॥ ଏଗାର ॥
“ଏତେବେଳ ଯାଏଁ ଶୋଇବାକୁ ଯାଇନୁ ?”
ଦୀର୍ଘ ନିଃଶ୍ବାସଟଏ ପକାଇ ମରିୟା ଉଠି ଛିଡ଼ାହେଲା ଓ ତା ପରେ ଆଲୁଅଟା ଲିଭାଇଦେଲା। ତାର ମନେହେଲା, ମା’ ର ସ୍ବଭାବଟା କି ପ୍ରକାର ଅଦ୍ଭୁତ ପ୍ରକାରର।
ଏଇକ୍ଷଣି ସେ ଗାଳି ଦେଉଥିଲେ ତା ମନରେ କୌଣସି ଚିନ୍ତା ଓ ଭାବନା ଖେଳୁନାହିଁ ବୋଲି, ଆଉ ପରକ୍ଷଣରେ କହୁଛନ୍ତି ଶୋଇବାକୁ ଯିବାକୁ। କେତେବେଳେ ପୁଣି କହୁଛନ୍ତି ନା- ଯେତେବେଳେ ଠିକ୍ ସବୁ କଥା ମୀମାଂସା ହେବାକୁ ଯାଉଛି, ସେତେବେଳେ ସବୁ ସନ୍ଦେହର ଅବସାନ ହେବାକୁ ଯାଉଛି।
ଗୋଡ଼ ଚିପି ଚିପି ମରିୟା ଝରକା ପାଖରେ ଆସି ଛିଡ଼ା ହେଲା। ତାପରେ ଅତି ସନ୍ତର୍ପିତ ଭାବରେ କାଗଜର ମୋଟା ଫର୍ଦ୍ଦଟା କାଢିନେଲା। ଛୋଟ ଘରଟି ଭିତରେ ତାହାର ନିଃଶ୍ବାସ ଯେପରି ରୁନ୍ଧି ହୋଇଆସୁଛି । ଇଚ୍ଛା ହେଉଛି, ଧାଇଁଯିବ ବାହାରକୁ ଯାଇ ଥଣ୍ଡା ଖୋଲା ପବନରେ ମନଇଚ୍ଛା ନିଃଶ୍ବାସ ମାରିବ- ଅନୁଭବ କରିବ ପବନର ଆର୍ଦ୍ର ସ୍ପର୍ଶ ତାହାର ମୁହଁ ଓ ଗାଲରେ । କିନ୍ତୁ ଏଇକ୍ଷଣି ରାତି ଅନେକ; ଏତେ ରାତିରେ ବର୍ଷାରେ ବାହାରକୁ ବାହାରିବା ଆଦୌ ଠିକ୍ ହେବନାହିଁ; ତା, ଛଡ଼ା, ଯେ କୌଣସି ମୁହୂର୍ତ୍ତରେ ଭରୋନତ୍ସଭ୍ ଆସିପାରେ।ନାଃ, ଧୈର୍ଯଧରି ତାକୁ ଅପେକ୍ଷା କରିବାକୁ ହିଁ ପଡ଼ିବ…।
ମରିୟାର ମନେହେଲା, ଦୁଆରର ଡାକଘଣ୍ଟା ବାଜୁଛି, ତାର କିପରି ନିଃଶ୍ବାସ ବନ୍ଦ ହୋଇଆସିଲା କିନ୍ତୁ ପରମୁହୂର୍ତ୍ତରେ ସେ ତାର ଭ୍ରମ ବୁଝିପାରିଲା। ତା’ଘଣ୍ଟାର ଶବ୍ଦ ନୁହେଁ, ତାର କାନ ଭିତରଟାରେ କିଭଳି ଝାଇଁ ଝାଇଁ କରି ଗୋଟାଏ ଆବାଜ ହେଉଛି। କେତେବେଳ ହେଲା ଭରୋନତ୍ସଭ୍ ଗଲାଣି? ନିଶ୍ଚୟ ସେ କୌଣସି ନା କୌଣସି ବିଷୟ ଜାଣିପାରିଲାଣି! କିନ୍ତୁ ସେ ସମ୍ବାଦ ପୁଣି କି ପ୍ରକାରର? ଭଲ? ନା ମନ୍ଦ?... ଯେବେ ଖରାପ ଖବର କିଛି ପାଇଥାଏ ?... ନିଶ୍ଚୟ ତେବେସେଠି ବସି ଭାବୁଛି କିପରି ଆସି ତାକୁ ସେ କଥାଟା କହିବ – କିପରି ସେ କହିବ ସେ ମରୀଚିକା ଉଭାଇ ଯାଇଛି,ବିଲୀନ ହୋଇଯାଇଛି,ପୁଣି ତାକୁ ଫେରିବାକୁ ହେବ ସେହି କଷଟି ପରି ଖଳ ମର୍ମନ୍ତୁଦ ଜଗତକୁ ଯେଉଁଠି ଆଉ ଗ୍ରିଶା ନାହିଁ।ହୁଏତ ଖବରଟା ପ୍ରକାଶ ନ କରି ସେ ତାକୁ ସେ ଜାଗାକୁ ଯିବାକୁ କହିବ।
ସମୟ ଗତି କରୁଛି ଯେପରି ଅତି ମନ୍ଥର ଗତିରେ । କେତେଟା ବାଜିଲା? କେତେ ମିନିଟ୍? ମିନିଟ୍ ନା ଘଣ୍ଟା? ସେଦିନ ସେଠିକି ବାହାରି ଗଲେ କିପରି ହୁଅନ୍ତା ? ଯିବାକୁ ହେଲେ ତ, ତାକୁ ମା’ ଘର ଭିତରେ ପଶି ଯିବାକୁ ହବ, ମା’ତ ତ ନିଶ୍ଚୟ ଉଠିବେ, ତା’ପରେ ପୁଣି ତାଙ୍କର ବକା ଆରମ୍ଭ ହେବ, ନାଃ, ଧୈର୍ଯ୍ୟ ଧରି ଅପେକ୍ଷାକରିବା ଛଡ଼ା ଆଉ କିଛି ଉପାୟ ନାହିଁ।
ପାଖଘର ବିଛଣାରୁ ହା’ହା’ ଶବ୍ଦ ଶୁଭୁଛି – ତାତ୍ୟାନା ପେଟ୍ରୋଭାନା ହାଇ ମାରୁଛନ୍ତି। ତାଙ୍କର ଗଣ୍ଠି ଫୁଟିବାର ଶବ୍ଦ ମରିୟାର କାନରେ ବାଜିଲା। ସନ୍ତର୍ପିତ ପଦକ୍ଷେପର ଶବ୍ଦ ଶୁଣାଗଲା । ଶୀର୍ଣ୍ଣ କାନ୍ଧ ଉପରେ ତାତ୍ୟାନା ପକାଇଛନ୍ତି ଖଣ୍ଡେ ଶାଲ। ଆଗକୁ ଆସି ସେ ତାର ଘର ଭିତରକୁ ଅନାଇଲେ,।
“ଇୟାରି ଭିତରେ ତୋ ନିଦ ଭାଙ୍ଗି ଗଲାଣି? କିନ୍ତୁ ଏପର୍ଯ୍ୟନ୍ତ ସକାଳ ହୋଇନାହିଁ।”
“ଆଜି ଟିକିଏ ସକାଳୁ ସକାଳୁ ହାସପାତାଳକୁ ଯିବାକୁ ପଡ଼ିବ । ”-ମରିୟା ହାତ ବୁଲାଇ ମୁଣ୍ଡ ବାଳଗୁଡ଼ାକ ସଜାଡ଼ୁ ସଜାଡ଼ୁ ପ୍ରଶ୍ନର ଉତ୍ତର ଦେଲା । ନା, ତା ମା ’ଙ୍କର ମୋଟେ ସନ୍ଦେହ ହୋଇନାହିଁ… ସେ ଯେ ଶୋଇନାହିଁ, ଏ କଥ ଜାଣିପାରି ନାହାନ୍ତି।
