ଉତ୍ତର ଖୋଜି ପାଇବା କଷ୍ଟକର ନଥିଲା-କିନ୍ତୁ ସେ ଏକ ନିର୍ମମ ଆଘାତ-ମିରେକ୍ ନିଶ୍ଚୟ କହିଛି , ଆମ ସମସ୍ତଙ୍କୁ ଧରେଇ ଦେଇଛି। କ୍ଷଣିକ ନିମିତ୍ତ ଆଶା ହେଲା ମିରେକ୍ ହୁଏତ ସବୁ କହି ନାହିଁ କିନ୍ତୁ ଅଳ୍ପ ସମୟ ପରେ ସେମାନେ ଆଉ ଦଳେ କୟଦୀ ଆଣି ହାଜତ କଲେ। ଏଥର ବୁଝିପାରିଲି ସେ କଣ କରିଛି।
ଜାତୀୟ ବିପ୍ଳବୀ କମିଟିରେ ଯେଉଁସବୁ ଚେକ୍ ବୁଦ୍ଧିଜୀବୀ ଥିଲେ ସେମାନଙ୍କ ମଧ୍ୟରୁ କେହି ବାଦ୍ ପଡ଼ିନାହାନ୍ତି।ଲେଖକ ଭଲାଦିମିର ଭାଞ୍ଚୁରା, ଅଧ୍ୟାପକ ଫେଲ୍ବାର୍ ଆଉ ତାଙ୍କ ପୁଅ, ବେଡ଼ରିଖ୍ ଭାକ୍ଲାଭେକ୍ , ଛଦ୍ମବେଶରେ ତାଙ୍କୁ ଚିହ୍ନି ହେଉନାହିଁ। ବୁଝେନା ପାଲପାନୋଭା, ଜିନ୍କ୍ରିଖ୍ ଏଲ୍ବଲ୍ ଆଉ ଶିଳ୍ପୀ ତୋରାକ୍। ମିରେକ୍ ନିଶ୍ଚୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କାମର କଥା ସବୁ ଫିଟେଇ କହିଦେଉଛି।
ପେଟ୍ଚେକ୍ ବିଲିଡିଂରେ ପ୍ରଥମ ଅଭିଜ୍ଞତା ମୋ ନିକଟରେ ଆଶ୍ବସ୍ତିକର ନଥିଲା କିନ୍ତୁ ଏ ଆଘାତ ଯେ ଭୀଷଣ, ମୋ ପକ୍ଷରେ ଅସହନୀୟ। ମୁଁ ଆଶା କରିଥିଲି ମୃତ୍ୟୁ, ବିଶ୍ବାସଘାତକତା ନୁହେଁ। ସହୃଦୟ ଭାବରେ ବିଚାର କରିବାକୁ ବସିଲି ତାକୁ ତା ସମ୍ବନ୍ଧରେ ଉଚ୍ଚ ଧାରଣା କରି ମଧ୍ୟ ଭାବିଲି। ମନେ ମନେ ଭାବିଲି ନା, ମିରେଜକ୍ ଏ କାମ କରିନାହିଁ, ତେବେ ବି ଏକା ଉତ୍ତର ଆସିଲା। ବିଶ୍ବାସଘାତକତା ସେ କରିଛି। ନା,ନା, ଏ ଦୋଳାୟମାନ ଚିତ୍ତବୃତ୍ତି ବା ଦୁର୍ବଳତା ନୁହେଁ, ଉତ୍ପୀଡ଼ନରେ ମୁମୂର୍ଷୁ ମନୁଷ୍ୟର ଜ୍ବରାର୍ତ୍ତ ସ୍ଖଳନ ମଧ୍ୟ ନୁହେଁ।ଏ ଗୁଡ଼ାକ ହୁଏତ କ୍ଷମଣୀୟ। ବର୍ତ୍ତମାନ ବୁଝିଲି, ସେମାନେ ପ୍ରଥମ ରାତ୍ରିରେ ହିଁ କିପରି ମୋର ନାମ ଜାଣିଲେ। ବୁଝିଲି କିପରି ଆନି ଜିରୋସ୍କୋଭା ଏଠିକି ଆସିଲା । ମିରେକ୍କୁ ଦୁଇଥର ତାଙ୍କ ଘରେ ଦେଖିଛି । ବର୍ତ୍ତମାନ ଜାଣିଲି କାହିଁକି କ୍ରୋପାଚେକ୍ ଆଉ ତା, ଷ୍ଟାଇଶ୍ ଏଠାକୁ ଆସିଛନ୍ତି।
