ଫାଶୀ- ଆସାମୀର ଚୋରା-ଚିଠି




ମେ   ୨ ୨ - ୧ ୯ ୪ ୩

 ଦସ୍ତଖତ ଏବଂ ସିଲ୍‌ ମୋହର ହୋଇଯାଇଛି। ଯେଉଁ ବିଚାରକଙ୍କ ଉପରେ ତଦନ୍ତ ଭାର ଥିଲା, ସେ କାଲି ମୋ ସମ୍ବନ୍ଧରେ ରାୟ ଦେଇଛନ୍ତି। ମୁଁ ଭାବିନଥିଲି ଏତେ ଶୀଘ୍ର ମକଦ୍ଦମା ଶେଷ ହୋଇଯିବ ବୋଲି। ସେମାନେ ଟିକିଏ ତରବରରେ କାମ ସାରୁଥିଲା ପରି ବୋଧ ହେଉଛି। ମୋର ସହ-ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି ଲିଡ଼ା ପ୍ଲାଚ ଓ ମିରେକ୍‌। ଦଳ ତ୍ୟାଗ କରି ମଧ୍ୟ ତାର ବିଶେଷ  ସୁବିଧା ହୋଇନାହିଁ।

   ତଦନ୍ତକାରୀ ବିଚାରକଙ୍କ ନିକଟରେ ସବୁ ଜିନିଷ ଉତ୍ତେଜନାଶୂନ୍ୟ ନିର୍ଭୂଲ ରୂପରେ ଦେଖାଦେଲା। ଏପରି ଶୀତଳ ଯେ ଆମେ ଥରି ଉଠିଲୁଁ। କିନ୍ତୁ ଗେଷ୍ଟାପୋର କେନ୍ଦ୍ରସ୍ଥଳରେ  ସମସ୍ତ ଜିନିଷ ବେଶ୍‌ ଜୀବନ୍ତ; ଭୀତପ୍ରଦ ହେଲେ ମଧ୍ୟ ତାହା ଯେପରି ଜୀବନର ଏକ ଅଂଶ ।ସେଠି ଥିଲା ଉନ୍ମାଦନା-ଏକ ଦିଗରେ ସଂଗ୍ରାମଶୀଳର ଉନ୍ମାଦନା, ଆଉ ଅନ୍ୟ ଦିଗରେ ଶିକାରୀର-ହିଂସ୍ର ପଶୁ ବା ସାଧାରଣ ଦସ୍ୟୁ ବୋଲି ତାଙ୍କୁ ଧରା ଯାଇପାରେ। ଅପର ପକ୍ଷରେ ଅନେକଙ୍କର ଗୋଟାଏ ମତବାଦ ଅଛି; କିନ୍ତୁ ହାକିମଙ୍କ ସାମନାରେ ସରକାରୀ କାମ ବ୍ୟତୀତ ଆଉ କିଛି ନାହିଁ। ସେଇ ବିଶାଳକାୟ ଲୋକ, କୋଟରେ ତାର ବକ୍ରାକୃତି କ୍ରୁଶ ଲାଗି ରହିଛି। କ୍ରୁଶ ଯେଉଁ ବିଶ୍ବାସର ପରିଚୟ ଦଉଚି, ତାହା ଲୋକଟାର ଅନ୍ତରରେ ଆଦୌ ନାହିଁ।ସେଇଟା କେବଳ ଗୋଟାଏ ବହିରାବରଣ, ଯାହାର ଅନ୍ତରାଳରେ ତଳିଆ ହାକିମଟି  ଆତ୍ମଗୋପନ କରୁଛି-ଦେଖିଲେ କରୁଣା ହୁଏ। ଏହି ଯୁଗରେ କୌଣସି ରକମ ସେ ବଂଚି ରହିବାକୁ ଚେଷ୍ଟିତ। ଅଭିଯୁକ୍ତ ବ୍ୟକ୍ତିମାନେ ତାହାକୁ ଭଲ କହନ୍ତି ନାହିଁ,ମନ୍ଦ ବି କହନ୍ତି ନାହିଁ। ତା ମୁହଁରେ ହସ ନାହିଁ,କି ମୁଖ ବିକୃତି ମଧ୍ୟ ନାହିଁ। କେବଳ ମାତ୍ର ସରକାରୀ କର୍ତ୍ତବ୍ୟ ସେ କରିଚାଲିଛି। ରକ୍ତ ପରିବର୍ତ୍ତେ ତାର ଶିରା ପ୍ରଶିରାରେ କ୍ଷୀଣ ଜଳାଧାରା ପ୍ରବାହିତ।

