ଲିଡ଼ା
ବାକ୍ସାସ୍ଙ୍କ ଘରକୁ ପ୍ରଥମେ ଯେଉଁଦିନ ଗଲି, ସେତେବେଳକୁ ସଞ୍ଜ ହୋଇଯାଇଥାଏ। ଜୋସେ ଏକା ଥିଲା, ଆଉ ଗୋଟିଏ ଛୋଟ ଝିଅକୁ ଦେଖିଲି, ଆଖିରେ ତାର ସଜୀବତା। ତାକୁ ଲିଡ଼ା ବୋଲି ଡାକୁଥିଲେ। ସେ ଏକାବାରେ ପିଲା ମଣିଷ ମୋର ଦାଢ଼ିକୁ ଏକ ଦୃଷ୍ଟିରେ ଚାହିଁ ରହିଥିଲା ଝିଅଟି,ବୋଧହୁଏ ଭାବୁଥିଲା ତାକୁ କିଛି ସମୟ ପାଇଁ ଆନନ୍ଦ ଦେବା ନିମିତ୍ତ ଗୋଟିଏ ନୂଆ ଜୀବ ଆସି ପହଞ୍ଚିଛି।
ଆମ ଭିତରେ ଅଳ୍ପ ସମୟ ମଧ୍ୟରେ ବନ୍ଧୁତ୍ବ ଜମି ଉଠିଲା। ବର୍ତ୍ତମାନ ଜାଣିଲି, ଏଇ ଶିଶୁଟିର ବୟସ ଉଣେଇଶ ବର୍ଷ। ଭାରି ଆଶ୍ଚର୍ଯ୍ୟ ହେଲି। ଜୋସେର ସାବତ ଭଉଣୀ। ତାର ବଂଶର ଉପାଧିକ ପ୍ଲାଚା (ଅର୍ଥ-ଭୀରୁ) ସୌଖିନ ଅଭିନୟ କରିବାରେ ତାର ଝୁଙ୍କ ଭାରି।
ମୁଁ ତାର ବିଶ୍ବାସଭାଜନ ହୋଇଗଲି। ସବୁ ସତ୍ତ୍ବେ ମୁଁ ବୋଧକଲି ଯେ ମୁଁ ପୌଢ଼। ତାର ଯୌବନ ସୁଲଭ ଦୁଃଖ ଆଉ ସ୍ବପ୍ନର କଥା ସେ ମୋ ପାଖରେ କହୁଥିଲା। ତାର ଭଉଣୀ ବା ଭିଣୋଇ କାହା ସହିତ କୌଣସି ବିଷୟରେ ତର୍କ ହେଲେ ସେ ମୋ ପାଖକୁ ମୀମାଂସା ପାଇ ଦୌଡ଼ି ଆସେ। ତରୁଣୀମାନେ ଯେପରି ଗୋପନ ସ୍ବଭାବ ହୁଅନ୍ତି, ସେ ଥିଲା ସେଇପରି, ଆଉ ବେଶୀ ବୟସରେ ପିଲା ହେଲେ ପିଲା ଯେପରି ଗେହ୍ଲା ହୁଅନ୍ତି ସେଇପରି।
ଛ’ମାସ କାଳ ଗୋଟାଏ ଘରେ ରହିବା ପରେ ପ୍ଥଥମ ଯେଉଁଦିନ ବାହାରିଲି ସେ ଥିଲା ମୋର ସଙ୍ଗୀ। ଛୋଟା ବୟସ୍କ ଲୋକଟାଏ ତାର ଝିଅକୁ ସାଙ୍ଗରେ ନାଇ ବୁଲିଲେ ତା ପ୍ରତି ଲୋକଙ୍କ ଦୃଷ୍ଟି ବେଶୀ ପଡ଼େନାହିଁ। ଏକୁଟିଆ ବୁଲିବାଠାରୁ ଏ ଭଲ। ଯେଉଁମାନଙ୍କୁ ଅତିକ୍ରମ କରି ଗଲୁଁ, ସମସ୍ତେ ତା ଆଡ଼କୁ ଚାହିଁଲେ; ମୋ ଆଡ଼କୁ ନୁହେଁ। ସେଇ କାରଣରୁ ମୋର ଭ୍ରମଣ ସମୟରେ ସେ ହେଲା ମୋର ସଙ୍ଗୀ , ପ୍ରଥମେ ଯେତେବେଳେ ଗୁପ୍ତସଭାକୁ ଗଲି ସେ ଥିଲା ମୋ ସାଙ୍ଗରେ । ସେହି କାରଣରୁ ମୋ ପ୍ରଥମ ଗୋପନ ଆଶ୍ରୟ ମଧ୍ୟରେ ସେ ପାଇଥିଲା ପ୍ରବେଶାଧିକାର । ଏହିପରି-ଗେଷ୍ଟାପୋ ଅଭିଯୋଗରେ ବି ଏ କଥା କୁହାଯାଇଛି –ଏହିପରି ଭାବେ ସେ ସହଜେ ହୋଇଥିଲା ମୋର ଗୁପ୍ତ ସମ୍ବାଦବାହିକା।
ସେ ଖୁସି ମନରେ କାର୍ଯ୍ୟ କରିଛି,କାର୍ଯ୍ୟଟା କଅଣ ବା ତାର ତାତ୍ପର୍ଯ୍ୟ ନେଇ ସେ କେବେ ମୁଣ୍ଡ ଘୂରେଇ ନାହିଁ। କାମଟା ନୂଆ, ତାଛଡ଼ା ଗୋଟାଏ ଆକର୍ଷଣ ବି ଅଛି-ସମସ୍ତେ ଏ କାମ କରନ୍ତି ନାହିଁ; ଆଉ ଏଥିରେ ଦୁଃସାହସିକତାର ଆସ୍ବାଦ ଅଛି। ତାର କେବଳ ସେତିକି ଲୋଡ଼ା।
ଯେତେଦିନ ଯାଏଁ ସେ ଛୋଟ ଛୋଟ କାମ କରୁଥିଲା, ତାକୁ ବିଶେଷ କିଛି କହିନାହିଁ। ଯେତେ କମ୍ ଜାଣେ ତେତେ ଭଲ, ଧରା ପଡ଼ିଲେ ନିଜକୁ ଭଲ କରି ସମର୍ଥନ କରିପାରିବ; ସେ ଯଦି ନିଜକୁ ଦୋଷୀ ମନ କରିବ ତା ତ ସମ୍ଭବ ହେବନାହିଁ।
ଲିଡ଼ା ଚଞ୍ଚଳ ଶିଖିଗଲା, ଜେଲିନେକ୍ଙ୍କ ପାଖକୁ ଛୋଟିଆ ଛୋଟିଆ ଖବର ନେଇ ଦୌଡ଼ିବାଠାରୁ ଯେ ଢ଼େର ବେଶୀ ଦାୟିତ୍ବ ବହନ କରିବାକୁ ସମର୍ଥ। ଏଥର ସମୟ ହେଲା ସବୁ ବୁଝେଇ କହିବାର। ମୁଁ ତାକୁ ଶିଖେଇବାକୁ ଆରମ୍ଭ କଲି। ରୀତିମତ ସ୍କୁଲ । ଲିଡ଼ା ଆନନନ୍ଦରେ ଶିଖିଲା, ତାର ଶିଖିବାର ଇଚ୍ଛା ଉଗ୍ର। ବାହାରକୁ ଦେଖିବାକୁ ସେ ରହିଲା ସେଇପରି ପ୍ରଫୁଲ ଚଞ୍ଚଳମତି ବାଳିକା, ଚପଳ; କିନ୍ତୁ ଭିତରେ ଆସିଲା ତାର ପରିବର୍ତ୍ତନ। ସେ ପୂର୍ଣ୍ଣତା ଲାଭ କରିବାକୁ ଯାଉଛି, ଜଭୀର ଭାବେ ଭାବିବାକୁ ଶିଖୁଛି।
ଏଇ କାର୍ଯ୍ୟବଶତଃ ମିରେକ୍ ସଙ୍ଗେ ତାର ପରିଚୟ। ମିରେକ୍ ସେତେବେଳକୁ ଅନେକ କାମ କରିଛି ଆଉ କାମ ବିଷୟରେ ଦୃଢ଼ ରୂପେ କହିବାକୁ ସମର୍ଥ ହେଲାଣି। ସେ ଲିଡାର ମନ ଉପରେ ଗଭୀର ଛାୟାପାତ କଲା। ମିରେକ୍ର ଚରିତ୍ରର ମୂଳଗତ ଲକ୍ଷଣଗୁଡ଼ିକ ସମ୍ବନ୍ଧରେ ହୁଏତ ସେ ବିଚାର କରି ଦେଖିନାହିଁ, ମୁଁ ନିଜେ ମଧ୍ୟ ସେ ଦିଗରୁ ଭୁଲ୍ ବିଚାର କରିଥିଲି। ତାର କାର୍ଯ୍ୟ, ତାର ବିଶ୍ବାସ ଅନ୍ୟାନ୍ୟ ଯୁବକମାନଙ୍କଠାରୁ ଲିଡ଼ାକୁ ତା ନିକଟକୁ ଟାଣିନେଲା।
ପ୍ରେମର ଅଙ୍କୁର ହେଲା ଆଉ ଚେର ମେଲିଲା-ଟାଣ ଚେର।
୧୯୪୨ ସାଲର ପ୍ରଥମ ଭାଗରେ ସେ ପାର୍ଟିର ସଭ୍ୟା ହେବାକୁ ପଚାରିବାକୁ ଆରମ୍ଭ କଲା।ତାର ପ୍ରଶ୍ନରେ ଦ୍ବିଧାଭାବ ଥିଲା। ଆଗେ କେବେ ଏପରି ଦ୍ବିଧାଭାବ ଦେଖିନାହିଁ ତାଠି; ସେ କୌଣସି କଥାକୁ ଏପରି ଗୁରୁତ୍ବ ଦେଇନଥିଲା। ମୁଁ ବିଷୟଟାକୁ ଭାବିଲି ଭଲ ରକମ, ତାର ଶିକ୍ଷା ଚାଲିଲା । ତାକୁ ପରୀକ୍ଷା କରି ଦେଖିବା ତଥାପି ମୋର ଇଚ୍ଛା ଥିଲା।