ଏହାପରେ ପ୍ରାୟ ପ୍ରତିଦିନ ସେମାନେ ମୋତେ ୪୦୦ ନମ୍ବରକୁ ନେଇଯାଆନ୍ତି। ରୋଜ ନୂତନ ବିଷୟରେ ଆବିଷ୍କାର । ମର୍ମନ୍ତୁଦ ଓ ଭୟଙ୍କର ତା ସବୁ। ଏଠି ସେହି ସାହାସୀ ବୀର ଯେ ସ୍ପେନର ସୀମାନ୍ତରେ ଲଢ଼ିଛି,ବୁଲେଟ୍କୁ ଭୟ ନାହିଁ, ଫ୍ରାନ୍ସର ବନ୍ଦୀ ଶିବିରରେ ନିଷ୍ଠୁର ଉତ୍ପୀଡ଼ନରେ କେବେ ମୁଣ୍ଡ ନୁଆଇଁ ନାହିଁ। ଆଉ ଆଜି ଗେଷ୍ଟାପୋର ଚାବୁକ୍ ସାମନାରେ ସେ ଭୟରେ ମ୍ଳାନ ହୋଇଗଲା, ନିଜକୁ ବଞ୍ଚେଇବା ପାଇଁ ଆମକୁ ଧରେଇ ଦେଲା। କେଡ଼େ ଲୋକଦେଖାଣିଆ ତାର ବିଶ୍ବାସ ଓ ସାହାସ-ସାମାନ୍ୟ କେତେଟା ଆଘାତରୁ ରକ୍ଷା ପାଇବା ନିମିତ୍ତ ସେ ସବୁ ଭାଙ୍ଗିପଡ଼ିଲା। ଏକ ଆଦର୍ଶର ବିଶ୍ବାସୀ କମରେଡ୍ ପରିବୃତ୍ତ ଥିଲାବେଳେ ସେ ଥିଲା ଶକ୍ତିମାନ୍। ସେମାନଙ୍କ କଥା ଭାବି ସେ ପାଉଥିଲା ଶକ୍ତି। କିନ୍ତୁ ଯେତେବେଳେ ସେ ଆକ୍ରମଣକାରୀ ଶତ୍ରୁଙ୍କ ଭିତରେ ଏକାକୀ, ସେ ସମ୍ପୂର୍ଣ୍ଣ ହରେଇବସିଲା ତାର ଶକ୍ତି। ନିଜର କଥା ଭାବିବାକୁ ଯାଇ ସେ ହରେଇଲା ସବୁ, ନିଜକୁ ବଞ୍ଚେଇବା ନିମିତ୍ତ ସେ ବଳି ଦେଲା ତାର ସାଥୀମାନଙ୍କୁ। ଭୀରୁତା ନିକଟରେ ସ୍ବୀକାର କଲା ବଶ୍ୟତା, ଆଉ ଭୀରୁତା ହେତୁ ଆସିଲା ବିଶ୍ବାସଘାତକତା।
