କିନ୍ତୁ ଆଜି? ଗ୍ରିଶା ଏହିଠାରେ ଅଛି, ତାହାର ଅତି ନିକଟରେ । ଯେକୌଣସି ମୁହୂର୍ତ୍ତରେ ମରିୟା ତାହା ପାଖକୁ ଯାଇପାରେ, ତାକୁ ଦେଖିପାରେ, ତାହାର କଥା ଶୁଣିପାରେ,ସ୍ବପ୍ନରେ ନୁହେଁ, କଳ୍ପନାରେ ନୁହେଁ, ବାସ୍ତବ ଜାଗ୍ରତ ଅବସ୍ଥାରେ । କିନ୍ତୁ ନାହିଁ, ବର୍ତ୍ତମାନ ତ ଆଉ ସେ ଦେହମନ ଭରି ସେ ଶକ୍ତି ଅନୁଭବ କରୁନାହିଁ। ସେ ଆନନ୍ଦ, ତୃପ୍ତି…ଯେପରି ଆଗେ ଯାଉଥିଲା? ମରିୟା ପ୍ରତି ମୁହୂର୍ତ୍ତରେ ବୁଝିପାରୁଛି ଯେ ୟାଙ୍କ ସଙ୍ଗେ ଆଜି ତାହାର କୌଣସି ଠାରେ ମେଳ ନାହିଁ ଟିକିଏ ବୋଲି । ଆହତ ରୋଗୀର ତୃଷିତ ଅଧରରେ ଆଜି ମଧ୍ୟ ମରିୟା ପାଣି ଢାଳିଦିଏ, କିନ୍ତୁ ଏହା କେବଳ ମାତ୍ର ଜଳ , ସେହି ମନ୍ତ୍ରପୂତ ପାନୀୟ ନୁହେଁ, ରୋଗୀର ଦେହରେ ଯାହା ନୂତନ ଜୀବନ ଫେରାଇ ଆଣୁଥିଲା। ଜ୍ବରତପ୍ତ ଲଲାଟରେ ଆଜି ମଧ୍ୟ ସେ ହାତ ବୁଲାଇ ଦିଏ, କିନ୍ତୁ ଆଜି ଏ ସ୍ପର୍ଶରେ ସେ ଦିନର ଯାଦୁ ନାହିଁ ଯାହା ନିଦ୍ରାହୀନ ଚକ୍ଷୁରେ ଆରାମର ନିଦ ଆଣିଦିଏ। ଯେ ହସ ଆଜି ମଧ୍ୟ ମରିୟା ତାହାର ଅଧର କୋଣରେ ଫୁଟାଏ, ସେ ହସରେ ଆଜି କେହି ବିଶ୍ବସ୍ତତା ପାଉନାହିଁ, କୌଣସି ଆଶାର ଆଲୋକ ମଧ୍ୟ ଦେଖାଯାଉନାହିଁ। ମରିୟା ନିଜେ ଅନୁଭବ କରୁଛି ଯେ କାମ ଭିତରେ ସେ ଆଜି ପାଉନାହିଁ ଉତ୍ସାହ, ପାଉନାହିଁ ଶାନ୍ତି । କାମ ଯେପରି ଆଜି ତାକୁ ନିଃଶେଷ କରିଦେଉଛି , ତାହାର ସମସ୍ତ ବଳ ପୋଛି ପକାଇଛି। କାମ କରିବାକୁ ଗଲେ ସେଇଥିପାଇଁ ଆଜି ତାହାର ମୁଣ୍ଡ ବିନ୍ଧୁଛି, ହାତ ଦୁଇଟି ଝିମିଝିମି ହେଉଛି, ବ୍ୟଥାରେ ପାଦ ଦୁଇଟି ଭାରି ହୋଇଆସୁଛି। ଦାରୁଣ ଅବସାଦ ଓ ବିରକ୍ତିରେ ତାହାର ମନ ତିକ୍ତ ହୋଇଉଠୁଛି। ପ୍ରତ୍ୟେକ ରୋଗୀର ମୁଖରୁ ଯେପରି ସ୍ବତନ୍ତ୍ରତା ଲୋପ ପାଇଯାଇଛି, ମହଁଗୁଡ଼ିକ ସବୁ ଏକାକାର ହୋଇଯାଇଛି।