“ଅଇ ହେ ଶୁଣିଲଣି , ନବୀନକୁ ଧରି ନେଉଛନ୍ତି।”
ହତ ମାନବିକତାର ସ୍ବର ଚାପାଗଳାରେ;
କାପୁରୁଷର ବିଜ୍ଞତା ପରାମର୍ଶ ଦେଲା:
“ରାତି ବେଶି ହେଲାଣି, ତମେ ଶୋଇଯାଅ”।
ସ୍ପଞ୍ଜଗଦିରୁ ଓହ୍ଲାଇ ଆସିଛି ଶିଆଳ ରଙ୍ଗଲାଲ୍,
ସିଂହ ମଗଜର ତୱାଜ୍ କରୁଛି;
ସିଗାରେଟ୍ର ଚକ୍କର ଖାଉଥିବ ହାଲୁକା କୁଣ୍ଡଳୀ
ଜିନ୍ର ତେଜି ଖୁସୁବ୍ରେ ମତୁଆଲା ହୋଇ ଉଠିଛି ବେଶ୍;
ଲାଇଟ୍ ଅଫ୍ କରି ଝରକା ଆଉଜେଇ ଦେଇ
ଶୋଇ ରହିବା ଅଭିନୟ ତଳେ
ଜାଲନା ଫାଙ୍କରୁ ରୁଦ୍ଧଶ୍ବାସ ଉନ୍ନିଦ୍ର ତ୍ରସ୍ତ ଆଖିଗୁଡାକ
ଉଦ୍ବିଗ୍ନତା ସହକାରେ ଲକ୍ଷ୍ୟ କରୁଥିଲେ
ଅଭିସାରର ଅନିଶ୍ଚିତ ଉତ୍କଣ୍ଠାପୂର୍ଣ୍ଣ ଦୃଶ୍ୟାବଳୀ।
ସିଂହର ମୁକାବିଲା କରୁଥିଲା ମାତ୍ର ଜଣେ:
ତ୍ରୀବତର ଏକକ ପ୍ରତିବାଦ
ନିରବ ଗଳିଟା ଜୀବନ୍ତ ବୋଲି ପ୍ରତିପାଦନ କରୁଥିଲା।
ଶୋଇଥିବା ପ୍ରତିଟି କାନ୍ଥରେ
ତା’ର ଓଜସ୍ବିନୀ ଆବାଜର ପ୍ରତିଧ୍ବନି
ପୋଷ୍ଟର ମାରି ଚାଲିଥିଲା।
“ କି ଅଧିକାର ଅଛି ତୁମର ନିଶାର୍ଦ୍ଧରେ ମୋର ସୁଷୁପ୍ତି ଭାଙ୍ଗିବାରେ?
ହୋଇପାରେ ତୁମେ ଦାରୋଗା, ତା’ଠାରୁ ବଡ ଅବା ସାନ,
ତୁମ ମୁନିବ ତୁମ ଛାତିରେ ଅଙ୍କିଥାଇପାରେ ଗୁଡାଏ ତାରାଚିହ୍ନ,
ମୋର ଭଗବାନ ମୋ ଲାଗି ଏହି ଅସଂଯତ ଗଳି ଉପରେ
ଦେଇଛନ୍ତି ମାତ୍ର ଦୁଇ ଫୁଟ ସ୍ଥାନ।
ଅନିଶ୍ଚିତ ଖାଦ୍ୟାନ୍ବେଷଣରେ ଦିନଭରି ଅବିଶ୍ରାନ୍ତ କଠିନ
ପରିଶ୍ରମ ପରେ
ଶ୍ରାନ୍ତ ଅବଶ ଅବୟବଗୁଡାକ ଲାଗି
ମୋର ଲୋଡା
ଛ’ଟି ଘଣ୍ଟା ଶୋଇ ରହିବା ବିରାମ।