ପ୍ରେମର ନିକଷ




ଚିଠିଟା ଖୋଲି ମରିୟା ବାରମ୍ବାର ପଢିବାକୁ ଲାଗିଲା- ପ୍ରାଣପ୍ରଣେ ଚେଷ୍ଟା କଲା ତାର ଅର୍ଥ ବୁଝିବାକୁ । ଲିଖିତ ଶବ୍ଦଗୁଡ଼ିକୁ ଅନୁଚ୍ଚ କଣ୍ଠରେ ଭିନ୍ନ ଭିନ୍ନ କରି ଉଚ୍ଚାରଣ କଲା- ଭାବିଲା, ଏଭଳି ଉପାୟରେ ଚିଠିଟାରେ ଅର୍ଥ ବୁଝିବା ସହଜ ହେବ,“ତା ମନରେ ହଠାତ୍‌ ଆଘାତ ଲାଗିପାରେ ଏଭଳି କିଛି କରିବା ଏହିକ୍ଷଣି ଉଚିତ୍‌ ହେବନାହିଁ,”ୟାର ଅର୍ଥ? ମରିୟାର ଉପସ୍ଥିତିରେ ତାର ମନରେ ଆଘାତ ଲାଗିବ?- ଆକର୍ମଣ୍ୟ, କଣ ହେଲା ସେଇଠୁ…ହୁଏତ ଯେତେଦୂର ଆମେ ଭାବୁଚୁ, କଥାଟା ସେତେ ଗୁରୁତର ନୁହେଁ, ତାହେଲେ ଭରୋନତ୍ସଭ୍‌ କଣ ତାକୁ ତୁଚ୍ଛା ଠକଉଛି? ଗ୍ରେଗରୀ ମୋଟେ ବଞ୍ଚିନାହିଁ ଆଉ ଭରୋନତ୍ସଭ୍‌ ସେ କଥାଟା ତା ଆଗରେ ଫିଟାଇ କହିବାକୁ ଭୟ କରିଛି।

ନା, ନା,ସେ ବଞ୍ଚିଛି,…ନିଶ୍ଚୟ ଗ୍ରେଗରୀ ବଞ୍ଚିଛି ଆଉ ତା ଲାଗି ଅପେକ୍ଷା କରିଛି, ହଁ, ତାରି ଲାଗି, କେବଳ ତାରି ଲାଗି ଅପେକ୍ଷା କରିଛି ସେ –ଆଉ କାହିରି ପାଇଁ ନୁହେଁ। ତାଛଡ଼ା ସେଠିକି ଯିବା କାହାର ଉଚିତ୍‌ ନୁହେଁ, ଭରୋନତ୍ସଭ୍‌ର କି ଅଧିକାର ଅଛି ତାକୁ ଛୋଟ ପିଲାଟି ଭଳିଆ ଭଣ୍ଡେଇ ଦେଇ ତାକୁ ଘରେ ଛାଡ଼ିଦେଇ ଏକା ସେଠିକି ଯିବ?‌‌‌‌‌ ଗ୍ରେଗରୀକୁ ପ୍ରଥମ ଭେଟିବାର କି ଅଧିକାର ଅଛି ତାର?

ମରିୟା ଘରୁ ବାହାରି ଧାଇଁଲା । ଟେଲିଫୋନ୍‌… ଏରୋଡ୍ରମ୍‌ର ନମ୍ବର… ଆଉ କୋଉ ଉଡ଼ାଜାହାଜ ଯେବେ ଏଇଲାଗେ ଛାଡ଼ୁଥିବ… ଛାଡ଼ୁଥିବ ନିଶ୍ଚୟ, ଆଉ ମରିୟା ସେଥିରେ ଚାଲିଯିବ ସେଠିକି; ଭରୋନତ୍ସଭ୍‌କୁ ସେଠି ଯାଇ ପଚାରିବ-ଗ୍ରେଗରୀ ସହିତ ଦେଖା କରିବି।