ରୋଷେଇ ଘର ପାଣିକଳରୁ ପାଣି ଝରିଲା, ତାତ୍ୟାନା କେଟିଲୀରେ ପାଣି ଭର୍ତ୍ତି କରି ଚୁଲି ଉପରେ ବସାଇଦେଲା। ମରିୟା ଦର୍ପଣ ଭିତରେ ତାର ଶୀର୍ଣ୍ଣ ପାଂଶୁଳ ମୁଖ ଉପରେ ଆଖି ଥାପିଲା। ଉପରରର ଫଟୋ ଦୁଇଟି ଦିହରୁ ଗ୍ରେଗରୀ ଆଖି ଦୁଇଟି ସତେ ଯେପରି ମରିୟା ଆଡ଼େ ଅନାଇଛି-ତରୁଣ ହାସ୍ୟୋଜ୍ଜ୍ବଳ, ପୌରୁଷଭରା ସେ ଦୃଷ୍ଟି । ମରିୟାର ବୁକୁ ଚିରି ବାହାରି ଆସିଲା ଗୋଟାଏ ଦୀର୍ଘଶ୍ବାସ। ସେ ଏବେ ଠିକ୍ କଲା ଯେ ସୋନିଆର ଟେଲିଗ୍ରାମ୍ରେ ନିଶ୍ଚୟ ଗୋଟାଏ ମସ୍ତବଡ଼ ଭୁଲ୍ ରହିଯାଇଛି। ସେହି ପ୍ରଥମ କାଗଜଟା ସତ ଖବର ଦେଇଛି- ସେହି ନୋଟିସ୍ଟା । ଟେଲିଫୋନ୍ରେ ଘଣ୍ଟା ବାଜିଉଠିଲା। ତାପରେ-
“ହଁ ମରିୟା, ଗ୍ରେଗରୀ ସତକୁ ସତ ବଞ୍ଚିଛି। ହେଲେ , ତାର ଆଘାତ ଅତି ସାଂଘାତିକ ସେ ଚିରଦିନ ଲାଗି ଅକର୍ମଣ୍ୟ ହୋଇଯାଇଛି।ସେ ଚାହେଁ ତୁମଠୁ ନିଜକୁ ଦୂରରେ ରଖିବାକୁ ନିଜକୁ ଲୁଚାଇବାକୁ।”
ମରିୟା ଛିଡ଼ା ହୋଇ ରହିଲା । ତାର ମୁଖମଣ୍ଡଳରେ ମୃତ୍ୟୁର ପାଣ୍ଡୁରତା । ତାର ସମସ୍ତ ଶକ୍ତି ବ୍ୟୟ କରି ସେ ତାର ବାଁ ହାତର ମୁଠା ଉପର ଡାହାଣ ହାତର ମୁଠାକୁ ଜାବୁଡ଼ି ଧରିଲା ଆଉ ଅପଲକ ଆଖି ବିସ୍ଫାରିତ କରି ଅନାଇ ରହିଲା- ଭରୋନତ୍ସଭ୍ ଅପେକ୍ଷା କରି।
ଭରୋନତ୍ସଭ୍ ଯେ କଣ କହିଯାଉଛି କିଛି ତାର ବୋଧଗମ୍ୟ ହେଉନାହିଁ- କୌଣସି କଥାର ଅର୍ଥ ପରିସ୍ପୁଟ ହେଉନାହିଁ। ଗ୍ରେଗରୀ ଚାହେଁ ତାଠାରୁ ଆତ୍ମଗୋପନ କରିବାକୁ ? କାହିଁକି? କଣ ହୋଇଛି ଯେ? ଗ୍ରେଗରୀ ବଞ୍ଚିଛି? ବଞ୍ଚିଥାଏ ଯେବେ ଆଉ ଏ କଥାର ଅର୍ଥ କଣ?
