ଜେଲିନେକ୍ ଦମ୍ପତି
ଜୋସେଫ୍ ଓ ମେରୀ! ଜୋସେଫ୍ ମଟର କଣ୍ଡକ୍ଟର ଆଉ ମେରୀ ଗୋଟିଏ କିରାଣୀ। ସେମାନଙ୍କର ଛୋଟ ଘରଟି ଦେଖିବା ଯୋଗ୍ୟ। ଆଧୁନିକ ସରଳ ଅନାଡ଼ମ୍ବର ଅସବାବପତ୍ର, ଗୋଟାଏ ବହିଥାକ ,ମୂର୍ତ୍ତି,କାନ୍ଥରେ ଛବି-ଆଉ ଏତେ ପରିଷ୍କାର ପରିଚ୍ଛନ୍ନ ତୁମ ତା ଧାରଣା କରିପାର ନାହିଁ। ତୁମେ ଦେଖିଲେ କହିବମେରୀର ସମସ୍ତ ସତ୍ତା ଯେପରି ସେହି ଘରଟିରେ ଆବଦ୍ଧ, ବାହାର ଦୁନିଆର ସେ କିଛି ଜାଣେ ନାହିଁ। କିନ୍ତୁ ବହୁଦିନ ଧରି ସେ ଏକନିଷ୍ଠ କର୍ମୀ, ନୀରବରେ କାମ କରିଯାଇଛନ୍ତି। ଆକ୍ରମଣ ସମ଼ୟରେ ସେମାନଙ୍କ ଉପରେ ଗୁରୁ ଚାପପଡ଼ିଲେ ସୁଦ୍ଧା ପଛେଇ ଯାଇନାହାନ୍ତି।
ତିନିବର୍ଷକାଳ ଛପି ରହିବ ପରେ ଦିନେ ପୁଲିସ ଆସି ତାଙ୍କ ଘର ଭାଙ୍ଗି ପଶିଲା। ଲଗାଲଗି ହୋଇ ମୁଣ୍ଡ ଉପରକୁ ହାତ ଟେକି ଛିଡ଼ାହେଲେ ସେମାନେ-ମର୍ମ୍ମସ୍ପର୍ଶୀ ସେ ଦୃଶ୍ୟ।
ମେ, ୧୯, ୧୯୪୩
ଆଜି ରାତିରେ ମୋର ଗୁସ୍ତିନାକୁ ସେମାନେ ପୋଲାଣ୍ଡକୁ ନେଇଗଲେ ‘ଶ୍ରମ ଲାଗି’। ନେଇଗଲେ ଦାସତ୍ବ ଜକରେ ବାନ୍ଧିବାକୁ , ଟାଇଫ୍ଏଡ଼ରେ ତାର ମୃତ୍ୟୁ ଘଟାଇବାକୁ। ସେ ଆଉ କେତେକ ସପ୍ତାହ ମାତ୍ର ବଞ୍ଚିବ,ସମ୍ଭବତଃ ଦୁଇ ବା ତିନି ମାସ। ମୋର ମକଦ୍ଦମା ବି ଏଥର ଅଦାଲତକୁ ଯାଉଛି। ପ୍ୟାନକ୍ରାଟସ୍ରେ ଆହୁରି ପ୍ରାୟ ଚାରି ସପ୍ତାହ ଜମାନବନ୍ଦୀ ଚାଲିବ, ତାପରେ ଅନ୍ତିମ ଦିନ ଆଉ ଦୁଇ ତିନି ମାସ ପରେ । ଏହି ଲେଖାର ଆଉ ସମାପ୍ତି ହେବନାହିଁ। ଯାହା ପାରିବି ଏହି କେତେଦିନ ମଧ୍ୟରେ ସୁଯୋଗ ପାଇଲେ ଲେଖିଯିବାକୁ ଚେଷ୍ଟା କରିବି। କିନ୍ତୁ ଆଜି ଲେଖିବାକୁ ମୁଁ ଅକ୍ଷମ। ଗୁସ୍ତିନା ଆଜି ମୋର ମନ ଓ ହୃଦୟକୁ ଆଚ୍ଛନ୍ନ କରି ରଖିଛି। ଉଦାର ,ସହାନୁଭୂତିପ୍ରବଣ ତାର ମନ ଏ ଜୀବନରେ ଗଭୀରତା ଥିଲା ସତ କିନ୍ତୁ ପ୍ରକୃତ ପକ୍ଷରେ ଶାନ୍ତି ଯାହାକୁ କହନ୍ତି ତା ତ ପାଇନାହିଁ। ଅଥଚ ତାହାର ବନ୍ଧୁତ୍ବ ଥିଲା ମୋର ଏହି ଜୀବନରେ ଅମୂଲ୍ୟ, ଏକନିଷ୍ଟ।
କେତେ ସନ୍ଧ୍ୟାରେ ସେ ଯେଉଁ ଗୀତ ସବୁଠୁ ଭଲପାଏ ମୁଁ ଗାଇଛି। ଷ୍ଟେପିଜ୍ର ନୀଳାଭ ତୃଣର ଗୀତ, ତୃଣଦଳ ଚୁପ୍ଚୁପ୍ ଗାଉଛନ୍ତି ମୁକ୍ତିବାହିନୀର ସଂଗ୍ରାମର ଗୌରବମୟ ଗାଥା। କୋସାକ୍ ରମଣୀର କଥା, କିପରି ସେ ସ୍ବାମୀ ପାଖରେ ଛିଡ଼ା ହୋଇ ସ୍ବାଧୀନତା ସଂଗ୍ରାମ କଲା,ତାର ବୀରତ୍ବ କାହାଣୀ,ତାପରେ ଲଢ଼େଇ ପରେ କିପରି ତାକୁ ଆଉ ମାଟିରୁ ସେମାନେ ଉଠାଇ ନାହିଁ।
ହେ ମୋର ସାହାସିକ କମ୍ରେଡ଼, ସେହି କ୍ଷୁଦ୍ର ଅଙ୍ଗରେ , ସେହି ସୁଠାମ ମୁଖମଣ୍ଡଳରେ କିପରି ଧାରଣ କରିଛ ଏତେ ଶକ୍ତି। ସେହି ଆୟତ ପିଲାଳିଆ ନୟନରେ କି କୋମଳତା! ଏହି ଅକ୍ଳାନ୍ତ ସଂଗ୍ରାମରେ ବିରହ ଆସିଛି ପ୍ରାୟ ସର୍ବଦା, ତାହାହିଁ ଆମକୁ ଶାଶ୍ବତ ପ୍ରେମିକ ପ୍ରେମିକା କରି ରଖିଛି। ପ୍ରଥମ ମିଳନ ଆଉ ପ୍ରଥମ ସୋହାଗର ଉତ୍ତେଜନାମୟ ମୁହୂର୍ତ୍ତମାନ କେତେଶତ ଥର ଆଉ ଆସିଛି ଆମ ଜୀବନରେ ! ଏକ ନାଡ଼ୀର ସ୍ପନ୍ଦନ ଉଠିଛି ଦୁଇ ହୃଦୟରେ, ଏକ ନିଶ୍ବାସ ନେଇଛୁଁ ଶାନ୍ତି, ଉଦ୍ବେଗରେ, ଉତ୍ତେଜନା ବା ଦୁଃଖରେ ।
ବର୍ଷ ବର୍ଷ ଧରି ଏକ ସଙ୍ଗରେ କାମ କରିଛୁଁ, ପରସ୍ପରକୁ ସାହାଯ୍ୟ କରିଛୁଁ, ବନ୍ଧୁ ଯେପରି ବନ୍ଧକୁ ସାହାଯ୍ୟ କରେ ସେହିପରି। ବର୍ଷ ବର୍ଷ ଧରି ସେ ଥିଲା ମୋର ଲେଖାର ପ୍ରଥମ ପାଠିକା ଓ ସମାଲୋଚକ। ମୋର ଲେଖା ଉପରେ ତାହାର ଦୃଷ୍ଟି ଅନୁଭବ ନ କରି ମୁଁ କେବେ ଲେଖିପାରୁନଥିଲି। ବର୍ଷ ବର୍ଷ ଧରି