ଜେଲ୍ ଖାନାର ଅଗଣାରେ ସେମାନେ ଷ୍ଟ୍ରେଚରକୁ ଗୋଟାଏ ଟ୍ରକ୍ରେ ନେଇ ଥୋଇଲେ। ଦୁଇଜଣ ଏସ୍.ଏସ୍. ଲୋକ ବାଳକ ପାଖରେ ବସିଛନ୍ତି, ଆଉ ଦୁଇଜଣ ମୋ ମୁଣ୍ଡ ପାଖରେ ଛିଡ଼ା ହୋଇଛନ୍ତି। ସେମାନଙ୍କର ହାତ ରିଭଲଭରର ଉନ୍ମୁକ୍ତ ଖୋପ ମଧ୍ୟରେ । ଆମ ଗାଡ଼ି ଚାଲିଲା। ରାସ୍ତା ଖରାପ, ଗୋଟିଏ ଗାଡ଼ରୁ ଆଉ ଗୋଟାଏ ଗାଡ଼କୁ ଡେଇଁ ଚାଲିଛି ଗାଡ଼ିର ଚକ। ଦୁଇଶ ଗଜ ନ ଯାଉଣୁଁ ମୁଁ ସଂଜ୍ଞାଶୂନ୍ୟ ହୋଇପଡ଼ିଲି। ପ୍ରେଗ୍ର ରାସ୍ତାରେ ଏ ଦୌଡ଼ି ଏକ ତାମସା-ତିରିଶ ଜଣ କୟଦୀଙ୍କୁ ଧରିବା ଭଳି ଗୋଟାଏ ପାଞ୍ଚଟନିଆ ଟ୍ରକ୍-କିନ୍ତୁ ଗୋଟାଏ ଲୋକପାଇଁ ତାହା ପେଟ୍ରୋଲ ପୋଡ଼ି ଚାଲିଛି। ଦୁଇଜଣ ଏସ୍.ଏସ୍. ଲୋକ ସାମନାରେ,ଦୁଇଜଣ ପଛରେ। ସେମାନଙ୍କର ରିଭଲଭର ଆଉ ଶାଗୁଣା ପରି ତୀକ୍ଷ୍ଣ ଚକ୍ଷୁ ପହରା ଦେଉଛି ଗୋଟାଏ ମୃତ ଦେହକୁ। ଭୟ, କାଳେ ସେ ସେମାନଙ୍କ ହାତରୁ ଖସି ପଳାଇଯିବ।
ମୋର ଚେତା ନଥିଲା ବୋଲି ଶୁଣାଣି ହେଲାନାହିଁ, ତେଣୁ ସେମାନେ ମତେ ପୁଣି ଗାଡ଼ିରେ ଫେରେଇନେଇ ପ୍ୟାନକ୍ରାଟସ୍କୁ। ପରଦିନ ସେଇ ଏକ ପ୍ରହସନର ପୁନରାବୃତ୍ତି। ପେଟ୍ଚେକ୍ ବିଲଡ଼ିଂ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଚେତା ଥିଲା। ଶୁଣାଣି ବେଶି ସମୟ ହେଲା ନାହିଁ ଅଫିସର ଫ୍ରେଡ଼ରିଚ୍ ମୋ ଦେହକୁ ଟିକିଏ ବେଖାତିର ଭାବରେ ଛୁଇଁ ଦେଲେ ଏବଂ ସେମାନେ ମୋତେ ଅଚେତନ ଅବସ୍ଥାରେ ଗାଡ଼ିରେ ନେଇ ଆସିଲେ।