“ନା, ମୁଁ ତ କିଛି ସମଝି ପାରୁନାହିଁ।” ନିର୍ବୋଧ ପରି ମରିୟା କହିଲା ।
“ଗ୍ରେଗରୀ ବଞ୍ଚିଛି- ଏବେ ତାକୁ ଏଠିକି ଆଣିବା ହେଉଛି କାମ।”
“ମୁଁ ସେଠିକି ଯିବି।” ମରିୟା ହଠାତ୍ କହିଉଠିଲା ଭରୋନତ୍ସଭ୍ ତା କାନ୍ଧ ଉପରେ ହାତ ରଖିଲା।
“ନା, ମରିୟା ଆମେ ଦିହେଁଯାକ ସାଂଗହୋଇ ଯିବା। ଉଡ଼ାଜାହାଜରେ ଯିବା ସେଠି କେଜାଣି କେତେବେଳେ ତୁମକୁ ସାହାଯ୍ୟ କରିବାକୁ ଦରକାର ପଡ଼ିପାରେ, ଆମେ ଦିହେଁ ଏକା ସାଙ୍ଗରେ ଯିବା ସୁବିଧା।”
ମରିୟା ଇଚ୍ଛା ହେଲା ପ୍ରବଳ ଆପତ୍ତି କରିବ ପୁଣି ଭରୋନତ୍ସଭ୍ ! ସେଠିକି? କାହିଁକି? କଣ ଏମିତି ଅସୁବିଧା ହେବ ସେଠି ଯେ ? ଗ୍ରେଗରୀ ତ ବଞ୍ଚିଛି ଆଉ ସେ ତ ଯିବ ତାକୁ ଆଣିବାକୁ- ଏଥିରେ ପୁଣି ଅସୁବିଧା କଣ ?
ହଠାତ୍ ମରିୟାର ମନେହେଲା ତାର ଗୋଡ଼ ଦୁଇଟା କିଭଳି ନାଠି ହୋଇଯାଇଛି-ତାର ଦେହର ସବୁ ଶକ୍ତି ନିଃଶେଷ ହୋଇଯାଇଛି ଯେପରି। ସବୁ ଯେପରି ଖାଲି ଦୋହଲୁଛି, ତାର କାନ ଭିତରଟା କିଭଳି ଝାଇଁ ଝାଇଁ ଶବ୍ଦ କରୁଛି। ବୋଧହୁଏ ତାହାହିଁ ସବୁଠୁ ସୁବିଧା ବ୍ୟବସ୍ଥା ହେବ- ଭରୋନତ୍ସଭ୍ ତା ସାଙ୍ଗରେ ଯିବ, ଆଚ୍ଛା, ସେଇୟା ହେଉ…।
“ଉଡ଼ାଜାହାଜ ଯିବ କାଲି ସକାଳେ । ଟିକେଟ୍ ଲାଗି ମୁଁ ଆଗତୁରା ଖବର ଦେଇଛି। ସକାଳେ ଆସି ମୁଁ ତୁମକୁ ସାଙ୍ଗରେ ନେଇଯିବି… ।” ଭରୋନତ୍ସଭ୍ ତାର ଘଣ୍ଟାକୁ ଅନାଇଲା । “ହଁ , କାଲି ସାଢେ ନ,ଟାରେ ମୁଁ ଆସିବି.. ଇଏଲାଗେ ଯାଏଁ , କାଲିଯିବା ଲାଗି ବ୍ୟବସ୍ଥାଟା କରିନିଏ ।”
ନୀରବରେ ମରିୟା ତାର କଥାଗୁଡ଼ାକ ଶୁଣିଗଲା … ସତେ ଯେପରି କେଉଁ ଦୁର୍ଭେଦ୍ୟ କୁହେଳିକା ଭିତରୁ ଭାସିଆସୁଛି ଭରୋନତ୍ସଭ୍ କଣ୍ଠ । ଏତେଗୁଡ଼ାଏ ସମୟ ଯେ କିପରି ସେ କଟାଇଲା ତା ବି ତାର ମନେ ପଡ଼ୁନାହିଁ।
