ସେଦିନ ଶୁଣାଣିରୁ ଡେରିରେ ଫେରୁଥିଲି। ଦେଖିଲି କାନ୍ଥ ପାଖରେ ଭ୍ଲାଦିମିର ଭାନ୍ଚୁରା ଠିଆ ହୋଇଛନ୍ତି-ଚେକ୍ ଔପନାସିକମାନଙ୍କ ମଧ୍ୟରେ ଜଣେ ପ୍ରତିଭାଶାଳୀ ଶିଳ୍ପୀ ସେ । ତାଙ୍କର ଜିନିଷପତ୍ରର ଛୋଟିଆ ପୁଟୁଳାଟିଏ ତାଙ୍କର ଗୋଡ଼ ନିକଟରେ। ଏପରି ଛିଡ଼ା ହେବାର ଅର୍ଥ କଣ ମୁଁ ଜାଣିଥିଲି; ସେ ମଧ୍ୟ ଜାଣିଥିଲେ। ମୁହୂର୍ତ୍ତକ ନିମିତ୍ତ ତାଙ୍କର ହାତ ମୁଠାରେ ଚାପି ଧରିଲି। ଉପର ମହଲାର ବାରନ୍ଦାରୁ ତାଙ୍କୁ ବର୍ତ୍ତମାନ ବି ଦେଖିପାରୁଛି। ସେ ଛିଡ଼ା ହୋଇଛନ୍ତି। ମୁଣ୍ଡ ଟିକିଏ ନଇଁ ପଡ଼ିଛି।ଅନେଇ ରହିଛନ୍ତି। ସୁଦୂର ପ୍ରସାରିଣୀ ତାଙ୍କର ଦୃଷ୍ଟି ଆମର ଜୀବନର ପରପାରକୁ ସେ ଦୃଷ୍ଟି ଚାଲିଯାଇଛି। ଅଧଘଣ୍ଟା ପରେ ସେମାନେ ତାଙ୍କର ନାଁ ଧରି ଡାକିଲେ…।
କିଛିଦିନ ପରେ ମିଲୋଶ୍ ଆସି ଛିଡ଼ା ହେଲେ ସେଇ କାନ୍ଥ ସାମନାରେ…ବିପ୍ଳବର ସାହାସୀ ଯୋଦ୍ଧା, ଗତ ଅକ୍ଟୋବର ମାସରେ ଗିରଫ ହେଲେ। ଉତ୍ପୀଡ଼ନ ବା ବନ୍ଦୀ ଜୀବନରେ ସେ ଭାଙ୍ଗିବାର ନୁହନ୍ତି। କାନ୍ଥ ଆଡୁ ମୁହଁ ବୁଲେଇ ସେ ପଛପଟେ ଛିଡ଼ା ହୋଇଥିବା ରକ୍ଷୀକୁ କଣ ବୁଝାଉଥିଲେ। ହଠାତ୍ ମୋତେ ଦେଖିପକାଇ ହସିଲେ, ବିଦାୟ ସମ୍ଭାଷଣ ଜଣାଇବାକୁ ମୁଣ୍ଡ ଉପରକୁ ଟେକିଲେ। ତାପରେ ପୁଣି ରକ୍ଷୀ ସାଙ୍ଗରେ କଥା କହିବାକୁ ଲଗିଲେ। “ଏତଦ୍ଦ୍ବାରା ତୁମମାନଙ୍କର କୌଣସି ସୁବିଧା ହେବନାହିଁ।ଆମ ମଧ୍ୟରୁ ଆହୁରି ଅନେକ ମରିଚୁଁ, କିନ୍ତୁ ଶେଷରେ ତୁମ୍ଭମାନଙ୍କର ହେବ ପରାଜୟ…”
ତାପରେ ଆଉଦିନେ ଦ୍ବିପହର ସମୟରେ। ଆମ୍ଭେ ସେ ଦିନ ପେଟ୍ଚେକ୍ ବିଲ୍ଡିଂର ତଳ ମହଲାରେ ଖାଇବ ଲାଗି ଛିଡ଼ା ହୋଇଥିଲୁଁ। ସେମାନେ ଏଲିୟାସକୁ ନେଇ ଆସିଲେ, ତା କାଖରେ ଖଣ୍ଡେ ଖବରକାଗଜ। ସେ କାଗଜ ଖଣ୍ଡିକ ଦେଖେଇ ହସିଲେ, ସେ କାଗଜରୁ ଏହିକ୍ଷଣି ପଢ଼ୁଛନ୍ତି ଏହି ହତ୍ୟାକାଣ୍ଡ ସଙ୍ଗେ ସେ ଜଡ଼ିତ ବୋଲି (ଅଥଚ ଆଜକୁ ଆଠମାସ ହେଲା ସେ ଜେଲଖାନାରେ)।
