ମା- ବୃଥାରେ ଚିଡ଼ିଲି?ଚିଡ଼ିବି ନାଇଁ କଣ ତାକୁ ମୁଣ୍ଡରେ ଥୋଇବି? ତମେ ଏଇ ଚାକର ବାକରଙ୍କ ମୁହଁ ବଢ଼େଇ ଦେଇଚ।
ବନ- ତାର ଏଥିରେ ଦୋଷ କଣ ହେଲା, ଚିଠି ଲେଖିତ ତାକୁ କହିବାକୁ ମନେନାହିଁ, ସେ କେମିତି ଜାଣିବ? ଏଥିରେ ତାର ହେଲା ଦୋଷ । ଟେବୁଲ ଉପରେ ପୁରୁଣା ସେ ଛୋଟ ସୁଟ୍କେସ୍ଟା ମୁଁ ଝାଡ଼ିଲି-ମଇଳା ପଡ଼ିଲା; ସେଥିରେ ଦୋଷ ହେଲା ତାର। ମୁଁ ଏବେ ଟିକିଏ ଝାଡ଼ିଦେଲି-ସେଥିରେ କଣ ମୋ ହାତ ଘୋରି ହେଇଗଲା?
ଚାକର- ମୁଁ କଣ ଦେଈ,କାମ କରିବାକୁ କେତେବେଳେ ମନା କରିଚି?ମୁଁ କଣ କେତେବେଳେ କଥା ଏଡ଼ି ଦେଇଯାଇଛି, ମା? ମତେ ଟିକିଏ କହି ଦେଇଥିଲେ ମୁଁ ଚିଠିଖଣ୍ଡ କଣ ପକେଇ ଦେଇ ଆସିନଥାନ୍ତି?ମୋ ଗୋଡ଼ କଣ ଘୂରି ଯାଉଥେଲା?
ମା- କଥା ଭାରି ସଳଖ ସୁନ୍ଦର କରି କହିଜାଣୁ-ଯା,ଯା, (ଝିଅକୁ ଚାହିଁ)ତମରି ଯୋଗୁଁ ଏ ଚାକର ଗୁଡ଼ାକ ଇମିତି ହଉଛନ୍ତି-ଘରଗୁଣେ ବିଲେଇ ମାଡନ୍ତି-ତମେ ସମ୍ଭାଳ ତାଙ୍କୁ । ମୁଁ ପଛେ ତୁନି ରହୁଛି। ତୋର ତୁ ଘରଯାକ ପାଇଟି ଆପେ କଲୁ ମୋର କ’ଣ ଯାଉଛି? ମତେ କ’ଣ ପାଟି କରିବାକୁ ଭଲ ଲାଗୁଛି। ଚାକରଙ୍କୁ ତ ବେଲପତ୍ରୀ ତୁଳସୀ ଦେଇ ପୂଜା କରିବ, ତାଙ୍କଠୁଁ କାମ ଉଠିବ କେମିତି? (ମା ମୁହଁ ଫଣ ଫଣ କରି ବସିଲେ, କିଛିକ୍ଷଣ ପାଇଁ ସମସ୍ତେ ନୀରବ)
ବନ- ନିମା, ରୁମାଲଟା ଶୁଖେଇଥିଲି-ଏ ଖସିପଡ଼ିଲା ତ-ଟିକିଏ ଘେନି ଆସିଲୁ-(ଚାକର ଅଗଣାରୁ ରୁମାଲ ଆଣିବାକୁ ଗଲା, ମା ଅଭିମାନ ଓ କ୍ଷୋଭରେ ନିଶ୍ଚଳ ହୋଇ ବସି ରହିଥାନ୍ତି। ବନ ମଧ୍ୟ ଚୁପ୍। ଚାକର ରୁମାଲ ଆଣି ଫେରିଲା, ଆଉ ବନ ହାତକୁ ବଢ଼ାଇଦେଲା)
ଚାକର- ମା, ଗୋଟିଏ କଥା କହନ୍ତି-
ମା- (ବିରକ୍ତ ହୋଇ)-କଣ?
ଚାକର- କାଲି ଦିହିପହରେ ସହରର ସବୁ ଚାକର ବାକରଙ୍କର ଗୋଟାଏ ସଭା ହେଉଛି, ୧୨ଟା ବେଳେ , ଗୋପାଳଜୀ ମଠରେ ହବ। କଟକରେ ଯେତେ ଚାକର ସବୁ ଯାଉଛନ୍ତି। ମୁଁ ଟିକିଏ ଯା’ନ୍ତି, ମା, ଘଣ୍ଟାକ ପାଇଁ । ମୁଁ ଖାଲି କଣ ହେଉଛି ଦେଖି ସେମିତି ଠିଆଏ ଠିଆଏ ପଳାଇଆସନ୍ତି।
ମା- ଯା, ତୋର ମନ ଯୁଆଡ଼େ ହଉଚି;-ମୋର ସେଥିରେ ଯାଏ କେତେ ଆସେ କେତେ? ମୋର ମୁଁ ମୁହଁ ବାନ୍ଧି କରି ବସୁଛି ତୁମେତ ଏବ କାଳକୁ ବାବୁଭାୟା ହେବ ବାହାରିଲଣି- ତମକୁ କଥା କହିଲା ବେଳକୁ ଡର ମାଡ଼ୁଛି। ଚାକର ରହିଚ, ଜାମାଯୋଡ଼ ହୋଇ ସଭା, ସିନେମା, ସରକସ୍ ଦେଖି ନ ଗଲେ ହବ କିମିତି?ଆଉ ମୁଁ ଏଠି ସବୁଯାକ କାମ କରିବାକୁ ଅଛି।
ଚାକର- ନା, ମା, ମୁଁ କଣ ତା କହିଲି- ମୁଁ ସବୁକାମ ସାରିଦେଇ ଦିହିପହରେ ଅଧଘଣ୍ଟାକ ପାଇଁ ଯିବି- ଖାଲି ଟିକିଏ ମୁହଁ ମାରିଦେଇ ଆସିବି। କାମ ପକେଇଦେଇ ଯିବାକୁ ଆଗ କା ମନ ହେବ?
