॥ ବାର ॥
“ବେଗେ ଆସ ମରିୟା, ଗ୍ରେଗରୀ ତୁମକୁ ଅପେକ୍ଷା କରିଛି।” ଭରୋନତ୍ସଭ୍ ମରିୟାକୁ ଡାକିଲା। ମରିୟା ପଛେ ପଛେ ଚାଲୁଥାଏ, ତାହାର ମୁଣ୍ଡ ଭିତରଟା କିପରି ଝିମ୍ ଝିମ୍ ହୋଇଯାଉଥାଏ, ତାହାର ହୃତ୍ପିଣ୍ଡର ଏତେ ଦ୍ରୁତ ସ୍ପନ୍ଦନ ହେଉଛି ଯେ ତାହାର ଆଶଙ୍କା ହେଲା ହୃତ୍ପିଣ୍ଡ ଏଇଲାଗେ ଫାଟିପଡ଼ିବ। ସିଡ଼ିରେ ଓହ୍ଲାଉ ଓହ୍ଲାଉ ମରିୟାର ଗୋଡ଼ ଟଳଟଳ ହୋଇଗଲା। ଛଟ୍ କରି ଭରୋନତ୍ସଭ୍ ତାହାର ହାତଟି ଧରି ପକାଇଲା ।
“ବେଶ ଭଲ ଅଛି ଗ୍ରେଗରୀ, ବାଟରେ ହଲ୍ଚଲ୍ ହେବାରେ ଖୁବ୍ ବେଶି କ୍ଳାନ୍ତ ହୋଇପଡ଼ିନାହିଁ।”
“ମରିୟା ଦ୍ରୁତଗତିରେ ଚାଲୁଥାଏ, ପ୍ରାୟ ଯେପରି ସେ ଦଉଡ଼ିଯାଉଛି, ହଠାତ୍ ମଝିବାଟରେ ଭରୋନତ୍ସଭ୍ ତାକୁ ଅଟକାଇଦେଲା । ଅବାକ୍ ହୋଇ ମରିୟା ତାହାଆଡ଼େ ଚାହିଁଲା ।”
“ତୁମକୁ ଟିକିଏ ସାବଧାନ କରିଦେବାକୁ ଚାହେଁ।”ମରିୟାର ସମସ୍ତ ଶିରା ଉପଶିରା ଦେଇ ଗୋଟାଏ ହିମପ୍ରବାହ ବୋହିଗଲା।ଆହୁରି ପୁଣି କି ନୂତନଭୟର କଥା ତାକୁ ଶୁଣିବାକୁ ହେବ? ତେବେ କଅଣ ବର୍ତ୍ତମାନ ସୁଦ୍ଧା ଭୁଲ୍ର ପାଲା ଚାଲିଛି?ଗ୍ରିଶା କଅଣ ତେବେ ବଞ୍ଚିନାହିଁ?
ତାତ୍ୟାନା ପରିଷ୍କାର କରି କହିଲେ,“ତୋ ସ୍ବାମୀଙ୍କୁ ସେମାନେ ନେଇ ଆସିଛନ୍ତି।” ହଠାତ୍ ବିଜୁଳି ଖେଳିଲା ପରି ଗୋଟାଏ କଥା ତାହାର ମନରେ ଜାଗିଉଠିଲା, କାହିଁକି ନେଇ ଆସିଛନ୍ତି? କାହିଁକି ସେ ନିଜେ ଆସି ନାହାନ୍ତି ? କାହିଁକି? କି ଆଶ୍ଚର୍ଯ୍ୟ, ସେ ତ ହାସପାତଳରେ ଆହତ ହୋଇଥିଲେ। ଆଉ ମରିୟା ଆଗରୁ ଜାଣେ ଯେ ସେ ଅକର୍ମଣ୍ୟ ହୋଇପଡ଼ିଛନ୍ତି।
ଏତେବେଳେ କଥାଟାର ଅର୍ଥ ବୁଝାପଡ଼ିଲା , କିନ୍ତୁ ଏକ୍ଷଣି ମଧ୍ୟ କଥାଟାର ତାତ୍ପର୍ଯ୍ୟ ତାହାର ହୃଦୟଙ୍ଗମ ହୋଇନାହିଁ, ସେଇଟା ଯେପରି ଗୋଟାଏ ଅଜଣା ଦୁର୍ବୋଧ୍ୟ ଶବ୍ଦମାତ୍ର।
“ସାବଧାନ କରିଦେଉଛ ମୋତେ?”