“ତିନିଦିନ ପରେ ଛାଡ଼ିବ? ହଁ, ତିନିଦିନ ପରେ … କି ଚମତ୍କାର ବ୍ୟବସ୍ଥା…।” ମରିୟା ଟେଲିଫୋନ୍‌ର ରିସିଭର୍‌ଟାକୁ ଦପ୍‌ କରି ରଖିଦେଲା ବ୍ୟର୍ଥ ଅସହ୍ୟତାରେ । ତିନିଦିନ। ତିନିଦିନରେ ହୁଏତ ସେମାନେ ଫେରିଆସିବେ ।କୌଣସି ସଙ୍ଗଠନ ଜରିଆରେ କିଛି ଗୋଟାଏ ବ୍ୟବସ୍ଥା କରିବାର ଉପାୟ ନାହିଁ… ସେ ତ ଆଉ କୌଣସି ସରକାରୀ ଅଫିସର ନୁହେଁ ଯେ…! ବାଧ୍ୟ ହୋଇ ତାକୁ ଚୁପ୍‌ କରି ବସିବାକୁ ହିଁ ହେବ।

ପୁଣି ସେ ଭାବିଲା, ସେ ଚାଲିଛି ଏକଲ ଗୋଟାଏ ବିରାଟ ସର୍ବ-ପିରବ୍ୟାପ୍ତ ଅନ୍ଧ କୁଜ୍ଝଟିକା ମଧ୍ୟରେ । ଏ ଦୁନିଆରେ ଭାଷାତା ନିକଟରେ ବୁର୍ବୋଧ୍ୟ, ସମୟର ଗତି ସ୍ତବ୍ଧ । ଏହି କୁଜ୍ଝଟିକା ଭିତରୁ ଗୋଟାଏ କରୁଣ ଅଶରୀର ଭୟ ଲୁଚିଛପି ଆସି ତା ଅନ୍ତଃସ୍ଥଳରେ ପ୍ରବେଶ କରୁଛି… ତାର ଦେହମନ ଘୋଟି ଯାଉଛି। କ୍ରମଶଃ ଭୟ ବଢୁଛି, ତାର ହୃତ୍‌ପିଣ୍ଡକୁ ଯେପରି ଯାବୁଡ଼ି ଧରିଛି। ତାର ମନେହେଲା, ତାର ଦେହର ସେହି ଅଂଶଟି ଯେପରି ଭୀଷଣ ଭାରି ହୋଇଯାଇଛି- ଅସହ୍ୟ ଯାତନାର ଯେପରି ତାହା ଛିଡ଼ିପଡ଼ୁଛି।

ଘର ଭିତରେ ତାର ମା ଜିନିଷପତ୍ର ବିଷୟରେ ବଡ଼ ବ୍ୟସ୍ତ ହୋଇପଡ଼ିଛି… ସବୁ ଦରବ ଧୋଇ, ପୁଣି ପୋଛି ପରିଷ୍କାର କରି ସଜାଡ଼ି ରଖୁଛନ୍ତି, ଗ୍ରେଗରୀ ଆସିବ ବୋଲି। କେତେବେଳେ ଇକନ ଆଗରେ ଆଣ୍ଠୁପାରି ବସି ଉଚ୍ଚକଣ୍ଠରେ ପ୍ରାର୍ଥନା କରୁଛନ୍ତି…ଦେବତାଙ୍କୁ ଅସଂଖ୍ୟ ଧନ୍ୟବାଦ ଜଣାଉଛି। ଉଦ୍‌ଗତ ଦୀର୍ଘନିଃଶ୍ବାସ ପ୍ରାର୍ଥନା ମଝିରେ ରୋଧ ସୃଷ୍ଟି କରୁଛି। ଫୁଲଦାନି ପରିଷ୍କାର କରିବାକୁ ଗଲାବେଳକୁ ମରିୟା ହାତରୁ ସେଇଟା ଖସିପଡ଼ିଲା,ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା। ମା ଅଗ୍ନିଶର୍ମା ହୋଇଗଲେ- ତାକୁ ରୋଷେଇଘରୁ ତଡ଼ିଦେଲେ। “ତୁ ଯିବୁଟି ଏଠୁ, ଯା; ତୁ ଯାଇ ତୋ ଘରେ ବସିଲୁ ଝିଅ, ମୁଁ ଏକା ଏସବୁ କରିପାରିବି ଯେ…।”

