ପ୍ରେମର ନିକଷ




ରୋଗୀମାନଙ୍କୁ ଔଷଧ ଖୁଆଇ ଖୁଆଇ ନର୍ସ ଆଗେଇଯାଏ, ଆଉ ବାକି ତିନୋଟି ବେଡ୍‌,ଦୁଇଟି, ଗୋଟିଏ… ତାହା ପରେ ଶେଷ ହୋଇଯିବ ହୁସିଆର ଧୀର ପଦକ୍ଷେପରେ ନର୍ସ୍‌‌ଟି ଚାଲିଯାଏ, କାଳେ, ତାହାର ପାଦଶବ୍ଦରେ କାହାର ନିଦ ଭାଙ୍ଗିଯାଏ ଏଇଥିପାଇଁ।

ସେହି ସମୟରୁ ଗ୍ରେଗରୀ ସବୁବେଳେ ସୋନିଆର ଆସିବା ବାଟକୁ ଆକୁଳ ଆଗ୍ରହରେ ଅପେକ୍ଷା କରି ରହେ। ସେ ଯେପରି ଗୋଟାଏ ବନ୍ଧନ, ମରିୟା ଆଉ ଗ୍ରେଗରୀ ଭିତରେ ଯୋଗସୂତ୍ର। ହୁଏତ ଅଳ୍ପ କେତେଦିନ ଆଗେ ତାହାର ମରିୟା ସହିତ ଦେଖା ହୋଇଛି… ହୁଏତ ବର୍ତ୍ତମାନ ଓଭର୍‌କୋଟ୍‌ର ପକେଟରେ ମରିୟାର ଚିଠି ଅଛି। ଗ୍ରେଗରୀ ମନେ ମନେ ହିସାବ କଲେ ସୋନିଆର ଡିଉଟି କେଉଁଦିନ, ଆଉ କେଉଁଦିନ ଅନ୍ୟ ନର୍ସର । ସୋନିଆ କୋଜ୍‌ଲୋଭାର ଡିଉଟି ଦିନଟି ସେ ଚିନ୍ତିତ ଥିଲା ପରି ଆଖିରୁ ସ୍ପଷ୍ଟ ଧରାପଡେ । ପାଇବା ଓ ନପାଇବା, ଆନନ୍ଦ- ବେଦନା ଭରା ଏକ ଅତି ବଡ଼ ଆକର୍ଷଣରେ ମନ ଆଲୋଡ଼ିତ ହୋଇଯାଏ। ତାହାର ପ୍ରତି ପଦକ୍ଷେପରେ ତାହାର ଅନ୍ତର ଦୋହଲି ଉଠେ । ଅବଶ୍ୟ ମରିୟା ସହିତ ତାହାର କୌଣସି ସାଦୃଶ୍ୟ ନାହିଁ। ଗୋଟିଏ ସାଧାରଣ ବାଳିକା, ବାଳଗୁଡ଼ିକର ସେପରି କିଛି ବିଶେଷତ୍ବ ନାହିଁ, ତା, ଠାରେ କେବଳ ମାତ୍ର ସୁନ୍ଦର ତାହାର କୋମଳ ବାଦାମି ରଙ୍ଗର ଦୁଇଟି ଆଖି- ଯେଉଁ ଆଖିରେ ସେ ମରିୟାକୁ ଦେଖି ଆସିଛି। ତଥାପି ଏହି ଦୁଇଟି ବାଳିକାଙ୍କ ଭିତରେ ଯେପରି କୌଣସି ସାଦୃଶ୍ୟ କେଉଁଠି ରହିଯାଇଛି। ହୁଏତ ଏହି ଚାଲିବାର ଧୀର ଭାବଭଙ୍ଗୀ, ଆଉ ପ୍ରତ୍ୟେକ ରୋଗୀଙ୍କ ପ୍ରତି ଏକାନ୍ତ ଦରଦଭରା ସଯତ୍ନ ବ୍ୟବହାର… ଯାହା ମରିୟା ଚରିତ୍ରର ଗୋଟାଏ ବିଶେଷତ୍ବ।

