ମୋର ସ୍ବପ୍ନର ଘର ଥିଲା ଅନ୍ଧାରୁଆ, ବାତାୟନ ବିହୀନ ମ୍ଳାନ, ହରିଦ୍ରାଭ, ସେଠି ମନୁଷ୍ୟ ଛାଇପରି ଦିଶନ୍ତି। ହଁ ମନୁଷ୍ୟ ଥିଲେ ନିଶ୍ଚୟ । ବର୍ତ୍ତମାନ ତ ଫାଙ୍କା। ଗୋଟାଏ ପଛକୁ ଆଉ ଗୋଟାଏ-ଏହିପରି ଛଟା ବେଞ୍ଚ। ଯେପରି ଡ୍ୟାନଢେଲିୟାନ ଆଉ ବଟରକପ୍ ପୁଷ୍ପରେ ଭରା। ଉଜ୍ଜ୍ବଳ ହରିଦ୍ରାବର୍ଣ୍ଣ ପ୍ରାନ୍ତର। ସ୍ବପ୍ନରେ ଦେଖିଥିଲି ଏଠି ବହୁ ଲୋକଙ୍କର ଭିଡ଼। ବେଞ୍ଚରେ ଲଗାଲଗି ହୋଇ ବସିଛନ୍ତି, ସେମାନଙ୍କର ମୁଖ ମ୍ଳାନ,ରକ୍ତାକ୍ତ। କବାଟ ପାଖରେ ଜଣେ ଠିଆ ହୋଇଥିଲା, ଚକ୍ଷୁରେ ତାର ଉତ୍ପୀଡ଼ନ ଛାୟା; ପରିଧାନ ତାର ଶ୍ରମିକର ନୀଳ ପୋଷାକ। ପାଣି ପିଇବାକୁ ବ୍ୟାକୁଳ-ପିପାସାରେ ଅସ୍ଥିର। ଏଥର ସେ ଲୋଟିପଡ଼ିଲା ଚଟାଣରେ ସତେ ଯେପରି ଯବନିକା ପଡ଼ିଲା।
ହଁ, ଏଇଆ ଦେଖିଥିଲି କିନ୍ତୁ ବର୍ତ୍ତମାନ ବୁଝାପଡ଼ୁଛି ସେ ସ୍ବପ୍ନ ନୁହେଁ। ସେହି ପ୍ରଳାପମୟୀ ସ୍ବପ୍ନ ଘଟିଥିଲା ବାସ୍ତବରେ।
ଯେଉଁଦିନ ଗିରଫ ହେଲି ସେହି ରାତିରେ, ପ୍ରଥମ ଶୁଣାଣି ସମୟରେ ଘଟିଥିଲା ଏହି ବ୍ୟାପାର। ସେମାନେ ମୋତେ ଏଠିକି ତନିଥର ଆଣିଥିଲେ-ହୁଏତ ଦଶଥର ହୋଇପାରେ, ତା ମୁଁ ଜାଣିବି କିପରି-ସେମାନେ ଯେତେବେଳେ ବିଶ୍ରାମ ନେବାକୁ ବା ଆଉ ଜଣଙ୍କ ସାଙ୍ଗରେ ଲାଗିବାକୁ ଚାହୁଁଥିଲେ ସେତେବେଳେ ମୋତେ ଏଠିକି ଘେନି ଆସୁଥିଲେ।
ମୋର ପାଦ ଅନାବୃତ୍ତ ଥିଲା।ଫୁଲିଲା ପାଦକୁ ଟାଇଲ ଚଟାଣ କି ସୁନ୍ଦର ଥଣ୍ଡା ଲାଗୁଥିଲା, ମନେ ଅଛି ମୋର ।
ବେଞ୍ଚଗୁଡ଼ାକରେ ସେ ଦିନ ରାତିରେ ଜମିଥିଲେ ଜାଂକାରସ୍ କାରଖାନାର ଶ୍ରମିକମାନେ… ଗେଷ୍ଟାପୋମାନଙ୍କର ସେ ଦିନର ସନ୍ଧ୍ୟା ଶିକାର। ନୀଳ ଓଭର୍ ଅଲ୍ ପିନ୍ଧା ଯେଉଁ ଲୋକଟି କବାଟ ପାଖରେ ଥିଲା, ସେ କମ୍ରେଡ଼୍ ବାଟନ୍, ଜାଂକାରସ୍ ପାର୍ଟି ସେଲ୍ର ଜଣେ ସେ । ମୋର ଗିରଫର ପରୋକ୍ଷ କାରଣ ସେ । ମୋର ଏହି ଅଦୃଷ୍ଟ ନିମିତ୍ତ କାହାରିକୁ ଦୋଷୀ କରାହେବ ଏହା ଚାହେଁ ନାହିଁ ବୋଲି କହିବାକୁ ହେଉଛି। ମୋର ସଙ୍ଗୀମାନଙ୍କର ଭୀରୁତା ବା ବିଶ୍ବାସଘାତକତାରେ ମୁଁ ଧରାପଡ଼ିନାହିଁ। ବରଂ ଅସାବଧାନତା ଆଉ ମନ୍ଦ ଆଦୃଷ୍ଟହିଁ ଏହାର କାରଣ। ପ୍ରତିରୋଧ ଆନ୍ଦୋଳନର ନେତାମାନଙ୍କ ସାଙ୍ଗରେ ତାଙ୍କ ଦେଲ୍ର ଯୋଗସୂତ୍ର ସ୍ଥାପନ କରିବାକୁ ଚାହିଁଥିଲେ କମ୍ରେଡ଼ ବାର୍ଟନ୍ନ। ତାରବନ୍ଧୁ କମ୍ରେଡ଼୍ ଜେଲିନେକ୍ ଗୋପନ ଆନ୍ଦୋଳନ ନୀତି ବିରୋଧରେ ରାଜି ହେଲେ ତାଙ୍କ ସହିତ ଯୋଗସୂତ୍ର କରାଇଦେବାକୁ। ମତେ ସିଧାସଳଖ ଉପର ସାଥୀରେ ତଳର ଯୋଗସୂତ୍ର ସ୍ଥାପନ କରି ଦେବାକୁ ପ୍ରଥମେ କହିଲେ ନାର୍ହି। ଏ ଗୋଟାଏ ଭୂଲ୍। ଦ୍ବିତୀୟ କଥା ଡୋରାକ୍ ନାମରେ ଜଣେ ଗୁଇନ୍ଦା କମ୍ରେଡ-ବାର୍ଟନଙ୍କଠାରୁ କିପରି ଭାବରେ ଜେଲିନେକ୍ର ନାମ ଜାଣିପାରିଲା। ତେଣୁ ଜେଲିନେକ୍ ପରିବାର ଗେଷ୍ଟାପୋ ହାତରେ ପଡ଼ିଲେ, କୌଣସି ବଡ଼କାମ ତ୍ରୁଟି କରି ନୁହେଁ(ଅଥଚ ଦୁଇବର୍ଷ ହେଲା ବଡ଼ ବଡ଼ ବ୍ୟାପାରରେ ବିଶ୍ବସ୍ତଭାବରେ ସେମାନେ କାମ କରିଛନ୍ତି) ଆଜି ଗୁପ୍ତ ଆନ୍ଦୋଳନର ନୀତି ବହିର୍ଭୂତ ଗୋଟାଏ ସାମାନ୍ୟ କାମରେ ଧରାପଡ଼ିଲେ ସେମାନେ। ମୁଁ ଯେଉଁଦିନ ସନ୍ଧ୍ୟାରେ ସେଠାକୁ ଯାଇଥିଲି, ଠିକ୍ ସେହିଦିନ ସେମାନେ ପେଟ୍ଚେକ୍ ବିଲଡିଂରେ ପରାମର୍ଶ କରି ସ୍ଥିର କରିଥିଲେ ଯେ ସଂଧ୍ୟା ସମୟରେ ଜେଲିନେକ୍ ପରିବାରକୁ ଧରିବେ। ସେଠିକି ସେମାନେ ଯେ ଏତେ ଦଳବଳ ନେଇ ଯାଉଥିଲେ ତା ବିଲ୍କୁଲ୍ ଏକ ଆକସ୍ମିକ ଘଟଣା । ଏପରି ଭାବରେ କିଛି ଆଗକୁ ପାଞ୍ଚ ନଥିଲା, ଜେଲିନେକ୍ ପରିବାରକୁ ଧରା ହୋଇଥାନ୍ତା ତା ପରଦିନ ଜାଂକାରସ ସେଲର୍ ମେମ୍ବରମାନଙ୍କୁ ପଗଡ଼ି କରି ଗେଷ୍ଟାପୋ ଦଳ ଉତ୍ସାହରେ ଉଦ୍ଦୀପ୍ତ, ସେଠୁ ସେମାନେ ଜେଲ୍ନକ୍ଙ୍କ ପାଖକୁ ଛୁଟିଲେ, କେବଳ ଗୋଟାଏ ଫୁର୍ତ୍ତି ତାଙ୍କର ଉଦ୍ଦେଶ୍ୟ। ସେମାନଙ୍କ ଆବିର୍ଭାବରେ ଆମେ ଯେପରି ବିସ୍ମିତ ହେଲୁ ମତେ ସେଠି ଦେଖି ସେମାନେ ସେହିପରି ବି ବିସ୍ମିତ ହୋଇଗଲେ। କାହାକୁ ସେମାନେ ଧରିଛନ୍ତି ସେ କଥା ପର୍ଯ୍ୟନ୍ତ ସେମାନେ ଜାଣିନଥିଲେ । ହୁଏତ କେବେ ବି ଜାଣିପାରି ନଥାନ୍ତେ, କିନ୍ତୁ ଠିକ୍ ସେହିଦିନ ହିଁ ସେମାନେ…
୪୦୦ ନମ୍ବରରେ ବସି ବହୁ ସମୟ ଗଡ଼ିଯିବା ପରେ ଏଇ ପ୍ରଥମ ଚିନ୍ତା କରିବାର ସୁଯୋଗ ମିଳିଲା। ସେତେବେଳକୁ ମୁଁ ଆଉ ଏକାକୀ ନାହିଁ, ବେଞ୍ଚଗୁଡ଼ାକ ପୂର୍ଣ୍ଣ ହୋଇଯାଇଛି, ଚାରିକଡ଼େ କାନ୍ଥକୁ ଲାଗି ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି। ବିସ୍ମୟକର ଘଟଣାବହୁଳ ସମୟ ଛୁଟିଛି ଦ୍ରୁତ ଗତିରେ। କେତେଗୁଡ଼ିଏ ଘଟନା ଏପରି କିଂଭୂତକିମାକାର ଯେ ସେ ଗୁଡ଼ାକ ମୁଁ ବୁଝିପାରିଲି ନାହିଁ, ଅନ୍ୟଗୁଡ଼ାକ କୁତ୍ସିତ ଏବଂ ସେଗୁଡ଼ାକ ମୁଁ ବୁଝିପାରିଥିଲି ଇଚ୍ଛା କରି।
ପ୍ରଥମ ବିସ୍ମୟକର ଘଟନା ଅଦ୍ଭୁତ ବା କୁତ୍ସିତ ନୁହେଁ। କିନ୍ତୁ ସେଥିରେ ଥିଲା ଦୟା ,ଅତି କ୍ଷୁଦ୍ର ଓ ସାମାନ୍ୟ, ତଥାପି ମୁଁ ତାକୁ ଭୁଲି ପାରିବି ନାହିଁ। ଯେଉଁ ଗେଷ୍ଟାପୋ ଚରଟି ମତେ ନଜରରେ ରଖିଥିଲା,-ମନେ ପଡ଼ୁଛି ମୋର ଗିରଫ ପରେ ସେଇ ମୋର ପକେଟ ଉଲଟ ପାଲଟ କରି ଦେଖିଥିଲା-ସେ ଏବେ ମୋତେ ଖଣ୍ଡେ ଖଣ୍ଡିଆ ଜଳନ୍ତା ସିଗାରେଟ୍ ପକେଇଦେଲା। ତିନି ସପ୍ତାହ ପରେ ଏଇ ପ୍ରଥମ ସିଗାରେଟ୍। ସଂସାରକୁ ଦ୍ବିତୀୟ ଥର ପାଇଁ ଲେଉଟିଥିବା ବ୍ୟକ୍ତିପାଇଁ ଏଇ ପ୍ରଥମ ସିଗାରେଟ୍। ଉଠେଇନେବି କି? ନା, ସେ ଭାବିବ ଗୋଟାଏ ସିଗାରେଟ୍ ଦେଇ ମତେ କିଣି ନେଇଛି।