୧୯୪୨ ସାଲର ଫେବୃୟାରୀ ମାସରେ କେନ୍ଦ୍ରୀୟ ପରିଷଦ ଦ୍ବାରା ସେ ସିଧା ଭୋଟ ପାଇ ପାର୍ଟିରେ ଭର୍ତ୍ତି ହେଲା। ଆମେ ସେ ରାତିରେ ପ୍ରଚଣ୍ଡ ତୁଷାରପାତ ମଧ୍ୟରେ ଘରକୁ ଫେରିଥିଲୁଁ। ସେ ଏକବାରେ ଚପ୍ଚାପ୍, ଅଥଚ ସେଇ ବେଶି ଗପେ ଅନ୍ୟବେଳେ। ଘର ପାଖରେ ଗୋଟାଏ ପଡ଼ିଆ ପାର ହେଉଛୁଁ, ହଠାତ୍ ସେ ଛିଡ଼ା ହୋଇଗଲା। ଚାରିଆଡ଼ ନିସ୍ତବ୍ଧ; ତୁଷାରପାତର ଶବ୍ଦ ପର୍ଯ୍ୟନ୍ତ ଶୁଣାଯାଉଛି। ସେ ଧୀର ସ୍ବରରେ କହିଲା;
ମୁଁ ଜାଣେ ଏ ମୋର ଜୀବନର ଅତି ବିଶିଷ୍ଟ ଦିନ। ଆଉ ମୁଁ ମୋର ନିଜର ହୋଇନାହିଁ।ଆପଣଙ୍କ ନିକଟରେ ଶପଥ କରୁଛି,ଯାହା ଘଟୁ ପଛକେ ମୁଁ ଆପଣମାନଙ୍କୁ ହତାଶ କରିବି ନାହିଁ।’
ତା’ପରେ ଅନେକ ଘଟଣା ଘଟିଲା କିନ୍ତୁ ସେ ଆମକୁ ହତାଶ କରିନାହିଁ। ଉପର ନେତାମାନଙ୍କ ସାଙ୍ଗରେ ଅତିଶୟ ବିଶ୍ବସ୍ତ ଯୋଗାଯୋଗ ସେଇ ରଖୁଥିଲା। ଯେଉଁସବୁ ଦଳ ପାର୍ଟିଠାରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ସେମାନଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ କରିବା କାର୍ଯ୍ୟ ଥିଲା ତାର। ଏ କାମ ସବୁଠାରୁ ବିପଦସଂକୁଳ, ହୁସିଆରି କାମ। କୌଣସି କର୍ମୀକୁ ଆସନ୍ନବିପଦ ପୂର୍ବରୁ ସେ ହିଁ ସାବଧାନ କରି ଦେଉଥିଲା। ଯେତେବେଳେ ଆମର ନେତାମାନେ ବା ଗୁପ୍ତ ଆଡା ବିପଦାପନ୍ନ ହେଉଥିଲା, ଲିଡ଼ା ଇଲ୍ ମାଛ ପରି ଖସିଯାଇ ସବୁ ଠିକ୍ଠାକ୍ କରି ଚାଲିଆସେ। ଆଗପରି ଚଞ୍ଚଳ ସେ , ଚପଳ ସ୍ବଭାବରେ ଛୋଟ ବଡ଼ ସବୁ କାର୍ଯ୍ୟ କରୁଥିଲା। କିନ୍ତୁ ଚପଳତା ତଳେ ଏଥର ଦେଖାଦେଲା ଦୃଢ଼ ଦାୟିତ୍ବବୋଧ।
ଆମର ମାସକ ପରେ ସେ ଗିରଫ ହେଲା। ମିରେକ୍ ତାର ସ୍ବୀକାରୋକ୍ତି ସମୟରେ ତାର ନାମ କହିଲା। ସେମାନେ ଅନୁସନ୍ଧାନ କରି ଜାଣିପାରିଲେ ଯେ ସେ ତାର ଭଉଣୀ ଆଉ ଭିଣେଇଙ୍କି ଗୁପ୍ତ ସ୍ଥାନକୁ ଖସିଯିବାରେ ସାହାଯ୍ୟ କରିଛି। ସେ ମୁଣ୍ଡ ହଲେଇ ଚପଳ ସ୍ବଭାବ ଝିଅର ଭୂମିକାରେ ଅଭିନୟ କରିଯାଉଥିଲା। ସେ ଯେ ବେଆଇନ କାମ ବିଷୟରେ କିଛି ଜାଣେ ନାହିଁ; ଏଇପରି ତାର ଭାବ। ତାର ସାଂଘାତିକ ପରିଣତି ସମ୍ବନ୍ଧରେ ସ ଯେପରି ଅଜ୍ଞ।