‘ଝୁଟା ବାତ୍।’ ଏହା କହି ସେ ଖାଇବାକୁ ଲାଗିଲେ।
ସେଦିନ ସନ୍ଧ୍ୟାରେ ପ୍ୟାନ୍କ୍ରାଟସ୍କୁ ଫେରିଆସିବା ସମୟରେ ସେ ଏହି କଥା ଘେନି ଆମ ସାଙ୍ଗରେ ଥଟ୍ଟା ନକଲ କରୁଥିଲେ। କିନ୍ତୁ ଘଣ୍ଟାକ ପରେ ତାଙ୍କୁ ଗାରଦରୁ ନେଇ ଯାଇ କୋବିଲିସିର ବଧ୍ୟଭୂମିକୁ ସେମାନେ ଚାଲାଣ କରିଦେଲେ।
ଶବର ସ୍ତୂପ ଜମା ହୋଇଛି, ବର୍ତ୍ତମାନ ଆଉ ଦଶ, କୋଡ଼ିଏ, ଶହେ କରି ଗଣିବାକୁ ହେଉନାହିଁ, ହଜାର ହଜାର କରି ଗଣିବାକୁ ପଡୁଛି। ପଶୁମାନଙ୍କର ନାକରେ ସଦ୍ୟ ରକ୍ତର ଗନ୍ଧ। ସେମାନେ ‘କାମ’ କରୁଛନ୍ତି ଅଧିକ ରାତ୍ରିପର୍ଯ୍ୟନ୍ତ ଏବଂ ରବିବାରରେ ମଧ୍ୟ। ସେମାନେ ବର୍ତ୍ତମାନ ସମସ୍ତେ ଏସ୍.ଏସ୍. ପୋଷାକ ପିନ୍ଧୁଛନ୍ତି। ଏ ଯେପରି ସେମାନଙ୍କର ଉତ୍ସବ, ହତ୍ୟାର ଉତ୍ସବ। ସେମାନେ ଶ୍ରମିକ, ଶିକ୍ଷକ ,କୃଷକ,ଲେଖକ ପଦସ୍ଥ ରାଜକର୍ମଚାରୀ-ସମସ୍ତଙ୍କୁ ପଠାଇଲେ ମୃତ୍ୟୁମୁଖକୁ-ପୁରୁଷ, ସ୍ତ୍ରୀ, ଶିଶୁ ବି ବାଦ୍ ପଡ଼ିଲେ ନାହିଁ। ପରିବାର ପରେ ପରିବାର ନିପାତ ହୋଇଗଲେ। ଗାଁକୁ ଗାଁ ନିଶ୍ଚିହ୍ନ ଓ ଭସ୍ମିଭୂତ ହୋଇଗଲା। ପ୍ଲେଗ୍ରୋଗ ପରି ବ୍ୟାପିଗଲା ସାରା ଦେଶରେ ମୃତ୍ୟୁ। ତା ନିକଟରେ କୌଣସି ବାଛ ବିଚାର ରହିଲାନାହିଁ।
କିନ୍ତୁ ଏହି ବିଭିଷୀକା ମଧ୍ୟରେ ବି ମଣିଷ ବଞ୍ଚିଛନ୍ତି।
ବିଶ୍ବାସ କରିହୁଏ ନାହିଁ କିନ୍ତୁ ତଥାପି ଲୋକେ ବଂଚିଛନ୍ତି। ଖାଉଛନ୍ତି,ଶୋଉଛନ୍ତି, ପ୍ରେମ କରୁଛନ୍ତି, କାମ କରୁଛନ୍ତି, ହଜାର ରକମ ଚିନ୍ତା କରୁଛନ୍ତି। ସେ ଭାବନାର ମୃତ୍ୟୁ ସଙ୍ଗେ କୌଣସି ସମ୍ବନ୍ଧ ନାହିଁ। ତାଙ୍କର ମନ ମଧ୍ୟରେ ଭୀଷଣ ଅନ୍ଦୋଳନ ଉଠୁଛି,କିନ୍ତୁ ସେମାନେ ସେମାନଙ୍କର ମୁଣ୍ଡ ନୁଆଁଇ ନାହାନ୍ତି କି ନଇଁ ପଡ଼ୁନାହାନ୍ତି।