କିନ୍ତୁ ସିଗାରେଟ୍କୁ ସେ ଯେଉଁ ଦୃଷ୍ଟିରେ ଚାହୁଁଛି ତାହା ତ ସରଳ, ସେ କାହାକୁ କିଣିନେବାକୁ ଚାହେଁ ନାହିଁ। ତେବେ ବି ଶେଷ ପର୍ଯ୍ୟନ୍ତ ତାକୁ ଟାଣିପାରିଲି ନାହିଁ। ନବ ଜାତ ଶିଶୁମାନେ ସେପରି ପକା ଧୂମ୍ରପାୟୀ ନୁହଁନ୍ତି।
ଦ୍ବିତୀୟ ବିସ୍ମ-ଚାରି ଲୋକ ସାମରିକ କାଏଦୀରେ ଗୋଡ଼ ପକେଇ ଘର ଭିତରକୁ ପଶି ଆସି ଚେକ୍ ଭାଷାରେ ଉପସ୍ଥିତ ସମସ୍ତଙ୍କୁ ସମ୍ଭାଷଣ ଜଣେଇଲେ। ମୁଁ ମଧ୍ୟ ବାଦ୍ ପଡ଼ିଲିନାହିଁ। ଟେବୁଲର ସେ ପାଖେ ସେମାନେ ବସିପଡ଼ି ତାଙ୍କର କାଗଜପତ୍ର ରଖିଲେ, ବେଶ୍ ଆରାମରେ ସିଗାରେଟ୍ ଲଗେଇଲେ, ସତେ ଯେପରି ସେମାନେ ଅଫିସର ଗୋଟିଏ ଗୋଟିଏ। ମୁଁ କିନ୍ତୁ ତାଙ୍କୁ ଚିହ୍ନେ-ଅନ୍ତତଃ ତିନିଜଣଙ୍କୁ ଜାଣେ-ଏ କଣ ସମ୍ଭବ ସେମାନେ ଗୋଷ୍ଟାପୋ ବିଭାଗରେ ଅଛନ୍ତି? ହୋଇପାରେ-କିନ୍ତୁ ଏ ତିନିଜଣ ବି? ସେ ହେଉଚି ଟେରିଡିଂଲ ବା ଆମ ଦିଆ ନାମ ଅନୁସାରେ ରେନେକ୍; ଇଉନିଅନ ଓ ପାର୍ଟିର ବହୁଦିନ ଧଣି ସଂପାଦକ ଥିଲା, ଟିକିଏ ଉଚ୍ଛୃଙ୍ଖଳ କିନ୍ତୁ ବିଶ୍ବସ୍ତ। ନା, ଅସମ୍ଭବ। ଆର ଜଣକ ଆଙ୍କା ଭିକୋଭା, ମୁଣ୍ଡବାଳ ଏକବାରେ ଧଳା ପାଲଟି ଯାଇଛି ସତ, ତେବେ ବି ସଳଖ ଅଛି, ଏବେବି ଚେହେରା ସୁନ୍ଦର ଅଛି। ସେ ଥିଲା ଟାଣୁଆ ,ଅଟଳ ଯୋଦ୍ଧା। ନା, ଏ ଅସମ୍ଭବ। ଅନ୍ୟ ଜଣଙ୍କ ଭାସେକ୍ ରେଜେକ୍ । ଉତ୍ତର ବୋହିମିଆଁ ଖଣି ଅଞ୍ଚଳର ଜଣେ ଇଟା କାରିଗର। ତାପରେ ସେ ପାର୍ଟିର ଜିଲ୍ଲା ସଂପାଦକ ଥିଲା-ନିଶ୍ଚୟ ମୁଁ ତାକୁ ଚିହ୍ନେ। ଉତ୍ତର ଅଞ୍ଚଳରେ ଆମେ ଦୁହେଁ ଏକ ସାଙ୍ଗରେ ଏତେ ସଂଗ୍ରାମ କରିସାରିବା ପରେ, କିପରି ତାରପିଠି ନଇଁଗଲା? ,ନା ଅସମ୍ଭବ । କିନ୍ତୁ ସେମାନେ ଏଠି, କଣ ଦରକାର?
