମ କରିଯାଇଛନ୍ତି।ତାଙ୍କର ଆଦର୍ଶବାଦ , କର୍ତ୍ତବ୍ୟନିଷ୍ଠା, ସ୍ନେହପରାୟଣତା, ବ୍ୟକ୍ତିଗତ ଜୀବନରେ ସାରଲ୍ୟ ଓ ନିରାଡ଼ମ୍ବରତା ନିମନ୍ତେ ସେ ଥିଲେ ସମସ୍ତଙ୍କର ପ୍ରିୟ। ୧୯୮୪ ମସିହା ନଭେମ୍ବର ୯ ତାରିଖ ଦିନ ଏହି ସାରସ୍ବତ ବ୍ୟକ୍ତିତ୍ବର ଦେହାବସାନ ହେଲା।