ଫାଶୀ- ଆସାମୀର ଚୋରା-ଚିଠି




ଚରିତ୍ର ଚିତ୍ର

 

-ପ୍ରଥମ ପର୍ଯ୍ୟାୟ

 

ଯେଉଁମାନେ ଇତିହାସର ଏକ ଅଧ୍ୟାୟରେ ବଞ୍ଚି ରହିଛନ୍ତି ସେମାନଙ୍କ ନିକଟରେ ମୋର ଗୋଟିଏ ଅନୁରୋଧ ,ଏହି ସଂଗ୍ରାମରେ ଯେଉଁମାନେ ଯୋଗ ଦେଲେ, ସେମାନଙ୍କୁ କେତେବେଳେ ପାଶୋରି ଦିଅନାହିଁ। ଭଲ ଓ ମନ୍ଦ ଉଭୟଙ୍କୁ ମନେରଖ। ତୁମର ପକ୍ଷ ସମର୍ଥନ କରି ବା ତାଙ୍କ ପକ୍ଷ ସମର୍ଥନ କରି ଯେଉଁମାନେ ପ୍ରାଣ ଦେଲେ, ସେମାନଙ୍କ ସମ୍ବନ୍ଧରେ ଯଥାସମ୍ଭବ ସମୁଦାୟ ତଥ୍ୟ ସଂଗ୍ରହ କର। କାଳକ୍ରମେ ବର୍ତ୍ତମାନ ହିଁ ଅତୀତ, ଇତିହାସରେ ପରିଣତ ହେବ; ସେତେବେଳେ ମହାନ୍‌ ଅଧ୍ୟାୟ ବୋଲି ଅଭିହିତ ହେବ ଏହି ଯୁଗ-ଏହି ଯୁଗ ଯାହାର ଇତିହାସ ଗଠିତ ଅଜ୍ଞାତନାମା ବୀରବର୍ଗଙ୍କ ଦ୍ବାରା। ସେମାନେ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ନାମ ଥିଲା, ଆକାର ଥିଲା, ଥିଲା ଆଶା ଓ ଆକାଂକ୍ଷା। ଯାହାଙ୍କର ନାମ ଅମରହୋଇ ରହିବ, ସେମାନଙ୍କଠାରୁ ଏହିମାନଙ୍କୁ ତ କମ୍‌ ନିର୍ଯ୍ୟାତନା ସହିବାକୁ ପଡ଼ିନାହିଁ। ତେଣୁ ମୋର ଅନୁରୋଧ ତୁମ ସହିତ ତାଙ୍କର ଘନିଷ୍ଠତା ଗଢ଼ିଉଠୁ, ସେମାନେ ଯେଭଳି ଜଣାଶୁଣା,ତୁମର ପରିବାରର ଜଣେ,ହୁଏତ ତୁମରି ଅଭିନ୍ନ ସତ୍ତା।

  ବୀରବଂଶକୁ ସମୂଳେ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରୁ ଯେକୌଣସି ଜଣଙ୍କୁ ବାଛି ନେଇ ନିଜର ପୁତ୍ର ବା କନ୍ୟା ଭଳି ଭଲପାଅ। ଭବିଷ୍ୟତ ଗଢ଼ିବାରେ ଯେଉଁ ମହାତ୍ମାମାନେ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କୁ  ମହାପୁରୁଷ ମନେକରି ତାଙ୍କ ଲାଗି ଗର୍ବ ଅନୁଭବ କର। ଭବିଷ୍ୟତରେ ଯେଉଁମାନଙ୍କର ପ୍ରକୃତ ସତ୍ତା ନିହିତ ଥିଳା,ଭବିଷ୍ୟତକୁ କମନୀୟ କରିବା ଲାଗି ଯେଉଁମାନେ ପ୍ରାଣ ଉତ୍ସର୍ଗ କଲେ ସେମାନେ ପ୍ରତ୍ୟେକଙ୍କର ଆକୃତି ଏଭଳି ଯେ ତାହା ପଥରରେ ଖୋଦିତ ହେବାର ଯୋଗ୍ୟ। ଆଉ ଯେଉଁମାନେ ଅତୀତର ଧ୍ବନି ଦ୍ବାରା ବିପ୍ଳବ ବନ୍ୟା ବିରୁଦ୍ଧରେ ଏକ ସେତୁ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ ସେମାନେ ଖତରା କାଠ ପୁତ୍ତଳିକା, ସେମାନଙ୍କ ସ୍କନ୍ଧରେ ପଦମର୍ଯ୍ୟାଦାର ସୁନେଲି ସଙ୍କେତ ଯେତେ ଥାଉ ପଛେ, କିନ୍ତୁ ତୁମକୁ ଚିହ୍ନିବାକୁ ହେବ, ସେମାନଙ୍କୁ ସେମାନଙ୍କର ବାସ୍ତବ ପରିଚୟ ଜାଣିବାକୁ ହେବ। ଆଉ ଦେଖିବାକୁ ହେବ ସେମାନଙ୍କର ନୀଚତା, ନିଷ୍ଠୁରତା , ହାସ୍ୟକର ଅଭିବ୍ୟକ୍ତି; ଆମର ଭବିଷ୍ୟତ ପରିକଳ୍ପନାରେ ସେମାନେ ବି ଯୋଗାଇବେ ଉପାଦାନ।

  ନିମ୍ନରେ କେତେଗୁଡ଼ିଏ ତଥ୍ୟ ଦିଆଗଲା କିନ୍ତୁ ଏଗୁଡ଼ିକ ଜଣେ ପ୍ରତ୍ୟକ୍ଷଦର୍ଶୀର ବର୍ଣ୍ଣନା। ଏକ ସଂକୀର୍ଣ୍ଣ ସୀମା ମଧ୍ୟରେ ବସି ମୁଁ ଯେତେଟା ପାରିଛି ଲେଖିଛି, ବର୍ଣ୍ଣନା ଚାରୁରୀ ଏଥିରେ ନାହିଁ। ବ୍ୟକ୍ତିଗତ ମତାମତ ଉପରେ କେତେକ ମହାପୁରୁଷଙ୍କର ରୂପରେଖ। କ୍ଷୁଦ୍ର ଚରିତ୍ରର ଅଙ୍କନ ବି ସ୍ଥାନ ପାଇଛି।




+ -

© Jataayu Charitable Trust
Site designed,developed & maintained by Tekons