ପ୍ରେମର ନିକଷ




“ବଡ଼ ଶୋଷ ହେଉଛି ନର୍ସ୍‌, ଦୟାକରି ଟିକେ ପାଣି ଦେଲ। ନା, ନା, ସେ ପାଖରୁ ନୁହେଁ, ଏ ପାଖରୁ ଦିଅ ।”

…ଦେଖି ନେଇପାରେ,ନିଶ୍ଚୟ ତାହା ଆଖିରେ ପଡ଼ିଯିବ… ମାଗିବି? ନା, ତାହା ହେଲେ ଦେବନାହିଁ, କାହିଁକି ମାଗୁଛି ମଧ୍ୟ ବୁଝିପାରିବ।… ଚେର୍ନଭ ମନେମନେ ଭାବେ।

“ବ୍ୟାଣ୍ଡେଜ୍‌ଟା- ବ୍ୟାଣ୍ଡେଜ୍‌ଟା ଥରେ ଦେଖତ ନର୍ସ୍‌ । ଏଇ ଯେ ଏଠି ଏ ପାଖରେ। ”

ନର୍ସ୍‌ ଆଗେଇ ଆସି ତାହାର ବିଛଣା ଉପରେ ନଇଁ ପଡିଲା । ଶୀଘ୍ର ଅଥଚ ଖୁବ ସତର୍କତା ସହକାରେ ଚେର୍ନଭ୍‌ ତାହାର ପକେଟରେ ହାତ ପୂରାଇ ଦେଲା। ଏହିଠାରେ ସେହି ଛୋଟ ଗୋଲେଇ ଆରସିଟା ଅଛି… ଥଣ୍ଡା, ଚିକ୍କଣ। ଏଆଟାତ ଆଉ ମିଛ କହିବ ନାହିଁ ତାକୁ ଠକିବ ନାହିଁ।

“ମୋଟେ ତୁମ ବ୍ୟାଣ୍ଡେଜ୍‌ ଖସି ଯାଇନାହିଁ।”

“ଖସି ଯାଇନି?କିନ୍ତୁ ମୋର ମନେ ହେଲା ଯେପରି।”ନର୍ସ୍‌ ଚାଲିଗଲା। ଗ୍ରେଗରୀ ସୁଯୋଗ ଖୋଜେ। ଏଇ ଆଜି ସୁଯୋଗ ଆସିଯାଇଛି । ୱାର୍ଡରେ କେହି ନାହାନ୍ତି, ନା ଡାକ୍ତର, ନା ନର୍ସ୍‌। ପାଖ ବିଛଣାର ରୋଗୀ ମଧ୍ୟ ଶୋଇଯାଇଛି।  ଖାଇବା ଏବଂ ବ୍ୟାଣ୍ଡେଜ୍‌ ବଦଳାଇବା ସମୟ ଛଡ଼ା ସେ ସବୁବେଳେ ଶୋଇପଡ଼େ।

ଛୋଟ ଗୋଲ ଆରସିଟି ତାକୁ ସତ କଥା କହିଦେଲା, ଅକପଟ, ନଗ୍ନ,ଭୟଙ୍କର ସେ ସତ୍ୟ। ଗୋଟାଏ ଡୋଳା ଉଠିଯାଇଛି- ଅଖିଟା କୋରଡ ହେଇ  ଭିତରକୁ ପଶିଯାଇଛି। କାପ୍‌ଟେନ୍‌ ଚେନର୍ଭ ଗମ୍ଭୀର ମୁହଁରେ ଅନାଇ ଦେଖେ ଚିନ୍ତିତ ହୋଇ କଅଣ ଖୋଜିଲା ପରି ;ତାହାର ଆଖିରେ ଦୃଷ୍ଟିର ପ୍ରଖରତା ଫୁଟିଉଠେ । ଘା ’ ଶୁଖି ପୂର୍ଣ୍ଣ ହୋଇଆସିଛି- ହାତଟା ଭାଙ୍ଗିଯାଇଛି- ଦାଗ ରହିଯିବ । ଛୋଟ ଆରସିଟିରେ ସେ ଯାହା ଦେଖୁଛି କେହି ତାହାର ପରିବର୍ତ୍ତନ କରିପାରିବ ନାହିଁ, ନଷ୍ଟ ହୋଇ ପଶିଯାଇଥିବା ଆଖି- କି ଅସୁନ୍ଦର- ମନେହୁଏ ଯେପରି ସ୍ଥାନଚ୍ୟୁତ ହୋଇଯାଇଛି। ଗୋଟିଏ ଅଦ୍ଭୂତ ଭୟଙ୍କର ଆଖିରେ ଚେନର୍ଭ ଚାହିଁ ରହିଛି- ମୁହଁରେ ଗୋଟାଏ ପ୍ରକାର ଅସ୍ବାଭାବିକ ଭାବ ଫୁଟି ଉଠିଛି। ଗ୍ରେଗରୀ ଆସ୍ତେ ବାଣ୍ଡେଜ୍‌ଟା ଯଥାସ୍ଥାନକୁ ଟେକିଦେଲା- ଠିକ ଆଗେ ଯେପରି ଥିଲା । ତାହା ପାଖରେ ଯାହା କିଛି ଅଜଣା ଓ ଅସ୍ପଷ୍ଟ ଥିଲା, ଆଜି ପରିଷ୍କାର ହୋଇଗଲା ହଁ ସତ କଥା ହିଁ ଟ୍ରେନର ଚକଗୁଡିକ ଚକ୍‌ଚକ୍‌ ଶବ୍ଦକରି ତାହା କାନରେ କହୁଛନ୍ତି- ତାହାର ସିଦ୍ଧାନ୍ତକୁ ସମର୍ଥନ କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ତାହା ପକ୍ଷରେ ଅତି ସ୍ପଷ୍ଟ ନୁହେଁ… ତଥାପି, ହଁ, ତାହାହିଁ  ହେବ।ତାହାହିଁ , ତାହାଛଡ଼ା ଆଉକିଛି ନୁହେଁ ।

ହାସାପାତାଳର ବୈଚିତ୍ର୍ୟହୀନ ଦିନଗୁଡ଼ିକ ନଈସୁଅ ପରି ବହିଯାଉଥିଲା। ବ୍ୟାଣ୍ଡେଜ୍‌ , ଔଷଧ, ଥର୍ମୋମିଟର ତାହାକୁ ନଗ୍ନ ବାସ୍ତବତା ସହିତ ପରିଚିତ କରାଇଦିଏ। ତାହାର ପ୍ରକୃତ ଅବସ୍ଥା ତାକୁ ଜଣାଇଦିଏ। ପାଖରେ ଶୋଇଥିବା ଲୋକଟିର ନିଃଶ୍ବାସ ପ୍ରଶ୍ବାସ ସେ ଯେ ଚିରଦିନ ପାଇଁ ପଙ୍ଗୁ ହୋଇଛି ସେ କଥା ଥରକୁ ଥର ଚେତାଇ ଦିଏ, ବାହାରେ ଚଳନ୍ତା ଟ୍ରେନ୍‌ଟାର ଘର୍ଘର ଶବ୍ଦ ଚିତ୍କାର କରି ସୂଚାଇ ଦେଇଯାଏ ସେ ପଙ୍ଗୁ ।

ହଠାତ ଦିନେ ଗୋଟାଏ ନର୍ସ୍‌ ତାକୁ ପ୍ରଶ୍ନ କଲା“ଆଚ୍ଛା, ତୁମର ଆତ୍ମୀୟ ଲୋକସବୁ କେଉଁଠାରେ ? ”

“ମୋର ତ କେହି ନାହାନ୍ତି।” ସ୍ପଷ୍ଟ ସ୍ବରରେ ଚେନର୍ଭ ଉତ୍ତର ଦେଲା । କିନ୍ତୁ ତାହାର  ଅନ୍ତରରେ ଗୋଟାଏ ଗୋପନ କାମନା ଜାଗି ଉଠିଲା, ଗୋଟିଏ ଆକୁଳ ପ୍ରତୀକ୍ଷା ଲୁଚି ଲୁଚି ଆସି ମନଗହୀରରେ ବସା ବାନ୍ଧିଲା, ସେହି ରେଶମ ପରି କୋମଳ କେଶଗୁଚ୍ଛ ସେହି ବିକଶିତ ହସ ଯାହାର ଆଲୋକରେ ତାହାର ସାରା ଅନ୍ତର ଜଗତ ଆଲୋକିତ ହୋଇ ଉଠୁଥିଲା, ଆଉ ସେହି ଗୋଟାଏ ହାତର ନରମ ପରଶ । ହାୟ, ଯଦି ସେ ଥରେ ତା ପାଖକୁ ଆସନ୍ତା , ଯଦି ସେ ଥରେ ଆସି ତାହାର ରୋଗଶଯ୍ୟା ପାଖରେ ଛିଡ଼ା ହୁଅନ୍ତା, ଯଦି ଥରକପାଇଁ ତାହାର ବିଶ୍ବାସପୂର୍ଣ୍ଣ ଅତଳ ଗଭୀର କୋମଳ ଚକ୍ଷୁ ଦୁଇଟି ସହିତ ତାହାର ଚକ୍ଷୁର ମିଳନ ହୁଅନ୍ତା, ସେହି ନରମ ଓଠ ଦୁଇଟିରୁ ପଦେ କଥା, ଯେଉଁ ଓଠ ଦୁଇଟି ସହସ୍ରବାର ଗଭୀର ଚୁମ୍ବନର ପରଶ ପାଇଛି, ସେହି ନରମ ହାତଟି ଯଦି ତାହାର ରୋଗଗ୍ରସ୍ତ ଲଲାଟ ଉପରେ ଚଲାଇଦିଅନ୍ତା …




+ -

© Jataayu Charitable Trust
Site designed,developed & maintained by Tekons