ସଭ୍ୟତାର ଆଗେ




ଜନସାଧାରଣ

 

   ରାଷ୍ଟ୍ରଶକ୍ତି  ମୁଷ୍ଟିମେୟ ଶାସକ ଗୋଷ୍ଠୀଦ୍ବାରା କରଗତ ହେବା ଫଳରେ ସେମାନେ ଜାତିର ଜନସାଧାରଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ଉପରେ ଅଧିକାର କ୍ଷୁର୍ଣ୍ଣକରି ଆପେ ଅଧିକର ଅଧିକ ବ୍ୟକ୍ତିଗତ ସମ୍ପତ୍ତି ଓ ସୁବିଧା ହାସଲ କରିବାକୁ ଲାଗିଲେ, ନିଜର ସ୍ବାର୍ଥସିଦ୍ଧି ଲାଗି ଜାତିର ନିର୍ଦ୍ଧାରଣମାନ କଲେ। ଉତ୍ପାଦନ ଯେବେ କଠିନ ଶ୍ରମସାଧ୍ୟ ଥିଲା, ଶାସନ ସଂସ୍ଥା ସଜାଡ଼ିବା ଜନସାଧାରଣଙ୍କ ପକ୍ଷରେ ସମ୍ଭବପର ନଥିଲା, କିନ୍ତୁ ଯେତେବେଳେ ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଦେଖାଦେଲା, ବିଶେଷତଃ ଯେତେବେଳେ ଦାସମାନଙ୍କ ଜରିଆରେ ପ୍ରଭୁମାନେ ଚାଷ ଆଦିରେ କଠିନ କାମତକ ତୁଳାଇପାରିଲେ, ଶାସକ ଗୋଷ୍ଠୀର ମନମୁଖୀ ଓ କ୍ଳେଶକର ଶାସନ ବିରୁଦ୍ଧରେ ଜନମତ ପ୍ରକାଶ ପାଇଲା, ଜାତିର ଜନସାଧାରଣ ଶାସନସଂସ୍ଥା ଉପରେ ସେମାନଙ୍କର କର୍ତ୍ତୃତ୍ବ ଲାଗି ଦାବି କଲେ।

   ଜନସାଧାରଣଙ୍କ ଦାବି ସଫଳ ହେଲା ଜନଦରବାର (Assembly of the People)ର ପ୍ରତିଷ୍ଠାରେ, ଏହାର ଶାସନ ବ୍ୟବସ୍ଥାର ପ୍ରଧାନ ଅଙ୍ଗ ହୋଇଉଠିଲା। ଜାତିର ପ୍ରତ୍ୟେକ ସାବାଳକ ଏଥିରେ ଯୋଗ ଦେଇପାରୁଥିଲେ, ଭାଗ ନେଉଥିଲେ ଓ ସେମାନଙ୍କର ଭୋଟରେ ଯେଉଁ ପ୍ରସ୍ତାବ ଗୃହୀତ ହେଉଥିଲା, ତାହା ଜାତିର ଆଇନ ହେଉଥିଲା। ପ୍ରତିନିଧି ସଭା ପ୍ରସ୍ତାବ ଚିଠା କରେ, ଜନଦରବାରରେ ତାହା ଆଲୋଚିତ ହେଲା ପରେ ଗୃହୀତ ହୁଏ।

    ଜନ-ଦରବାର ଜାତିର ପ୍ରଧାନ ବ୍ୟବସ୍ଥାପକ ହେଲା। ଜାତିର କର୍ମକର୍ତ୍ତାଙ୍କର ନିର୍ବାଚନ ମଧ୍ୟ ଏହି ଜନସଦରବାରରେ ହୁଏ ସଂଭ୍ରାନ୍ତ ପରିବାରରୁ ପ୍ରଧାନ କର୍ମକର୍ତ୍ତାମାନେ ନିର୍ବାଚିତ ହେବାର ପ୍ରଥା ଜାତିରେ ଚଳି ଆସୁଥିବାରୁ ଏ ନିର୍ବାଚନରେ କେବଳ ସେହି ସେହି ପରିବାରର ବ୍ୟକ୍ତିମାନେ ନିର୍ବାଚିତ ହେଉଥିଲେ ସତ କିନ୍ତୁ ଜନ ଦରବାରରେ ଭୋଟ୍‌ ଉପରେ ସେମାନଙ୍କର ପଦ ନିର୍ଭର କରୁଥିବା ହେତୁ ଲୋକେ କର୍ମକର୍ତ୍ତାଙ୍କ ଉପରେ ସେମାନଙ୍କର କର୍ତ୍ତୃତ୍ବ ରଖି ପାରୁଥିଲେ। ଜନ ଦରବାର ରାଷ୍ଟ୍ରଶକ୍ତିର ଚରମ ଶକ୍ତି ଥିଲା। ସେହି ହିସାବରେ ଗୁରୁତର ଦଣ୍ଡ ବିରୁଦ୍ଧରେ ଜନ ଦରବାରରେ ଶେଷ ଫଏସଲା ଲାଗି ଅପିଲ ମଧ୍ୟ ହେଉଥିଲା। ବର୍ବର ଯୁଗର ଉତ୍ତମ ସୋପାନର ଶେଷଭାଗକୁ ପ୍ରାୟ ସବୁ ଜାତିର ଶାସନସଂସ୍ଥାରେ ଏ ପ୍ରକାର ଅନୁଷ୍ଠାନ ଗଢ଼ିଉଠିଥିଲା। ଶାସନ ସଂସ୍ଥାରେ ଏବେ ତିନୋଟି ବିଭାଗ:-ପ୍ରତିନିଧି ସଭା, ରାଜା  ଓ କର୍ମକର୍ତ୍ତାମଣ୍ଡଳୀ ଓ ଜନଦରବାର।