ମା- ମୁଁ କିଛି କହିପାରିବି ନାହିଁ, ତମ ବାବୁ ଆସନ୍ତୁ, ସେ ଯାହା କହିବେ-ମୁଁ ଏ ଝିନ୍ଝଟ୍ରେ ପଶି ପାରେ ନାହିଁ-ତାଙ୍କୁ କହି ତମେ ସଭାକୁ ଯା କି ଫଭାକୁ ଯା-ମୁଁ କାହିଁକି ସେ ହାଣ କୁରାଢ଼ି ବେକକୁ ଆଣିବି?
(ଏହି ସମୟରେ ବାବୁଙ୍କର ପ୍ରବେଶ-ବଡ଼ ଅସ୍ତବ୍ୟସ୍ତ-କୋଟ୍ କମିଜ ଇତ୍ୟାଦି ଗୋଟାଏ ଚାକର ଉପରକୁ ତ ଆଉ ଗୋଟେ ଝିଅ ଉପରକୁ ଉଃ, ଉଃ କରି ପକାଇବାରେ ଲାଗିଛନ୍ତି।ପେଣ୍ଟଟା ଉତାରିବାକୁ-)
ବାବୁ- ନିମା, ମୋ ଲୁଗାଟା ଆଣ-
(ନିମା ଲୁଗାଟା ଦେଲାରୁ ତାକୁ କାନ୍ଧରେ ପକେଇ ଦେଇ ସେଘରୁ ବାହାରିଗଲେ)
ମା- ଏ ନିମା, ପୂଜାରୀକି କହିଦେ ଜଳଖିଆ ଆଣିଦେବ।
ବନ- ବୋଉ, ଥାଉ ମୁଁ ଯାଉଛି ଆଣିବି-
ମା- ତୁ କାହିଁକି ଆଣିବୁ? ତୁ ଏଇଠି ବ;ପୂଜାରୀ କଣ କରୁଛି କି?
ବନ- ମୁଁ ଆଣିଲେ କଣ ପାପ ହୋଇଯିବ?
ମା- ହଉ, ତମ ମନ ଯାହା- ଚୁପ୍କରି ବସିବାକୁ କହିଲେ ତମ ହାତ ଗୋଡ଼ ଖଜର ବଜର ହେଉଛି। ତେବେ କରୁନା, କର।
(ବନ ଚୁପ୍ କରି ଘରୁ ବାହାରିଗଲା-ନିମା ପାଣି ଗିଲାସେ ଆଣି ଟେବୁଲ୍ ଉପରେ ରଖି ଦେଇଗଲା-ଅଳ୍ପ ସମୟ ପରେ ବନ ଗୋଟିଏ ପ୍ଲେଟ୍ରେ ଖାଇବା ଜିନିଷ ଆଣି ଟେବୁଲ ଉପରେ ରଖିଦେଲା। ତାର ପରେ ବାବୁଙ୍କର ପ୍ରବେଶ; ବର୍ତ୍ତମାନ ପୋଷାକ ହେଉଛି ଲୁଗା, ପଞ୍ଜାବୀ ଓ ଚଟି)
ବାବୁ- କ’ଣ ଜଳଖିଆ? ନାଇଁ, ନାଇଁ ନେଇଯାଅ ନେଇଯାଅ-ମୁଁ ଖାଇବି ନାହିଁ-
ମା- ଖାଇବ ନାହିଁ କାହିଁକି? ଏତେ କଷ୍ଟକରି ଏସବୁ ହେଲା କାହିଁକି ଆଉ?
ବାବୁ- ହୋଇଥିଲା କଣ ଖାଲି ମୋ ପାଇଁ?
ମା- ତମ ପାଇଁ ନୁହେଁ ଆଉ କଣ ମୋ ପାଇଁ
ବାବୁ- ସତେ ଯିମିତି ତୁମ ତଣ୍ଟିରେ ଗଳିବ ନାହିଁ-ଖାଇ ସାଇଲଣିଟି? କିରେ ନିମା, କଣ ମା ଖାଇ ସାରିଲେଣିଟି?
ଚାକର- (ଟିକିଏ ଥଙ୍ଗ ମଙ୍ଗ ହୋଇ) ହଁ ବାବୁ।
(ବାବୁଙ୍କ ମୁହଁରେ ହସ)