ଗ୍ରେଗରୀ ଚାଲିଆସିବା ପରେ ସେ ମରିୟା ପାଖରେ ଥିଲା। ସେ ମରିୟାର ଖବର ଜାଣେ- ସେ ବର୍ତ୍ତମାନ କିପରି ଅଛି। ଥରେ ଯଦି ସେ ତାକୁ ଡାକି ମରିୟା କଥା ପଚାରି ପାରନ୍ତା! କେତେମାସ ହୋଇଗଲା, ମରିୟାର କୌଣସି ଖବର ସେ ପାଇନାହିଁ। ଏହା ଭିତରେ ମରିୟାର ଯେ କିଛି ଘଟିପାରେ ସେ କଥା ତ ସେ ଥରକ ପାଇଁ ସୁଦ୍ଧା ମନକୁ ଆଣିନାହିଁ। ହୁଏତ ଅସୁସ୍ଥ ହୋଇ ପଡ଼ିଥିବ ସେ । ଅବଶ୍ୟ ସେ ତାକୁ ସଦାଦିନେ ସୁସ୍ଥ, ସବଳ ଆଉ ପ୍ରାଣପୂର୍ଣ୍ଣ ଦେଖି ଆସିଛି, କିନ୍ତୁ ବର୍ତ୍ତମାନ ଆଉ କିଛି ହୋଇପାରିଥାଏ। କାରଣ ଯୁଦ୍ଧର ସମୟ ଏଟା- ଆଗକାର ସୁଖ ସ୍ବାଚ୍ଛନ୍ଦ୍ୟର ଦିନ ତ ଆଉ ବର୍ତ୍ତମାନ ନାହିଁ।
ରୋଗୀମାନଙ୍କର ଧାଡ଼ି ଧାଡ଼ି ବିଛଣା ମଝିରେ ସୋନିଆ ଆଗେଇ ଆସେ । ଯଦି ଥରେ ଗ୍ରେଗରୀ ଖୁବ୍ ଆସ୍ତେ ସୋନିଆ ବୋଲି ଡାକିଦେବ ତେବେ ସେ ବୁଲିପଡ଼ି ଛିଡ଼ାହେବ- ଆଉ ତା ପାଖକୁ ଆଗେଇ ଆସିବ, ସେ ସେହିକ୍ଷଣି ସବୁକଥା ଜାଣିପାରିବ..ସବୁକଥା… ଯାହା ଜାଣିବା ପାଇଁ ତାହାର ଅନ୍ତର ଆକୁଳ ବିକଳ ହେଉଛି ।
ଦାନ୍ତରେ ଓଠ କାମୁଡ଼ି ଚେର୍ନଭ୍ ଏକ ଦୃଷ୍ଟିରେ ସୋନିଆର ମୁହଁକୁ ଅନାଇ ରହେ। ନା, ଏପରି ଅନାଇ ରହିବା ଉଚିତ୍ ନୁହେଁ… ଯେ କେହି ଲୋକ ବୁଝିପାରିବ… କେହି ଲୋକ ବୁଝିପାରିବ… କେହି ଯଦି ତା ଆଡ଼େ ଏକାନ୍ତ ଭାବେ ଚାହିଁ ରହିଥାଏ… ଏହି ରୋଗୀଟି…ସେ ଅପଲକ ନୟନରେ ଚାହିଁ ରହିଛି। ତା ଆଡ଼େ, ଯେକୌଣସି ମୁହୂର୍ତ୍ତରେ ତାହାର ଦୃଷ୍ଟି ଆକୃଷ୍ଟ ହୋଇପାରେ । ହୁଏତ ତାକୁ ଦେଖି ସେ ଭାବିବାକୁ ଆରମ୍ଭ କରିବ- ଯେପରି ଚିହ୍ନା ଚିହ୍ନା ଜଣାଯାଇଛି- ଏହାକୁ କେଉଁଠାରେ ଦେଖିଛି । ଆଉ ଯଦି ଆଗକାର ଚେର୍ନଭ୍ର କିଛିମାତ୍ର ଅବଶିଷ୍ଟ ତା ପାଖରେ ଥାଇପାରେ,ତେବେ ନିଶ୍ଚୟ ଏହି ବାଳିକାଟିର ସନ୍ଧାନୀ ଆଖିରେ ସେ ଧରାପଡ଼ିବ।
ଗ୍ରେଗରୀ ତାହାର ଦୃଷ୍ଟି ଫେରାଇ ଆଣିବାକୁ ପ୍ରବଳ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ। ସବୁ ସମୟରେ ତାକୁ ସେ ଦେଖିପାରୁଛି।