ମୁଁ ଏସବୁ ପ୍ରଶ୍ନର ଉତ୍ତର ଖୋଜି ସ୍ଥିର କରିନାହିଁ ଏପରି ସମୟରେ ଅନ୍ୟମାନେ ଆସି ପହଞ୍ଚିଲେ। ମିରେକ୍, ଜେଲିନେକ୍ ଦମ୍ପତି,ଫ୍ରେଡ଼ ଦମ୍ପତିଙ୍କୁ ସେମାନେ ନେଇ ଆସିଲେ। ହଁ ମୋ ସାଙ୍ଗରେ ସେମାନେ ଗିରଫ ହୋଇଥିଲେ ମୁଁ ଜାଣେ। କିନ୍ତୁ ପାଭେଲ୍ କ୍ରୋପାରେକ୍ ଏଠି କାହିଁକି? ଶିଳ୍ପୀ ଐତିହାସିକ ସେ ବୁଦ୍ଧିଜୀବୀମାନଙ୍କ ଭିତରେ କାମ କରିବାରେ ମିରେକ୍କୁ ସାହାଯ୍ୟ କରିଥିଲେ ସେ। ମିରେକ୍ ଓ ମୋ ବ୍ୟତୀତ ତାଙ୍କ କଥା ଆଉ କିଏ ଜାଣେ ଭଲା? ଆଉ ସେହି… ଦୀର୍ଘକାୟ ଯୁବକ ଜଣକ କାହିଁକି ଛଳନା କରୁଛି ଯେ ଆମେ ପରସ୍ପରକୁ ଚିହ୍ନୁ ନାହିଁ ବୋଲି? ତାକୁ ତ ମୁଁ ସତରେ ଜାଣି ନାହିଁ ? ସେ କିଏ ହୋଇପାରେ? ଆରେ ଷ୍ଟାଇଶ୍ ତ? ଷ୍ଟାଇଶ? ଡାକ୍ତର ଟୋନେକ୍ ଷ୍ଟାଇଶ୍?ହେ ଭଗବାନ! ସେମାନେ ତାହେଲେ ଡାକ୍ତରମାନଙ୍କର ଇଉନିଟ୍କୁ ମଧ୍ୟ ଭେଦ କରିଛନ୍ତି? ମିରେକ୍ ଆଉ ମୋ ବ୍ୟତୀତ ତାଙ୍କ ବିଷୟ ଆଉ କିଏ ଜାଣିଥିଲା କି? ଗାରଦରେ ମୋତେ ନିର୍ଯ୍ୟାତନା ଦେଲାବେଳେ ସେମାନେ ବୁଦ୍ଧିଜୀବୀମାନଙ୍କର ବଡ଼ କଥା ପଚାରୁଥିଲେ ମୋତେ? ବୁଦ୍ଧିଜୀବୀମାନଙ୍କ ଭିତରେ ମୁଁ କାମ କରିଛି ବୋଲି ସେମାନେ ଜାଣିଲେ କିପରି? ମିରେକ୍ ଆଉ ମୋ ବ୍ୟତୀତ ଏ ବ୍ୟାପାର ଆଉ କିଏ ଜାଣିଥିଲା?