ଆହତ ଲୋକମାନେ ସମସ୍ତେ ଚିଠି ଲେଖନ୍ତି, ଚେର୍ନଭ୍ର ବିଛଣା କଡ଼ରେ ଆସି ସୋନିଆ ଛିଡ଼ାଡୁଏ, “ଆପଣ ମଧ୍ୟ ଖଣ୍ଡେ ଚିଠି ଲେଖିବେକି?”
ଅବାକ୍ ଆଉ ବିସ୍ମିତ ହୋଇ ଗ୍ରେଗରୀ ତାହାର ମୁହଁ ଆଡ଼କୁ ଚାହେଁ। “କିଏ କେଉଁଠି ବସି ମୋ ଚିଠି ପାଇବ ବୋଲି ଦିନ ଗଣୁନାହିଁତ?” ଏତକ କହି ଚେର୍ନଭ୍ ମୁହଁ ମୋଡ଼ିଦିଏ।
“ଏମିତି କଥା କୁହନା।” ଇଙ୍ଗିତ ପୂର୍ଣ୍ଣ ସ୍ବରରେ ସୋନିଆ କହିପକାଏ।“ମୁଁ ବଡ଼ କ୍ଳାନ୍ତ, ଦୟାକରି ମୋତେ ଟିକିଏ ଏକଲା ରହିବାକୁ ଦିଅ।” ବିରକ୍ତ ହୋଇ ଚେର୍ନଭ୍ କହିଉଠେ।
ଟିକିଏ ହସି ନର୍ସ୍ ଚାଲିଯାଏ।
ସ୍ବାଭାବିକ ଭାବେ ଦୁଇଦିନ କଟିଯାଏ । ଚେର୍ନଭ୍ ଦୂରରୁ ଲକ୍ଷ୍ୟ କରେ । ଆଉ ସେ ଯେତେବେଳେ ପାଖକୁ ଆସେ ନିଦରେ ଶୋଇଥିଲା ପରି ଛଳନା କରେ । ମନଟି କିନ୍ତୁ ସବୁବେଳେ ପରିବର୍ତ୍ତିତ ସମ୍ଭାବିତ ଘଟନା ନେଇ ଜାଗ୍ରତ ଥାଏ ।
ଦୁଇପାଖ ବିଛଣାର ଆଠବାଙ୍କ ବାଟ ଦେଇ ସୋନିଆ ଆଗେଇ ଆସେ । ଦେହର ଗଠନ ରୋଗା ପତଳା, ବାଳ ଗୁଡ଼ିକ କଳା, ତାହାର ଚାଲିର ଢଙ୍ଗ ଠିକ୍ ମରି୍ୟାର ଚାଲିପରି- ଠିକ୍ ସେହିପରି ସତର୍କ ଧିର ପଦକ୍ଷେପ। ହାସ୍ପାତାଳର ୱାର୍ଡ଼ରେ ଥିଲା ପର୍ଯ୍ୟନ୍ତ ଠିକ୍ ଏହିପରି ଚାଲେ । ପ୍ରଥମେ ଯେଉଁଦିନ କାମରୁ ଫେରିବା ବାଟରୁ ଘରକୁ ନେଇଯିବା ପାଇଁ ଗ୍ରେଗରୀ ଅଧାବାଟକୁ ଆସିଥିଲା, ସେହିଦିନ ସେ ଏହା ଲକ୍ଷ୍ୟ କରୁଥିଲା ।
ସୋନିଆ ଆସି ତା ବିଛଣା ପାଖରେ ଛିଡ଼ା ହେଲା। ତାପରେ ଥର୍ମୋମିଟରଟି ତା କାଖରେ ଦେଉଦେଉ ଖୁବ୍ ଆସ୍ତେ ଆସ୍ତେ କହିଲା “ଗ୍ରିଶା, ତୁମର ମରି୍ୟା ପାଖକୁ ଖଣ୍ଡେ ଚିଠି ଲେଖିବା ଉଚିତ୍। ”ସମୁଦ୍ରର ଢେଉ ବାଜି ଜାହାଜ ତଳ ଦୋହଲିରା ପରି ଚେର୍ନଭ୍ର ପିଠି ତଳ ବିଛଣା ଦୋହଲିଗଲା। ଅତି କଷ୍ଟରେ ଚେର୍ନଭ୍ ଗୋଟାଏ ନିଃଶ୍ବାସ ମାରିଲା । “ନା, ଗୋଟାଏ ନିଶ୍ଚୟ କିଛି କରିବାକୁ ହେବ। ନ ହେଲେ ସମସ୍ତ ଚେଷ୍ଟା ବୃଥା ହୋଇଯିବ।
“କଅଣ ନର୍ସ୍, କଅଣ ଗୋଟାଏ କହିଲ ତୁମେ? ”
“ବେଶ୍ ପରିଷ୍କାର ମୋ କଥା ଶୁଣିପାରିଛ , ମୋ ରାଣଟି, ଛଳନା କରନା ଗ୍ରିଶା।”
“କିନ୍ତୁ ମୋ ନାଁ ତ ମୋଟେ ଗ୍ରେଗରୀ ନୁହେଁ। ଆଉ ତାହାତ ତୁମେ ଭଲକରି ଜାଣ।”
“ଓଃ, ହଁ, ହଁ, ଠିକ୍- ଏଣ୍ଡିରିର୍ଜିଓଭିଚ୍ କୋର୍ଶନ୍ ।” ଧିର କଣ୍ଠରେ ସୋନିଆ କହିଉଠିଲା, ତାହାପରେ ତା ମୁହଁ ଉପରକୁ ନଇଁପଡ଼ି ଦରଦଭରା କଣ୍ଠରେ କହିଲା“ ଏପରି କୁହନା ଗ୍ରିଶା, ସେ ତୁମର ସବୁ ଭଲ କଥା ।
“ମୋତେ ଟିକିଏ ନିରୋଳାରେ ରହିବାକୁ ଦିଅ ନର୍ସ୍, ତୁମେ ପାଗଳ ନା କଅଣ?”
ସୋନିଆ ମୁହଁ ମୋଡ଼ିଦେଇ ଚାଲିଗଲା। ଗ୍ରେଗରୀ ବୁଝିପାରିଲା ଯେ ତାହାର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଯାଇଛି। ସେ ତାହାର ଆଖିକୁ ଜମା ଫାଙ୍କିଦେଇ ପାରିଲା ନାହିଁ। ସେସବୁ ବୁଝିପାରିଛି, ଯେପରିକି କେତେ ବିନିଦ୍ର ରଜନୀ ତାହା ସହିତ ଆଲୋଚନା ହୋଇଯାଇଛି ତାହାର ସମସ୍ତ ବିଷୟ ନେଇ।
ପୁଣି ସୋନିଆର ଡିଉଟିର ଦିନ ଆସିଲା । ଗ୍ରେଗରୀ ମନେ ମନେ ବିରକ୍ତ ହୋଇଗଲା । “ମୋର ତୁମ ପ୍ରତି ଅଗାଧ ଶ୍ରଦ୍ଧା ଥିଲା , ଗ୍ରେଗରୀ,”-ଶାନ୍ତକଣ୍ଠରେ ସୋନିଆ କହିଲା। “କିନ୍ତୁ ବର୍ତ୍ତମାନ ଦେଖୁଛି ତୁମେ ବଡ଼ ଅଯୋଗ୍ୟ ହୋଇପଡ଼ିଛ। ତୁମ ଭିତରେ ମହତ୍ ବୋଲି କିଛି ନାହିଁ।”