ସେ ଭୁଲିଗଲା ତା ଘରୁ ମିଳିଥିବା କାଗଜପତ୍ରର ସାଙ୍କେତିକ ଲିପିର ପାଠୋଦ୍ଧାରଠାରୁ ମୃତ୍ୟୁ ଶ୍ରେୟସ୍କର। ସେ ତାଙ୍କୁ ଗୋଟି ଗୋଟି କରି ସବୁ କହିଦେଲା। ନାଁ, କେଉଁଠି ତାଙ୍କର ଗୁପ୍ତ ରହିବା ସ୍ଥାନ, ତାର ଠିକଣା ,ସେ ସବୁ ବତେଇଦେଲା। ଜଣେ ଗେଷ୍ଟାପୋ ଚର ନେଇ ସେ ଷ୍ଟାଇଶ୍ଙ୍କ ସାଙ୍ଗରେ ଦେଖା କରିବାକୁ ଗଲା। ଡୋରାକ୍ ଘରକୁ ପୁଲିସ୍ ପଠାଗଲା। ସେଠାରେ ଭକ୍ଲାଭେକ୍ ଆଉ କ୍ରୋପାଚେକ୍ର ଦେଖା କରିବାର କଥା ଥିଲା। ସେ ଆଡ଼କୁ ତାଙ୍କ ହାତକୁ ଟେକିଦେଲା। ଯେଉଁ ସାହାସିନୀ ବାଳିକା ଲିଡ଼ା ତାକୁ ଭଲ ପାଉଥିଲା ସେ ତାକୁ ବି ଧରେଇଦେଲା। କେତେଟା ମାତ୍ର ମାଡ଼ ଖାଇ ସେ ଯାହା ଜାଣିଥିଲା ତାର ଅର୍ଦ୍ଧେକ କହିଦେଲା। ଯେତେବେଳେ ଭାବିଲା ମୁଁ ମରିଯାଇଛି, ଆଉ କାହାରି ପାଖରେ ତାକୁ ଦାୟୀ ହେବାକୁ ପଡ଼ିବନାହିଁ, ସେତେବେଳେ ବାକିତକ ମଧ୍ୟ କହିଦେଲା।
ଏତଦ୍ବାରା ସେ ମୋର କ୍ଷତି କରିପାରି ନାହିଁ। ମୁଁ ତ ଗେଷ୍ଟୋପୋ ହାତରେ- ଆଉ କି କ୍ଷତି ମୋର ହୋଇପାରେ ? କିନ୍ତୁ ତାର ଜମାନବନ୍ଦୀରେ ଅନେକଗୁଡ଼ିଏ ତଦନ୍ତର ଭିତ୍ତି ସୃଷ୍ଟି ହେଲା। ଅନେକ ପ୍ରମାଣ ଆରମ୍ଭ ହେଲା ଆଉ ସେଥିରେ ମୁଁ ଜଡ଼ିତ ହୋଇପଡ଼ିଲି। ଏପରି ସବୁକଥା ସେ ପ୍ରକାଶ କରିଦେଲା ଯାହାଶୁଣି ସେମାନେ ଭାରି ଖୁସି। ଏଥିପାଇଁ କଣ ମୁଁ ଆଉ ଅନ୍ୟାନ୍ୟ ଦଳର ଅଧିକାଂଶ ସାମରିକ ଆଇନ ସମୟରେ ବଞ୍ଚି ରହିଥିଲୁଁ? ସେ ଆଉ ମୁଁ ଚାଲିଗଲା ପରେ ଆମର ଆଉ ତିଷ୍ଠିପାରି ନଥାନ୍ତା । କିନ୍ତୁ ସେ ଯଦି ମୁହଁ ବୁଜି ରହିଥାନ୍ତା ଅନ୍ୟ ଦଳଗୁଡ଼ିକ ତ ବଞ୍ଚିଯାଇଥାନ୍ତେ। ତାର ଓ ମୋର ମୃତ୍ୟୁର ବହୁ ପରେ ମଧ୍ୟ ସେମାନେ ତ କାମ କରିପାରିଥାନ୍ତେ।