   ସେମାନେ ସାକ୍ଷ୍ୟ ପ୍ରମାଣଗୁଡ଼ାକ ନକଲ କଲେ, ଆଇନରୁ କାଣ୍ଡିଏ କାଣ୍ଡିଏ ବୋଲିଲେ ଆଉ ଦସ୍ତଖତ ମାରିଲେ। ବିଶ୍ବାସଘାତକତାର ଛଅଟି ଅଭିଯୋଗ ଅଣାହୋଇଥିଲା,ରାଇଖ୍‌ ବିରୁଦ୍ଧରେ ଷଡ଼ଯନ୍ତ୍ର, ସଶସ୍ତ୍ର ବିଦ୍ରୋହ ନିମିତ୍ତ ଉଦ୍‌ଯୋଗ-ଏହିପରି ଛଅଟି-ମୋତେ ସବୁ ମଧ୍ୟ ଜଣାନାହିଁ। ଏ ମଧ୍ୟରୁ ଗୋଟାଏ ହେଲେ ବି ଯଥେଷ୍ଟ।

   ତେରମାସ ହେଲା ଏଠି ମୁଁ ମୋର ଓ ଅନ୍ୟମାନଙ୍କର ଜୀବନ ପାଇଁ ଲଢ଼ୁଛି, କେତେବେଳେ ତେଜର ସହିତ, କେତେବେଳେ ବା କୌଶଳ ଅବଲମ୍ବନ କରି। ତାଙ୍କ ପାର୍ଟିର ବକ୍ତୃତା ମଞ୍ଚରୁ ନର୍ଡ଼ିକ୍‌ କୌଶଳର କଥା ଶୁଣାଯାଏ। କିନ୍ତୁ ମୋର ମନେହୁଏ ସେ ଦିଗରୁ ମୁଁ ତାଙ୍କୁ ପରାସ୍ତ କରିଛି। ମୁଁ ଯେ ଆଜି ପରାଜିତ ହୋଇଛି ତାର କାରଣ ଏକେ ଶଠତା, ତା ପରେ ତାଙ୍କ ହାତରେ ଅଛି ହତିଆର।

    ସେ ଦ୍ବନ୍ଦଯୁଦ୍ଧ ସରିଯାଇଛି। ଏଇକ୍ଷଣି କେବଳ ମାତ୍ର ପରୀକ୍ଷା। ଅଭିଯୋଗର ଫଳାଫଳ ବାହାରିବାକୁ ଦୁଇ  ତିନି ସପ୍ତାହ ବାକି। ତାପରେ ରାଇଖ୍‌କୁ ଯାତ୍ରା, ବିଚାର ନିମିତ୍ତ ପ୍ରତୀକ୍ଷା , ଦଣ୍ଡାଦେଶ, ଅବଶେଷରେ ଫାସି ପାଇଁ ଶହେଦିନର ପ୍ରତୀକ୍ଷା। ଏଇ ହେଲା ମୋର ଚାରି ପାଞ୍ଚବର୍ଷର  ଭବିଷ୍ୟତ। ଏ ସମୟ ମଧ୍ୟରେ ଅନେକ କଥା ଘଟି ଯାଇପାରେ, ସମସ୍ତ ଜିନିଷ ବଦଳିଯାଇପାରେ। ବୋଧହୁଏ ତା ସମ୍ଭବ ହୋଇପାରେ। ଏଠି ରହି  କିଛି ଅନୁମାନ କରି ପାରୁନାହିଁ । ବାହାରର ଘଟଣା ପ୍ରବାହର ଦ୍ରୁତ ପରିବର୍ତ୍ତନ ପୁଣି ଆମର ଅନ୍ତିମ କାଳକୁ ନିକଟବର୍ତ୍ତୀ କରିଦେଇପାରେ।ତେଣୁ ଆମ୍ଭମାନଙ୍କର କୌଣସି ସାହାଯ୍ୟରେ ଆସିବ ନାହିଁ।

