କଅଣ ବୁଝିବ ଭରୋନତ୍ସଭ୍, ଅନ୍ଧ-ତମସାଚ୍ଛନ୍ନ ତାହାର ଶୂନ୍ୟ ଅନ୍ତରର କଥା, କି ସମ୍ପଦ ସେ ଆଜି ହରାଇ ବସିଛି।
ଶୁଖିଲା ପବନ ଧୂଳି ଉଡ଼ାଇ ଆଣିଲା । ମରିୟାର ମନେ ହେଲା ତାହାର ଅନ୍ତରର ଶୂନ୍ୟ ସ୍ଥାନଟା ବି ଏହି ଧୂଳିରେ ଭର୍ତ୍ତି ହୋଇଯାଇଛି, ସେଠାରେ ମଧ୍ୟ ଏହି ଶୁଖିଲା ପବନ ବହୁଛି…ସେଠାରେ କିଛି ନାହିଁ।
“ଟିକିଏ ବିଶ୍ରାମ ନିଅ ମରିୟା…ବିଭିନ୍ନ ଚିନ୍ତାର ଘାତ ପ୍ରତିଘାତ ତୁମେ ମନରେ ଏକ ସଙ୍ଗରେ ଜମା ହୋଇଯାଇଛି… ତୁମର ଆନ୍ତରକୁ ବିକ୍ଷୁବ୍ଧ କରି ପକାଇଛି…ପରେ ଦେଖିବ ସବୁ ସଜାଡ଼ି ହୋଇଯିବ…ଅବଶ୍ୟ ମୁଁ ବୁଝୁଛି।”
ନା, ଭରୋନତ୍ସଭ କିଛି ବୁଝିନାହିଁ। କି ଭିନ୍ନ ଧରଣ ଚିନ୍ତା!ତାହାର ମନରେ ଆଉ ଅନ୍ୟ ଚିନ୍ତା ନାହିଁ। ଗୋଟାଏ ଅଦୃଷ୍ଟ ଭବଷ୍ୟତବାଣୀ ପରି ଯେପରି ମରିୟା ଆଗରୁ ଜାଣି ପାରିଥିଲା ଯେ ଏହିପରି ଗୋଟାଏ କିଛି ଘଟିବ- ତାହାର ହୃଦୟ ଶୂନ୍ୟ ହୋଇଯିବ, ସମସ୍ତ ଅନୁଭୂତି ଅସାର ହୋଇଯିବ। ମନେ ମନେ ଏହି ଲୋକଟି ରାଗିଯାଇଛି, ଏହି ଯେ ତାହାର ସାମ୍ନାରେ ବସି ସହାନୁଭୂତିଭରା ଦୃଷ୍ଟିରେ ତାହାର ମୁହଁଆଡ଼େ ଚାହିଁ ରହିଛି। କି ସ୍ପର୍ଦ୍ଧାରେ ତେକୁ ଦୟା ଦେଖାଉଛିସେ । ମରିୟା ତ ଦୟାର ଭିକାରୁଣୀ ନୁହେଁ। ସେ ଚାହେଁ ତାହାର ଅତଳସ୍ପର୍ଶ ଦୁଃଖର ବୋଝ ସେ ଏକା ବୋହି ବୁଲିବ।
“କାହିଁକି ତୁମେ ମୋ ମୁହଁଆଡ଼େ ଏପରି ଅନାଇ ରହିଛ, ବିଜ୍ଞ ଡାକ୍ତର? ମୋ ଉପରେ ଦୟା ହେଉଛି ତୁମର?”
“ମୋତେ କରୁଣା କରିବାର କୌଣସି ଦରକାର ନାହିଁ… ଏପରି ବିମର୍ଷ ଦୃଷ୍ଟିରେ ମୋ ମୁହଁଆଡ଼େ ମଧ୍ୟ ଚାହିଁ ବସିବାର କି ଦରକାର ? ଯା ହୋଇଛି ତାହାହିଁ ରହିବ- ଆଉ ସେଇଟା ହେଉଛି ଶେଷ କଥା।”
“ଯେପରି ଅଛି ଠିକ୍ ସେହିପରି ରହିବ, ମରିୟା ।”
ଭରୋନତ୍ସଭ୍ର ମୁଣ୍ଡଟି ନଇଁପଡ଼ିଲା, ମରିୟା ଆଡ଼େ ମୁହଁ ଫେରାଇ ଚାହିଁବାକୁ ଜାହାର ଆଉ ଭରସା ହେଉନାହିଁ; ଯନ୍ତ୍ରଚାଳିତ ପରି ସେ କୁଞ୍ଚିତ ହୋଇଯାଇଥିବା ଟେବୁଲ କ୍ଲଥ୍ର ଭାଙ୍ଗ ଉପରେ ହାତ ବୁଲାଉଥାଏ।
“କିନ୍ତୁ ମୁଁ ତ ଜାଣେନା ସେ କଅଣ?”