ତା ପରେ କେତେଦିନ କଟିଲା, ଯେବେ ମୁଁ ବଞ୍ଚିଛି ବୋଲି ମୋର ସନ୍ଦେହ ହୋଇନାହିଁ। ବେଦନା-ଜୀବନର ଯାଆଁଳା ପିଲା ସେ-ସେହି ସର୍ବଦା ନିଷ୍ଠୁର ଭାବରେ ସ୍ମରଣ କରେଇ ଦେଉଥାଏ ସେ କଥା। ସମସ୍ତ ପ୍ୟାନ୍କ୍ରାଟ୍ସ ଜାଣିଲା । ଯେ ମୁଁ ବଞ୍ଚିଯାଇଛି ଭୂଲ୍ରେ ନଜରରେ ପଡ଼ିନଥିବାରୁ , ସମସ୍ତେ ଜଣେଇଲେ ଅଭିନନ୍ଦନ। ଘନ କାନ୍ଥ ଭେଦ କରି ତାହା ଭାସିଆସିଲା ସାଙ୍କେତିକ ଠୋକର ଶବ୍ଦଦ୍ବାରା, ଖାଦ୍ୟ ପରିବେଷଣକାରୀ ରକ୍ଷୀମାନଙ୍କର ଆଖିର ଚାହାଣୀରେ।
କେବଳ ମୋର ସ୍ତ୍ରୀ ମୋର କୌଣସି ଖବର ପାଇନଥିଲା। ସେ ଆମର ତଳ ମହଲାରେ କେତେକ ନମ୍ବର ଛଡ଼ାରେ ଗାରଦରେ ବନ୍ଦିନୀ, ଏକଲା। ଆଶା ଆଉ ଆଶଙ୍କାରେ ଦିନ କଟାଉଛି। ଦିନେ ପାଶ୍ବବର୍ତ୍ତୀ ଗାରଦରେ ଜଣେ ସ୍ତ୍ରୀଲୋକ ଶାରୀରିକ ବ୍ୟାୟାମ ମରିବା ସମୟରେ ଚୁପ୍ କରି କହିଦେଲା ମୁଁ ମରିଯାଇଛି, ପ୍ରଥମ ଥରର ଅତ୍ୟାଚାର ସହିନପାରି ଘାଉଡ଼ରେ ଗାରଦ ଭିତରେ ମରିଯାଇଛି। ଏଇ ଦାରୁଣ ଆଘାତ ପାଇ ମୋର ସ୍ତ୍ରୀ ଅଗଣାରେ ସ୍ବପ୍ନାବିଷ୍ଟ ପରି ଘୂରି ବୁଲିଲା। ନାରୀରକ୍ଷୀ ତାର ମୁହଁରେ ବାରମ୍ବାର ଭୁସିମାରି ତାକୁ କୟଦୀ ଜୀବନର କାଏଦା ରକ୍ଷା କରିବାକୁ ଧାଡ଼ି ଭିତରକୁ ପେଲିଦେଲେ ବି ସେତାହା ଜାଣିପାରିଲା ନାହିଁ। ସେଦିନ ତାର ଦୁଇଟି ଆୟତ୍ତ ସୁନ୍ଦର ଚକ୍ଷୁ ସାମନାରେ କି ଦୃଶ୍ୟ ଭାସି ଉଠିଥିଲା? ସାରା ଦିନ ଗାରଦର କାନ୍ଥକୁ ଚାହିଁ ସେ କ’ଣ ଭାବୁଥିଲା? ଏତେ ଦୁର୍ବଳ ଯେ କାନ୍ଦି ବି ପାରିଲା ନାହିଁ। ପରଦିନ ଆଉ ଏକ ଗୁଜବ୍ ଶୁଣିଲା ଯେ ସେମାନେ ମୋତେ ବାଡ଼େଇ କରିମାରି ପକେଇ ନାହାନ୍ତି, କିନ୍ତୁ ଯନ୍ତ୍ରଣାରୁ ଖସିଯିବା ପାଇଁ ଗାରଦ ଭିତରେ ମୁଁ ଗଳାରେ ଦଉଡ଼ି ଦେଇ ମାରିଛି।
ସେ ଯେତେବେଳେ ଏପରି କଥା ସବୁ ଶୁଣୁଥିଲା, ମୁଁ ଯେତେବେଳେ ସେହି ଘୃଣ୍ୟ ଖଟିଆରେ ପଡ଼ି କାନ୍ଥ ଆଡ଼କୁ ମୁହଁ କରି ପ୍ରତି ସନ୍ଧ୍ୟାରେ ମୋର ଗୁସ୍ତିନାର ଗୀତ ଗାଉଥିଲି। କାହିଁକି, କାହିଁକି ସେ ଶୁଣିପାରିବ ନାହିଁ? ମୁଁ ତ ଏତେ ଦରଦ ଦେଇ ସେ ଗୀତ ଗାଉଥିଲି।