ସେ ଆମର ଅନେକ କଥା ଜାଣିଥିଲା,କିନ୍ତୁ କିଛି କହିଲା ନାହିଁ। ସବୁଠୁ ପ୍ରଧାନ କଥା, ସେ କାମ କରି ଚାଲିଥିଲା। ତାର ପରିବେଷ୍ଟନୀ ଆଉ ପଦ୍ଧତି ବଦଳିଗଲା। କାମ ମଧ୍ୟ ଭିନ୍ନ ପ୍ରକୃତିର,କିନ୍ତୁ ସେ କେତେବେଳେ ହାତ ବାନ୍ଧି ବସି ରହିନାହିଁ। ପାର୍ଟି ପ୍ରତି ତାର କର୍ତ୍ତବ୍ୟ ବଦଳି ଯାଇନାହିଁ। ତାକୁ ଯାହା କରିବାକୁ ଦିଆଯାଉଥିଲା ସେ ଚଟାପଟ କରି ଦେଉଥିଲା-ନିର୍ଭୂଲ ଭାବରେ ଓ ଅନୁରକ୍ତିର ସହିତ। ବାହାରର କାହାକୁ ରକ୍ଷା କରିବାକୁ, କୌଣସି ଜଟିଳ ବିଷୟକୁ ସରଳକରିବାକୁ ଲିଡ଼ା ନିରୀହତାପୂର୍ଣ୍ଣ ମୁଖରେ ସେ କାର୍ଯ୍ୟ ନିଜ ଉପରକୁ ନେଇ ଯାଉଥିଲା । ସେ ପ୍ୟାନ୍କ୍ରାଟସ୍ ସ୍ତ୍ରୀ ଲୋକ ବିଭାଗରେ ଜତ୍ତ୍ବାବଧାନକାରିଣୀ ଥିଲା। ବାହାରର କେତେ ଯେ ଅଜଣା ଲୋକଙ୍କୁ ସେ ଖବର ପଠେଇ ଗିରଫ କବଳରୁ ବଞ୍ଚେଇଛି ତାର ଇୟତା ନାହିଁ । ଏକ ବର୍ଷ ଧରି ଏଇପରି ଚାଲିଲା; ପରେ ଦିନ ପରେ ତାର ସେହି ସମ୍ବାଦ- ପ୍ରେରଣ ଧରାପଡ଼ିଲା। ତା ପରଠାରୁ ଏହି ଭୂମିକା ତାର ସାଙ୍ଗ ହେଲା।
ବର୍ତ୍ତମାନ ସେ ଆମ ସାଙ୍ଗରେ ଚାଲିଛି ରାଇଖ୍କୁ । ବିଚାର ହେବ ତାର। ଆମ ମଧ୍ୟରୁ ତାହାରହିଁ କେବଳ ସ୍ବାଧୀନତା ଲାଭ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବାର ନ୍ୟାୟସଙ୍ଗତ କାରଣ ଅଛି। ସେ ତରୁଣୀ, ଆମେ ଯଦି ନ ରହୁ, ତାକୁ ତୁମ୍ଭେମାନେ ଛାଡ଼ିବ ନାହିଁ। ବର୍ତ୍ତମାନ ଅନେକ ବିଷୟ ଶିଖିବାକୁହେବ ତାକୁ। ତାକୁ ଶିକ୍ଷା ଦେବ, ତାର ମନକୁ ପଙ୍ଗୁ ହେବାକୁ ଦିଅ ନାହିଁ, ସେ ଯେପରି ଅହଂକାରୀ ହୋଇ ନ ଉଠେ ବା ଯାହା ସମ୍ପନ୍ନ କରିଛି ସେତିକିରେ ସନ୍ତୁଷ୍ଟ ହୋଇନଯାଏ। ସେ ଅନଳ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଯାଇଛି ଏବଂ ଖାଣ୍ଟି ଧାତୁରେ ଯେ ସେ ଗଢ଼ା ତାର ପ୍ରମାଣ ସେ ଦେଇଛି।