ନା, ସୋନିଆ କିଛି ଲକ୍ଷ୍ୟ କରିନାହିଁ। ତାକୁ ଦେଖି ଟିକିଏ ସନ୍ଦେହ ମଧ୍ୟ  କରିନାହିଁ ସେ । କିଛିଦିନ ପରେ ସେ ଆହୁରି ନିଶ୍ଚିତ ହୋଇଯାଏ ଯେ ସୋନିଆ ତାକୁ ଚିହ୍ନିପାରିବନାହିଁ। ଆଉ ମଧ୍ୟ କେବେ ପାରିବ ନାହିଁ। ଯାହାକୁ ସେ ଚିହ୍ନନ୍ତା ତାହାର କୌଣସି ଅଂଶ ଆଉ ତାଠାରେ ନାହିଁ। ଆଜି ସେ ସଂପୂର୍ଣ୍ଣ ଅନ୍ୟ ଜଣେ ଲୋକ, ଏପରିକି ଯଦି ମରିୟା ମଧ୍ୟ ହୁଅନ୍ତା…

କି ଅଦ୍ଭୁତ ଚିନ୍ତା ! ଯେପରି ମରିୟା ମଧ୍ୟ ଆଜି ତାକୁ ଚିହ୍ନି ପାରିବନାହିଁ। ଯାହା ହେଉନା କାହିଁକି, ସୋନିଆ ପରିଚିତ ଛଡା ଆଉ ତା ପାଖରେ କିଛି ନୁହେଁ । ଏହି ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ବ୍ୟାଣ୍ଡେଜବନ୍ଧା ଲୋକଟି ଯେ ସେଦିନର ପ୍ରାଣପୂର୍ଣ୍ଣ ସେହି ଇଞ୍ଜିନିଅର ଚେର୍ନଭ୍‌ ଏ ଧାରଣା କି ରକମ ବା ତାହାର ହେବ ?

ଔଷଧ ଗ୍ଲାସ୍‌ଟା ହାତକୁ ବଢାଇ ଦେଇ ହଠାତ୍‌ ନର୍ସ୍‌ ପ୍ରଶ୍ନ କଲା“ଯୁଦ୍ଧ ଆଗରୁ ଆପଣତ ଜଣେ ଇଞ୍ଜିନିଅର୍‌ ଥିଲେ , ନୁହେଁ?”

ଗ୍ରେଗରୀ ପଥର ପାଲଟି ଗଲା । ତା ମୁଣ୍ତରୁ ଗୋଡ଼ତଳ ପର୍ଯ୍ୟନ୍ତ ଗୋଟାଏ ଶୀତଳ ସ୍ରୋତ ବହିଗଲା। ନା, ସେ ତା ମୁହଁ ଆଡ଼କୁ ଚାହିଁବ ନାହିଁ , କୌଣସି ଇତସ୍ତତ ଭାବ ମଧ୍ୟ ଦେଖିବାକୁ ଦେବ ନାହିଁ । କଡ଼ିକାଠ ଆଡ଼କୁ ଅନାଇଁ  କିଛି ନ ବୁଝି ପାରିଲା ଭଳି ଗୋଟାଏ ଶୁଖିଲା ସ୍ବରରେ ସେ ଜବାବ ଦେଲା।

“ଇଞ୍ଜିନିଅର୍‌, କାହିଁକି? ନା… ମୁଁ ତ ସବୁ ସମୟରେ ସୈନ୍ୟ ଦଳରେ ଥିଲି” ସୋନିଆ ତାକୁ କୌଣସି କଷ୍ଟ ନ ଦେଇ ଚାଲିଗଲା।

କିପରି ଜାଣିଲା?... ଆକସ୍ମିକ, ନା- ସତରେ ଚିହ୍ନିପାରିଛି, ଯେତେବେଳ ପର୍ଯ୍ୟନ୍ତ ସୋନିଆ ତାହାର ବିଛଣା ଛାଡ଼ି ନ ଯାଇଛି ସେତେବେଳ ପର୍ଯ୍ୟନ୍ତ ସେ ଆଖି ଫେରାଏ ନାହିଁ। ଯେତେବେଳେ ସେ ଏଆଡ଼କୁ ଆସେ , ନ ଦେଖିବାର ଛଳନା କରି ଚୁପ୍‌ ହୋଇ ଚେର୍ନଭ୍‌ ପଡ଼ିରହେ। କିନ୍ତୁ ତାହାର ପ୍ରତ୍ୟେକ କାର୍ଯ୍ୟକଳାପକୁ ସନ୍ଦେହ କରି ତୀକ୍ଷ୍ନ ଦୃଷ୍ଟି ଦେଇ ଲକ୍ଷ୍ୟ ରଖେ । 




+ -

© Jataayu Charitable Trust
Site designed,developed & maintained by Tekons