ଆଜି କିନ୍ତୁ ସେ ଜାଣିଲାଣି, ଶୁଣିପାରୁଛି ଆଜି ସେ ସଙ୍ଗୀତ- ଯଦିଓ ସେଦିନ ଯୋଉଠି ଥିଲା ଆଜି ତାଠାରୁ ବହୁ ଦୂରରେ । ଦୁଇଶ ସତଷଠୀ ନମ୍ବର ଗାରଦରେ ଗୀତ ବୋଲାହୁଏ ଏ କଥାରେ ରକ୍ଷୀମାନେ ବର୍ତ୍ତମାନ ଅଭ୍ୟସ୍ତ ହୋଇଗଲେଣି। ଆଉ କବାଟରେ ଧକ୍କା ମାରି ଚୁପ୍ ହେବାକୁ ସେମାନେ କହୁନାହାନ୍ତି।
ଦୁଇଶ ସତଷଠୀ ନମ୍ବର ଗାରଦରେ ଗାନ ହୁଏ। ଜୀବନସାରା ଗୀତ ଗାଇଛି, ଆଜି ମୋର ଶେଷ ପ୍ରାନ୍ତରେ ବନ୍ଦ କରି ଦେବାର କାରଣ ତ ଦେଖୁନାହିଁ- ଆଜି ପୁଣି ଯେତେବେଳେ ମୋର ଜୀବନରେ ଗଭୀରତା ଦେଖାଇ ଦେଇଛି। ଆଉ ‘ବାପା’ ପେସକ୍ର କଥା? ବିରଳ ଚରିତ୍ର, ଗୀତ ଗାଇବାକୁ ଏକବାରେ ବାଇ। କଣ୍ଠ ନାହିଁ, ସୂର ଜ୍ଞାନ ନାହିଁ, ସ୍ମରଣଶକ୍ତି ନାହିଁ କିନ୍ତୁ ଗୀତ ତାଙ୍କର ଅତିଶୟ ପ୍ରିୟ-ସେ ଅନୁସାରେ ଅଛି ମାଧୁରୀ ଅଛି ବିଶ୍ବସ୍ତତା। ଗୀତକୁ ସେ ଏତେ ଭଲ ପା’ନ୍ତି ବୋଲି ସେ ଯେତେବେଳେ ଗୋଟିଏ ସୁରରୁ ଆଉ ଗୋଟାକୁ ଚାଲିଯାନ୍ତି, ମୁଁ ତାର ଟେର୍ ପାଏନାହିଁ। କାନ ଯେତେବେଳେ ‘ସା’ ଶୁଣିବାକୁ ଚାହେଁ ସେ ସେତେବେଳେ ଜୋର କରି ହୁଏ ତ ‘ଗା’ ଗାଇ ଯିବେ। ଯେତେବେଳେ ମେଜାଜ ଭଲ ଥାଏ ଆମେ ଦୁହେଁ ଗୀତ ଗାଉଁ। କେତେବେଳେ ବା ମନ ଭାବନାରେ ଭାରାକ୍ରାନ୍ତ ହେଲେ ଗୀତ ବାହାରି ପଡ଼େ। କୌଣସି କମରେଡ୍ ହୁଏତ ବିଦାୟ ନେଇଛି, ଆଉ ଦେଖାହେବ ନାହିଁ- ସେତେବେଳେ ଗାଉଁ ଗୀତ। ପ୍ରାଚ୍ୟ ଯୁଦ୍ଧଭୂଇଁରୁ ସୁସମ୍ବାଦ ପାଇଲେ ସ୍ବାଗତ ଜଣାଇବାକୁ ଗାଉଁ ଗୀତ। ଆନନ୍ଦ ନିମିତ୍ତ, ସାନ୍ତ୍ବନା ନିମିତ୍ତ ମନୁଷ୍ୟ ଗୀତ ଗାଇଛି ଯୁଗେ ଯୁଗେ ,ଆଉ ଯେତେଦିନ ମନୁଷ୍ୟ ହୋଇରହିବ, ତେତେଦିନ ଗାଇବ ମଧ୍ୟ।
