ଫ୍ୟାଣ୍ଟଲୁନ୍ ବାନ୍ଧିବା ଫିତାର ଉପକଥା
ମୋର ସାମନା ଗାରଦର ଦୁଆର ପାଖାରେ ପ୍ୟାଣ୍ଟଲୁନ୍ ବାନ୍ଧିବା ଫିତାଗୁଡ଼ାକ ଝୁଲୁଥିଲା। ପୁରୁଷମାନଙ୍କ ବ୍ୟବହାରରେ ସାଧାରଣ ଜିନିଷ।ଏଇ ଜିନିଷଟା କେବେହେଲେ ମୋତେ ଭଲ ଲାଗେ ନାହିଁ। କିନ୍ତୁ ଆଜି ଆମେ ସେଗୁଡ଼ିକ ଆଡ଼କୁ ଚାହିଁ ଆନନ୍ଦ ଲାଭ କରୁଛୁଁ । ଯେତେବେଳେ ଆମର ଗାରଦର କବାଟ ଖୋଲିଯାଏ,ସେଇଆଡ଼କୁ ଅନେଇ ଚାହୁଁ। ସେଗୁଡ଼ିକ ଭିତରେ ଯେପରି କ୍ଷୀଣ ଆଶା ମୁଁ ଦେଖିପାରେ।
ଯେତେବେଳେ ସେମାନେ ତୁମକୁ ଗିରଫ କରନ୍ତି, ତୁମକୁ ପିଟି ପିଟି ଜୀବନକୁ ନାକଦଣ୍ଡିରେ ଆଣି ରଖିପାରନ୍ତି ବା ମାରି ଦେଇପାରନ୍ତି କିନ୍ତୁ ପ୍ରଥମରୁ ସେମାନେ ତୁମର ନେକ୍ଟାଲ, କମରପିଟି, ଆଉ ପ୍ୟାଣ୍ଟଲୁନ୍ ଫିତା କାଢ଼ି ନେବେ ଯେପରି ତୁମେ ବେକରେ ଦେଇନପାର (ଅବଶ୍ୟ ବେକରେ ତଉଲିଆ ବାନ୍ଧି ମରିବା ଭଳି କଥା ଏ) ଯେତେଦିନ ପର୍ଯ୍ୟନ୍ତ କୌଣସି ଛୋଟିଆ ଗେଷ୍ଟାପୋ ଆଦାଲତରୁ ତୁମକୁ ବେଠି ଖଟେଇବା ବା ବନ୍ଦୀ ଶିବିରକୁ ବା ଫାସି ପାଇଁ ଚାଲାଣ କରିବାର ହୁକୁମ ନ ଆସିଛି କେତେଦିନ ପର୍ଯ୍ୟନ୍ତ ମୃତ୍ୟୁର ଏଇ ଯନ୍ତ୍ରଗୁଡ଼ିକ ଜେଲ ଅଫିସରେ ଜମା ଥାଏ। ତାପରେ ତୁମକୁ ଡାକି ଜିନିଷଗୁଡ଼ିକ ବେଶ୍ ଅଫିସ୍ କାଏଦାରେ ଫେରାଇ ଦେବେ- ଇଚ୍ଛା କଲେ ଏଗୁଡ଼ାକ ତୁମେ ଗାରଦକୁ ନେଇପାର। ଗାରଦ କବାଟ ପାଖରେ ସେଗୁଡ଼ାକ ତୁମକୁ ଟାଙ୍ଗି ଦେବାକୁ ପଡ଼ିବ, କେବେ ବା ବାହାର ରେଲିଂରେ ଝୁଲେଇ ଦେବ । ତୁମକୁ ଚାଲାଣ କରିବା ଗାଡ଼ି ଯେତେଦିନ ଯାଏଁ ନ ଛାଡ଼ିଛି, ତେତେଦିନ ଏ ଗୁଡ଼ାକ ଏଇପରି ଝୁଲୁଥିବ। ଗାରଦର ଜଣେ ବାସିନ୍ଦା ଅନିଚ୍ଛାରେ ଚାଲିଯିବା ପାଇଁ ପ୍ରସ୍ତୁତ ହେଉଛି ଏ ଗୁଡ଼ାକ ତାହାର ସାକ୍ଷ୍ୟ ଦେବ।