ଯେ ଭୀରୁ ସେ କେବେ ତାର ନିଜ ଜୀବନ ତ ହରାଏ ନାହିଁ ହରାଏ ଆହୁରି ଅନେକ ବେଶୀ। ଏଇ ଲୋକଟା ଗୋଟାଏ ଅଦ୍ଭୁତ ସୈନ୍ୟବାହିନୀକୁ ପରିତ୍ୟାଗ କଲା, ଆଉ ଅତି ନୀଚ ଶତ୍ରୁ ନିକଟରେ ଆତ୍ମସମର୍ପଣ କଲା। ସେ ବଞ୍ଚିଥିଲେ ମଧ୍ୟ ମୃତ, କାରଣ ସେ ଦଳରୁ ବହିଷ୍କୃତ। ପରେ ସେ ନିଜକୁ ସଂଶୋଧିତ କରିବାରର ଚେଷ୍ଟା କରିଥିଲା କିନ୍ତୁ ତାକୁ ଆଉ ଗ୍ରହଣ କରା ହୋଇନାହିଁ। ଏହି ବହିଷ୍କାର କୟଦୀଖାନାରେ ଅଧିକ ଅସହନୀୟ ହୋଇଉଠେ।
ବନ୍ଦୀ ଜୀବନ ଆଉ ନିଃସଙ୍ଗତା ଏକା କଥା ବୋଲି ଲୋକଙ୍କ ମନରେ ଅନେକ ସମୟରେ ଧାରଣା ହୁଏ-କିନ୍ତୁ ସେ ଗୋଟାଏ ମସ୍ତବଡ଼ ଭୁଲ୍ କଥା। ବନ୍ଦୀ ତ ନିଃସଙ୍ଗ ନୁହେଁ। କୟଦୀଖାନା ତ ଏକ ଗୋଷ୍ଠୀ , କଠୋରଭାବରେ ଆବଦ୍ଧ ରଖିଲେ ବି ମନୁଷ୍ୟ କେବେ ଦଳରୁ ବିଚ୍ଛିନ୍ନହୋଇ ପଡ଼େନାହିଁ-ସେ ନିଜେ ଅଲଗା ହୋଇ ନଯିବା ପର୍ଯ୍ୟନ୍ତ ଦାସମାନଙ୍କର ଭ୍ରାତୃତ୍ବ-ବନ୍ଧନ ନିଷ୍ଣେଷଣ ଚାପ ତଳେ ଆହୁରି ଶକ୍ତ ହୋଇଉଠେ,ଆହୁରି ପ୍ରଗାଢ଼ ହୁଏ, ଅଧିକ ପ୍ରାଣପୂର୍ଣ୍ଣ ହୁଏ। ତାହା କାନ୍ଥଭେଦ କରିପାରେ , କାନ୍ଥ ବଞ୍ଚିଉଠେ, କଥା କହେ, ହାତର ଠକ୍ ଠକ୍ ଶବ୍ଦରେ ଝରିପଡ଼େ ସଂକେତ। ପ୍ରତି ୱାର୍ଡ଼ର ଗାରଦଗୁଡ଼ିକ ଭ୍ରାତୃତ୍ବର ଆଲିଙ୍ଗନ ପାଶରେ ଆବଦ୍ଧ-କାରଣ ସେମାନଙ୍କର କର୍ତ୍ତବ୍ୟ ଏକ, ଦୁଶ୍ଚିନ୍ତା ମଧ୍ୟ ଏକ, ଏକା ରକ୍ଷୀଦଳ ସେମାନଙ୍କୁ ପହରା ଦିଅନ୍ତି, ବ୍ୟାୟାମ-ଚର୍ଚ୍ଚା ସମୟରେ ସେମାନେ ସମସ୍ତେ ମୁକ୍ତ ପବନରେ ଆସି ଏକତ୍ର ହୁଅନ୍ତି। ଯେତେବେଳେ ବାହାରେ ଦେଖାହୁଏ ଗୋଟିଏ କଥା; ଗୋଟିଏ ଭଙ୍ଗୀ ଖବର ଦେବା ବା କାହାରି ଜୀବନ ରକ୍ଷା ସକାଶେ ଯଥେଷ୍ଟ। ସେମାନେ ଏକ ସଙ୍ଗରେ ଶୁଣାଣି ନିମିତ୍ତ ଯାଆନ୍ତି; ଆଉ ‘ସିନେମା’ ଘରେ ଏକ ସଙ୍ଗରେ ବସନ୍ତି ଏବଂ ଏକ ସଙ୍ଗରେ ଫେରନ୍ତି।