ସଂଗ୍ରାମରେ ଛିଡ଼ା ହୋଇଛୁ ପାଖକୁପାଖ। ସେହି ସଂଗ୍ରାମରେ ଆମର ଜୀବନ ସମୃଦ୍ଧ ହୋଇଉଠିଛି। ଆମର ପ୍ରିୟ ଜନ୍ମଭୂମିରେ ହାତ ଧରାଧରି ହୋଇ ଆମେ ଘୁରିଛୁଁ ବର୍ଷ ପରେ ବର୍ଷ । ବହୁ ସଙ୍କଟ ପାର ହୋଇ ଆସିଛୁଁ ଆମେ, ବହୁ ଆନନ୍ଦର ମୁହୂର୍ତ୍ତ ବି କଟାଇ ଆସିଛୁଁ କାରଣ ଆମେ ଧନଶାଳୀ ଦରିଦ୍ରର ପରମ ଐଶ୍ବର୍ଯ୍ୟରେ ଆମର ଅନ୍ତର ଧନୀ।
ଗୁସ୍ତିନା? ମୋର ଗୁସ୍ତିନା କଣ ତାହା ଏଇଥିରୁ ଜାଣ; ବର୍ଷକ ଆଗେ ଜୁନ୍ ମାସର ଅଧାଅଧିରେ ସାମରିକ ଆଇନ ଜାରି ହେଲା। ଆମର ଗିରଫ ହେବାର ଛଅ ସପ୍ତାହ ପରେ ତାର ମୋର ପ୍ରଥମ ସାକ୍ଷାତ-ଏ ମଧ୍ୟରେ ଯେଉଁ ଦୁର୍ଯୋଗର ଦିନମାନ ସେ କଟେଇଛି ଗାରଦର ନିଃସଙ୍ଗତାରେ, ମୋର ମୃତ୍ୟୁ ସମ୍ବନ୍ଧରେ ନାନା ଗୁଜବ ଶୁଣି। ତାକୁ ସେମାନେ ନେଇ ଆସିଥିଲେ ମୋର ମନର ଟାଣ ଭାଙ୍ଗି ଦେବାକୁ।
‘ତାକୁ ଟିକିଏ ବୁଝେଇ ଦିଅ।’ ବିଭାଗୀୟ କର୍ତ୍ତା ଆମକୁ ସାମନାସାମନି ବସେଇ ଦେଇ କହିଲେ –“ତାଙ୍କୁ ଅବୁଝା ନ ହେବାକୁ କୁହ। ନିଜ କଥା ନଭାବୁ ପଛକେ, ଅନ୍ତତଃ ତମ କଥା ଭାବିବାକୁ କୁହ। ତମକୁ ମୁଁ ଏ କଥା ଭାବିବାକୁ ଏକ ଘଣ୍ଟା ସମୟ ଦେଲି। ତେବେ ବି ଯଦି ଜିଦ୍ ଧର , ତାହାହେଲେ ଆଜି ରାତିରେ ଗୁଳି କରାହେବ-ତୁମ ଦି’ଜଣଙ୍କୁ।”
-କମିସନର, ଏଇ କଥାକୁ ମୋର ଡ଼ରନାହିଁ, ବରଂ ତାହାହିଁ ମୋର ଶେଷ ଓ ସର୍ବଶ୍ରେଷ୍ଠ କାମନା। ତାଙ୍କୁ ଯଦି ହତ୍ୟା କରାହେବ, ମତେ ମଧ୍ୟ ହତ୍ୟା କର।
ଏଇ ମୋର ଗୁସ୍ତିନା-ଗଭୀର ପ୍ରେମ ଆଉ ଶକ୍ତିର ଭଣ୍ଡାର।ସେମାନେ ଆମକୁ ହତ୍ୟା କରିପାରନ୍ତି, ପାରିବେ ନାହିଁ କି ଗୁସ୍ତିନା? କିନ୍ତୁ ଆମର ପ୍ରେମ ବାସ ସମ୍ମାନ ତ ଆଉ କାଢ଼ିନେଇପାରିବେ ନାହିଁ।