“ହଁ,ତୁମକୁ। ଗ୍ରେଗରୀ ସାଂଘାତିକ ଭାବରେ ଆହତ ହୋଇଛି, ବର୍ତ୍ତମାନ ମଧ୍ୟ ତାହା ପକ୍ଷରେ ଭଲ ହେବାକୁ ଆହୁରି ଡେରି ଅଛି, ତେଣୁ ତୁମକୁ ତାହା ବିଷୟରେ ଖୁବ୍ ହୁସିଆର ହୋଇ ଚଳିବାକୁ ପଡ଼ିବ ବୁଝିଲ?”
“କାହିଁକି?”
“ଆଃ, ଛୋଟପିଲାଙ୍କ ପରି କି ପ୍ରଶ୍ନ ପଚାରୁଛ ତୁମେ?” ଭରୋନତ୍ସଭ୍ ଅସହାୟ ଭାବରେ କହିଉଠିଲା। ଚାଲୁ ଚାଲୁ ମରିୟା ସିଡ଼ି ଉପରେ ଧପ୍ କରି ଛିଡ଼ା ହୋଇଗଲା । କାହିଁକି ସେ ଛିଡ଼ା ହୋଇଛି ସେ କଥା ସେ ଜାଣେନାହିଁ।
“ଗ୍ରେଗରୀ ଭୀଷଣ ଭାବରେ ଆହତ ହୋଉଛି, ବୁଝୁଛ ମରିୟା।” ପୁଣି ତାହାର ସର୍ବାଙ୍ଗରେ ସେହି ହିମପ୍ରବାହ ବହିଗଲା-ମୁଣ୍ଡଠରୁ ଗୋଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ଶିରା ଉପଶିରା ଭିତର ଦେଇ ତାହାରି କମ୍ପନ।
“ତୁମକୁ ହିମତ୍ଦାର ହେବାକୁ ପଡ଼ିବ ମରିୟା, ଯେପରି ପ୍ରଥମ ଦେଖାହେଲା ବେଳେ”।
ସେ ହିମପ୍ରବାହ ବିଲୀନ ହୋଇ ଯାଇନାହିଁ ତାହାର ସର୍ବାଙ୍ଗ ଆଚ୍ଛାଦିତ କରି କମ୍ପନ ଜାଗି ଉଠିଛି। ଗାଲ ଦୁଇଟି ଥଣ୍ଡା ହୋଇଯାଇଛି ବରଫପରି, ଓଠ ଦୁଇଟି ଟାଣ ହୋଇଯାଇଛି, ତୀବ୍ର ବ୍ୟଥାରେ ତାହା ଟନ୍ ଟନ୍ ହେଉଛି।
“ସେ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛି… ତାହା ଭୟ ହେଉଛି…ସୁତରାଂ ତୁମକୁ…।”
ମରିୟା ଜୀବନରେ ମୁଣ୍ଡ ହଲାଇଲା। ଭରୋନତ୍ସଭ୍ ତାହାର ହାତ ଉପରେ ଟିକିଏ ଚାପା ଦେଲା କିନ୍ତୁ ମରିୟାଠୁଁ କୌଣସି ଇସାରା ମିଳିଲା ନାହିଁ । ସ୍ବାଭାବିକ ଭାବରେ ପାଦ ପକାଇ ସେ ବାରଣ୍ଡା ଉପରେ ଚାଲିଛି , ଶୀତରେ ସର୍ବାଙ୍ଗ କମ୍ପିଉଠୁଛି। ମରିୟାର ମନେ ହେଉଛି