ତେଣୁ ସେମାନେ ଭାତୃତ୍ବ ସୂତ୍ରରେ ବନ୍ଧା। ଏ ଭାତୃତ୍ବରେ କଥା ଅଳ୍ପ ହୁଏ କିନ୍ତୁ କାମ ହୁଏ ଢ଼େର ବେଶି । ମୁହୂର୍ତ୍ତକ ପାଇଁ ହାତ ଚାପି ଧରିବା- ବା ଗୋଟାଏ ସିଗାରେଟ୍ ଦେବା-ଏତିକି ମାତ୍ର। କିନ୍ତୁ ଏଇ ଘଟଣା ତ ତୁମ୍ଭର ପଞ୍ଜୁରୀକୁ ଭାଙ୍ଗିଦେଇପାରେ , ଯେଉଁ ନିଃସଙ୍ଗତା ତୁମ୍ଭଙ୍କୁ ଧ୍ବଂସ କରିଦେବାକୁ ବସିଥିଲା, ସେଥିରୁ ତୁମକୁ ଦେଇପାରେ ଶକ୍ତି । ଗାରଦ ଗୁଡ଼ାକର ହାତ ଅଛି, ଯେତେବେଳେ ଉତ୍ପୀଡ଼ନ ହୋଇ ଫେରିଆସେ, ସେତେବେଳେ ଅନୁଭବ କରିବ ତୁମେ ଯେପରି ପଡ଼ି ନ ଯିବ ସେଥିପାଇଁ ସେମାନେ ତୁମକୁ ଧରି ରଖୁଛନ୍ତି। ଯେତେବେଳେ ସେମାନେ ତୁମକୁ ଉପବାସରେ ମାରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେଇ ତୁମ ପାଟିରେ ଦେଇଯାଏ ଖାଦ୍ୟ। ଗାରଦ ଗୁଡ଼ାକର ଆଖି ଅଛି। ଯେତେବେଳେ ତୁମେ ମୃତ୍ୟୁଦଣ୍ଡ ଗ୍ରହଣ କରିବାକୁ ଚାଲିଛ, ସେତେବେଳେ ସେ ଚକ୍ଷୁର ଦୃଷ୍ଟି ତୁମେ ଅନୁଭବ କରିବ। ତୁମକୁ ଯୋଦ୍ଧା ହୋଇ ଚାଲିବାକୁ ହେବ, ତୁମେ ଯେ ସେମାନଙ୍କର ଭାଇ। ଟଳି ଟଳି ଚାଲିକରି ସେମାନଙ୍କୁ ଦୁର୍ବଳ କରି ଦେବାତ ତୁମଦେଇ ହେବନାହିଁ। ଏ ଭ୍ରାତୃତ୍ବ କ୍ଷତ ବିକ୍ଷତ,ରକ୍ତାକ୍ତ, କିନ୍ତୁ ତା ତ ଅଜେୟ। ଏଇ ଭ୍ରାତୃତ୍ବର ସାହାଯ୍ୟ ବିନା ତୁମେ ତୁମର ଅଭିଶପ୍ତ ଦଶାର ଦଶଭାଗରୁ ଭାଗେ ବି ବହନ କରିପାରିବ ନାର୍ହି।କେବଳ ତୁମେ ନୁହଁ, କେହି ବି ପାରିବେ ନାର୍ହି।
ଏଇ କାହାଣୀକୁ ଆଗେଇ ନେବାପାଇଁ ମୁଁ ଯେବେ ସମର୍ଥ ନ ହୁଏ। (କାରଣ ଆମକୁ ତ ଆଉ ଦିନ ବା ଘଣ୍ଟା ଜଣାନାହିଁ)। ଏହି ୪୦୦ ନମ୍ବର ଆସି ବାରମ୍ବାର ଦେଖାଦେବ ମୋର କାହାଣୀରେ , ଠିକ୍ ଯେପରି ତାହା ଏହି ପରିଚ୍ଛେଦର ଶିରୋଭାଗରେ ସ୍ଥାନ ପାଇଛି। ପ୍ରଥମେ ମୁଁ ଏହାକୁ ଗୋଟାଏ କୋଠରୀ ବୋଲି ଭାବୁଥିଲି ଏବଂ ସେଠି ମୋର ପ୍ରଥମ ଦିନ ଭାବନା ଗଭୀର ଦୁଃଖଦାୟକ ଥିଲା। କିନ୍ତୁ ଏ ତ କୋଠରୀ ନୁହେଁ, ଏକ ସଂଘବଦ୍ଧ ସ୍ଥିରପ୍ରତିଜ୍ଞ ଯୁଯୂତ୍ସୁ ଦଳ; ସୁଖୀ ଦଳ କହିଲେ ଚଳେ।