ଯେଉଁଦିନ ଗୁସ୍ତିତାର ଭାଗ୍ୟ କଥା ଜାଣିପାରିଲି,ସେଇଦିନ ସାମନା ଗାରଦର କବାଟ ପାଖରେ ଦେଖାଦେଲା ଫିତାଗୁଡ଼ାକ। ମୋର ସାମାନ୍ୟ ଗାରଦର ବନ୍ଧୁଟି ମଧ୍ୟ ଯାଉଛି ବେଠି ଖଟିବାକୁ, ଗୁସ୍ତିନା ସାଙ୍ଗରେ ଏକା ଗାଡ଼ିରେ। ସେଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଯାଇନାହାନ୍ତି। ହଠାତ୍ ତାଙ୍କର ଯାତ୍ରା ସ୍ଥଗିତ ହୋଇଯାଉଛି। ସେମାନେ କହନ୍ତି ଯେଉଁଠାକୁ ଯାଉଛନ୍ତି ସେ ସ୍ଥାନ ବୋମାମାଡ଼ରେ ଛିନ୍ଛତ୍ର ହୋଇଯାଇଛି। ସୁଖବର। କେବେ ଯିବେ କିଏ ଜାଣେ, ଆଜି ସନ୍ଧ୍ୟାରେ, ହୁଏତ କାଲି, ହୁଏତ ବା ଏକ ସପ୍ତାହ ବା ଦୁଇ ସପ୍ତାହପରେ । ଫିତାଗୁଡ଼ିକ ଏ ପର୍ଯ୍ୟନ୍ତ ଝୁଲୁଛି। ଯେତେବେଳେ ଯାଏଁ ଏଗୁଡ଼ାକ ଦେଖୁଥିବି, ବୁଝିବି ଗୁସ୍ତିନା ସେତେବେଳେ ଯାଏଁ ପ୍ରେଗ୍ରେ ଅଛି। ସେଥିପାଇଁ ଏଗୁଡ଼ାକ ଆନନ୍ଦ ଓ ସହାନୁଭୂତି ସହକାରେ ଦେଖୁଛି, ଫିତାଗୁଡ଼ାକ ଯେପରି ତାକୁ ସାହାଯ୍ୟ କରୁଛି। ଦିନେ ,ଦୁଇଦିନ, ତିନିଦିନରେ ବିଶ୍ରାମ ତାକୁ ସେମାନେ ଦେଇଛନ୍ତି…କିଏ ଜାଣେ ଏଇ କେତେଟା ଦିନର ମୂଲ୍ୟ କେତେ? ହୁଏତ ତାର ମୁକ୍ତିର ମୁହୂର୍ତ୍ତ ପହଞ୍ଚି ଯାଇପାରେ ଏହାରି ଭିତରେ।
ଏଇପରି ଭାବରେ ଆମେ ଏଠି ବଞ୍ଚିଛୁଁ। ଗତବର୍ଷ, ଗତମାସ, ଆଜି, ଆମର ଆଖି ଖାଲି ଆଗାମୀକାଲି ଆଡ଼କୁ ଚାହିଁ ରହିଛି। କାଲିରେ ହିଁ ଆମର ଆଶା ନିହିତ। ତୁମର ଭାଗ୍ୟ ନିର୍ଦ୍ଦିଷ୍ଟ ହୋଇଯାଇଛି, କାଲି ଛାଡ଼ି ପଅରଦିନ ତୁମକୁ ଗୁଳି କରାହେବ କିନ୍ତୁ ସେଇ ପଅରଦିନ ଭିତରେ ଅନେକ କିଛି ଘଟିଯାଇପାରେ। ଆଗାମୀକାଲି ପର୍ଯ୍ୟନ୍ତ ବଞ୍ଚି ରହ, ସବୁ ହୁଏତ ବଦଳିଯିବ। ସବୁ ଏଇପରି କ୍ଷଣିକ ,କିଏ ଜାଣେ କାଲି କ’ଣ ଘଟିବ? ଆଗାମୀକାଲି ପର୍ଯ୍ୟନ୍ତ ବଞ୍ଚିରହ ହୁଏତ ସବୁ ବଦଳିଯିବ ଆଗାମୀକାଲି ଚାଲିଯାଏ , ହଜାର ହଜାର ମନୁଷ୍ୟ ମରି ପଡ଼ନ୍ତି ତାଙ୍କ ପାଇଁ ଆଉ ଆଗାମୀ କାଲି ରହିଲା ନାଇଁ।କିନ୍ତୁ ଯେଉଁମାନେ ବଞ୍ଚି ରହନ୍ତି, ସେମାନଙ୍କର ଅଶା ଅଦମ୍ୟ-କିଏ ଜାଣେ କାଲି କ’ଣ ଘଟିବ?