“ଜାଣନା ତୁମେ ? ଖୁବ୍ ସହଜ ଆଉ ସରଳ କଥା। ଏହି ହାସପାତାଳରେ ମୁଁ କାମ କରିବି-ଆଉ ଜୀବନ ସାରା ବି କରିଯିବି ତାହାର ପରିଚର୍ଯ୍ୟ।ବୁଝୁଛ? ଜୀବନସାରା !”
ଏହି ଅକର୍ମଣ୍ୟ ପାଦ, କଟାହାତ ଆଉ ବିକୃତ ମୁଖଟି ନେଇ ମୋର ଆମରଣ କଟିବ ଶୁଣିଲ?ତାହାଛଡ଼ା କଅଣ ଆଉ ହୋଇପାରେ ?
“ରାଗ କରନା ମରିୟା। ଅବଶ୍ୟ ତାହା ହୁଏତ ଠିକ୍, ତଥାପି …ତ… ସେପରି କରନା…।” କହିବାକୁ ଯାଇ ଭରୋନତ୍ସଭ୍ ଅଟକିଗଲା , ମରିୟାର ମୁହଁକୁ ଆଖିଟେକି ତାହାର ଆଉ ସହାସ ହେଲାନାହଁ। ଦୃଷ୍ଟି ଏଡ଼ାଇ ଭରୋନତ୍ସଭ୍ ଅନ୍ୟଆଡ଼େ ଚାହିଁଲା ।
“ତାହାର ଅର୍ଥ? ଏପରି କରନା-କଣ କହିବାକୁ ଚାହୁଁଛ ତୁମେ?”
“ଏପରି କୁହନା ମରିୟା, ଅନ୍ୟଭାବରେ ତ ସେହି କଥାଟା କହିପାର।”
“ଓଃ,ଏହି ତ କଥା । ଗଦ୍ଗଦ୍ କଣ୍ଠରେ ଆଖିରୁ ଲୁହ ଗଡ଼ାଇ ଆଉ ଦୁଇ ହାତରେ ଛାତିଟା ଚାପିଧରି କହିବାକୁ ହେବ , ନା?”
“ନା , ତାହା ଠିକ୍ ନୁହେଁ । ବେଶ୍ ଭଲକରି ଜାଣ ତୁମେ ମୁଁ କଣ କହିବାକୁ ଚାହୁଁଛି। ଏପରି କରନା ମରିୟା, ଏଇଟା ମୋଟେ ସ୍ବାଭାବିକ ନୁହେଁ।”
ଦୁଇଟି ଜୀବନ୍ତ ଚକ୍ଷୁର ଅଗ୍ନିମୟ ଦୃଷ୍ଟିରେ ମରିୟା ତାର ମୁହଁ ଆଡ଼େ ଚାହିଁଲା । “ହଁ? ଏଇଆ କହିବାକୁ ଚାହୁଁଛ ତୁମେ? ଆଉ ମୋ ଜୀବନରେ ଯାହାକିଛି ଘଟିଗଲା…ମୋର ଭବିଷ୍ୟତ ଦୁଖ ଶାନ୍ତିର ପଥରେ, ସେସବୁ ମାମୁଲି ମାତ୍ର- ନିତାନ୍ତ ସ୍ବାଭାବିକ, ଏଇୟା ନା? ଏଥିରେ ତୁମେ ଟିକିଏ ହେଲେ ଚଞ୍ଚଳ ହୋଇନାହଁ-ଟିକିଏ ତୁମେ ବିକ୍ଷୁବ୍ଧ ହୋଇନାହଁ…ଏଇୟା ନା କଣ? କେବଳ ମୁଁ ସବୁ ଅବସ୍ଥାରେ ରହିବି ସ୍ବାଭାବିକ, ସହଜ ଭାବରେ ଚଳିବି, ଆଦର୍ଶ ଦୃଷ୍ଟାନ୍ତ ହିସାବରେ-ଧୀର,ସ୍ଥିର,ଶାନ୍ତ, ଏଇୟା ନା?”