    ଯୁଦ୍ଧ ଆଉ ଆଶା ମଧ୍ୟରେ ଏ ଏକ ଦୌଡ଼ ଚାଲିଛି।ଏକ ରକମ ମୃତ୍ୟୁ ସଂଗରେ ଆଉ ଏକ ରକମର ମୃତ୍ୟୁର ଦୌଡ଼। କିଏ ଆଗ ଉପସ୍ଥିତ ହେବ- ଫାଶିଜମ୍‌ର ମୃତ୍ୟୁ ନା ମୋର ମୃତ୍ୟୁ ? ଏ କଣ କେବଳ ମୋର ବ୍ୟକ୍ତିଗତ ପ୍ରଶ୍ନ ? ନା, ନା, ହଜାର ହଜାର ବନ୍ଦୀ, ଲକ୍ଷ ଲକ୍ଷ ସୈନିକ ଏହି ଏକା ପ୍ରଶ୍ନ  ପଚାରୁଛନ୍ତି। ସାରା ଇଉରୋପର ଲକ୍ଷ ଲକ୍ଷ ଲୋକଙ୍କ ମୁଖରେ, ସାରା ପୃଥିବୀରେ ଏହି ଏକା ପ୍ରଶ୍ନ । କାହାର ବେଶୀ ଆଶା, କାହାର ବା କମ୍‌। କିନ୍ତୁ ପ୍ରକୃତ କଥା କହିବାକୁ ଗଲେ, ଏହା ଭ୍ରାନ୍ତିପୂର୍ଣ୍ଣ । ପୁଞ୍ଜିବାଦର ଶେଷ ପ୍ରହର ପୃଥିବୀକୁ ଗ୍ରାସ କରିବାରେ ଯେଉଁ ବିଭୀଷିକା ଦେଖା ଦେଇଛି, ସେଥିରେ ପ୍ରତ୍ୟେକ ଉପରେ ବିପଦର ଆଶଙ୍କା ଆସିଛି- ଚରମ ବିପଦରେ କେତେ ଶତ ସହସ୍ର ଲୋକ ମରିବେ-ଆଃ କେତେ ଚମତ୍କାର ଲୋକ-ତେବେ ଯାଇ ଯେଉଁମାନେ ରହିବେ ସେମାନେ କହିପାରିବେ ଆମେ ଫାଶିଜିମ୍‌ କବଳରୁ ବର୍ତ୍ତିଲୁଁ।

 ଏ କେତେକ ମାସର ବ୍ୟାପାର, ଅବିଳମ୍ବେ ଏ କେତେକ ଦିନର ବ୍ୟାପାର ହୋଇ ଉଠିବ। କିନ୍ତୁ ନିଷ୍ଠୁରତମ ହୋଇ ଉପସ୍ଥିତ ହେବ  ସେ ଦିନଗୁଡ଼ିକ। କେତେଥର ଭାବିଛି ଯୁଦ୍ଧର ଶେଷ ମୁହୂର୍ତ୍ତରେ ଶେଷ ଗୁଳିଚୋଟ ଖାଇ ଯେଉଁ ସୈନିକଟି ଟଳିପଡ଼େ, ତାର ଭାଗ୍ୟ କେତେକ ନିଦାରୁଣ।କିନ୍ତୁ ସେ ଶେଷ ସୈନିକ, ତେବେ ତ ଏଇ ମୁହୂର୍ତ୍ତରେ ଚାଲିଯାଆନ୍ତି?