ସାମରିକ ଆଇନ ଚଳୁଥିବାବେଳେ ମୋର କମିସାର ମୋତେ ଦିନେ ବ୍ରାନିକ୍କୁ ନେଇଗଲା। ବିଳମ୍ବିତ ଆକାଶିୟାର ପୁଷ୍ପସ୍ତବକର ଗନ୍ଧରେ ଭରା ମଧୁର ଜୁନ୍ମାସ ରବିବାର ସନ୍ଧ୍ୟା। ମଟରଗାଡ଼ି ଯିବାର ଶେଷ ମୁଣ୍ଡଠି ରାସ୍ତା ଅଣଓସାରିଆ ଫେରନ୍ତା ଧାଡ଼ି ଧାଡ଼ି ଭ୍ରମଣକାରୀ ଦଳଙ୍କ ଲାଗି ତାହା ଅସ୍ତ୍ରଶସ୍ତ୍ର। ସେମାନେ ଉତ୍ଫୁଲ୍ଲ କ୍ଳାନ୍ତ ଅଥଚ ସେ କ୍ଳାନ୍ତିରେ ମାଧୁର୍ଯ୍ୟ ଅଛି; ସାରାଦିନ ସୂର୍ଯ୍ୟାଲୋକ, ସମୁଦ୍ର ଆଉ ପ୍ରେମିକ ପ୍ରେମିକାର ଆଲିଙ୍ଗନରେ କଟାଇଛନ୍ତି। କ୍ଳାନ୍ତି।ମୃତ୍ୟୁର ରେଖା ପଡ଼ିନାର୍ହି ତାଙ୍କ ମୁହଁରେ । କିନ୍ତୁ ମୃତ୍ୟୁ ସେମନଙ୍କ ଭିତରେ ଘୂରିବୁଲୁଛି। ମଝିରେ ମଝିରେ ସେମାନଙ୍କ ଭିତରେ କାହା କାହାକୁ ଲକ୍ଷ୍ୟକରି ଦେଉଛି ଆଘାତ। ଠେକୁଆ ପରି ଆନନ୍ଦରେ କୁଦାମାରି ଚାଲିଛନ୍ତି ସେମାନେ। ହାତ ବଢ଼େଇ ସେମାନଙ୍କ ଦଳର ଗୋଟାକୁ ଧରିପକାଅ ତାର ମାଂସ ଚାଖିବାକୁ । ଠେକୁଆ ଭଳି କ୍ଷଣକ ପାଇଁ ସେମାନେ ଉଦ୍ବେଗରେ କରକୁ ଆଉଜିଯିବେ, ତାପରେ ପୁଣି ଛୁଟି ଚାଲିବେ- ଜୀବନର ଆନନ୍ଦରେ ତାଙ୍କର ପ୍ରାଣ ପରିପୂର୍ଣ୍ଣ।
ଜେଲ୍ଖାନାର ପ୍ରାଚୀରଘେରା ଜୀବନରୁ ହଠାତ୍ ଆସି ପହଞ୍ଚିଗଲେ ମାନବ ସମାଜର ଏଇ ଅଦମ୍ୟ ସ୍ରୋତ ମଧ୍ୟରେ ଏମାନଙ୍କର ଆନନ୍ଦର ମଧୁର ଆସ୍ବାଦ ମୋତେ ପ୍ରଥମେ ତିକ୍ତ ବୋଧ ହୋଇଥିଲା କିନ୍ତୁ ତା ତ ହେବା ଉଚିତ୍ ନଥିଲା ଏଠି ଯାହା ଦେଖୁଛି ସେ ତ ଜୀବନ, ଯେଉଁଠାରୁ ଏହିକ୍ଷଣି ଆସିଲି ସେ ବି ତ ଜୀବନ ଯେତେ ଉତ୍ପୀଡ଼ନ ହେଉ ପଛକେ ଜୀବନ ଅବିନଶ୍ବର ଜୀବନ ଏକ ପ୍ରାନ୍ତରେ ଆଘାତପ୍ରାପ୍ତ ହୋଇପାରେ କିନ୍ତୁ ସତ ସତ ପ୍ରାନ୍ତରେ ପୁଣି ପ୍ରସ୍ପୁଟିତ ହୋଇ ଉଠିବ ଏହାହିଁ ଜୀବନ ମରଣଠାରୁ ଶକ୍ତିଶାଳୀ, ତାହା କଣ ତିକ୍ତ ହୋଇପାରେ?