ତାହା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଶବପରି ଶକ୍ତ ହୋଇଯାଇଛି। ଭୟଠାରୁ କଣ ଗୋଟାଏ ଭୀଷଣ ତାହାର ହୃତ୍ପିଣ୍ଡକୁ ବକ୍ରମୁଷ୍ଟି ଚାପିଧରିଛି, ଯଦି ଭରୋନତ୍ସଭ୍…ଏପରିକି ଯଦି ଭରୋନତ୍ସଭ୍। ଦୁଆର॥ ଡାକ୍ତର ପୁଣି ତାହାର ହାତରେ ଟିକିଏ ମୃଦୁଚାପ ଦେଲା, ତା,ପରେ କବ୍ଜା ଘୂରାଇ ଦୁଆର ଖୋଲି ଘୁଞ୍ଚାଯାଇ ପାଖେଇ ଛିଡ଼ାହାଇ ତାକୁ ଭିତରକୁ ଯିବାକୁ ବାଟ ଛାଡ଼ିଦେଲା।
ଭଲ ହୋଇଛି। ତାହାର ଦେହର ସମସ୍ତ ଶିରା ଉପଶିରା ଭିତର ଦେଇ ଯାହା ପ୍ରବାହିତ ହେଉଛି ତାହା ରକ୍ତ ନୁହେଁ, ବରଫର ସ୍ରୋତ।ଭଲ ହୋଇଛି ଯେ ତାହାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କାଠ ପରି ହୋଇଯାଇଛି କିଏ ଯେପରି ଏହି ଆରାମଚୌକିଟା ଉପରେ ବସି ରହିଛି। ମରିୟାର ଇଚ୍ଛାହେଲା ସେଠାରୁ ଦୌଡ଼ି ପଳାଇଯିବ। ଏ ଯେପରି ଗୋଟାଏ ମସ୍ତବଡ଼ ଭୁଲ୍।ଭଲ ହୋଇଛି ତାହା ଅଙ୍ଗ ପ୍ରତ୍ୟଙ୍ଗ ଶକ୍ତ ହୋଇଯାଇଛି-ଭାବନା ସହିତ ସମତା ରଖି କୌଣସି ପ୍ରତିକ୍ରିୟା ହୋଇନାହିଁ। ଧୀରେ ମରିୟା ଆରାମ ଚୌକିଟା ପାଖକୁ ଆଗେଇଗଲା । ମୁଣ୍ଡରୁ ଗୋଟାଏ ନୀଳ ରଙ୍ଗର ପୋଡ଼ା ଦାଗ… ଘା’ ଶୁଖିଯାଇ ମୋଟା ଚମଡ଼ାରେ କ୍ଷତସ୍ଥାନଟା ପୂର୍ଣ୍ଣ ହୋଇଯାଇଛି ,ଗୋଟାଏ ଆଖି ଯେପରି ମୁଣ୍ଡ ଭିତରେ ପଶିଯାଇଛି, ଆଖିରେ କୌଣସି ଚିହ୍ନ ସେଠାରେ ନାହିଁ। ମରିୟାର ଦୃଷ୍ଟି ତାହାର ସମସ୍ତ ଦେହ ଉପରେ ପଡ଼ିଯାଉଛି, ଖୋଜି ଦେଖୁଚି ଆଉ କେଉଁଠାରେ କଣ ହୋଇଛି। କାମର ଶୂନ୍ୟ ହାତଟା ଝୁଲୁଛି । ସେଠାରେ ମୋଟା ବାଣ୍ଡେଜ୍ ବନ୍ଧା ହୋଇରହିଛି, ଗୋଟାଏ ଗୋଡ଼ରେ ପ୍ଲାଷ୍ଟରର ମୋଟା ପ୍ରଲେପ।