ଫାଶୀ- ଆସାମୀର ଚୋରା-ଚିଠି




୪୦୦ ନମ୍ବର ଯୁଦ୍ଧକ୍ଷେତ୍ରରେ ସବା ସାମନା ଟ୍ରେଞ୍ଚ। ଚାରିଆଡ଼ ଶତ୍ରୁ ଘେରିଛନ୍ତି। ଗୁଳି ବୃଷ୍ଟି ଚାଲିଛି କିନ୍ତୁ କେହି ତ ଭାବୁନାହାନ୍ତି ଆତ୍ମସମର୍ପଣ କଥା  ଏଠି ଲାଳଝଣ୍ଡା ଉଡ଼ୁଛି ସଗର୍ବରେ। ଏହି ସଂଘଶକ୍ତିରୁ  ପ୍ରକାଶିତ ହେଉଛି ସମଗ୍ର ଜାତିର ସ୍ବାଧୀନତା ସଂଗ୍ରାମ ଏକତା।

  ଅସଲ ସିନେମାରେ ଉଚ୍ଚା ଉଚ୍ଚା ବୁଟପିନ୍ଧା ଏସ୍‌.ଏସ୍‌. ରକ୍ଷୀଦଳ ମଚ ମଚ ହୋଇ ଏପାଖ ସେପାଖ ଯା’ଆସ କରୁଛନ୍ତି, ତୁମେ ଆଖି ପିଛାଡ଼ିଲେ ବି ସେମାନେ ଚିତ୍କାର କରି ଉଠୁଛନ୍ତି।ଉପରେ ୪୦୦ ନମ୍ବରରେ ଚେକ୍‌ ଦାରୋଗା ଆଉ ପୁଲିସ୍‌ ବିଭାଗର ଦଲାଲ୍‌ମାନେ କାମ ଉପରେ ଥାଆନ୍ତି। ଏମାନେ ଗେଷ୍ଟାପୋ ବିଭାଗରେ ଦୋଭାଷା ରୂପେ କାମ କରିବା ପାଇଁ ପହିଲେ ଢ଼ୁକି ଥିଲେ ସ୍ବେଚ୍ଛାରେ, ବା ଉପରିସ୍ଥ କର୍ମଚାରୀଙ୍କର ହୁକୁମରେ , ଏବେ ପାଲଟିଛନ୍ତି। ଗେଷ୍ଟାପୋ ଅନୁଚର ନଚେତ୍‌ ଚେକ୍‌ ପୁଲିସ୍‌। କେତେବେଳେ ବା ଏହି ଦୁଇକାମ ମିଶାମିଶି ଭାବରେ କରୁଛନ୍ତି। ଆଣ୍ଠୁ ଉପରେ ହାତ ରଖି ଏକବାରେ ସଳଖ ହୋଇ ବସି ସାମନାକୁ ସିଧା ଚାର୍ହି ରହିବାର ଏଠି ପ୍ରୟୋଜନ ନାହିଁ। ଆରାମ କରି ବସିପାର, ଚାରିଆଡ଼କୁ ଅନେଇବା ବି ଚଳିବ, ହାତ ମଧ୍ୟ ଯେଉଁ ଭାବରେ ଇଚ୍ଛା ସେପରି ରଖିପାରିବ । ଏହାଠାରୁ ଅଧିକ ମଧ୍ୟ କରାଯାଇପାରେ-ଅବଶ୍ୟ ସେଇଟା ନିର୍ଭର କରେ ରକ୍ଷୀମାନଙ୍କ ଉପରେ, ତିନି ପ୍ରକାରର ରକ୍ଷୀଦଳ ମଧ୍ୟରୁ ତୁମକୁ କେଉଁମାନେ ପରଦା ଦେଉଛନ୍ତି ତାହା ଉପରେ।