ଆମେ ଯେଉଁମାନେ ଗାରଦରେ ବନ୍ଦୀ ବିଭୀଷିକାର ଭିତରେ ଜୀବନ କଟାଉଛୁ ଆମେ କଣ ଆମ ଜାତୀର ଅନ୍ୟମାନଙ୍କ ଠାରୁ ଭିନ୍ନ ଧାତୁରେ ଗଢ଼ା?
ମଝିରେ ମଝିରେ ପୁଲିସ୍ ଗାଡ଼ିରେ ଚଢ଼ି ମୁଁ ଶୁଣାଣୀକୁ ଯାଉଥିଲି ପ୍ରହରୀର ବ୍ୟବହାର ବେଶ୍ ଭଲ ଥିଲା ଖିଡ଼ିକିଭିତରେ ମୁହଁ ଗଳେଇ ମୁଁ ରାସ୍ତା ଆଡ଼କୁ ଚାହୁଁଥିଲି ଦୋକାନର ସାଜସଜା ଫୁଲଦୋକାନ ବାଟୋଇଙ୍କ ଭୀଡ଼ ସ୍ତ୍ରୀଲୋକ ଦେଖୁଥିଲି ସବୁ ଥରେ ମନକୁ ମନ କହିଲି ଯେତେବେଳେ ନଯୋଡ଼ା ସୁନ୍ଦର ପାଦ ଗଣିବି, ସେଦିନ ଜାଣିବି ଆଉ ମୋତେ ମୃତ୍ୟୁ ଅଦେଶ ହେବନାହିଁ। ତା ପରଠାରୁ ପାଦଗୁଡ଼ିକ ଉପରେ ରହିଲା ମୋର ନଜର ରେଖାମାନ ଯତ୍ନପୂର୍ବକ ବିଚାର କରିବାକୁ ।ପାଦକୁ ଅନେଇବାରେ ଅଦମ୍ୟ କୌତୂହଳ, କାହାରିକୁ ବା ପସନ୍ଦ କରୁଥିଲି, କେଉଁଟା ବା ଭଲ ଲାଗୁନଥିଲା, ସେତେବେଳେ ଟିକିଏ ଭାବୁନଥିଲି ଯେ ତାହାରି ଉପରେ ନିର୍ଭର କରୁଛି ମୋ ଜୀବନ । ସେତେବେଳେ କେବଳ ସୁଗଠିତ ପାଦରେଖା ଉପରେ ମୋର ନଜର । ଜୀବନ ଉପରେ ନୁହେଁ।
ସେମାନେ ମୋତେ ରୋଜ ଡେରିରେ ଗାରଦକୁ ନେଉଥିଲେ। ‘ବାବା ପ୍ରେସେକ୍’ସର୍ବଦା ଭାବୁଥିଲେ ମୁଁ ଆଉ ଫେରି ଆସିବି ନାହିଁ ବୋଲି ,ଫେରିଆସିଲେ ମୋତେ ଜାକି ପକାଉଥିଲେ ଆଉ ମୁଁ ସେଦିନର ଶୁଣା ଖବରମାନ ତାଙ୍କ ନିକଟରେ କହୁଥିଲି ଗତ ରାତିରେ କୋବିଲିସିର ବଧ୍ୟ ଭୂମିରେ କିଏ କିଏ ନିହତ ହେଲେ ସେହି ଖବର। ତାପରେ କ୍ଷୁଧା ଜ୍ବଳାରେ ଶୁଷ୍କ ଶକ ସବ୍ଜୀର ଜଘନ୍ୟ ମେଞ୍ଚାଏ ଖାଉଥିଲେ। କେତେବେଳେ ଆନନ୍ଦରେ ଗୀତ ଗାଉଥିଲେ। କେତେବେଳେ ବା ରାଗରେ ଦୁଃଖରେ ଅବିଭୂତ ହୋଇ ପଶା ଖେଳୁଥିଲୁ କ୍ଷଣକ ପାଇଁ ସେହି ଖେଳରେ ଆମର ମନ ଭୂଲିଯାଏ ସବୁ ଏହିପରି ସଂଧ୍ୟାଟା କଟିଯାଉଥିଲା । କୌଣସି ମୁହୂର୍ତ୍ତର ଗାରଦର କବାଟଟା ଖୋଲିଯାଇପାରେ । ଆମର କାହାରି ମୃତ୍ୟୁଦଣ୍ଡର ପରୱାନା ଆସି ହାଜର ହୋଇଯାଇପାରେ । ‘ ତୁମେ ବା ସେ- ତଳ ମହଲାକୁ ଚାଲ। ସବୁ ଜିନିଷପତ୍ର ନେଇ ଚାଲ ।ଜଲ୍ଦି।’
କିନ୍ତୁ ସାମରିକ ଆଇନ ଚାଲୁଥିବା ସମୟରେ ଆମ ଦୁହିଁଙ୍କ ଭିତରକୁ କାହାରିକୁ ଡାକରା ଆସିଲା ନାହିଁ। ଆମେ ସେହି ଭୀତିପୂର୍ଣ୍ଣ ଯୁଗ କଟେଇ ଆସିଲୁ। ସେତେବେଳେ ଅନୁଭୂତି କଥା ଆଜି ଭାବିଲେ ଆଶ୍ଚର୍ଯ୍ୟ ବୋଧହୁଏ। ମନୁଷ୍ୟ ବି ଅଦ୍ଭୁତ ଭାବରେ ଗଢ଼ା ଅସହନୀୟକୁ ସହିବାର ଶକ୍ତି ଅମାମାନଙ୍କର ଅଛି।
କିନ୍ତୁ ସେଇ ଦିନଗୁଡ଼ିକ ଯେଉଁ ଗଭୀର ଦାଗ ରଖିଗଲା ଆମ ଜୀବନରେ , ତା ତ ପୋଛି ପକେଇହେବ ନାହିଁ। ଆମର ମସ୍ତିଷ୍କର ସୂକ୍ଷ୍ମ ତନ୍ତୁର ନିମ୍ନଭାଗରେ ଚଳଚ୍ଚିତ୍ରର ମୋଡ଼ାଭଳି ସେଗୁଡ଼ିକ ରହିଲା, ପରବର୍ତ୍ତୀ ବାସ୍ତବ ଜୀବନରେ ସେହି ମୋଡ଼ା ଗୁଡ଼ିକ ଖୋଲିଯିବ ଉନ୍ମତ୍ତତାର ରୂପ ନେଇ-ଅବଶ୍ୟ ସେତେଦିନ ପର୍ଯ୍ୟନ୍ତ ଯଦି ବଞ୍ଚିଥାଉ । ଅଥବା ସେହିଦିନଗୁଡ଼ିକ ବିରାଟ କବରଖାନା ହୋଇ ଦେଖାଦେବ ଅଥବା ଶ୍ୟାମଳ ଉଦ୍ୟାନ ଆକାରରେ ମନୁଷ୍ୟ ଜୀବନର ମହାମୂଲ୍ୟ ବୀଜ ପୋତା ହେବ ସେଠାରେ।
ସେହି ମହାମୂଲ୍ୟ ବୀଜରୁ ଅଙ୍କୁର ହେବ, ସେହି ଅଙ୍କୁର ଜୀବନ ହୋଇ ଦେଖାଦେବ ଦିନେ।