“ତୁମେ ତ କେବଳ ମାତ୍ର ଏକା ନୁହଁ, ମରିୟା।”କଠିନ କଣ୍ଠରେ ଭରୋନତ୍ସଭ୍ କହି ଉଠିଲା,“ଏହିପରି ଶତ ଶତ ନାରୀ ମଧ୍ୟରୁ ତୁମେ ଜଣେ ।”
“ଢେଉ ଆଗରୁ ମୁଁ ଶୁଣିଛି ତମର ହିତୋପଦେଶ। କେବଳ ମାତ୍ର ମୁଁ ଏକା ନୁହେଁ ବୋଲି ସବୁ ସହଜ ହୋଇଗଲା…ସବୁ ଦୁଃଖର ଅବସାନ ହେଲା- ଏଇୟା ନା?” ଶ୍ଳେଷପୂର୍ଣ୍ଣ କଣ୍ଠରେ ମରିୟା କହି ଚାଲିଲା ।
“ହଁ, ତାଦ୍ବାରା ସବୁ କିଛି ସହଜ ହୋଇଯିବ। ବୁଝିବା ଉଚିତ ତୁମର ମରିୟା। କିନ୍ତୁ ଏ ସମ୍ବନ୍ଧରେ ଏପରି ବାଗ୍ ବିତଣ୍ଡା କରି କିଛି ଲାଭ ଅଛି ? ମୋର ମନେ ହୁଏ ଅନ୍ୟ ସମୟରେ ଆଲୋଚନା କରି ସବୁ କଥା ଦେଖିବା । ବର୍ତ୍ତମାନ ଟିକିଏ ବିଶ୍ରାମ ନେବା ଦରକାର ତୁମର, ଟିକିଏ ସ୍ଥିର ହୁଅ ମରିୟା । ଏତେବେଳଯାଏ ଯାହାସବୁ କହୁଥିଲ ତାହା ତୁମ ପକ୍ଷରେ ମୋଟେ ଉଚିତ୍ ନୁହେଁ… ମୋଟେ ତୁମ ପକ୍ଷରେ ସ୍ବାଭାବିକ ନୁହେଁ…।”
“ନା, ଏଇଟା ହେଉଛି ସ୍ବାଭାବିକ। ଏଇଟା ମୋର ସତ, କହିବାର କଥା ।”
”ନା, ସମ୍ପୂର୍ଣ୍ଣ ଅଲଗା।”
“ମୋ ଠାରୁ ବେଶି ଜାଣ ତୁମେ ।”
“ହଁ, ଜାଣେ।”
“ବେଶ୍, ବର୍ତ୍ତମାନ ତ ଦୁଇଜଣଯାକ ବୁଝିଲେଁ। ତୁମେ ଯାହା ଜାଣ ତୁମ ପାଖରେ ଥାଉ, ଆଉ ମୁଁ ଯାହା ଜାଣେ ତାହା ମୋ ପାଖରେ ଥାଉ।”
କବାଟରେ ଆଘାତ ଶୁଭିଲା ।
“ମରିୟା ପ୍ୟାଭ୍ଲୋଭ୍ନା, ପ୍ରଫେସର ତୁମକୁ ଡାକୁଛନ୍ତି; ତୁମର ସ୍ବାମୀଙ୍କର ବ୍ୟାଣ୍ଡେଜ୍ ବଦଳାଇବାକୁ ହେବ।”
ଭରୋନତ୍ସଭ୍ ଆଡ଼କୁ ବୁଲିପଡ଼ି ବିଦାୟର ଭଙ୍ଗିରେ ଟିକିଏ ମୁଣ୍ଡ ହଲାଇ ମରିୟା ଚାଲିଗଲା । ସ୍ବାମୀ କି ଅଦ୍ଭୁତ କଥା-କଥାଟାର ଅର୍ଥ କଅଣ?”