   ୪୦୦ ନମ୍ବରରେ ତୁମେ ମନୁଷ୍ୟ ରୂପକ ଜୀବର ଗଭୀର ଅନୁଶୀଳନ କରି ପାରିବ। ଆସନ୍ନ ମୃତ୍ୟୁ ଆମ ସମସ୍ତଙ୍କ ମୌଳିକତା ନଗ୍ନ ରୂପରେ ପ୍ରକାଶ କରେ। ସମସ୍ତଙ୍କର ଏପରିକି ବାହୁରେ ଲାଲଫିତା ବନ୍ଧା କମ୍ୟୁନିଷ୍ଟ ଯାହାଙ୍କର ତଦନ୍ତ ଚାଲିଛି ବା ସେମାନଙ୍କର ସହଯୋଗୀ ବୋଲି  ଯେଉଁମାନଙ୍କୁ ସନ୍ଦେହ କରାଯାଉଛି ସେମାନେ ଆମକୁ ପହରା ଦେବାକୁ ଯେଉଁମାନଙ୍କୁ ରଖାଯାଇଛି- ଯେଉଁମାନେ ନିକଟବର୍ତ୍ତୀ କୋଠରୀରେ ତଦନ୍ତରେ ସାହାଯ୍ୟ କରନ୍ତି ସେମାନେବି ଏହି ନଗ୍ନତାରୁ ବାଦ୍‌ ପଡ଼ନ୍ତି ନାହିଁ ଅନ୍ୟ ଯେତେବେଳେ ଉତ୍ପୀଡ଼ନ ଚାଲେ ବାକ୍ୟହିଁ ତୁମର ଢାଲ ,ତୁମର ହତିଆର କିନ୍ତୁ ଏହି ୪୦୦ ନମ୍ବରରେ କଥାର ଆଢ଼ୁଆଳରେ ଲୁଚି ରହି ହେବନାହିଁ। ଏଠି ଏମାନେ କଥାର ଓଜନ ମାପନ୍ତି ନାହିଁ । ତୁମ ଭିତରେ କଣ ଅଛି, କେଉଁ ଧାତୁରେ ତୁମେ ଗଢ଼ା-ତାହାହିଁ ଦେଖନ୍ତି ସେମାନେ।  ବର୍ତ୍ତମାନ ତୁମ ଜୀବନର ସାରବସ୍ତୁଟି ହିଁ ଅଛି ମାତ୍ର। ଏତେଦିନ ଯାହା କିଛି ତୁମକୁ ସଂଯତ କରି ରଖିଥିଲା ବା ଦୁର୍ବଳ କରି ଦେଇଥିଲା, ତୁମର ଅସଲ ବ୍ୟକ୍ତିତ୍ବକୁ ମହନୀୟ କରିଥିଲା, ମୃତ୍ୟୁ ପୂର୍ବର ଝଡ଼ରେ ତା ସମସ୍ତ ଉଡ଼ିଯାଇଛି। କେବଳ ମାତ୍ର ରହିଲା କର୍ତ୍ତା ଓ କ୍ରିୟା ।ବିଶ୍ବସ୍ତ ପ୍ରତିରୋଧ କରେ, ବିଶ୍ବାସଘାତକତା ଧୋକାଦିଏ,ବୀର ଲଢ଼େ, ଦୁର୍ବଳ ନିବର୍ତ୍ତିଯାଏ। ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭିତରେ ଅଛି ଶକ୍ତି ଆଉ ଦୁର୍ବଳତା , ସାହାସ ଓ ଭୟ, ଦୋଳାୟମାନ ଚିତ୍ତବୃତ୍ତ ଓ ଦୃଢ଼ତା, ପବିତ୍ରତା  ଆଉ କଳୁଷ, ଏଠି କିନ୍ତୁ ଦୁଇଟାରୁ ମାତ୍ର ଗୋଟିଏ ଗୁଣ ରହିପାରିବ। ହଁ ବା ନା। କେହି ଯଦି ଚାଲିକି କରି ଦୁଇଟା ପ୍ରାନ୍ତର ମଧ୍ୟସ୍ଥଳରେ ରହିବାକୁ ଚାହେଁ, ସେ ତ ପରିଷ୍କାର ଧରାପଡ଼ିଯାଏ-ଟୋପିରେ ହଳଦିଆ ପରଟାଏ ଖୋସିଲେ ଠିକ୍‌ ଯେପରି ବାରି ହୋଇଯାଏ ବା ଶୋକ ଶୋଭାଯାତ୍ରାରେ କେହି ହାତରେ କରତାଳ ଧରି ନାଚିଲେ ହଠାତ୍‌  ଯେପରି ନଜରରେ ପଡ଼େ, ଠିକ୍‌ ସେହିପରି।

 ଏହି ଧରଣର ମନୁଷ୍ୟ ଅବଶ୍ୟ ଥିଲେ କୟଦୀଙ୍କ ଭିତରେ, ଚେଖକ୍‌ ଦାରୋଗା ଆଉ ଗୁଇନ୍ଦାମାନଙ୍କ ଭିତରେବି। ତଦନ୍ତ ସମୟରେ ରାଇଖର ଅଧିଷ୍ଠାତା ଦେବତାଙ୍କ ଉଦ୍ଦେଶ୍ୟରେ ମହାମଦତୀର ଅର୍ଘ୍ୟ ଦିଅନ୍ତି ସେମାନେ , ଆଉ ୪୦୦ ନମ୍ବରେ ଅର୍ଘ୍ୟ ଦିଆଯାଏ ବଲସେଭିକ୍‌ ସଇତାନ ଉଦ୍ଦେଶ୍ୟରେ । ଜର୍ମାନ୍‌ ଅଫିସର ସାମାନରେ ତୁମର ସମ୍ବାଦ ବା ହକର ନାଁ ପ୍ରକାଶ କରିବାକୁ ଘୁଷି ମାରି ତମର ଦାନ୍ତ ଭାଙ୍ଗି ଦେଇପାରନ୍ତି, କିନ୍ତୁ ୪୦୦ ନମ୍ବରରେ ସେଇ ପୁଣି ତୁମର କ୍ଷୁଧା ନିବୃତ୍ତ ପାଇଁ ଦେଇପାରନ୍ତି ଏକ ଟୁକୁରା ରୁଟି। ତଦାରଖ ବାହିନୀରେ ଆଉ ସେମାନେ ତୁମର ଘରର ଯାହା କିଛି ମୂଲ୍ୟବାନ ପଦାର୍ଥ ଚୋରି କରି ନେଇପାରନ୍ତି କିନ୍ତୁ ୪୦୦ ନମ୍ବରରେ ଏହି ଲୁଟିର ଭାଗରୁ ତୁମ ପ୍ରତି  ସହାନୁଭୂତି  ଦେଖେଇ ସେହିମାନେ ଦେବେ ପୋଡ଼ା ଖଣ୍ଡି ସିଗାରେଟ୍‌ଟାଏ। ଅନ୍ୟ ଧରଣର ଲୋକ ବି ଅଛନ୍ତି, ଉପରୋକ୍ତ କିସମଠୁଁ ଟକିଏ ଫରକ। ନିଜେ ଇଚ୍ଛା କରି କେବେ ତୁମକୁଆଘାତ କରିବେ ନାହିଁ, ସାହାଯ୍ୟବି କରିବେ ନାହିଁ। ନିଜକୁ ବଞ୍ଚେଇବାର କଥା ସେମାନଙ୍କ ମନରେ ଜାଗ୍ରତ। ସେମାନେ ହେଉଛନ୍ତି ରାଜନୈତିକ ବାୟୁମଣ୍ଡଳର ଆଶୁ ପରିବର୍ତ୍ତନଶୀଳ ତାପମାନ ଯନ୍ତ୍ର। ଯେତେବେଳେ ତାଙ୍କର ମିଜାଜ କଡ଼ା ଓ ହାକିମ ସେତେବେଳେ ତୁମେ କହିଦେଇପାରିବ  ଯେ ଜର୍ମାନମାନେ ଷ୍ଟ୍ରାଲିନ୍‌ଗ୍ରାଡ଼ ଆଡ଼କୁ ଦ୍ରୁତ ଅଗ୍ରସର ହେଉଛନ୍ତି। ଯେତେବେଳେ ସେମାନେ ବନ୍ଦୀମାନଙ୍କ ସାଙ୍ଗରେ କଥା କହିବା ପାଇଁ ଉଦ୍‌ଗ୍ରୀବ ,ତୁମେଜାଣିବ ଯେ ଷ୍ଟ୍ରାଲିନ୍‌ଗ୍ରେଡ଼ରେ ଜର୍ମାନମାନେ ପରାସ୍ତ ହୋଇଛନ୍ତି। ଯେତେବେଳେ ସେମାନେ ସେମାନଙ୍କର ଚେକ୍‌ ପୂର୍ବପୁରୁଷଙ୍କ କଥା ଉଠେଇବ, ବା କହିବେ ଯେ ବାଧ୍ୟ ହୋଇ ସେମାନେ ଗେଷ୍ଟାପୋମାନଙ୍କ ସାଙ୍ଗରେ ମିଶିଛନ୍ତି-ସେତେବେଳେ ସ୍ପଷ୍ଟ ରୂପେ ବୁଝିବାକୁ ହେବ ଯେ ଲାଲଫଉଜ ରସ୍‌ଟୋଭ ଉପରେ ଆସି ଚଢ଼ାଉ କରିଛନ୍ତି। ଆଉ ଏକ ଧରଣର ଜୀବ ବି ଅଛନ୍ତି। ତୁମେ ଯେତେବେଳେ ବୁଡ଼ିଯାଉଛ, ସେମାନେ ପକେଟରେ ହାତ ଭର୍ତ୍ତି କରି ନିଶ୍ଚିନ୍ତ ହୋଇ ରହିପାରନ୍ତି, ତା ପରେ ଯେତେବେଳେ କୂଳକୁ ଉଠିଆସିଲ ସେତେବେଳେ ସେମାନେ ବଢ଼େଇ ଦେବେ ହାତ।

  ଏହି ଧରଣର ଜୀବମାନେ ୪୦୦ ନମ୍ବରର ସଂଘଶକ୍ତି ଉପଲବ୍ଧି କରିପାରି ତାହାରି ଆଡ଼କୁ ଆକୃଷ୍ଟ ହେବାକୁ ଚେଷ୍ଟିତ ଥିଲେ। କିନ୍ତୁ ସେମାନେ ୪୦୦ ନମ୍ବରର ଅନ୍ତର୍ଭୁକ୍ତ ହୋଇପାରିଲେ ନାହିଁ। ଆଉ ଏକ ଧରଣର ଜୀବ ଥିଲେ, ସେମାନେ ଏହି ସଂଘଶକ୍ତି କଥା ଅନୁମାନ ମଧ୍ୟ କରିନଥିଲେ। ଏମାନଙ୍କୁ ମୁଁ କହିବି ନରହନ୍ତା ବୋଲି, କିନ୍ତୁ ନରହନ୍ତାମାନେ ତ ପୁଣି ମନୁଷ୍ୟ ଜାତିର ଅନ୍ତର୍ଗତ। ଏହି ପଶୁମାନେ ଚେକ୍‌ ଭାଷାରେ କଥାବାର୍ତ୍ତା କରନ୍ତି, ହାତରେ ଲାଠି ଆଉ ବେଡ଼ି; ଆମ ଉପରେ ଏପରି ଅତ୍ୟାଚାର କରନ୍ତି ଯେ, ଅନକେ ଜର୍ମାନ ଅଫିସର ବି ସେ ଦୃଶ୍ୟ ସମ୍ଭାଳି ନପାରି ପଳାଇ ଯାଆନ୍ତି।