ସବୁ ମିଳି ଯେପରି ଗୋଟିଏ ମୁଖରେ ପରିଣତ ହୋଇଛି… ଯେଉଁ ମୁଖଟା ତାହା ପକ୍ଷରେ ସମ୍ପୂର୍ଣ୍ଣ ଅପରିଚିତ । ବିଭିନ୍ନ ଘାତ ପ୍ରତିଘାତ ଆଉ ନାନା ବର୍ଣ୍ଣର ଆଲୋକର ଛାୟାବିଜଡ଼ିତ ମାନବ-ଜୀବନର ସବୁ ବୈଚିତ୍ର୍ୟ ବା ବିଶିଷ୍ଟତା ଯେପରି ମିଳି ଏକାକାର ହୋଇଯାଇଛି। ଏବଂ ସବୁ ମିଳି ଯେପରି ଗୋଟାଏ ବୈଚିତ୍ର୍ୟହୀନ ନିରାନନ୍ଦମୟ ଜୀବନ ଗଢିଉଠିଛି। ନା, ବର୍ତ୍ତମାନ ଆଉ ପ୍ରଫେସର କହିବେ ନାହିଁ, “ମୁଁ ଚାହେ, ମରିୟା ପ୍ୟାର୍ଲୋଭ୍ନା ତୁମେ, ତୁମେହିଁ ରୋଗୀମାନଙ୍କୁ ବଞ୍ଚାଇ ଉଠାଉଛ।” ବର୍ତ୍ତମାନ କେବଳ ମରିୟା ଯନ୍ତ୍ରଚାଳିତ ପରି କୌଣସି ଭୁଲ୍ ନ କରି କାମ କରିଯାଉଛି, ସେଥିରେ ପ୍ରାଣର ପରଶ ନାହିଁ ମରିୟାର ମନେହୁଏ ତାହା ମୋଟେ ଯଥେଷ୍ଟ ନୁହେଁ । ଆଗେ ତାହାର ଆନନ୍ଦରେ ଅନ୍ତରରୁ ଉଛୁଳି ପଡ଼ି ପ୍ରତ୍ୟେକ ରୋଗୀର ଅନ୍ତର ଆନନ୍ଦରେ ଭରି ଦେଉଥିଲା, ତାହାର ମନର ବଳ ଢାଳି ଦେଉଥିଲା ଉଛୁଳି ପଡ଼ୁଥିବା ଯୌବନର ପ୍ରାଣମୟ ଭାବ।କିନ୍ତୁ ସେ ବର୍ତ୍ତମାନ ସେମାନଙ୍କୁ ଦିଏ ଜଳ, ଔଷଧ, ବ୍ୟାଣ୍ଡେଜ୍।
“କିପରି ଅଛ?”
ଆହତ ଲୋକ ମରିୟା ଆଡ଼େ ଚାହିଁଲା। ତାହାର ମୁହଁରୁ ଅଧେ ବର୍ତ୍ତମାନ ସୁଦ୍ଧା ଶିଲ୍କ ବ୍ୟାଣ୍ଡେଜ୍ରେ ବନ୍ଧା।
“ବଶ୍ ଭଲ ବର୍ତ୍ତମାନ ବୋଧହୁଏ ଏଇଟା ମଧ୍ୟ ଖୋଲି ଦେଇପାରେ ।”
“ସମୟ ତୋର ଠିକ୍ ହୋଇଯିବ, ଆଉ ଅଳ୍ପ କେତେଦିନ ଅପେକ୍ଷା କର।”
“ଆଚ୍ଛା ନର୍ସ୍, ତୁମେ କଅଣ ଅସୁସ୍ଥ?” ମରିୟା ଲୋକଟିର ମୁହଁ ଆଡ଼େ ଚାହିଁଲା ।
“ନା, କାହିଁକି କୁହତ?”