ମରିୟା ଯିବାଲାଗି ସଜବାଜ ହୋଇ ଛିଡ଼ା ହୋଇଛି, ମୁଣ୍ଡରେ ଟୋପି ହାତରେ ସୁଟ୍କେଶ୍। ଦୁଅରର ଘଣ୍ଟା ଟିଣ୍ ଟିଣ୍ କରି ବାଜିଉଠିଲା। ଭରୋନତ୍ସଭ୍ର ଏରୋଡ୍ରମ!ଦୁଆର ଖୋଲିହୋଇ ମରିୟା ଧାଇଁଗଲା ବେଳକୁ ବାଟରେ ଥୁଆ ହୋଇଥିବା ବାକ୍ସଉପରେ ହାମୁଡ଼େଇ ହୋଇପଡ଼ିଲା; ଦୁଆର ଖୋଲିଲା ଭରୋନତ୍ସଭ୍ କାହିଁ। ପିଲାଟିଏ ଗୋଟାଏ ଲଫାଫା ଭିତରେ ଖଣ୍ଡେ ଚିଠି ଆଣି ତା ହାତକୁ ବଢାଇଦେଲା , “ଡାକ୍ତର ଭରୋନତ୍ସଭ୍ ଦେଇଛନ୍ତି।”
“କାହିଁକି? ସେ କାହାନ୍ତି ? ଏପରି ଭାବେ ସେ ଚିତ୍କାର କଲା ସେ ପିଲାଟି ଦି, ପାହୁଣ୍ଡ ପଛକୁ ହଟିଗଲା।”
“ଉଡ଼ାଜାହାଜରେ ସେ ଚାଲି ଯାଇଛନ୍ତି।”
“କଣ କହନ୍ତି ଆଉ ତାଙ୍କୁ। ସେ ଏବେ ଚାଲିଗଲେ?” ମରିୟାକୁ ବୋଧହେଲା ଯେପରି ତା ଗୋଡ଼ତଳୁ ଭୂଇଁ କାହିଁ ଅପସରି ଯାଉଛି। କି କଥା!! କି କୁତ୍ସିତ ଘଟଣା! ସବୁବେଳେ ଭୁଲ୍, ଭୁଲ୍ ବୁଝିବାର ଅନ୍ତ କେଉଁଠି? ଏହି ନିର୍ଦ୍ଦୟ ନିର୍ଯ୍ୟାତନା, ୟାର କଣ ଆଉ ଶେଷ ନାହିଁ!“ଯେ ଚାଲି ଯାଉଛନ୍ତି।” ମରିୟା ଆଡ଼କୁ ସତର୍କ ଦୃଷ୍ଟିପାତ କରି ପିଲାଟି ପୁନର୍ବାର କହିଲା। ମରିୟା। ଟିକିଏ ଦେହହାତ ହଲ୍ଚଲ୍ କଲେ ପିଲାଟି ଦୌଡ଼ି ପଳାଇବ , ଏହିପରି ଗୋଟାଏ ଭଙ୍ଗି ପିଲାଟିର ସର୍ବାଙ୍ଗରେ ଫୁଟିଉଠିଲା। ମରିୟାର ଆଖି ଆଉ ମୁହଁ ଦେଖି କଣ ସେ ଅନୁଭବ କରିଛି ଯେଉଁଥିରୁ ତାର ମନେ ହେଲା, ମରିୟା ଅପ୍ରକୃତିସ୍ଥ। ମରିୟା ଚିଠି ଉପରେ ଆଖି ରଖିଲା, ଏହି ସୁଯୋଗରେ ପିଲାଟି ଧାଇଁ ପଳାଇଲା ସିଡ଼ିରେ ଓହ୍ଲାଇ । ତାର ଛିଡ଼ା ଯୋତାର ଆଘାତରେ ସିଡ଼ିରୁ ଆସିଲା ଫଟ୍ଫଟ୍ ଆବାଜ ମେସିନ୍ର ଶବ୍ଦ ଭଳି।