     ଜାତିର ଏହି ଶାସନସଂସ୍ଥା ଦେଶରୁ ସବୁ ଅଧିବାସୀଙ୍କୁ ନେଇ ଗଢ଼ା ହେଉନଥିଲା। ନାରୀମାନେ ଏତେବେଳକୁ ସେମାନଙ୍କର ନାଗରିକ ଅଧିକାର ହରାଇସାରିଲେଣି। ସେମାନେ ଶାସନବ୍ୟବସ୍ଥାରେ ଆଉ କୌଣସି ଅଂଶ ଗ୍ରହଣ କରିପାରୁନାହାନ୍ତି। ଦାସମାନେ ତ ପ୍ରଭୁମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ତଳେ ଗଣା; ସେମାନଙ୍କର କୌଣସି ନାଗରିକ ଅଧିକାର ନଥିଲା । ଏ ଶାସନ ସଂସ୍ଥା ଜାତିର କେବଳ ରକ୍ତ ସମ୍ପର୍କୀୟଙ୍କୁ ନେଇ ଗଢ଼ା ହୋଇଥିଲା। ସଂପ୍ରଦାୟ ଓ ଗଣର ଶାସନବ୍ୟବସ୍ଥା ଜାତିର ଶାସନ ବ୍ୟବସ୍ଥାର ଅନୁରୂପ ଥିଲା।           

     ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି ପାଇବା ସହିତ, ବିଶେଷତଃ ସମାଜରେ ପଣ୍ୟର ପ୍ରଚଳନ ପରେ ଗଣ, ସଂପ୍ରଦାୟ ବା ଜାତିର ସଂଘବଦ୍ଧ ଜୀବନ ସମ୍ଭବ ହେଲାନାହିଁ। ବାଣିଜ୍ୟ ବ୍ୟବସାୟ ନେଇ ଭିନ୍ନ ଗଣର ଲୋକେ ଅନ୍ୟ ଗଣର ବସତିରେ  ବସବାସ କରିଗଲେ, ଏକ ସଂପ୍ରଦାୟର ଲୋକେ ଅନ୍ୟ ସଂପ୍ରଦାୟ ସହିତ ମିଶି ବସବାସ କଲେ।ଏପରିକି ଅନ୍ୟ ଜାତିର ଲୋକ ଆସି ଜାତିର ଅଧିକୃତ ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଗଲେ। ଗଣ ଓ ଗଣୋତ୍ତର,ଜାତି ଓ ଅଣଜାତିଆ ଲୋକଙ୍କୁ ନେଇ ସମାଜର ଅର୍ଥନୈତିକ ଜୀବନ ଗଢ଼ିଉଠିଲା। ଏହି ବିଦେଶୀ ଲୋକେ ମୁକ୍ତ ଥିଲେ ହେଁ, ସାମାଜିକ ଅନୁଷ୍ଠାନ, ପର୍ବପର୍ବାଣି ବା ମନ୍ଦିର ଉପାସନା ଆଦିରେ ସେମାନଙ୍କର ସ୍ଥାନ ନଥିଲା, ଶାସନବ୍ୟବସ୍ଥାରେ ସେମାନଙ୍କର କୌଣସି କର୍ତ୍ତୃତ୍ବ ନଥିଲା। ଧର୍ମଭିତ୍ତିରେ ଗଢ଼ା ଶାସନ ସଂସ୍ଥାରେ ଭିନ୍ନ ଧର୍ମର ଲୋକେ ଭାଗ ନେବା ସମ୍ଭବପର ନୁହେଁ। ଶାସନ କଳରୁ ବଞ୍ଚିତ ହେବା ଫଳରେ ଏହି ଅଣଜାତିଆ ଜନସାଧାରଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ଉପରେ ଅଧିକାର ଓ ନାଗରିକ ଅଧିକାରକୁ ରକ୍ଷା କରିବା ବଡ଼ କଠିନ ବ୍ୟାପାର ଥିଲା।  ଫଳରେ ଏହି ମୁକ୍ତ ଅଣଜାତିଆ ଜନସାଧାରଣ ଦେଶର ଶାସନ ସଂସ୍ଥାରେ ଭାଗାଦାର ହେବାଲାଗି ସଂଗ୍ରାମ ଚଳାଇଲେ।




+ -

© Jataayu Charitable Trust
Site designed,developed & maintained by Tekons