“ଜାଣେ ନା, ମୋର ମନେହେଲା ଯେପରି ସେଇଆ।”
“ନା”। ମରିୟା ମୁଣ୍ଡ ହଲାଇଲା ।
“ତୁମର କଅଣ ଟିକେ ସମୟ ହେବ, ନର୍ସ୍?”
“ହଁ, ହୋଇପାରେ, କେତେକ ମିନିଟ୍ ପାଇଁ?।”
ମରିୟାର ଇଚ୍ଛା ହେଲା ସେ ତାହା ଆଡ଼କୁ ଅନାଇ ଟିକେ ହସିବ , କିନ୍ତୁ ସେ ହସ କୌଣସି କାମରେ ଆସିଲା ନାହିଁ । ବ୍ୟଥାରେ ଓଠ ଦୁଇଟି କୁଞ୍ଚିତ ହୋଇରହିଛି…। ଏହି ଯେ ଧୋବ ବ୍ୟାଣ୍ଡେଜ୍ ଭିତରୁ ଗୋଟାଏ କଳା ଆଖି ନିର୍ନିମେଷ ଦୃଷ୍ଟିରେ ତାହାର ମୁହଁ ଆଡ଼କୁ ଅନାଇ ରହିଛି… ମରିୟା ଟିକକୁ ଅସହାୟ ମନେକରୁଛି। ଯେପରି ଏହି ରୁଗ୍ଣ ତରୁଣଟି ତାହାର ଅନ୍ତରର ଗଭୀରତମ ପ୍ରବେଶ ଦେଖିପାରୁଛି, ତାହାର ମନର କଥା ବୁଝିପାରୁଛି।
“ଗୋଟାଏ ଚିଠି ପଡ଼ି ଶୁଣାଇବ, ନର୍ସ୍?”
“ଚିଠି? ଆଉ ଖଣ୍ଡେ ଚିଠି ଆସିଛି ନା କଅଣ?”
“ନା”-ଟିକିଏ ଇତଃସ୍ତତଃ ହୋଇ ଯୁବକଟି ଉତ୍ତର ଦେଲା-“ସେହି ଚିଠିଟା ।”
“କିନ୍ତୁ ସେ ଚିଠିଟା ତ ତୁମର ମୁଖସ୍ଥ ହୋଇଯାଇଛି।”
“ତା ହେଉ, ସେଥିରେ କିଛି ଯାଏ ଆସେ ନାହିଁ। ମୁଖସ୍ଥ ହୋଇଯିବା ଗୋଟାଏ କଥା, ଆଉ ଶୁଣିବା ଆଉ ଗୋଟାଏ କଥା, ଦୁଇଟା ସମ୍ପୂର୍ଣ୍ଣ ଅଲଗା । ତାହାହେଲେ ମନେ ହେଉଛି ତୁମେ ପଢିବାକୁ ଚାହଁନାହିଁ ନର୍ସ୍?”
“ନା, ନା, ନିଶ୍ଚୟ ପଢିଚି, ଆନନ୍ଦର ସହିତ, ଦିଅ ଚିଠିଟା, ପଢି ଶୁଣାଇଚି ତୁମକୁ।”
ଲେଖାଗୁଡ଼ିକ ପ୍ରାୟ ଅସ୍ପଷ୍ଟ ହୋଇଆସିଛି। ଚିଠିଟା ଶହେ ଥର ପଢା ହୋଇଜଲାଣି । ହାତ ଘସାରେ ଆଉ ଝାଳରେ ଅକ୍ଷରଗୁଡ଼ିକ ପ୍ରାୟ ଲିଭି ଆସିଲାଣି। ବହୁତ ଥର ଓଲଟା ଓଲଟି ହେବାରେ କାଗଜଟି ମଇଳା ହୋଇ ଲୋଚା କୋଚା ହୋଇଗଲାଣି। ଚିଠିର କଥାଗୁଡ଼ିକ ମରିୟାର ମଧ୍ୟ ମୁଖସ୍ଥ ହୋଇଯାଇଛି।