ପ୍ରେମର ନିକଷ




“କହ ତ କାହିଁକି ତୁ ଏଭଳି କାଠ ଭଳି ବସିରହିଛୁ? ଗ୍ରିଶାତ ବଞ୍ଚି ରହିଛି।”

“ଜାଣେନା… ମୁଁ କିଛି ବୁଝିପାରୁନାହିଁ।”

ଟେବୁଲ ଉପରେ ଦୁଇଟି କାଗଜ ପଡ଼ି ରହିଛି– ଗୋଟାଏ ମୃତ୍ୟୁର ସମ୍ବାଦ ବହିଆଣିଛି, ଆଉ ଗୋଟିଏ ଜୀବନର।କେଉଁଟାକୁ ସେ ବିଶ୍ବାସ କରିବ?କେଉଁଟା ବା ସତ୍ୟ? କିଛି ତ ବୁଝା ପଡ଼ୁନାହିଁ। ଆନନ୍ଦର ଏକ ଆଲୋକରେଖା ତାର ଅନ୍ତରର ଗଭୀରତମ ପ୍ରଦେଶକୁ ଆଲୋକିତ କରିଉଠିଲା।ମରିୟା ଜୋର କରି ସେହି ଆନନ୍ଦର କ୍ଷୀଣ ସ୍ପନ୍ଦନକୁ ଚାପି ରଖିଲା।ଦୁଇଥର ଗ୍ରିଶାକୁ ହରାଇବା ତା ପକ୍ଷରେ ଅସହ୍ୟ- ମର୍ମାନ୍ତିକ। ତାହାର ଛାତି ଫାଟି ଯାଉଛି… କଅଣ ଯେପରି ଗୋଟିଏ, କଣ୍ଟା ସେଥିରେ ଫୋଡ଼ି ହୋଇ ରହିଛି।-ସବୁଥିରେ ତାକୁ ଭୟ ଲାଗୁଛି- ବ୍ୟଥା, ଆନନ୍ଦ ଭୟରେ। କାରଣ ଆନନ୍ଦ ଯଦି ନିଷ୍ଠୁରତମ ଆଘାତରେ ପରିଣତ ହୁଏ!!

“ଏଥିରେ ଆଉ ବୁଝିବାର କଣ ଅଛି ଶୁଣେ?-ସେ ତ ହାସପାତାଳରେ ଆଛି।”

ସନ୍ଦେହ ହେଲା, ମରିୟା ଆହୁରି ଥରେ ଠିକଣାଟା ଭଲ କରି ଦେଖିନେଲା-ନା, ତାହାର  ଠିକଣା ତ ଲେଖା ହୋଇଛି।

ହଠାତ୍‌ ମରିୟା ହାତମୋଜା ପିନ୍ଧି ଛିଡ଼ା ହେଲା।

“ ପୁଣି କୁଆଡ଼େ ବାହାରିଲୁ?”

“ମୁଁ ଯିବି, କିଛି ଗୋଟାଏ ଆଲୋଚନା କରିବାକୁ ହେବ। ଏ ବିଷୟରେ କୌଣସି ଗୋଟାଏ ପରାମର୍ଶ…”

“ହଁ, ହଁ, ଭରୋନତ୍ସଭ୍‌ ପାଖକୁ ଯାଉଛି?” ତାହାଛଡ଼ା ଆଉ କାହା ପାଖକୁ ମରିୟା ପରାମର୍ଶ କରିବାକୁ ଯାଇପାରେ। ସାଧାରଣ ଅବସ୍ଥାରେ ଥାଇ କୌଣସି ଲୋକ ଦୁଇଟି ବିଷୟ ପଢ଼ି ଦେଖୁ, ତା’ପରେ ସମସ୍ତ ତାକୁ ବୁଝାଇଦେଉ ନଇଲେ ସେ ପାଗଳି ହୋଇଯିବ।

“ବର୍ତ୍ତମାନ ଆଉ କୁଆଡ଼କୁ ଯିବାକୁ ହେବ ନାହିଁ। ତୋର ମୁଣ୍ଡ ବିଲ୍‌କୁଲ୍‌ ଖରାପ ହୋଇଯାଇଛି। ଏଇଲାଗେ ତ କାମରୁ ଫେରିଲୁ, ଚେହେରା ଯାହା ହୋଇଛି ଦେଖ ତ , ପୁଣି ଏଇ ବେଶରେ ବାହାରିବୁ ପଦାକୁ। ମୁଁ ଗୋଦାମର ଦରବାନ ପାଖକୂ ଯାଉଛି। ସେ ତାର ପୁଅକୁ ପଠାଇ ଭରୋନତ୍ସଭକୁ ଡ଼ାକିଆଣିବ-ତୋର ଯେବେ ଏଇଲାଗେ  ତା ସାଙ୍ଗରେ ଏତେ ଜରୁରୀ କାମ ଅଛି। ଯେଉଁଠି ଅଛୁ, ସେହିଠି ରହ, କୁଆଡ଼େ ବାହାରକୁ ଯାଆନା ମୋ ବୋଲ ମାନି।”