ତୁମେ ଜଣେ କଳ୍ପନା କରିପାରିବ, ଏଇସବୁ ପାର ହୋଇ ଆମର ଏଠାରେ ପୁଣି ମିଳନ ହୁଏ, କିପରି ହେବ ସେ ଜୀବନ? ସେଇ ସ୍ବାଧୀନ ଜୀବନରେ ପୁଣି ଦେଖା, ସେଠି ରହିବ ସୃଷ୍ଟିର ସ୍ବାଧୀନତା-କିପରି ହେବ ସେ ଜୀବନ?ଆମର କାମନା ଯେତେବେଳେ ଲାଭ କରିବ ସିଦ୍ଧି, ଯାହାପାଇଁ ଆମେ ଏତେଦିନ ଧୀର ଭାବରେ କାମ କରି ଆସିଲୁଁ, ଯାହା ପାଇଁ ଆଜି ଆମେ ପ୍ରାଣ ଦେବାକୁ ଯାଉଛୁଁ-କିପରି ହେବ ସେ ଦିନ? ଯେବେ ବା ଆମେ ମରିଥାଉଁ, ଆମେ ବଞ୍ଚି ଉଠିଚୁଁ ତୁମ୍ଭମାନଙ୍କର ବିପୁଳ ଆନନ୍ଦର ଏକ ବିନ୍ଦୁ ହୋଇ। କାହିଁକି ନା, ଏହାରି ପାଇଁ ତ ଆମେ ଆମ ଜୀବନ ଦେଲୁଁ। ସେଇତ ଆମର ଆନନ୍ଦ,ଆଜି ବିଦାୟ ବେଳରେ ପ୍ରାଣରେ ଆଘାତ ଲାଗୁଥିଲେ ବି-
କିନ୍ତୁ ସେମାନେ ଆମକୁ ବିଦାୟ ସମ୍ଭାଷଣ ଜଣାଇବାକୁ ଦେଲେ ନାହିଁ। ଆଲିଙ୍ଗନ ପାଶରେ ଆବଦ୍ଧ ହେବାକୁ ଯେଲେ ନାହିଁ ଅବକାଶ , ଏପରି କି ହାତ ଧରିବାକୁ ସୁଦ୍ଧା ଦେଲେନାହିଁ। କେବଳ ଯାହା, କୟେଦୀମାନଙ୍କର ଅଞ୍ଚାୟତ-ପ୍ୟାନ୍କ୍ରାଟସ୍ ଓ କାରଲୋଭା ସ୍କୋୟାର ଭିତରେ ତାଙ୍କର ଯୋଗାଯୋଗ ଅଛି- ଯେହିମାନେ ମଝିରେ ମଝିରେ ଖବର ଆଣି ଦିଅନ୍ତି ଆମର ପରସ୍ପରର ଭାଗ୍ୟ ବିଷୟ। ତୁମେ ବୁଝିପାରୁଛ ଗୁସ୍ତିନା,ମୁଁ ବି ଜାଣଛି, ଆମର ଆଉ ଦେଖା ସାକ୍ଷାତର ସମ୍ଭାବନା ନାହିଁ। କିନ୍ତୁ ତେବେବି ଦୂର ଦୂରାନ୍ତରୁ ମୁଁ ଶୁଣିପାରୁଛି ତୁମର ସ୍ବର,ତୁମେ ଡାକ କରି କହୁଛ-ବିଦାୟ! ହେ ମୋର ପ୍ରିୟ ,ବିଦାୟ! ଯେତେଦିନ ପର୍ଯ୍ୟନ୍ତ ପୁଣି ମିଳନ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ବିଦାୟ!
ଯେତେଦିନ ପର୍ଯ୍ୟନ୍ତ ପୁଣି ଦେଖା ନ ହୋଇଛି ସେତେଦିନ ବିଦାୟ ଗୁସ୍ତିନା!