ସୋନିଆ ପାଖକୁ ଆଗେଇ ଆସେ, ଆହୁରି ନିକଟକୁ । କୌଣସି ଉପାୟରେ ସେ ତାହାଆଡୁ ମୁହଁ ଫେରାଇ ନେଇପାରୁନାହିଁ। ସୋନିଆର ପଛେ ପଛେ ତାହାର ଦୃଷ୍ଟିଶକ୍ତି ଘୂରି ବୁଲୁଛି । ମରିୟାର ପ୍ରଣୟ ସମ୍ଭାଷଣ ଯେପରି ତାହାର ସମସ୍ତ ଅଙ୍ଗରେ ଜଡ଼ିତ ହୋଇ ରହିଛି, ତାହାର ଦୁଇଟି ବ୍ୟାକୁଳ ବାହୁର ଉଷ୍ମ ଆକୁଳ ଆଲିଙ୍ଗନ,ତାହାର ଓଠ ଦୁଇଟିର ପ୍ରାଣ ମତାଣିଆ ହସ।
ହଠାତ୍ ଗୋଟାଏ ଗୋଳିଆ ମିଶା ଚିନ୍ତା। ତାହା ମନରେ ଜମିଆସେ । ଧର ଯଦି ମରିୟା ସୋନିଆକୁ ପଠାଇଥାଏ- ହୁଏତ ଆହତମାନଙ୍କର କାମ ତାଲିକାରୁ ସେ ତା ନାମ ଦେଖିପାରିଛି, ଆଉ ସୋନିଆକୁ ଆଗରେ ପଠାଇ ଦେଇଛି-ବର୍ତ୍ତମାନ ଯେକୌଣସି ମୁହୂର୍ତ୍ତରେ ସେ ଆସି ଯାଇପାରେ।
କି ସବୁ ବାଜେ ଚିନ୍ତା ଆସି ମୁଣ୍ଡରେ ଢୁକୁଛି। ଏଠାରେ ତ ସୋନିଆ କାମ କରେ ହାସପାତାଳ ଛଡା ଆଉ ନର୍ସ କାମ ବା କେଉଁଠାରେ କରିବ ସେ?
ବାଳିକାଟି ତା ବିଛଣା ପାଖରେ ଆସି ଛିଡ଼ାହୁଏ , ତାହାପରେ ଔଷଧ ଶିଶିଟା ତା ମୁଣ୍ଡ ପାଖରେ ଥିବା ଟେବୁଲ୍ ଉପରେ ରଖିଦିଏ।
“ଏତେ ବାଟ ଚାଲିବା ପରେ ବର୍ତ୍ତମାନ କିପରି ଲାଗୁଛି? ” ଗଳାର ସ୍ବର- ସେ ତ ଟିକିଏ ହେଲେ ବଦଳି ନାହିଁ- ତେବେ ସବୁ କଅଣ ବ୍ୟର୍ଥ ହୋଇଯିବ? ନିଜ ମନ ସାଙ୍ଗରେ ଏହି ଯେ ତାହାର ସଂଗ୍ରାମ, ସେହି ସୁମଧୁର ସ୍ବପ୍ନ ଆଗରେ ତାହାର ଅସହାୟ ଅତଳସ୍ପର୍ଶୀ ବ୍ୟର୍ଥତା, ଏହି ଯେ ଅନୁଶୋଚନା ଭରା ନିଦ୍ରାହୀନ ରାତ୍ରି-ସବୁ କଅଣ ନିଷ୍ଫଳ ହୋଇଯିବ?
“ଭଲ ଅଛି।”ଗ୍ରେଗରୀ ଅତି କଷ୍ଟରେ କହେ। ନିଜେ ନିଜର କଣ୍ଠସ୍ବର ବାରିନପାରି ସେ ଅବାକ୍ ହୋଇଯାଏ, ଯଦିଓ ସେହି ମୁହୂର୍ତ୍ତକରେ ଇଚ୍ଛା କରି ଗଳାର ସ୍ବର ପରିବର୍ତ୍ତିତ କରିବା ତା ପକ୍ଷରେ ଅସମ୍ଭବ ଥିଲା । ନର୍ସ୍ ଆଗେଇଯାଏ। ଗ୍ରେଗରୀ ସ୍ବସ୍ତିର ନିଃଶ୍ବାସ ଛାଡ଼େ- କିନ୍ତୁ ସଙ୍ଗେ ସଙ୍ଗେ ତାହାର ସମସ୍ତ ଅନ୍ତର ତୀବ୍ର ବେଦନାର ଆଘାତରେ ଶୂନ୍ୟ ହୋଇଆସେ, ଯେପରି ସେ ବର୍ତ୍ତମାନ କଅଣ ଗୋଟାଏ ହଜାଇ ଦେଇଛି- ଚିରଦିନ ପାଇଁ ତାହା ହରାଇ ବସିଛି।