୧୯୪୦ ସାଲରେ ଯେତେବେଳେ ଗେଷ୍ଟାପୋର କମ୍ୟୁନିଷ୍ଟ ବିରୋଧୀ ବିଭାଗର କାର୍ଯ୍ୟ ବଢ଼ିଯାଏ,ସେତିକିବେଳେ ଏହି ୪୦୦ ନମ୍ବରର ସୃଷ୍ଟି। ସ୍ଥାନୀୟ କୟଦୀ ବିଭାଗର ଏହା କମ୍ୟୁନିଷ୍ଟ ଶାଖା, କମ୍ୟୁନିଷ୍ଟମାନଙ୍କର ପ୍ରତିକ୍ଷା ଗୃହ। ଗେଷ୍ଟୋପୋ କର୍ମଚାରୀମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯେପରି ବାରମ୍ବାର ଦୋତାଲାରୁ ପାଞ୍ଚତାଲାକୁ କୟଦୀମାନଙ୍କୁ ଆଣିବାକୁ ନ ପଡ଼େ-ସେଥିପାଇଁ ଏହାର ସୃଷ୍ଟି। ସେମାନେ ଭାବିଥିଲେ ଏହାଦ୍ବାରା ତାଙ୍କ କାର୍ଯ୍ୟ ସୁବିଧାରେ ହେବ; ଏହି ଶାଖା-ସିନେମା ଖୋଲିବାରେ ସେମାନଙ୍କର ସେହି ଧାରଣା ଥିଲା।
ଦୁଇଜଣ କୟଦୀଙ୍କୁ ଏକଜାଗାରେ ରଖ, ଦେଖିବ ପାଞ୍ଚ ମିନିଟ୍ ମଧ୍ୟରେ ଏକ ସଂଘ ଗଠିତ ହୋଇଯାଇଛି। ବିଶେଷତଃ ସେମାନେ ଯଦି କମ୍ୟୁନିଷ୍ଟ ହୁଅନ୍ତି, ତାହାହେଲେ ତ କଥା ନାହିଁ। ଆଉ ଏହି ସଂଘ ତୁମର ସବୁ କର୍ମଯୋଜନାକୁ ଓଲଟପାଲଟ କରିଦେବ। ୧୯୪୨ ସାଲରେ ଏହି ସିନେମାର ନାମକରଣ ହେଲା କମ୍ୟୁନିଷ୍ଟ କେନ୍ଦ୍ରୀୟ ଅଫିସ, ଅନେକ କିଛି ପରିବର୍ତ୍ତନ ଘଟିଲା। ହଜାର ହଜାର କମରେଡ଼୍ ପୁରୁଷ ଓ ନାରୀ ଯେତେବଳେ ଯାହାଙ୍କର ପାଳି ପଡ଼ିଲା ଏହାର ବେଞ୍ଚରେ ଆସି ବସିଲେ। କିନ୍ତୁ ଗୋଟିଏ କଥାର ପରିବର୍ତ୍ତନ ହେଲା ନାହିଁ-ଯେଉଁ ସଂଘଶକ୍ତି ସଂଗ୍ରାମରେ ନିୟୋଜିତ ହୋଇଥିଲା , ଆଉ ଶେଷ ଜୟଲାଭ ବିଷୟରେ ସୁନିଶ୍ଚିତ ସେ ରହିଲା ଅକ୍ଷୁର୍ଣ୍ଣ।