“କଣ ସବୁ ଗୁଣ୍ଡଗଣ୍ଡି ବସି ଭାବୁଛି ମୁଁ।” ମରିୟା ମନେ ମନେ କହି ଉଠିଲା-“ ଯେତେବେଳେ ଗ୍ରିଶା…
“ଠିଆ ହୁଅତ ଦେଖି, କଅଣ ଗୋଟାଏ ଲେଖାହୋଇଛି ଏଠି, ନା, ମୋଟେ ବୁଝିପାରିଲି ନାହିଁ।”ପଛକୁ ପଛ ଗଦା ଗଦା ସଂଖ୍ୟା ସଜା ହୋଇ ରହିଛି- ଅସମ୍ଭବ, ଯେତେ ଭାବିଲେ ବି କାହାର କୌଣସି ଅର୍ଥ ବାହାରୁନାହି।”କିନ୍ତୁ ସେ ଯାହାହେଉ, ତୋର କଣ ହେଲା?- ଟେଲିଗ୍ରାମଟା ଯେବେ ବା ଡେରିରେ ଆସି ପହଞ୍ଚିଲା, କିନ୍ତୁ ତାର ଅର୍ଥ ତ ପରିଷ୍କାର। ଏହିରକମ ସବୁବେଳେ ହେଉଛି। ଦେଖାଯାଏ ଟେଲିଗ୍ରାମ ଆଗରୁ ଚିଠି ଆସି ପହଞ୍ଚେ। ଝିଅଟା ଯଦି ବୁଝି ଖଣ୍ଡିଏ ଚିଠି ସଂଗେ ସଂଗେ ଦିଅନ୍ତା ତାହାହେଲେ ସବୁ ପରିଷ୍କାର ହୋଇଯାଆନ୍ତା। । କିନ୍ତୁ ଯାହା ବୁଝାଯାଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଗ୍ରିଶା ବଞ୍ଚି ରହିଛି । ”
ଦୁଆରର ଘଣ୍ଟା ଜୋର୍ରେ ବାଜି ଉଠିଛି। ତାତ୍ୟାନା ପେଟ୍ରୋଭାନା ଦଉଡ଼ିଯାଇ ଦୁଆର ଖୋଲିଦେଲେ। “ଖବର କଣ ମରି୍ୟା?” ରୁମାଲ ବାହାର କରି କପାଳରୁ ଝାଳ ପୋଛୁ ପୋଛୁ ଦମ୍ ମାରି ଭରୋନତ୍ସଭ ପଚାରିଲା।
“ଏଇ ଯେ ଗୋଟିଏ ଟେଲିଗ୍ରାମ ଆସିଛି – ଗ୍ରେଗରୀଖ ବଞ୍ଚିରହିଛି । ଆହତ ହୋଇ ଗୋଟିଏ ହାସପାତାଳରେ ପଡ଼ିରହିଛି…” ତାତ୍ୟାନ୍ୟା ପେଟ୍ରୋଭାନା ଏକ ନିଃଶ୍ବାସରେ କହିଗଲେ – ଶୀଘ୍ର କହିବାରୁ ତାଙ୍କର କଥାଗୁଡ଼ିକ ଗୋଳିଆମିଶା ହୋଇଗଲା। ମୁହୂର୍ତ୍ତକ ପାଇଁ ତାଙ୍କର ଏହି ତରୁଣ ଡାକ୍ତରଟି ପ୍ରତି ଯେଉଁ ବିରୋଧରେ ତାହା ସେ ଭୂଲିଯାଇଥିଲେ ।
“ ଗ୍ରେଗରୀ-ବଞ୍ଚିରହିଛି?”
“ଏଆଡେ ଶୀଘ୍ର ଆସ- ଏଇ ଦେଖ ଟେଲିଗ୍ରାମଟା ।”
କୌଣସି ସମ୍ଭାଷଣ ନ କରି ମରିୟା କାଗଜଟା ତାଙ୍କ ଆଡ଼େ ବଢାଇଦେଲା।
“ କିନ୍ତୁ ଏହାର ମାନେ କଣ ମରିୟା?”