ମରିୟା ହାସପାତକୁ ଯାଇ ରେଇଜାର ଡିଉଟିଟା ବି କରିବସିଲା। ଖୋଦ୍‌ ଯୁଦ୍ଧ ଭୂଇଁରୁ ରେଇଜାର ପ୍ରଣୟୀ ଛୁଟି ଆସିଛି। ଆଉ କିଛି ମରିୟା ଭାବିପାରେ ନାହିଁ…ଆଉ କିଛି ସେ ଭାବିବାକୁ ଚାହେଁ ନାହିଁ ବି। ସେ ନିଜକୁ ଗୋଟାଏ ଯନ୍ତ୍ରରେ ପରିଣତ କରିବାକୁ ଚାହେଁ;… ନିର୍ଭୂଲ୍‌ ସତର୍କତା ସହକାରେ ସେ କାମ କରି ଚାଲିଛି। ଏକାନ୍ତ ମନଯୋଗ ସହିତ ଫୁଣ୍ଟା ଫୁଣ୍ଟା କରି ଔଷଧ ଚାମୁଚରେ ଢାଳିବାରେ ଲାଗିଛି ସେ । ନୀଳାଭ ଔଷଧର ଫୁଣ୍ଟାଗୁଡ଼ିକ ଛଡ଼ା ତାର ସତେ ଯେପରି ଅନ୍ୟ କୌଣସି ଭାବନା ନାହିଁ। ଥର୍ମୋମିଟର ପାରାରୁ ଦେଖାଗଲା ଗୋଟିଏ ରୋଗୀର ଜ୍ବରର ଉତ୍ତାପ ବହୁତ ବଢିଯାଇଛି। ସେ ମୁହୂର୍ତ୍ତରେ ସତେ ଯେପରି ଥର୍ମୋମିଟର ର ସେହି ପାରାର ସୂକ୍ଷ୍ମରେଖାଟି  ଛଡ଼ା ଆଉ କିଛି ତାର ମନ ମଧ୍ୟରେ ନାହିଁ। ସତେ ଯେପରି ନୂଆ ଏକ ରୁଚି ଘେନି ତା ନିକଟରେ ଧରା ଦେଉଛି; କୌଣସି ବସ୍ତୁ ଆଉ ତା ନିକଟରେ ହୀନ ନୁହେଁ, ଯାହାକୁ ମାମୁଲି, ନିତାନ୍ତ ସାଧାରଣ ବୋଲି ସେ ଏତେ ବେଳଯାଏ ମନେ କରି  ଆସିଥିଲା, ତାହା ଆଉ ମାମୁଲି ଓ ସାଧାରଣ ନୁହେଁ। ସବୁରି ଭିତରେ ମରିୟା ନୂତନ ନୂତନ ଗୁଣ ଆବିଷ୍କାର କରୁଛି-ଯାହା ଏତେଦିନ ହେଲା ସେ ଆବିଷ୍କାର କରି ନଥିଲା। ପ୍ରତ୍ୟେକ ଜିନିଷରେ ସତେ ଯେପରି ଜୀବନର ସନ୍ଧାନ ଖୋଜିପାଉଛି, ନୂଆ କରି ବିଭିନ୍ନ ବୈଶିଷ୍ଟ୍ୟ। ବ୍ୟାଣ୍ଡେଜ୍‌ର କପଡ଼ା ଭିତରେ ଗୋଟାଏ ସୂତା ସତେ ଯେପରି ନୂଆ ଏକ ନକ୍ସା ବୁଣି ଚାଲିଛି, ଗ୍ଲାସ୍‌ ଧାରର ରଙ୍ଗଟା ସତେ ଯେପରି ଅନ୍ୟ ରକମର, ଚାମୁଚଟା ଭିତରେ ଅତି ସୂକ୍ଷ୍ମ ରେଖାରେ ଜାଲ ବୁଣା ହୋଇଛି ସତେ । ସବୁ ଯେପରି ତା ନିକଟରେ ଆଜି ଜୀବନ୍ତ ହୋଇଉଠୁଛି – ସବୁ ଯେପରି ଚଳତ୍‌ଶକ୍ତି ପାଇଛନ୍ତି-ସବୁ ଆଜି ସୃଷ୍ଟି କରିଛନ୍ତି ଏକ ରୂପକଥାର ସ୍ବପ୍ନପୂରୀ। ଏକ ଅଜଣା ରହସ୍ୟମୟ ଜଗତ୍‌ଫୁଟି ଉଠିଛି ତା ଆଗରେ , ଯେଉଁ ଜଗତ୍‌ ଏତେଦିନ ପର୍ଯ୍ୟନ୍ତ ତାର ଆଖିରେ ପଡ଼ିନଥିଲା ଗଭୀର ମନଯୋଗ ସହକାରେ-ସମସ୍ତ ମନଃଶକ୍ତି କେନ୍ଦ୍ରୀଭୂତ କରି ମରିୟା ଲାଗିଯାଏ ନୂତନ ନୂତନ ତଥ୍ୟ ଆବିଷ୍କାର କରିବାରେ। ସେହି ଚିନ୍ତା-ସେହି ଗୋଟିଏ ବିଶେଷ ଚିନ୍ତାଠୁ ନିଜକୁ ଦୂରରେ ରଖିବାକୁ ହୁଏ  ଏକ ଚମଡ଼ାର ପନ୍ଥା ମରିୟା ଆବିଷ୍କାର କରିଛି। ଖାଲି ଯାହା ମଝିରେ ହଠାତ୍‌ ଗରମ ଏକ ତରଙ୍ଗ ତାର ସର୍ବାଙ୍ଗରେ ବହିଯାଏ।