–ନିଜ ଜାତି ବା ରାଇଖର ଖାତିରିରେ ପାଶବିକତାକୁ ଚାପି ରଖିବାକୁ ଶିଖିନାହାନ୍ତି ସେମାନେ। ସେମାନେ ଉତ୍ପୀଡ଼ନ ଓ ହତ୍ୟା କରିବାରେ ଆନନ୍ଦ ଲାଭ କରନ୍ତି। ସେମାନେ ଦାନ୍ତ ଉପାଡ଼ି ପକାନ୍ତି, କାନର ପର୍ଦ୍ଦା ଛିଣ୍ଡେଇ ପକାନ୍ତି, ଚକ୍ଷୁର ଡୋଳା ବାହାର କରିଦିଅନ୍ତି, ତଳିପାଟରେ ଗୋଇଠା ମାରନ୍ତି, ବାଡ଼େଇ ବାଡ଼େଇ ମୁଣ୍ଡର ମଗଜ ବାହାର କରିଦିଅନ୍ତି-ଅନ୍ୟ କୌଣସି କାରଣରୁ ନୁହେଁ କେବଳ ନିଜର ଅନ୍ତର୍ନିହିତ ନିଷ୍ଠୁରତାରେ ପରିତୃପ୍ତି ନିମନ୍ତେ । ପ୍ରତିଦିନ ଏମାନଙ୍କୁ ଦେଖିବାକୁ ପାଇବ, ସେମାନଙ୍କର ଉପସ୍ଥିତି ସହ୍ୟ କରିବାକୁ ପଡ଼ିବ। ରକ୍ତ ଆଉ ଗଗନଭେଦୀ ଆର୍ତ୍ତନାଦ ସେ ଉପସ୍ଥିତିର ସହଚର। ସେମାନଙ୍କ ବିରୁଦ୍ଧରେ ତୁମର ଏକମାତ୍ର ଆତ୍ମରକ୍ଷାର ଉପାୟ, ନିଜର ଦୃଢ଼ ବିଶ୍ବାସ- ସେମାନେ ଶେଷରେ ନ୍ୟାୟ ବିଚାରର ହସ୍ତରୁ ଖସାଯାଇ ପାରିବେ ନାହିଁ, ସେମାନଙ୍କର କୃତ ପାପର ଶେଷ ସାକ୍ଷୀଟିକୁ ମାରିପକେଇଲେ ବି ଖସିଯିବେ ନାହିଁ।

    ଏହି ଧରଣର ମନୁଷ୍ୟମାନଙ୍କ ସାଙ୍ଗରେ ଆଉ ଏକ ଦଳ ଥିଲେ ଯେଉଁମାନଙ୍କୁ ପ୍ରକୃତ ମନୁଷ୍ୟ ନ କହିଲେ ଅବିଚାର ହେବ। ସେହିମାନେ କୟଦୀମାନଙ୍କୁ ରକ୍ଷା କରିବାକୁ କୟଦୀଖାନାର ଆଇନ ପ୍ରୟୋଗ କରୁଥିଲେ, ସେହିମାନେ ୪୦୦ ନମ୍ବରର ଏହି ସଂସ୍ଥା ଗଠନ କରିବାରେ ସାହାଯ୍ୟ କରିଛନ୍ତି। ସେମାନେ ସର୍ବାନ୍ତଃକରଣରେ ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ, ସେମାନଙ୍କର ସାହସ ଏହି ଦଳକୁ ଶକ୍ତି ଯୋଗାଉଛି। ସେମାନଙ୍କର ମହତ୍‌ ଆହୁରି ଅଧିକ, କାରଣ ସେମାନେ ତ କମ୍ୟୁନିଷ୍ଟ କୁହନ୍ତି, ବରଂ କମ୍ୟୁନିଷ୍ଟମାନଙ୍କ ବିରୁଦ୍ଧରେ ଚେକ୍‌ ପୁଲିସମାନଙ୍କର ଦଲାଲ ହିସାବରେ କାମ କରି ଆସିଛନ୍ତି। କିନ୍ତୁ ଆଜି ସେମାନେ ସମଗ୍ର ଜାତି ପକ୍ଷରେ କମ୍ୟୁନିଷ୍ଟମାନଙ୍କର ପ୍ରୟୋଜନୀୟତା ବୁଝିପାରିଛନ୍ତି। ଆକ୍ରମଣକାରୀ ବିରୁଦ୍ଧରେ ଆମକୁ ଲଢ଼ିବାର ସେମାନେ ଦେଖିଛନ୍ତି। ଯେଉଁମାନେ କି ଏହି କୟଦୀଖାନା ବେଞ୍ଚରେ ବସି ମଧ୍ୟ ଖାଣ୍ଟି ଓ ସଚ୍ଚା ରହିଲେ ତାଙ୍କୁ ସେମାନେ ସେହି ମୁହୂର୍ତ୍ତରୁ ସାହାଯ୍ୟ କରି ଆସିଛନ୍ତି।

   ଗେଷ୍ଟାପୋମାନଙ୍କ ହାତରେ ପଡ଼ିଲେ ସେମାନଙ୍କ ଅବସ୍ଥା କ’ଣ ହେବ ଏ ବିଷୟରେ ଟିକିଏ ଧାରଣା ଥିଲେ ଆମର ଯେଉଁସବୁ ସୈନିକ ବାହାରେ ଅଛନ୍ତି ତାଙ୍କ ଭିତରୁ ଅନେକେ ବିଚଳିତ ହୋଇପଡ଼ି ଥାଆନ୍ତେ ନିଶ୍ଚୟ। କିନ୍ତୁ ଜେଲ୍‌ ଭିତରେ ଏହି ବିଶ୍ବସ୍ତ ଲୋକେ ପ୍ରତିଦିନ, ପ୍ରତି ଘଣ୍ଟାରେ ପ୍ରତ୍ୟକ୍ଷ କରୁଛନ୍ତି ସେହି ଭୀତି। ପ୍ରତି ଘଣ୍ଟାରେ ଏମାନେ ଆଶଙ୍କା କରୁଛନ୍ତି ଏଥର ବୋଧହୁଏ ସେମାନେ ବନ୍ଦୀମାନଙ୍କ ଦଳଭୁକ୍ତ ହେବେ ଓ ବନ୍ଦୀଙ୍କଠାରୁ ଉତ୍କଟ ଉତ୍ପୀଡ଼ନ ହେବ ତାଙ୍କ ଉପରେ ବୋଧହୁଏ। କିନ୍ତୁ ସେମାନେ ଟଳୁନାହାନ୍ତି। ଏମାନେ ସହସ୍ର ସହସ୍ର ଲୋକଙ୍କର ଜୀବନ ରକ୍ଷା କରୁଛନ୍ତି। ଯାହାଙ୍କର ଜୀବନ ବଞ୍ଚେଇ ପାରୁନାହିନ୍ତି, ସେମାନଙ୍କର ଦୁଃଖଭାର ଲାଘବ କରୁଛନ୍ତି। ଏମାନେ ବୀର ପଦବାଚ୍ୟ। ଏମାନେ ନଥିଲେ ଆଜି ହଜାର ହଜାର କମ୍ୟୁନିଷ୍ଟଙ୍କ ନିକଟରେ ୪୦୦ ନମ୍ବର ଯେଉଁ ରୂପ ଧାରଣ କରିଛି ତା ସମ୍ଭବ ହୋଇନଥାଆନ୍ତା; ଏ ଯେପରି ଅନ୍ଧକାରମୟ ଗୃହରେ ଏକ ଆଲୋକସ୍ତମ୍ଭ, ଶତ୍ରୁର ପଶ୍ଚାଦ୍‌ଭାଗରେ ଏକ ଟ୍ରେଞ୍ଚଆକ୍ରମଣକାରୀମାନଙ୍କ ପାର୍ଟିର କେନ୍ଦ୍ରସ୍ଥଳରେ ସ୍ବାଧୀନତା ସଂଗ୍ରାମର ଏକ ପୀଠ। 




+ -

© Jataayu Charitable Trust
Site designed,developed & maintained by Tekons