    ପ୍ୟାନ୍‌କ୍ରାଟସ୍‌ରେ ଆଉ ବେଶୀଦିନ ମୋତେ ରହିବାକୁ ପଡ଼ବନି। ତେଣୁ ଏ ଲେଖାଗୁଡ଼ିକୁ ଯେପରି ରୂପ ଦେବାକୁ ଭାବିଥିଲି  ତାହା ହୋଇପରିଲା ନାହିଁ। ମୁଁ ଆହୁରି ସଂକ୍ଷିପ୍ତ କରି ଲେଖିବି। ଲୋକଙ୍କର ଚରିତ୍ରଗୁଡ଼ିକ ପ୍ରତି ନଜର ଦେବାକୁ ହେବ ଅଧିକ, ଇତିହାସର ପର୍ଯ୍ୟାୟ କଥା କମ୍‌। ସେହି ବ୍ୟକ୍ତିମାନେ ହିଁ ଅଧିକ ପ୍ରୟୋଜନୀୟ।

  ମୁଁ ଜେଲିନେକ୍‌ ଦମ୍ପତିଙ୍କ ବର୍ଣ୍ଣନା ଆରମ୍ଭ କରିଥିଲି। ସରଳ ଲୋକ, ସ୍ବାଭାବିକ ସମୟରେ ଏମାନଙ୍କ ବୀରତ୍ବର ସତ୍ତା ମିଳିନଥାନ୍ତା।ସେମାନଙ୍କର ଗିରଫଦାରି ସମୟରେ ସେମାନେ ପାଖକୁ ପାଖ ଛିଡ଼ା ହୋଇଥିଲେ, ହାତ ମୁଣ୍ଡ ଉପରକୁ ଉଠିଛି-ଜେଲିନେକ୍‌ ମ୍ଳାନ, ଆଉ ତାଙ୍କ ପତ୍ନୀଙ୍କ ମୁହଁରେ ଯକ୍ଷ୍ମାରୋଗୀପରି ରକ୍ତାଭ ଆଭାସ। ତାର ଆଦର୍ଶ ଘରକରଣାକୁ ଯେତେବେଳେ ଗେଷ୍ଟାପୋମାନେ ପାଞ୍ଚମିନିଟ୍‌ ମଧ୍ୟରେ ଛିନ୍‌ଛତ୍ର କରିଦେଲେ ସେତେବେଳେ ତାହାର ଚକ୍ଷୁରେ ଭୟର ସଞ୍ଚାର ଦେଖାଦେଇଥିଲା। ତାପରେ, ସେ ଆସ୍ତେ ଆସ୍ତେ ମୁହଁ ବୁଲେଇ ତାର ସ୍ବାମୀକୁ ପଚାରିଲା ।

 ଜୋ, ଏଇକ୍ଷଣି କଣ ହେବ?

  ଜେଲନେକ୍‌ କେବେ ବେଶୀଗୁଡ଼ାଏ ବକେ ନାହିଁ। କଥା ପାଇଁ ତାହାକୁ ଚିରଦିନ ଖୋଜିବାକୁ ପଡ଼େ। କଥାବାର୍ତ୍ତାରେ ସେ ଉତ୍ତେଜିତ ହୋଇଉଠେ। କିନ୍ତୁ ଆଜି ସେ ଶାନ୍ତ ସ୍ବରରେ ଉତ୍ତର ଦେଲା, କୌଣସି ଚେଷ୍ଟା ବା ଶୋଚନା ପ୍ରକାଶ ପାଇଲା ନାହିଁ।

   ମେରୀ, ଏଥର ଆମେ ମରିବାକୁ ଯିବୁଁ।

  ଜେଲିନେକ୍‌ ପତ୍ନୀ ଚିତ୍କାର କରି ଉଠିଲା ନାହିଁ ବା ଟିକିଏ କମ୍ପିତ ହେଲାନାହିଁ। କମନୀୟ ଭଙ୍ଗୀରେ ସେ ତାର ଡାହାଣ ହାତ ତଳକୁ ଆଣି ସ୍ବାମୀର ହାତକୁ ଚାପି ଧରିଲା,ପିସ୍ତଲ ନଳୀର ସାମନାରେ ଛିଡ଼ା ହୋଇ ମଧ୍ୟ । ତାର ପୁରସ୍କାର ପାଇଲେ ସେମାନଙ୍କ ମୁହଁରେ ପ୍ରଥମ ଆଘାତ,ଜେଲିନେକ୍‌ ପତ୍ନୀ ତାର ଗାଲ ପୋଛି ପକାଇ ଚଢ଼ଉକାରୀମାନଙ୍କର ଆପାଦମସ୍ତକ ଚାହିଁନେଲା, ତାପରେ ରସିକତା କଲାପରି କହିଉଠିଲା;