ମରିୟା ଅବାକ୍‌ ହୋଇ ଦେଖିଲା ଯେ ସେ ଆଦେଶ ବାଧ୍ୟ ବାଳିକା ପରି ମାନିଯାଇଛି, ପ୍ରତିବାଦ କରିବାର ସାମର୍ଥ୍ୟ ନାହିଁ ତାର। ତାହାର ମନେହେଲା ଗୋଡ଼ ଦୁଇଟି ଯେପରି ଦୁର୍ବଳ ଅକର୍ମଣ୍ୟ ହୋଇଛି- କିଏ ଯେପରି ଗୋଡ଼ ଦୁଇଟିରୁ ହାଡ଼ ଦୁଇଖଣ୍ଡ ବାହାର କରି ନେଇଛି। ଦୁମ୍‌କରି ମରିୟା ଚେୟାରଟା ଉପରେ ବସିପଡ଼ିଲା। ତାର ଆଖିରେ ସତେ ଯେପରି ଘରଦ୍ବାର ସବୁ ଘିର୍‌ ଘିର୍‌ ହୋଇ ବୁଲୁଛି। ଅତି ବାଧ୍ୟ ପିଲାଟି ପରି ସେ ଚା’ ଖାଇବାକୁ ବସିଲା। ଗରମ ଚା’, ଓଠ ପୋଡ଼ିଯାଉଛି କିନ୍ତୁ ସେଥିପ୍ରତି ତାର ନଜର ନାହିଁ। ଦୁଇଖଣ୍ଡ କାଗଜ ଟେବୁଲ ଉପରେ ପଡ଼ିରହିଛି- କେଉଁଟା ସତ୍ୟ, କେଉଁଟା ତାର ଭାଗ୍ୟ ନିର୍ଣ୍ଣୟ କରିବ? ମରିୟା ଆଖି ଫେରାଇ ଆଣିପାରିଲା ନାହିଁ।

ତାରିଖ, ମରିୟା ହଠାତ୍‌ ତାରିଖ କଥା ମନେ ପଡ଼ିଗଲା। ନୋଟିସ୍‌ର ତାରିଖଟା ତାକୁ ଜଣାଅଛି-ହଜାର ଥର ସେ ତାରିଖଟା ସେ ଦେଖିଛି- ମନେ ମନେ ବହୁ ବାର ଉଚ୍ଚାରଣ କରିଛି-ଅତୀତ ଓ ବର୍ତ୍ତମାନ ମଧ୍ୟରେ ଅତଳ ସମୁଦ୍ରର ବ୍ୟବଧାନ ଆଣି ଦେଇଛି, ସେହି ତାରିଖଟା ତାର ବିଗତ ଓ ବର୍ତ୍ତମାନ ଜୀବନ ମଧ୍ୟରେ ଆକାଶକୁ ଛୁଇଁଥିବା କାନ୍ଥ ଭଳି ଠିଆ ହୋଇଛି… ଯାହାକୁ ଭେଦ କରିହେବନାହିଁ।କିନ୍ତୁ ଏହି ଟେଲିଗ୍ରାମଟା?

ସଂଖ୍ୟା ପରେ ସଂଖ୍ୟା,ପୁଣି ସଂଖ୍ୟା-ଗୋଟାଏ ପୁରା ଧାଡ଼ି ପଛକୁପଛ ସଜା ହୋଇଛ,କି ସବୁ ସଂଖ୍ୟା।କିପରି ମରିୟା ତାର ଅର୍ଥ ବାହାର କରିବ? ଆଜି କେତେ ତାରିଖ। ମରିୟା ମନେ କରିବାକୁ ଚେଷ୍ଟା କଲା କିନ୍ତୁ ମୋଟେ ମନେ କରିପାରିଲା ନାହିଁ। ମନେ ପଡ଼ୁଛି ପୁଣି ମନେ ପଡ଼ୁ ନାହିଁ।ଥରକୁ ଥର ଦୂରକୁ ଘୁଞ୍ଚିଗଲା ପରି ବୋଧ ହେଉଛି ଯେପରି କୁହୁଡ଼ି ପବନରେ ଭାସି ଯାଉଛି।ଆଜିର ତାରିଖଟା କେତେ? କେଉ ମାସ ଏଇଟା?କେଉଁ ସାଲ? ଅତି କଷ୍ଟରେ ସାଲଟା ମରିୟାର ମନେପଡ଼େ-ହଁ, ସେଇଆ ତ!

“ ଟେଲିଗ୍ରାମଟା ସେତିକିବେଳକୁ ପଢ଼ୁଛୁ ତ ପଢ଼ୁଛୁ, ତହିଁରୁ ନୁଆ କଣ ଅର୍ଥ ବାହାର କରୁଛୁ ଶୁଣେ?”

“ଟେଲିଗ୍ରାମ କେତେ ତାରିଖର ମୋଟେ ବୁଝିପାରୁନାହିଁ।”

“ଦେଖି ମୋତେ ଦିଏ ତ।” ତାତ୍ୟାନା ପେଟ୍ରୋଭାନା ଚଷାମାଟା ନାକ ଉପରକୁ ଟେକି ଦେଲେ। “ ହଁ, ସେଇଆ ତ।” ମରିୟା ଗୋଟେ ନୂଆ ଫ୍ରେମ୍‌ ଆଣିବା କଥା ଭୁଲି ଯାଇଛି। ବର୍ତ୍ତମାନ ସୁଦ୍ଧା ଚଷମାରେ ଧୋବ ସୂତା ବନ୍ଧା ହୋଇଛି। ପ୍ରତି ଦିନ ହାସପାତାଳ ଯିବା ବାଟରେ ତାର ଚଷମା  କଥା ମନେପଡ଼େ- ବାରମ୍ବାର ସେ ମନେ ମନେ  କହେ ଚଷମା- ତା’ପରେ କାମରେ ବ୍ୟସ୍ତ ରହିଯାଏ ଯେ- ହାସପାତାଳରେ ରୋଗୀମାନଙ୍କର ନାନାଦି ବିଷୟ ଚିନ୍ତାକରି ସବୁଭୁଲି ଯାଏ। ଚଷମା କଥା ମନରୁ ଏକବାର ଭୁଲିଯାଏ ସେ।




+ -

© Jataayu Charitable Trust
Site designed,developed & maintained by Tekons