ମନର ଏପରି ଅବସ୍ଥାରେ ବାଜେ ଗୁଜବର ସୃଷ୍ଟି ହୁଏ। ପ୍ରତି ସପ୍ତାହରେ ଯୁଦ୍ଧ ସମାପ୍ତିର କାହାଣୀ ଶୁଣାଯାଏ- ଗୋଲାପୀ ସ୍ବପ୍ନ ଜଡ଼ିତ ସେ । ସମସ୍ତେ ହସ ହସ ମୁହଁରେ ସେଇ ଏକା ଗଳ୍ପ କହନ୍ତି- ସେମାନଙ୍କ ହସର ଆଉ ସୀମାନାହିଁ। ପ୍ରତି ସପ୍ତାହରେ ପ୍ୟାନ୍କ୍ରାଟସ୍ରୁ ଏକ ନୂତନ ଆଶାର କାହାଣୀ ଉଠେ, ସମସ୍ତଙ୍କୁ ଚଞ୍ଚଳ କରିଦିଏ। ଆମେ ତାକୁ ବିଶ୍ବାସ କରିଯାଉଁ। ଏହାରି ବିରୁଦ୍ଧରେ ତୁମକୁ ସଂଗ୍ରାମ କରିବାକୁ ହୁଏ, ମିଥ୍ୟାତ ଚରିତ୍ରର ଦୃଢ଼ତା ବଢ଼ାଏ ନାହିଁ, ବରଂ ବହୁତ ପରିମାଣରେ ମନୁଷ୍ୟକୁ ଦୁର୍ବଳ କରିଦିଏ। ଆଶାବାଦ କଦାପି ମିଥ୍ୟାକୁ ଅବଳମ୍ବନ କରି ଚାଲିପାରେ ନାହିଁ, ଚଳିବା ଉଚିତ୍ ମଧ୍ୟ ନୁହେଁ; ସତ୍ୟ ଉପରେ ତାହାରି ଭିର୍ତ୍ତି, ସତ୍ୟହିଁ ଯୁଦ୍ଧ ସମାପ୍ତିର ସ୍ପଷ୍ଟ ଛବି ଆଙ୍କିପାରେ । ଯୁଦ୍ଧ ଶେଷ ହୋଇପାରେ ଏକମାତ୍ର ଉପାୟରେ ସତ୍ୟକୁ ଆଶ୍ରୟ କରି। ସତ୍ୟ ପ୍ରତି ବିଶ୍ବାସ ତୁମ ଅନ୍ତରରେ ଜାଗ୍ରତ ଅଛି। ଆଉ ଏହି ବିଶ୍ବାସ ହିଁ ଦିନେ ନା ଦିନେ ନିଦ୍ଦିଁଷ୍ଟ ରୂପ ନେଇ ଦେଖାଦେବ। ତା ପରେ ଏପରି ଏକ ଦିନ ଆସିବ, ଯେଉଁଦିନ ତୁମେ ଯେଉଁ ଜୀବନ ତ୍ୟାଗ କରିବାକୁ ଘୃଣା କରୁଛ, ଆଉ ଭୀତିପ୍ରଦ ମୃତ୍ୟୁ, ଏହାର ମଧ୍ୟବର୍ତ୍ତୀ ସୀମାରେଖା ପାର ହୋଇଯିବ।
ମନୁଷ୍ୟ ଜୀବନରେ ଦିନସଂଖ୍ୟା ଖୁବ୍ ବେଶୀ ନୁହେଁ। ତେବେ ବି ତୁମେ ତାକୁ କଟାଇବାକୁ ଚାହଁ ଦ୍ରୁତଗତିରେ, ଦ୍ରୁତତର କରିବାକୁ, ଯେତେଦୂର ସମ୍ଭବ ଦ୍ରୁତ କରିବାକୁ। ପଳାୟମାନ ସମୟ, ଅବାଧ୍ୟ ସମୟ ମନୁଷ୍ୟ ଜୀବନର କ୍ଷୟକାରୀ ; ଅଥଚ ସେଇ ଏଠାରେ ତୁମର ପରମ ବନ୍ଧୁ । କି ଅଦ୍ଭୁତ!
ଆଗାମୀ କାଲି ବର୍ତ୍ତମାନ ଗତ। ଆଗାମୀ ପଅରଦିନ ଏଇକ୍ଷଣି ବର୍ତ୍ତମାନ-ସେ ମଧ୍ୟ ଚାଲିଗଲା।ତେବେ ବି ଫିତାଗୁଡ଼ାକ ଝୁଲୁଛି ମୋର ସାମନା ଗାରଦର ଦୁଆର ପାଖରେ ।