   ‘ଏଡ଼େ ସୁନ୍ଦର ଭେଣ୍ଡିଆ ଗୁଡ଼ିକ’। ସେ ଟିକିଏ ଉଚ୍ଚସ୍ବରରେ କହିଲା,‘ଏଡ଼େ ସୁନ୍ଦର ଅଥଚ ଏପରି ପଶୁ!’

   ନିର୍ଭୂଲତାର ବିଚାର। କେତେକ ଘଣ୍ଟା ପରେ ସେମାନେ ତାଙ୍କୁ ‘ ତଦନ୍ତକାରୀ କମିସନର’ଙ୍କ ଅଫିସରୁ ବାହାରକରି ଆଣିଲେ। ମାଡ଼ ହେତୁରୁ ପ୍ରାୟ ଅଚେତନ ଅବସ୍ଥାରେ କିନ୍ତୁ ମାଡ଼ ଦେଇ କୌଣସି କଥା ତା ନିକଟରୁ ଆଦାୟ କରିପାରିଲେ ନାହିଁ। ସେତେବେଳେ ବା ତାପରେ ସେ କିଛି କହିନାହିଁ।

  ଶୁଣାଣିର ଅନୁପଯୁକ୍ତ ହୋଇ ଗାରଦରେ ମୁଁ ଯେତେବେଳେ ପଡ଼ିରହିଲି ତା ଭିତରେ ତାଙ୍କର କଣ ଘଟିଛି ମୁଁ ଜାଣେନାହିଁ। ତେବେ ଏଇତକ ଜାଣେଁ,ସେମାନେ କିଛି ପ୍ରକାଶ କରି ନାହାନ୍ତି। ସେମାନେ ମୋର ନିର୍ଦ୍ଦେଶର ଅପେକ୍ଷା କରୁଥିଲେ। ଜେଲିନେକ୍‌କୁ କେତେଦିନ ହାତଗୋଡ଼ ଏକାଠି ବାନ୍ଧି ସେମାନେ ଅବିଶ୍ରାନ୍ତ ବାଡ଼େଇଛନ୍ତି, କିନ୍ତୁ ମୋତେ ସେଠିକି ନ ନେବା ପର୍ଯ୍ୟନ୍ତ ଗୋଟିଏ ବୋଲି କଥା ସେ କହିନାହିଁ। ମୁଁ ଚକ୍ଷୁର ସଂକେତରେ ମଝିରେ ମଝିରେ ଜଣେଇଛି,ଆମର ଏଇ ଜେରାରୁ ମୁକୁଳିବାକୁ କେତେ ପରିମାଣରେ  କଥା କହିବା ଦରକାର। ତାର ସ୍ତ୍ରୀ ପରର ଦୁଃଖ କହିପାରେ ନାହିଁ, ଆଉ ସହଜରେ ଦୟା-ବିଗଳିତ ହୋଇପଡ଼େ ବୋଲି ଗ୍ରେପ୍ତାର ହେବା ଆଗରୁ ଜାଣିଥିଲି। କିନ୍ତୁ ଗୋଷ୍ଟାପୋ ଘାଟିରେ କେତେବେଳେ ତାର ଚକ୍ଷୁରେ ଜଳ ଦେଖିନାହିଁ। ତାର ଘରଟି ଥିଲା ତାର ଗର୍ବର ବସ୍ତୁ। କିନ୍ତୁ ଯେତେବେଳେ ବାହାରେ ଥିବା କମ୍‌ରେଡ଼୍‌ମାନେ ସାନ୍ତ୍ବନା ଦେବା ପାଇଁ ଖବର ପଠାଉଥିଲେ  ଯେ କିଏ ତାଙ୍କର ଅସବାବପତ୍ର ଚୋରି କରିଛନ୍ତି ତାହା ସେମାନେ ଜାଣନ୍ତି ଓ ତାଙ୍କ ଉପରେ ସର୍ବଦା ନଜର ରଖୁଛନ୍ତି, ସେ ଉତ୍ତର ଦେଇଥିଲା…

   ଚୁଲିକି ଯାଇ ସେ ଆସବାବପତ୍ର। ଏଇସବୁ କଥାରେ ମୁଣ୍ଡ ଘୂରେଇ ସମୟ  ନଷ୍ଟ କରନାହିଁ। ଅନେକ ବଡ଼ ବଡ଼ କାମ କରିବାକୁ  ରହିଛି। ଆମେ ଚାହୁଁ-ଆମର ସ୍ଥାନ ପୂର୍ଣ୍ଣ କରିବାକୁ ସେମାନଙ୍କୁ ବର୍ତ୍ତମାନ ଦିଗୁଣା କାମ କରିବାକୁ ପଡ଼ିବ। ଆଗେ ଏଇ ଜାଗାଟାକୁ ଘଷି ମାଜି ସଫା କରିବାକୁ ପଡ଼ିବ, ତାପରେ ଯଦି ବଂଚିରହେ, ତେବେ ମୋ ନିଜ ଘରର ବ୍ୟବସ୍ଥା ମୁଁ ନିଜେ କରିପାରିବି।

  ଦିନେ ସେମାନେ ଜେଲିନେକ୍‌ ଦମ୍ପତିଙ୍କୁ ନେଇଗଲେ, ଦୁଇଜଣଙ୍କୁ ଦୁଇ ବିଭିନ୍ନ ସ୍ଥାନକୁ। ସେମାନଙ୍କର ଭାଗ୍ୟ କଣ ହେଲା ବୁଝିବାକୁ ଚେଷ୍ଟା କରିଛି,ବୃଥାରେ, କାରଣ ଗେଷ୍ଟପୋଙ୍କ ହାବୁଡ଼ରେ ପଡ଼ିଲେ କେତେ ଲୋକ ହଠାତ୍‌ ଅନ୍ତର୍ଦ୍ଧାନ ହୋଇଯାଆନ୍ତି-ହଜାର ହଜାର କବର ତଳେ ସେମାନେ ବିଛୁଡ଼ି ପଡ଼ନ୍ତି। ଏହି ଯେ ଭୟାନକ ବୀଜ ବୁଣାହେଲା,ଏଥିରୁ ଦିନେ କି ରକମ ଫସଲ ଫଳିବ, କହ ଦେଖି।

  ଜେଲିନେକ୍‌ ପତ୍ନୀର ଶେଷବାଣୀ;

କର୍ତ୍ତା, ବାହାରେ ସେମାନଙ୍କୁ କହିବେ, ମୋ ପାଇଁ ଦୁଃଖ କରିବେ ନାହିଁ। ମୋର ଆଦୃଷ୍ଟ ଦେଖି ଘାବରେଇ ଯିବେ ନାହିଁ। କର୍ମୀ ଭାବରେ ମୋର କର୍ତ୍ତବ୍ୟ ମୁଁ କରିଛି ଏବଂ ଏଥର ମରିବି ମଧ୍ୟ ସେହିପରି ଭାବରେ ।

   ସେ ଥିଲା ସାମାନ୍ୟ‘ଘରଣୀ’। ବେଶୀ ଲେଖାପଢ଼ା କେବେ ପାଇନଥିଲା ସେ ଜାଣି ନଥିଲା ବହୁ ଶତାବ୍ଦୀ ଆଗର ସେହି ବୀରତ୍ବବ୍ୟଞ୍ଜକ ବାଣୀ।

  ଯାତ୍ରୀ , ଲ୍ୟାକ୍‌ଡେମୋନିୟାନଙ୍କୁ କହିବ, କର୍ତ୍ତବ୍ୟର ଦାବି ପରିଶୋଧ କରିବାକୁ ଆମ୍ଭେମାନେ ଏଠାରେ ସତ୍ୟ ବରଣ କଲୁଁ।




+ -

© Jataayu Charitable Trust
Site designed,developed & maintained by Tekons