ଅପରେଶନ୍‌, ବ୍ୟାଣ୍ଡେଜ୍‌, ପ୍ରଫେସର୍‌ଙ୍କର ରାଉଣ୍ଡ… ପୁଣି ବୁଲି ବୁଲି ରୋଗୀଙ୍କର ତତ୍ତ୍ବାବଧାନ , ପୁଣି ଅପରେଶନ୍‌…।

“ଏଇକ୍ଷଣି ଟିକିଏ ବିଶ୍ରାମ ନିଅ ମରିୟା ।” ଗୋଟିଏ ନର୍ସ୍‌ ଆସି ମରିୟାକୁ ଅନୁରୋଧ କଲା । ମରିୟା ସତେ ଯେପରି ନିଜ ବିକ୍ରମ ପୂନର୍ବାର ଫେରିଯାଇଛି ସେହିପରି ଭଙ୍ଗିରେ ହାତ ହଲେଇ ତାକୁ ବିଦାୟ କରିଦେଲା। ନା, ନା, କେବେ ବି ନୁହେଁ… ଦରକାର ପଡ଼ିଲେ ସେ ଆଉ ଜଣକର ଡିଉଟି ଧରି ବସିବ, ବିଶ୍ରାମ, ମୁହୂର୍ତ୍ତକ ଲାଗି ବି ନୁହେଁ ।

ଖାଲି ସଂନ୍ଧ୍ୟାବେଳେ ନର୍ସ୍‌ ମାନଙ୍କ କୋଠରୀରେ ବସି ଛୋଟ ଟେବୁଲଟି ପାଖରେ ମରିୟା ଯେତେବେଳେ ଚା ଖାଉଥିଲା , ସେତେବେଳେ ମରିୟାର ଆଖି ଦୁଇଟି ବୁଜି ହୋଇ ଆସିଲା। ହଠାତ୍‌ ନିଦ ତାକୁ ଘାରି ପକାଇଲା … ଟେବୁଲ୍‌ କଣରେ ମୁଣ୍ଡ ରଖି ନିଦରେ ସେ ଅଚେତନ ହୋଇପଡ଼ିରହିଲା।

ନର୍ସ୍‌ ତାତ୍ୟାନା ସେ ଘରେ ପହଞ୍ଚି ମରିୟାର ପିଠି ଉପରେ ହାତ ରଖିଲେ ,“ମରିୟା, ଉଠ, ତୋ ସ୍ବାମୀଙ୍କୁ ଘେନି ସେମାନେ ଫେରି ଆସିଛନ୍ତି।” ବୃଦ୍ଧାର ଜରାକୁଞ୍ଚିତ ମୁଖମଣ୍ଡଳରେ ଆନନ୍ଦର ପ୍ରଭା ଫୁଟିଉଠୁଥିଲା।

ମରିୟା ନିଦରୁ ଚଟ୍‌ କରି ଉଠିପଡ଼ିଲା। ଭରୋନତ୍ସଭ୍‌ ଦୁଆରେ ଉଠି ଛିଡ଼ା ହୋଇଛି, କିନ୍ତ ତାର ମୁହଁ ନିଷ୍ପ୍ରଭ-ହସର କୌଣସି ଚିହ୍ନ ନାହିଁ ସେଠି।




+ -

© Jataayu Charitable Trust
Site designed,developed & maintained by Tekons