ସଙ୍ଗୀତ ବିନା ଜୀବନ ନାହିଁ, ଯେପରି ସୂର୍ଯ୍ୟଙ୍କୁ ଛାଡ଼ି ଜୀବନ ତିଷ୍ଟି ନପାରେ। ଏଠିକି ସୂର୍ଯ୍ୟ ତ ଆସିପାରୁନାହାନ୍ତି, ତେଣୁ ସଙ୍ଗୀତ ଦ୍ବିଗୁଣ ଦରକାର। ଦୁଇଶ ସତଷଠୀ ନମ୍ବର ସେଲ୍ର ମୁହଁ ଉତ୍ତରଆଡ଼କୁ। କେବଳ ଗ୍ରୀଷ୍ମ ସମୟରେ ଅସ୍ତଗାମୀ ସୂର୍ଯ୍ୟର ଶେଷ ରଶ୍ମି ଗାରଦର ପୂର୍ବପଟ କାନ୍ଥର ଝରକା ରେଲିଂ ଛୁଇଁ ଦେଇଯାଏ, ମାତ୍ର କେତେକ ମୁହୂର୍ତ୍ତ ପଇଁ । ସେଇ କେତେକ ମୁହୂର୍ତ୍ତ ‘ବାପା’ ତାଙ୍କର ଲେଉଟା ହୋଇଥିବା ଖଟିଆରେ ଭରା ଦେଇ ସୂର୍ଯ୍ୟଙ୍କର ସେଇ ଆଗମନ ଦେଖାନ୍ତି। ଏହାଠାରୁ ଶୋକାବହ ଦୃଶ୍ୟ ଆଉ ନାହିଁ।
ସୂର୍ଯ୍ୟ! ଉଦାର ସୂର୍ଯ୍ୟ କପରି ତାଙ୍କର କିରଣର ଇନ୍ଦ୍ରଜାଲ ବିଛେଇ ଦିଅନ୍ତି,ମନୁଷ୍ୟର ଦୃଷ୍ଟି ସାମନାରେ କେତେ ବିସ୍ମୟକର ବ୍ୟାପାର ସୃଷ୍ଟି କରି ଦିଅନ୍ତି, ମନୁଷ୍ୟର ଦୃଷ୍ଟି ସାମନାରେ କେତେ ବିସ୍ମୟକର ବ୍ୟାପାର ସୃଷ୍ଟିକରି ଦିଅନ୍ତି, କିନ୍ତୁ କେତେଜଣ ସେ ସୂର୍ଯ୍ୟର ଆଲୋକ ପାଆନ୍ତି। ଦିନେ ସେ ଆମ ସମସ୍ତଙ୍କୁ ଆଲୋକ ଦେବେ, ହଁ, ସମସ୍ତଙ୍କ ପାଇଁ ଉଠିବେ ଆକାଶରେ ।ଆମେ ସମସ୍ତେ ତାଙ୍କରି ଉଷ୍ଣ କିରଣରେ ଜୀବନଯାପନ କରିବୁଁ। ଏଇ କଥା ଜାଣିବାରେ ତ ଆନନ୍ଦ। କିନ୍ତୁ ମୁଁ ଜାଣିବାକୁ ଚାହେଁ ନିହାତି ତୁଚ୍ଛ ଏକ ବିଷୟ ଆମ ଦୁଇଜଣଙ୍କୁ କଣ ସେ ଆଉ ଆଲୋକ ପ୍ରଦାନ କରିବେ?
ଅମର ଗାରଦ ଉତ୍ତର ପଟକୁ ଭାଗ୍ୟ ଅତିଶୟ ସୁପ୍ରସନ୍ନ ହେଲେ ମଝିରେ ମଝିରେ ଗ୍ରୀଷ୍ମ ଦିନରେ ଆମେ ସୂର୍ଯ୍ୟାସ୍ତ ଦେଖିବାକୁ ପାଉଁ। ‘ବାବା’ ପୁଣି ଥରେ ସୂର୍ଯ୍ୟୋଦୟ ଦେଖିବାକୁ କି ବଳବତୀ ଇଚ୍ଛା ନ ହେଉଛି!