ଟେଲିଗ୍ରାମଟା ବଦଳରେ ଭୁଲ୍ରେ ମରିୟା ନୋଟିସ୍ଟା ତାଙ୍କ ହାତକୁ ବଢାଇଦେଲା ।
“ନା, ନା, ଏଇଯେ । କିଛି ମନେ କରନାହିଁ, ମୋ ମୁଣ୍ଡଟା ବିଲ୍କୁଲ୍ ଖରାପ ହୋଇଯାଇଛି। ସେଟା ନୁହେଁ, ଏଇଯେ ଏଇଟା …”
ଅତି ଆଗ୍ରହରେ ଭରୋନତ୍ସଭ ଟେଲିଗ୍ରାମଟା ପଢିଲା
“ଆଗେ ଦେଖତ କେତେ ତାରିଖରେ ପଠାହୋଇଛି।- କୌଣସିମତେ ମୁଁ ବୁଝିପାରିଲିନାହିଁ । ”
“ଭରୋନତ୍ସଭ୍ ହାତ ଥରୁଛି। ଥରକୁ ଥର ସେ ଲେଖାକୁ ପଢ଼ୁଛି- “ମୋତେ ବିଶ୍ବାସ କର ମରିୟା, ମୁଁ ଭାରି ଖୁସି ହୋଇଛି- ସତ, ମୁଁ ଖୁବ୍ ଆନନ୍ଦିତ।”
“କଅଣ କହୁଛି ଭରୋନତ୍ସଭ୍?” କାହା ମନରେ କଅଣ ହେଲା ନ ହେଲା ସେ କଥା ଜାଣି କଣ ହେବ ମରିୟା କିନ୍ତୁ ଗୋଟିଏ କଥା ଜାଣିବାକୁ ଚାହେଁ, “ ତାରିଖ- ତାରିଖଟା ଆଗେ ଦେଖ ତ କେବେ ପଠାଇଛି ଟେଲିଗ୍ରାମଟା?
“ସହଜ ଭାବରେ ଗ୍ରହଣ କର ମରିୟା- ସବୁ ପରିଷ୍କାର ହୋଇଯିବ ବର୍ତ୍ତମାନ… ଏଇ ଦେଖ ତାରିଖ…।”
“କାହିଁ ଦେଖି?” ବାଧା ଦେଇ ମରିୟା କହିଲା, ଭୟାନକ ଉତ୍ତେଜନାରେ ତାର ଛାତି ଭିତରଟା ଦୁମ୍ ଦୁମ୍ ହୋଇ କମ୍ପୁଛି।
“ତାରିଖଟା ଆଗକାର।”
ମନହେଲା ମରିୟା ପଥର ପାଲଟି ଯାଇଛି, ଭରୋନତ୍ସଭ୍ କଣ୍ଠ ବହୁତ ଦୂରରୁ ଭାସି ଆସିଥିଲା ପରି ଜଣାପଡ଼ୁଛି। ତାହାହେଲେ ତାର ଅର୍ଥ…
“କିଛି ଯାଏ ଆସେ ନାହିଁ। ସେଟା ନୋଟିସ୍ ଏବଂ ଏଇଟା ହାସ୍ପାତାଳରୁ… ନିଶ୍ଚୟ କେଉଁଟା ଗୋଟାଏ ମସ୍ତ ବଡ଼ ଭୁଲ୍ ହୋଇଛି।”
“ସେହି କଥା କହି କହି ମୁଁ ତ ଥକିଗଲଣି। ଦେଖନା, ବସିଛି ତ ବସିଛି- ବୁଦ୍ଧିଶୁଦ୍ଧି ଯେପରି ସବୁ ଏକାବେଳେ ଲୋପ ପାଇଯାଇଛି, ଭାବୁଛି। ବୁଢ଼ୀମା, ସେ ଅବା କଅଣ ବୁଝେ…” ବିରକ୍ତ ହୋଇ ତାତ୍ୟାନା କହି ଚାଲିଥାନ୍ତି।